ସନାତନ ହତ୍ୟାକୁ ନେଇ ତୁମୁଳକାଣ୍ଡ: ହତ୍ୟା ଅଭିଯୁକ୍ତଙ୍କ ଘର ଛାର୍‌ଖାର୍‌

ସନାତନ ହତ୍ୟାକୁ ନେଇ ତୁମୁଳକାଣ୍ଡ

ରଘୁନାଥନଗରରେ ତୀବ୍ର ଉତ୍ତେଜନା, ପୁଲିସ ନାକେଦମ୍

ଭୁବନେଶ୍ବର: ରବିବାର ବିଳମ୍ବିତ ରାତିରେ ଡୁମୁଡୁମା ରଘୁନାଥନଗରରେ ସନାତନ ରାଉତରାୟ(୨୨)ଙ୍କୁ ଚୋରା ମଦ ବେପାର କରୁଥିବା ରାଜା ଜୟସିଂହ ଓ ସେମାନଙ୍କ ସଂପର୍କୀୟମାନେ ମିଶି ନୃଶଂସ ଭାବେ ହତ୍ୟା କରିବା ପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଥିଲା। ଆଜି ସକାଳେ ପୁଣିଥରେ ରାଜାର ପରିବାର ସ୍ଥାନୀୟ ସ୍କୁଲ ପଡ଼ିଆ ନିକଟରେ ମଦର ପସରା ମେଲାଇଥିବା ଦେଖି ଏହା ବିସ୍ଫୋରକ ରୂପ ନେଇଥିବାବେଳେ ଶତାଧିକ ଉତ୍ତ୍ୟକ୍ତ ଲୋକ ରାଜା ଓ ମିଥୁନ ସମେତ ଅନ୍ୟ ଅଭିଯୁକ୍ତମାନଙ୍କ ଘରେ ପଶି ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ଘରର ଆସବାବପତ୍ରଠୁ ନେଇ ମୋଟରସାଇକେଲ ଆଦି ଭାଙ୍ଗି ଚୂରମାର କରି ଦେଇଥିବାବେଳେ ପୂରା ଘର ଛାରଖାର ହୋଇଯାଇଛି। ଏହାକୁ ନେଇ ଦିନତମାମ ସମଗ୍ର ଅଞ୍ଚଳରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଥିବାବେଳେ ଲୋକଙ୍କୁ ଶାନ୍ତ କରିବାକୁ ପୁଲିସକୁ ନାକେଦମ୍ ହେବାକୁ ପଡ଼ିଛି। ଅପରପକ୍ଷରେ ସନାତନ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ରାଜାକୁ ଧରିବାରେ ପୁଲିସ ଏଯାଏ ସମର୍ଥ ହୋଇନଥିବାରୁ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ରାଜାକୁ ଧରିବା ପାଇଁ ବିଭିନ୍ନ ଜାଗାରେ ଚଢ଼ଉ କରାଯାଇଥିଲେ ହେଁ ତା’ର କୌଣସି ପତ୍ତା ମିଳୁନଥିବା ଜଣାପଡ଼ିଛି।
ଆମକୁ ହତ୍ୟାକାରୀର ମୁଣ୍ଡ ଦିଅ
ଏ ଖବର ପାଇ ଅପରାହ୍ଣ ପ୍ରାୟ ୨ଟା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଖଣ୍ଡଗିରି ଆଇଆଇସି ପଦ୍ମନାଭ ପ୍ରଧାନ ସଦଳବଳେ ପହଞ୍ଚି ପ୍ରଥମେ ଉତ୍ତ୍ୟକ୍ତ ଲୋକଙ୍କୁ ଏଥିରୁ ନିବୃତ୍ତ କରିବାକୁ ଚେଷ୍ଟା କରିଥିଲେ। ତେବେ ପୁରୁଷମାନେ ପଛକୁ ରହି ମହିଳାମାନେ ଆଗରେ ରହିଥିଲେ। ଏପରିକି ସ୍ଥାନୀୟ ଲୋକ ସନାତନର ମୁଣ୍ଡ ବଦଳରେ ହତ୍ୟାକାରୀର ମୁଣ୍ଡ ଦରକାର ବୋଲି ଦାବି କରିଥିଲେ। ଏହା ସହିତ ବସ୍ତିରେ ଯେତେ ପର୍ଯ୍ୟନ୍ତ ଚୋରା ନିଶା କାରବାର ଚାଲିଥିବ ସେତେ ପର୍ଯ୍ୟନ୍ତ ଏହିଭଳି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ ବୋଲି ରୋକ୍‌ଠୋକ୍ ଶୁଣାଇଥିଲେ। ଫଳରେ ପୁଲିସ ଲୋକଙ୍କୁ ବୁଝାସୁଝା କରି ନିଶା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲା। ତଥାପି ଲୋକଙ୍କ ରାଗ ଶାନ୍ତ ହୋଇ ନ ଥିଲା। ଶହଶହ ସଂଖ୍ୟାରେ ଲୋକ ରାଜା ଓ ଅନ୍ୟ ଅଭିଯୁକ୍ତ ଘରକୁ ଘେରି ରହିଥିଲେ। ଲୋକଙ୍କୁ ବୁଝାସୁଝା କରିବାକୁ ପୁଲିସକୁ ନାକେଦମ୍ ‌ହେବାକୁ ପଡ଼ିଥିଲା। ପରେ ଜୋନ୍ ଏସିପି ଭରତ ପ୍ରଧାନ ସ୍ଥାନୀୟ ଅଞ୍ଚଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପୁଲିସର ଫ୍ଲାଗ୍‌ମାର୍ଚ୍ଚ କରାଇବାରୁ ଉତ୍ତ୍ୟକ୍ତ ଲୋକେ ଘଟଣାସ୍ଥଳରୁ ପଳାଇ ଯାଇଥିଲେ।

ମାଡ଼ ମାରି ମଦ ଛଡ଼ା‌ଇନେଲେ; ଘର ଓ ଦୋକାନ ଭାଙ୍ଗିଲେ
ସନାତନ ଭଳି ଜଣେ ଯୁବ ବ୍ୟବସାୟୀର ବୀଭତ୍ସ ହତ୍ୟାକୁ ନେଇ ଗତ ରବିବାର ରାତିରୁ ସମଗ୍ର ଅଞ୍ଚଳରେ କ୍ରୋଧର ନିଆଁ କୁହୁଳୁଥିଲା। ପ୍ରତିଶୋଧ ସାଙ୍ଗକୁ ନିଶା କାରବାରକୁ ସଂପୂର୍ଣ୍ଣ ଧ୍ବଂସ କରିବାକୁ ସ୍ଥାନୀୟ ଲୋକେ ସୁଯୋଗ ଅପେକ୍ଷାରେ ଥିଲା। ଆଜି ସକାଳୁ ସକାଳୁ ରାଜାର ପରିବାର ମଦ ବିକୁଥିବା ଦେଖି କିଛି ମହିଳା ଆଉ ସମ୍ଭାଳି ପାରି ନ ଥିଲେ। ପ୍ରଥମେ ସେମାନେ ରାଜା ପରିବାରର ଯେଉଁ ବୟସ୍କ ଲୋକ ସ୍କୁଲ୍‌ ନିକଟରେ ବସି ମଦ ବିକୁଥିଲେ ତାଙ୍କୁ କାବୁ କରିଥିଲେ। ସେମାନେ ତାଙ୍କୁ ବହେ ମାଡ଼ ମାରି ବସ୍ତାରେ ନେଇଥିବା ମଦ ବୋତଲ ଛଡ଼ାଇ ନେଇଥି‌ଲେ। ଏହି ଘଟଣା ପ୍ରଚାରିତ ହୋଇଯିବା ପରେ ସ୍ଥାନୀୟ ଲୋକେ ଏକଜୁଟ ହୋଇ ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ଟର ବେଳକୁ ହତ୍ୟା ରାଜା ଓ ମିଥୁନଙ୍କ ଘରଆଡ଼ୁକ ମୁହାଁଇଥିଲେ। ପୁରୁଷ ଓ ମହିଳାମାନେ ଘରେ ଓ ଦୋକାନରେ ପଶି ଆଖିରେ ଯାହା ପଡ଼ିଥିଲା, ସବୁ ପିଟି ଭଙ୍ଗି ପକାଇଥିଲେ। ଏହା ସହିତ ବିଭିନ୍ନ ଗୋପନ ଜାଗାରେ ରଖା ଯାଇଥିବା ୩୦ଲିଟରରୁ ଅଧିକ ମଦ ବାହାର କରି ପରେ ପୁଲିସକୁ ହସ୍ତାନ୍ତର କରିଥିଲେ।

Share Now:

Kalinga News Beuro

Next Post

୭୩ ବିମାନ ଅଚଳ କଲା ଆମେରିକା: ଅଚଳ ବିମାନର ପରୀକ୍ଷା କରୁଛି ତାଲିବାନ

Wed Sep 1 , 2021
ତାଲିବାନ କବ୍‌ଜାରେ ଆମେରିକୀୟ ବନ୍ଧୁକ ଓ ସାମରିକ ଯାନ କାବୁଲ: ଆଫଗାନ୍‌ ମାଟିରୁ ଆମେରିକାର ବିଦାୟ ସହିତ ସଂପୂର୍ଣ୍ଣ ବିଜୟ ଘୋଷଣା କରିଥିବା ତାଲିବାନ ଏବେ ଆମେରିକା ଅସ୍ତ୍ରରେ ହିଁ ବଳୀୟାନ ହୋଇଛି। ଆଫଗାନ ଛାଡ଼ିବା ପୂର୍ବରୁ ଆମେରିକା ସେନା ୭୩ଟି ବିମାନ ଅଚଳ କରିଦେବା ସହ ବିପୁଳ ଅସ୍ତ୍ରଶସ୍ତ୍ର ଧ୍ବଂସ କରିଦେଇଛନ୍ତି। କାବୁଲ ବିମାନବନ୍ଦରରେ ଥିବା ହେଲିକପ୍ଟର ଏବଂ ଯୁଦ୍ଧାସ୍ତ୍ର ସବୁ ଆମେରିକା ଅଚଳ କରିଦେଇଛି। ଏହା ସତ୍ତ୍ୱେ […]
୭୩ ବିମାନ ଅଚଳ କରିଦେଲା ଆମେରିକା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial