ବନ୍ଧାହେଲା ନକଲି ଥାନା ଅଧିକାରିଣୀ : ମାଷ୍ଟରମାଇଣ୍ଡ ସ୍ୱାମୀ ଚମ୍ପଟ

ଭୁବନେଶ୍ୱର: ପୂର୍ବତନ ପ୍ରେମିକ ସାଜି ସ୍ୱାମୀ ମହିଳାମାନଙ୍କୁ ଧମକ ଦେଉଥିଲା। ସ୍ତ୍ରୀ ସାଇବର ଥାନାର ଅଧିକାରିଣୀ ପରିଚୟରେ ସେମାନଙ୍କୁ ଉଦ୍ଧାର କରିବାକୁ କହି ବ୍ଲାକ୍‌ମେଲ୍‌ କରୁଥିଲା। ଏମିତି ଏକ ଧୂର୍ତ୍ତ ଦମ୍ପତିଙ୍କ ଖେଳ ବିଗାଡ଼ି ଦେଇଛି ଭୁବନେଶ୍ୱର ସାଇବର ଥାନା ପୁଲିସ। ସ୍ତ୍ରୀ ତଥା ନକଲି ସାଇବର ଥାନା ଅଧିକାରିଣୀକୁ ଗିରଫ କରାଯାଇଛି। କିନ୍ତୁ ଏହି ଗେମ୍‌ର ମାଷ୍ଟରମାଇଣ୍ଡ ସ୍ୱାମୀ ଫେରାର୍ ହୋଇଯାଇଛି। ଆଜି କୋର୍ଟ ଚାଲାଣ ହୋଇଥିବା ମହିଳା ହେଲେ ବାଲେଶ୍ୱର ବାଲିଆପାଳ ଅଞ୍ଚଳର ସସ୍ମିତା ଜେନା(୨୯)। ତା’ଠାରୁ ମୋବାଇଲ୍‌ ଫୋନ୍‌, ଡେବିଟ୍‌ କାର୍ଡ, ଚେକ୍‌ ବୁକ୍‌ ଓ ପାସ୍‌ବୁକ୍‌ ଆଦି ଜବତ କରାଯାଇଛି।
ପୁଲିସ ସୂଚନାନୁସାରେ ଏଭଳି ଏକ ଅଭିଯୋଗ ଆସିଥିଲା ଚଳିତ ମାସ ପ୍ରଥମ ସପ୍ତାହରେ। ନବବିବାହିତା ମହିଳାଙ୍କ ଅଭିଯୋଗ ଅନୁସାରେ ତାଙ୍କ ପୂର୍ବତନ ପ୍ରେମିକ ଫୋନ୍‌ କରି ଧମକ ଦେଇଥିଲା। କଣ୍ଠସ୍ୱର ଅଲଗା ହୋଇଥିବା ସତ୍ତ୍ୱେ ସେ ଡରିଯାଇଥିଲେ। କାରଣ ତାଙ୍କ ପୁରୁଣା ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ କରିବ ବୋଲି ପୂର୍ବତନ ପ୍ରେମିକ ଚେତାବନୀ ଦେଇଥିଲା। ଠିକ୍‌ ଦୁଇ ଦିନ ପରେ ସେ ଜଣେ ମହିଳାଙ୍କ ଫୋନ୍‌ କଲ୍ ପାଇଥିଲେ। ସେ ନିଜକୁ କଳ୍ପନା ସ୍କୋୟାର୍‌ ସାଇବର ଥାନାର ଅଫିସର ସସ୍ମିତା ବୋଲି କହିଥିଲା। ତାଙ୍କର କିଛି ଅଶ୍ଳୀଳ ଭିଡିଓ ପର୍ନ ସାଇଟ୍‌ରେ ଭାଇରାଲ ହୋଇଛି ଏବଂ ଭାଇରାଲ୍‌ କରିଥିବା ଅଭିଯୁକ୍ତ ଅଟକ ଅଛି ବୋଲି କହିଥିଲା। ଅଭିଯୁକ୍ତ ତ ଜେଲ୍‌ ଯିବ, କିନ୍ତୁ ପର୍ନ ସାଇଟ୍‌ ଓ ସୋସିଆଲ୍‌ ମିଡିଆରୁ ଭିଡିଓ ଡିଲିଟ୍‌ କରିବାକୁ ହେଲେ ଆପଣଙ୍କୁ ୩ ଲକ୍ଷ ୭୦ ହଜାର ଟଙ୍କା ଦେବାକୁ ପଡ଼ିବ ବୋଲି ସସ୍ମିତା କହିଥିଲା। ଫୋନ୍‌ ଜରିଆରେ ପୂର୍ବତନ ପ୍ରେମିକର ଧମକ ସାଙ୍ଗକୁ ସାଇବର ଥାନା ଅଧିକାରିଣୀଙ୍କ କଥା ମେଳ ଖାଉଥିଲା। ତେଣୁ ସେ ଭୟରେ ଗୁଗୁଲ୍‌ ‌‌ପେ ମାଧ୍ୟମରେ ଲକ୍ଷେ ଟଙ୍କା ଦେଇ ଭିଡିଓ ସବୁ ଡିଲିଟ୍‌ କରିବାକୁ କାକୁତିମିନତୀ ହୋଇଥିଲେ। କିନ୍ତୁ ସସ୍ମିତା ଦାବି ଅନୁସାରେ ୨.୭ ଲକ୍ଷ ଟଙ୍କା ଦେବାକୁ ବାଧ୍ୟ କରିଥିଲା।
ଏନେଇ ପୁଲିସକୁ ଜଣାଇଲେ ପରିସ୍ଥିତି ଭୟଙ୍କର ହେବ ବୋଲି ଧମକ ଦେଇଥିଲା। ସସ୍ମିତାର ଏହି କଥା ଅଭିଯୋଗକାରିଣୀଙ୍କ ମନରେ ସନ୍ଦେହ ବଢ଼ାଇଥିଲା। ସେ ସ୍ୱାମୀଙ୍କୁଙ୍କୁ ଜଣାଇବା ପରେ ସେମାନେ କଳ୍ପନା ଛକକୁ ଆସି ସାଇବର ଥାନା ଖୋଜିଥିଲେ। ସେଠାରେ କମିସନରେଟ୍‌ ପୁଲିସର କୌଣସି ସାଇବର ସେଲ୍‌ ନ ପାଇ ମହିଳାଜଣଙ୍କ ଠକାମିର ଶିକାର ହୋଇଥିବା ବୁଝିପାରିଥିଲେ। ଅଭିଯୋଗ ପାଇବା ପରେ ଭୁବନେଶ୍ୱର ସାଇବର ଥାନା ପୁଲିସ ଗତକାଲି ରାତିରେ ସସ୍ମିତାକୁ ଉଠାଇଥିଲା। ସ୍ୱାମୀ-ସ୍ତ୍ରୀ ଏହି ମାମଲା ପୂର୍ବରୁ ୫/୬ ଜଣ ମହିଳାଙ୍କୁ ଠକିଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି। ‌ବିଶେଷକରି ପରିବାରଠାରୁ ଅଲଗା ରହି ଚାକିରି କରୁଥିବା ମହିଳାଙ୍କୁ ଏହି ଠକ ଦମ୍ପତି ଟାର୍ଗେଟ୍‌ କରୁଥିଲେ। ଚତୁରତାର ସହ ଟାର୍ଗେଟ୍‌ ମହିଳାଙ୍କ ଅତୀତ ବାବଦରେ ତଥ୍ୟ ସଂଗ୍ରହ କରି ଏମିତି ଅଭିନବ ଉପାୟରେ ବ୍ଲାକ୍‌ମେଲ୍ କରୁଥିଲେ।

Share Now:

Kalinga News Beuro

Next Post

ଟୁଇନ୍ ସିଟିର ନୂଆ ପୁଲିସ କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ସଞ୍ଜୀବ ପଣ୍ଡା

Mon Jan 29 , 2024
ଭୁବନେଶ୍ୱର: ଟୁଇନ୍ ସିଟିର ନୂଆ ପୁଲିସ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିଏସ୍ ଅଧିକାରୀ ସଞ୍ଜୀବ ପଣ୍ଡା। ଆଜି ବିଦାୟୀ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି।ପୁଲିସ କମିଶନରଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ପରେ ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଛି। ଏହି ଅବସରରେ ନୂଆ ପୁଲିସ କମିଶନର ସଞ୍ଜୀବ ପଣ୍ଡା କହିଛନ୍ତି, ଆଗକୁ ସାଧାରଣ ନିର୍ବାଚନ ଥିବାରୁ ତାହାକୁ କିପରି ସୁରଖୁରୁରେ ସମ୍ପାଦନ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial