ଫାଇନାନ୍ସ କର୍ମଚାରୀଙ୍କୁ ଲୁଟ୍‌ ମାମଲା : ଧରାପଡ଼ିଲେ ୪ କୁଖ୍ୟାତ ଲୁଟେରା ୨ ଭୁଜାଲି, ୧୦ ହଜାର ଟଙ୍କା ଜବତ

ଧରାପଡ଼ିଲେ ୪ କୁଖ୍ୟାତ ଲୁଟେରା

ବାଲିଅନ୍ତା : ବାଲିପାଟଣା ଓ ବାଲିଅନ୍ତା ଥାନା ଅଞ୍ଚଳରେ ମାତିଥିବା ଏକ କୁଖ୍ୟାତ୍ ଲୁଟେରା ଗ୍ୟାଙ୍ଗ୍‌କୁ ଧରିବାରେ ବାଲିଅନ୍ତା ଥାନା ପୁଲିସ ସଫଳ ହୋଇଛି। ଘରୋଇ ଫାଇନାନ୍ସ ସଂସ୍ଥାର କର୍ମଚାରୀଙ୍କୁ ଟାର୍ଗେଟ୍‌ କରି ଲୁଟୁଥିବା ଗୋଟିଏ ବଡ଼ ଗ୍ୟାଙ୍ଗ୍‌ ପୁଲିସ ଜାଲରେ ପଡ଼ିଛି। ଗିରଫ ୪ ଅଭିଯୁକ୍ତ ହେଲେ ବାଲିଅନ୍ତା ଥାନା ବେଣ୍ଟପୁର ଭୋଇସାହିର ସମୀର ଭୋଇ ଓରଫ ବଙ୍କା (୨୫), ରାକେଶ ଭୋଇ ଓରଫ ରାକା(୨୪), ରାଜେନ୍ଦ୍ର ଭୋଇ ଓରଫ ଟିକିନା(୨୩ ) ଓ ବାଲିପାଟଣା ଥାନା ମାର୍ଥାପୁର ଭୋଇସାହିର ସନ୍ତୋଷ ବେହେରା ଓରଫ ସନ୍ତ(୨୩)। ପୁଲିସ ସେମାନଙ୍କଠାରୁ ୨ଟି ଭୁଜାଲି, ଲୁଟ୍‌ରେ ବ୍ୟବହାର ହେଉଥିବା ସ୍କୁଟି, ନଗଦ ୧୦ ହଜାର ଟଙ୍କା ଓ ଲୁଟ୍‌ର ଶିକାର ହୋଇଥିବା କର୍ମଚାରୀଙ୍କ କାଗଜପତ୍ର ଜବତ କରିଛି। ଜାମିନ ଆବେଦନ ନାମଞ୍ଜୁର ହେବାରୁ ସେମାନଙ୍କୁ ଝାରପଡ଼ା ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି।
ପୁଲିସ ସୂଚନାନୁସାରେ ଗତ ୨୩ ତାରିଖ ଅପରାହ୍ଣରେ ଫୁଲନଖରାସ୍ଥିତ ଉଜ୍ଜୀବନି ଫାଇନାନ୍ସ ସଂସ୍ଥାର କଷ୍ଟମର୍‌ ରିଲେସନ୍‌ ଅଫିସର ତ୍ରିନାଥ ସ୍ବାଇଁ ବେଣ୍ଟପୁର ଓ ଭିଙ୍ଗାରପୁର ପଞ୍ଚାୟତର ବିଭିନ୍ନ ମହିଳା ମଣ୍ଡଳଙ୍କଠାରୁ ଋଣ ଟଙ୍କା ସଂଗ୍ରହ କରି ଫେରୁଥିଲେ। ସେ ନିମାପଡ଼ା ବ୍ରାଞ୍ଚ୍‌ କେନାଲ ରାସ୍ତାର ଏକ ନିଛାଟିଆ ସ୍ଥାନରେ ପହଞ୍ଚିଥିବାବେଳେ ସେଠାରେ ତାଙ୍କୁ ଛକି ରହିଥିବା ୪ ଦୁର୍ବୃତ୍ତ ଅଟକାଇଥିଲେ। ତାଙ୍କ ବେକରେ ଭୁଜାଲି ଲଗାଇ ଭୟଭୀତ କରାଇବା ସହ ତାଙ୍କ ଟଙ୍କା ଭର୍ତ୍ତି ବ୍ୟାଗ୍‌ ଛଡ଼ାଇ ନେଇଥିଲେ। ସେହି ବ୍ୟାଗ୍‌ରେ ୧୯ ହଜାର ୩୭୨ ଟଙ୍କା ଥିଲା। ଦୁର୍ବୃତ୍ତମାନେ ମୁହଁରେ ଗାମୁଛା ବାନ୍ଧି ଥିବାରୁ ତ୍ରିନାଥ ସେମାନଙ୍କୁ ଚିହ୍ନି ପାରିନଥିଲେ। ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ଅନୁରୂପ ଢଙ୍ଗରେ ୪ଟି ମାମଲାରେ ଦୁର୍ବୃତ୍ତମାନେ ବାଲିପାଟଣା ଥାନା ଅଞ୍ଚଳରୁ ଫାଇନାନ୍‌ସ କର୍ମଚାରୀଙ୍କୁ ଲୁଟ୍‌ କରିଥିଲେ। ସେହିଭଳି ବାଲିଅନ୍ତା ଥାନା ଅଞ୍ଚଳରୁ ମଧ୍ୟ ସମାନ ଢଙ୍ଗରେ ୨ଟି ଲୁଟ୍‌ ହୋଇଥିଲା। ତେଣୁ ପୁଲିସ ପାଇଁ ଏହି ଲୁଟେରାମାନଙ୍କୁ ଧରିବା ଏକ ଚ୍ୟାଲେଞ୍ଜ୍ ହୋଇପଡ଼ିଥିଲା। ବାଲିଅନ୍ତା ଥାନା ପୁଲିସ ଏହି ୪ ଜଣିଆ ଗ୍ୟାଙ୍ଗ୍‌କୁ ଗିରଫ କରିବା ପରେ ସେମାନେ ଅନ୍ୟ ସବୁ ମାମଲାରେ ସମ୍ପୃକ୍ତ କି ନା, ତାହାକୁ ନେଇ ଖୋଳତାଡ଼ ଚାଲିଛି। ତେବେ ଏମାନଙ୍କୁ ରିମାଣ୍ଡରେ ଆଣି ଅଧିକ ତଦନ୍ତ କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି।

Share Now:

Kalinga News Beuro

Next Post

କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହେବ ପିଜି ପାଠ୍ୟକ୍ରମ

Tue Dec 29 , 2020
ଆରକେଏସ୍‌ ବୈଠକରେ ନିଷ୍ପତ୍ତି,ସ୍ଥାନାନ୍ତର ହେବ ହସ୍ପିଟାଲ ଫାଣ୍ଡି ଭୁବନେଶ୍ବର : କ୍ୟାପିଟାଲ ହସ୍ପିଟାଲରେ ଥିବା ପୁଲିସ ଫାଣ୍ଡି ଅନ୍ୟତ୍ର ସ୍ଥାନାନ୍ତର ହେବ। ଫାଣ୍ଡିଟି ଏବେ ହସ୍ପିଟାଲର ଗୃହରେ କାର୍ଯ୍ୟ କରୁଥିବା ବେଳେ ଏହାକୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯିବ। ସାଇକେଲ ଷ୍ଟାଣ୍ଡ ନିକଟରେ ୨ ମହଲା ବିଶିଷ୍ଟ ଫାଣ୍ଡି ନିର୍ମାଣ ହେବ। ରାଜ୍ୟ ସରକାରଙ୍କ ପକ୍ଷରୁ ଏଥିପାଇଁ ଟଙ୍କା ଦିଆଯାଇଥିବା ଓ ପୂର୍ବରୁ ଚାଲିଥିବା ଫାଣ୍ଡି ପାଇଁ ଜାଗାର ଅଭାବ ଯୋଗୁଁ […]
କ୍ୟାପିଟାଲ ହସ୍ପିଟାଲରେ ପିଜି ଇନଷ୍ଟିଚ୍ୟୁଟ୍

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial