ରାୟଗଡାରେ ଗଞ୍ଜେଇ ବଦଳରେ ବାଘ ଛାଲ ଜବତ କଲା ପୋଲିସ

ଜବତ ହେଲା ବାଘ ଛାଲ

ରାୟଗଡ଼ା: ଗଞ୍ଜେଇ ଧରପଗଡ଼ କରିବାକୁ ଯାଇଥିବା ରାୟଗଡା ଜିଲ୍ଲା ପୁଲିସକୁ ବଡ ସଫଳତା ମିଳିଛି। ପଦ୍ମପୁର ଥାନା ଅନ୍ତର୍ଗତ ନାରାୟଣପୁର ଜଙ୍ଗଲରେ ଅତର୍କିତ ଚଢ଼ଉ ସମୟରେ ପୁଲିସ ଏକ କଲରାପତରିଆ ବାଘ ଛାଲ ସମେତ ୧୩୬ କିଲୋ ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ପୁଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ମହୁପଦର ଗ୍ରାମର ନାଗେଶ୍ୱର ମାଝି, ନାହୁସନ ମଲ୍ଲିକ ଏବଂ ସଉଲା ମାଝି। ସୂଚନା ଅନୁଯାୟୀ ପୁଲିସର ଏକ ଟିମ ନାରାୟଣପୁର ଜଙ୍ଗଲରେରେ ଚଢଉ କରିଥିଲେ। ସେଠାରେ ପ୍ରଥମେ ୬୪ କିଲୋ ଗଞ୍ଜେଇ ଗଚ୍ଛିତ ହୋଇ ରହିଥିବା ପୁଲିସ ଦେଖିବାକୁ ପାଇଥିଲା। ତେବେ ଅଧିକ ତନାଘନା କରିବା ପରେ ସେହି ଜଙ୍ଗଲରୁ ପୁଣି ୭୨ କିଲୋ ଗଞ୍ଜେଇ ଉଦ୍ଧାର ହୋଇଥିଲା। ଏହି ଗଞ୍ଜେଇକୁ ଚାଲାଣ କରୁଥିବା ମହୁପଦର ଗ୍ରାମର ନାଗେଶ୍ୱର ମାଝି, ନାହୁସନ ମଲ୍ଲିକ ଏବଂ ସଉଲା ମାଝିଙ୍କୁ ମଧ୍ୟ ପୁଲିସ କାବୁ କରିଥିଲା। ଏମାନଙ୍କୁ ଧରି ପୁଲିସ ପଚରାଉଚରା କରିବା ସହ ଅଧିକ ତଦନ୍ତ କରୁଥିବା ସମୟରେ ଏମାନଙ୍କ ନିକଟରେ ଏକ କଲରାପତରିଆ ବାଘର ଚମଡା ମଧ୍ୟ ପୁଲିସ ଜବତ କରିଥିଲା।ଏହାର ଓସାର ୪ ଫୁଟ ଥିବା ଏସପି ବିବେକାନନ୍ଦ ଶର୍ମା ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।
ପୁଲିସ ଅଭିଯୁକ୍ତମାନଙ୍କ ଠାରୁ ଦୁଇଟି ମୋବାଇଲ ଫୋନ୍‌, ନଗଦ ୧୧୫୦ ଟଙ୍କା ଜବତ ମଧ୍ୟ କରିଛି। ଏହି ଗଞ୍ଜେଇକୁ ବାହାର ରାଜ୍ୟକୁ ଚାଲାଣ କରାଯାଇଥାନ୍ତା। ତେବେ ବାଘ ଛାଲ ଜଣେ ବେପାରୀଙ୍କୁ ଦେଇଥିବା ନେଇ ଅଭିଯୁକ୍ତମାନେ ପ୍ରକାଶ କରିଥିଲେ। ଏହି ବାଘ ଛାଲକୁ ବନ ବିଭାଗକୁ ହସ୍ତାନ୍ତର କରାଯିବା ସହ ଏହା କେଉଁଠାରୁ ଆସିଲା ଏବଂ ଏହି ଚାଲାଣରେ କିଏ କିଏ ସଂପୃକ୍ତ ରହିଛନ୍ତି ମିଳିତ ଭାବେ ତଦନ୍ତ କରାଯିବ ବୋଲି ଏସପି ପ୍ରକାଶ କରିଥିଲେ। ପ୍ରକାଶ ଥାଉକି ବାଘକୁ ଗୁଳି କରି ହତ୍ୟା କରାଯାଇଛି। ଗୁଳିର ଚିହ୍ନ ଚମଡାରେ ଥିବା ସ୍ପଷ୍ଟ ବାରି ହେଉଛି ବୋଲି ପୁଲିସ କହିଛି। ତେବେ ଏହା ଆନ୍ତର୍ଜାତିକ ରାକେଟ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି। ଅଧିକା ତଦନ୍ତ ପରେ ସବୁ ସ୍ପଷ୍ଟ ହୋଇଯିବ ବୋଲି କୁହାଯାଇଛି।

Share Now:

Kalinga News Beuro

Next Post

ମାମଲା କୋହଳ କରିବାକୁ ଲାଞ୍ଚ : ପୂର୍ବତନ ଭଷ୍ମା ଥାନାଧିକାରୀଙ୍କୁ ୨ ବର୍ଷ ଜେଲ୍

Fri Mar 31 , 2023
ସୁନ୍ଦରଗଡ଼: ଏକ ଲାଞ୍ଚ ମାମଲାର ଶୁଣାଣି କରି ସୁନ୍ଦରଗଡ଼ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଭଷ୍ମା ଥାନାର ପୂର୍ବତନ ପୁଲିସ ଅଧିକାରୀ ତଥା ଅଧୁନା ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଦାଦରାଘାଟି ଫାଣ୍ଡି ଏସଆଇ ଭାବେ କାର୍ଯ୍ୟରତ ସୁଜିତ କୁମାର ସାହୁଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ତାଙ୍କୁ ୨ ବର୍ଷ ଜେଲ୍ ଓ ୧୦ ହଜାର ଟଙ୍କା ଜରିମାନା ଆଦେଶ ହୋଇଛି। ଜରିମାନା ଅନାଦାୟ ହେଲେ ଜେଲଦଣ୍ଡ ୧ ମାସ ବୃଦ୍ଧି […]
ପୂର୍ବତନ ଭଷ୍ମା ଥାନାଧିକାରୀଙ୍କୁ ୨ ବର୍ଷ ଜେଲ୍

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial