୨ ଲକ୍ଷରୁ ଅଧିକ ଟଙ୍କାର ଠକେଇ : ପୋଷ୍ଟମାଷ୍ଟର ଗିରଫ

ପୋଷ୍ଟମାଷ୍ଟର ଗିରଫ

ଯୁଯୁମୁରା: ସରକାରୀ ସଂପତ୍ତି ଆତ୍ମସାତ କରିବା, ଗ୍ରାହକଙ୍କ ଜମା ଟଙ୍କାକୁ ବ୍ୟକ୍ତିଗତ କାମରେ ଖର୍ଚ୍ଚ କରିଦେବା ଅଭିଯୋଗରେ ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନା ପୁଲିସ ଶନିବାର ହାତୀବାରି ଗ୍ରାମୀଣ ଡାକ ସେବକ ଶାଖା ମୁ୍‌ଖ୍ୟ ରଂଜନ ବଗର୍ତ୍ତୀ (୨୬)ଙ୍କୁ ଗିରଫ କରିଛି। ରବିବାର ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ସୂତ୍ରରୁ ଜଣାପଡ଼ିଛି। ଶ୍ରୀ ବଗର୍ତ୍ତୀଙ୍କ ନିଜ ଘର ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଗୁଲାବନ୍ଧ ଗ୍ରାମରେ ବୋଲି ଜଣାପଡ଼ିଛି। ସମ୍ବଲପୁର ଜିଲ୍ଲା ମୁଖ୍ୟ ଡାକଘରର ଭାରପ୍ରାପ୍ତ ସହକାରୀ ଅଧୀକ୍ଷକ ଶମ୍ଭୁ କୁମାର ସିଂହଙ୍କ ଅଭିଯୋଗ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଅଭିଯୋଗ ଅନୁଯାୟୀ, ଶ୍ରୀ ସିଂହ ଗତ ୬ ତାରିଖରେ ହାତୀବାରି ଗ୍ରାମୀଣ ଡାକ ସେବକ ଶାଖା ପରିଦର୍ଶନରେ ଯାଇଥିଲେ। ଏହି ସମୟରେ ସେ ବିଭିନ୍ନ କାଗଜପତ୍ର ଯାଞ୍ଚ କରିବା ବେଳେ ୨, ୮୭, ୧୯୧ ଟଙ୍କା କମ୍‌ ଥିବା ଜଣାପଡ଼ିଥିଲା। ତେବେ ଶ୍ରୀ ବଗର୍ତ୍ତୀ ୨୯, ୪୨୦ ଟଙ୍କାର ହିସାବ ଦେଇ ପାରିଥିଲେ। ମାତ୍ର ବାକି ୨, ୫୭, ୭୭୧ ଟଙ୍କାର ହିସାବ ଦେଇ ପାରି ନଥିଲେ। ଏହି ଟଙ୍କାକୁ ସେ ତାଙ୍କର ବ୍ୟକ୍ତିଗତ କାମରେ ଖର୍ଚ୍ଚ କରିଥିବା ଲିଖିତ ଭାବେ ଜଣାଇଥିଲେ। ବାକି ଟଙ୍କା ଫେରାଇବାକୁ ଶ୍ରୀ ସିଂହ ତାଙ୍କୁ ଗୋଟିଏ ଦିନ ସମୟ ଦେଇଥିଲେ। ମାତ୍ର ଏହି ସମୟ ମଧ୍ୟରେ ଶ୍ରୀ ବଗର୍ତ୍ତୀ ଟଙ୍କା ଦାଖଲ କରିପାରି ନଥିଲେ। ଫଳରେ ଶ୍ରୀ ସିଂହ ଏ ବାବଦରେ ଯୁଯୁମୁରା ଥାନାରେ ଅଭିଯୋଗ କରିଥିଲେ। ଥାନାରେ ଅଭିଯୋଗ ସୂଚନା ପାଇ ଶ୍ରୀ ବଗର୍ତ୍ତୀ ଫେରାର ହେବାକୁ ଚେଷ୍ଟା କରୁଥିବା ବେଳେ ପୁଲିସ ତାଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ସୀମାରୁ ଗିରଫ କରିଥିଲା।

Share Now:

Kalinga News Beuro

Next Post

ତାଜମହଲରେ ବନ୍ଦ ଥିବା ୨୨ ଗୁପ୍ତ କୋଠରୀ ଖୋଲିବାକୁ କୋର୍ଟର ଦ୍ୱାରସ୍ଥ

Sun May 8 , 2022
ଆଗ୍ରା: ତାଜମହଲରେ ବନ୍ଦ ଥିବା ୨୨ଟି କୋଠରୀ ଖୋଲିବାକୁ ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି। ଆହ୍ଲାବାଦ ହାଇକୋର୍ଟର ଲଖନଉ ବେଞ୍ଚରେ ଏକ ପିଟିସନ ଦାଖଲ କରାଯାଇଛି ଯେ ତାଜମହଲରେ ତାଲା ପଡିଥିବା ୨୨ଟି କୋଠରୀ ଖୋଲାଯିବା ଉଚିତ ଏବଂ ଏଏସଆଇ ଦ୍ୱାରା ଏହାର ଯାଞ୍ଚ କରାଯିବା ଉଚିତ। ତାଜମହଲରେ ହିନ୍ଦୁ ଦେବତାମାନଙ୍କର ମୂର୍ତ୍ତି ଅଛି ବୋଲି ମଧ୍ୟ ଆବେଦନପତ୍ରରେ ଦର୍ଶାଯାଇଛି। ସୂଚନାନୁସାରେ, ତାଜମହଲକୁ ନେଇ ଅଯୋଧ୍ୟା ବିଜେପି ଦାୟିତ୍ୱରେ […]
ତାଜମହଲରେ ବନ୍ଦ ଥିବା ୨୨ ଗୁପ୍ତ କୋଠରୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial