ବିଏମ୍‌ସିର ଫିସ‌ରି ପୋଖରୀ : ୮ କୋଟିରେ ହେଲାନି, ଏବେ ପୁଣି ୫ କୋଟି

ବିଏମ୍‌ସିର ଫିସ‌ରି ପୋଖରୀ-1

ପୁନରୁଦ୍ଧାର ନାଁରେ ହରିଲୁଟ୍‌ ଚାଲିଛି

ଭୁବନେଶ୍ବର: ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଜଳାଶୟ ପୁନରୁଦ୍ଧାରକୁ ଗୁରୁତ୍ୱ ଦେଉଛି। ଜଳାଶୟ କିଭଳି ସୁରକ୍ଷିତ ରହିବ, ସେ ନେଇ ବିଭାଗରେ ସ୍ବତନ୍ତ୍ର ୟୁନିଟ୍‌ ଖୋଲାଯାଇ ଯୋଜନାର ରୂପରେଖ ପ୍ରସ୍ତୁତ କରାଯାଉଛି। ଏହାକୁ ନେଇ ବିଏମ୍‌ସି ମଧ୍ୟ ବେଶ୍‌ ତତ୍ପର। ଅଧିକାରୀମାନଙ୍କୁ ନେଇ ମେୟର, କମିସନର ବିଭିନ୍ନ ରାଜ୍ୟ ‘ଏକ୍ସପୋଜର ଭିଜିଟ୍‌’ରେ ଯାଇ ପୋଖରୀ ପୁନରୁଦ୍ଧାର କିଭଳି ହେଉଛି, ଦେଖୁଛନ୍ତି। ସେଠାରୁ ଜ୍ଞାନ ଆହରଣ କରି ଏଠାରେ ପ୍ରୟୋଗ କରୁଛନ୍ତି। ହେଲେ ଏ ସବୁ ପ୍ରହସନ ହୋଇଛି। କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି, କିନ୍ତୁ ସାଧାରଣ ଲୋକଙ୍କ କାମରେ ଲାଗୁ ନାହିଁ କି’ ବିଏମ୍‌ସିର ଉଦ୍ଦେଶ୍ୟ ମଧ୍ୟ ପୂରଣ ହେଉନାହିଁ। ଏହାର ଏକ ବଡ଼ ଉଦାହରଣ ହେଉଛି ଲକ୍ଷ୍ମୀସାଗର ‘ଫିସରି ପଣ୍ଡ’। ଏହା ବିଏମ୍‌ସିର କେତେକ ଅଧିକାରୀଙ୍କ ରୋଜଗାରର ମାଧ୍ୟମ ‌ହୋଇଛି। ନିୟମିତ ବ୍ୟବଧାନରେ ମୋଟା ଅଙ୍କର ଅର୍ଥ ଖର୍ଚ୍ଚ କରି ବିଏମ୍‌ସି ଠିକାଦାର ପୋଷୁଥିବା ବେ‌ଳେ ଅଧିକାରୀମାନେ ମାଲେମାଲ ହେଉଥିବା ଅଭିଯୋଗ ହୋଇଛି। ୨୦୧୭ରୁ ଏଥିରେ ବିଭିନ୍ନ ପର୍ଯ୍ୟାୟରେ ୮ କୋଟି ଖର୍ଚ୍ଚ ହୋଇସାରିଛି। ଏବେ ପୁଣି ମୁକ୍ତା ଯୋଜନାରେ ୫ କୋଟି ଖର୍ଚ୍ଚ କରିବାକୁ ଯୋଜନା ହୋଇଛି। ପ୍ରଥମ ପର୍ଯ୍ୟାୟରେ ବିଏମ୍‌ସିର ଡ୍ରେନେଜ୍‌ ଡିଭିଜନ୍‌ ଏସ୍‌ଏଚ୍‌ଜିଙ୍କୁ ୩୦ଲକ୍ଷ ଟଙ୍କାର ୩ଟି ୱାର୍କ-ଅର୍ଡର୍‌ ପ୍ରଦାନ କରିଛି। ସ୍ବୟଂ ସହାୟକ ଗୋଷ୍ଠୀ ଏଥିରୁ ଦଳ ବାହାର କରିବା ସହ ନଷ୍ଟ ହୋଇଯାଇଥିବା ପାଣି ବାହାର କରିବେ। ଏହା ପରେ ଆସନ୍ତା ବର୍ଷା ଋତୁରେ ଏଥିରେ ଭଲ ପାଣି ଭର୍ତ୍ତି ହେବ ଓ ଏହା ବ୍ୟବହାର ଉପଯୋଗୀ ହୋଇପାରିବ ବୋଲି ବିଏମ୍‌ସି ଆଶା କରିଛି।
ବଡ଼କଥା ହେଉଛି, ୨୦୧୮ ମସିହାରେ ଏହି ପୋଖରୀ ୩ଥର ପୁନରୁଦ୍ଧାର ହୋଇଛି। ଏପ୍ରିଲ୍‌ ୨୬ ତାରିଖରେ ୩୭ ଲକ୍ଷ ୭୧ ହଜାର ୭୩୯ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଜୁନ୍‌ ୨୫‌‌ରେ ୩୬ ଲକ୍ଷ ୬୩ ହଜାର ୪୩୯ ଟଙ୍କା ଖର୍ଚ୍ଚ ହୋଇଛି। ସେହିଭଳି ନଭେମ୍ବର ୧୯ ତାରିଖରେ ୨୮ଲକ୍ଷ ୨୫ହଜାର ୯୯୫ଟଙ୍କା ଖର୍ଚ୍ଚ ହୋଇଛି। ଅର୍ଥାତ୍‌ ଗୋଟିଏ ବର୍ଷରେ କୋଟିଏ ୨ ଲକ୍ଷ ୬୧ ହଜାର ୧୭୩ ଟଙ୍କା ଖର୍ଚ୍ଚ ହୋଇଛି। ଏଭଳି ୪ବର୍ଷ ମଧ୍ୟରେ ପ୍ରାୟ ୮ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ହେଲେ ଏହାର ଭାଉଚର୍‌ ମିଳୁନି। ଏହାକୁ ନେଇ ଅଡିଟ୍‌ ବାରମ୍ବାର ପ୍ରଶ୍ନ ଉଠାଇଛନ୍ତି। ଏଣେ ପୋଖରୀ ମଧ୍ୟ ବ୍ୟବହାର ଯୋଗ୍ୟ ହୋଇପାରିନି। ତତ୍‌କାଳୀନ କମିସନର କ୍ରିଷନ୍‌ କୁମାର ସ୍ମାର୍ଟସିଟିର ସିଟିଜ୍‌ କାର୍ଯ୍ୟକ୍ରମରେ ଏହି ପୋଖରୀକୁ ସାମିଲ କରିଥିଲେ। ଏଥିରେ ପାଖାପାଖି ଶହେ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା କରିଥିଲେ। ପୋଖରୀ ଖୋଳି ମାଟି ଏହାର ହୁଡ଼ା ଉପରେ ପକାଇ ଉଚ୍ଚା କରିବାକୁ ଯୋଜନା ହୋଇଥିଲା। କିନ୍ତୁ ମାଟି ନ ମିଳିବାରୁ ଏହି ଯୋଜନା କାଟ୍‌ ଖାଇଥିଲା। ପରେ ଏହାର ପୁନରୁଦ୍ଧାର ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ମୁକ୍ତା ଯୋଜନା‌ରେ ପୁନରୁଦ୍ଧାର କରିବା ପାଇଁ ନିର୍ଦ୍ଦେଶ ଦେଇଛି। କିନ୍ତୁ ଏବେ ଯେଉଁ କାମ ହେଉଛି, ସେଥିରେ ମଧ୍ୟ କୌଣସି ଫଳ ହେବ ନାହିଁ ବୋଲି ଆଶଙ୍କା ପ୍ରକାଶ ପାଇଛି। ପୂର୍ବରୁ ୮ କୋଟି ଟଙ୍କା ଖର୍ଚ୍ଚ ହେବା ବେଳେ ଯେଉଁ ଅଧିକାରୀ ବିଏମ୍‌ସିର ଇଞ୍ଜିନିୟରିଂ ସେକ୍ସନର ମୁଖିଆ ଥିଲେ ସେ ଅବସର ପରେ ଏବେ ଗୃହ ଓ ନଗର ଉନ୍ନୟନ ବିଭାଗରେ ଥଇଥାନ ହେବା ସହ ଏହି ‘ୱାଟର ବଡିଜ୍‌ ରିଜୁଭେନେସନ’ ୟୁନିଟ୍‌ର ମୁଖିଆ ଅଛନ୍ତି। ବିଏମ୍‌ସି ସମେତ ସାରା ରାଜ୍ୟର ଜଳାଶୟ ପୁନରୁଦ୍ଧାର ଓ ସଂରକ୍ଷଣ ତାଙ୍କରି ନିର୍ଦ୍ଦେଶରେ ହେଉଛି। ପୂର୍ବରୁ ୮କୋଟି ଟଙ୍କା ଖର୍ଚ୍ଚ ହୋଇ ମଧ୍ୟ ଏହି ପୋଖରୀ କାହିଁକ ବ୍ୟବହାରଯୋଗ୍ୟ ହୋଇପାରିଲା ନାହିଁ, ତାହାର କାରଣ ଖୋଜି ନାହାନ୍ତି। ବାସ୍ତବରେ ଏହି ପୋଖରୀ ପାଖରେ ଏକ ଅଧପନ୍ତରିଆ ଡ୍ରେନ୍‌ ରହିଛି। ସମଗ୍ର ଅଞ୍ଚଳରୁ ଆସୁଥିବା ବର୍ଜ୍ୟଜଳ ପୋଖରୀ ପାଖରେ ଜମା ହୋଇ ରହୁଛି। ଅନେକ ଲୋକ ନଳାଗୁଡ଼ିକୁ ସିଧାସଳଖ ପାଇଖାନା ସହ ସଂଯୋଗ କରିଛନ୍ତି। ଏଣୁ ଦୁର୍ଗନ୍ଧ ହେଉଥିବା ଆବର୍ଜନା ପାଣି ଏଠାରେ ଜମିବା ସହ ପୋଖରୀ ପାଣିକୁ ଦୂଷିତ କରୁଛି। ହେଲେ ଏହି ଡ୍ରେନ୍‌ ନିର୍ମାଣ କରିବାକୁ କେହି ଚିନ୍ତା କରୁନାହାନ୍ତି। ଯେଉଁଥିପାଇଁ ସମସ୍ତ ଯୋଜନା ଫେଲ୍‌ ମାରୁଥିବା କୁହାଯାଉଛି। ଏଠାରେ ଥିବା ଜବରଦଖଲ ହଟାଇ ଏହି ଡ୍ରେନ୍‌କୁ ନିର୍ମାଣ କରିବା ପାଇଁ ତତ୍‌କାଳୀନ କମିସନର ପ୍ରେମ୍‌ଚନ୍ଦ୍ର ଚୌଧରୀଙ୍କ ସମୟରେ ଚିନ୍ତା କରାଯାଇଥିଲା। ହେଲେ କ’ଣ ହେଲା କେଜାଣି, ଏହି ଯୋଜନା ମଧ୍ୟ ପୂର୍ଣ୍ଣାଙ୍ଗ ରୂପ ନେଇ ପାରିନଥିଲା। ଏବେ ଏଥିରେ ପୁଣି ୫କୋଟି ଖର୍ଚ୍ଚ ହେବାକୁ ଯାଉଛି। ପୁନରୁଦ୍ଧାର ନାଁରେ କେବଳ ହରିଲୁଟ୍‌ ଚାଲିଛି ବୋଲି ଅଭିଯୋଗ ହୋଇଛି।

Share Now:

Kalinga News Beuro

Next Post

ବଲାଙ୍ଗୀର ସାର୍ଟିଫିକେଟ୍ କେଳେଙ୍କାରୀ : କୋଟିଏ ୭୦ ଲକ୍ଷର ସମ୍ପତ୍ତି ଜବତ

Sat Apr 8 , 2023
କଟକ : ବହୁ ଚର୍ଚ୍ଚିତ ବଲାଙ୍ଗୀର ସାର୍ଟିଫିକେଟ୍ କେଳେଙ୍କାରୀ ଘଟଣାରେ କ୍ରାଇମବ୍ରାଞ୍ଚ ରିଲାଏନ୍ସ ଏଜୁକେସନାଲ୍ କମ୍ପ୍ଲେକ୍ସର ମାଲିକ ତଥା ମାଷ୍ଟରମାଇଣ୍ଡ ମନୋଜ କୁମାର ମିଶ୍ରର କୋଟିଏ ୭୦ ଲକ୍ଷ ଟଙ୍କାର ସମ୍ପତ୍ତି ଜବତ କରିଛି। ଏଥିରେ କେବଳ ମୂଲ୍ୟବାନ ଜମି ଦେଢ଼ କୋଟି ଟଙ୍କାର ରହିଛି। ଅବଶିଷ୍ଟ ୨୦ ଲକ୍ଷ ଟଙ୍କା ନଗଦ ଅର୍ଥ ରହିଥିବା କ୍ରାଇମବ୍ରାଞ୍ଚ ସୂତ୍ରରୁ ସୂଚନା ମିଳିଛି। ବଲାଙ୍ଗୀର ସାର୍ଟିଫିକେଟ୍ କେଳେଙ୍କାରୀ ଘଟଣାରେ ଗଲା ୫ […]
ସାର୍ଟିଫିକେଟ୍ କେଳେଙ୍କାରୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial