ରାଜଧାନୀରେ ସ୍ୱେରେଜ ଯନ୍ତ୍ରଣା : ‌୧୫ ଦିନ ହେଲା ଖୋଳି ଦେଇ ଛାଡ଼ିଦେଲେ

ସ୍ବେରେଜ୍‌ ଯନ୍ତ୍ରଣା

ଭୁବନେଶ୍ୱର : ସ୍ୱେରେଜ ଯନ୍ତ୍ରଣା‌ରେ ଘାଣ୍ଟି ହେଉଛନ୍ତି ଜିଜିପି କଲୋନି ବାସିନ୍ଦା। ଜିଜିପି କଲୋନିର ଦୟାୱେଷ୍ଟ କେନାଲଠାରୁ ହାଇସ୍କୁଲ ପର୍ଯ୍ୟନ୍ତ ୫ଶହ ମିଟର ରାସ୍ତାରେ ସ୍ୱେରେଜ ପାଇପ୍‌ ବିଛାଇବାକୁ ପାଖାପାଖି ଦେଢ଼ବର୍ଷ ଲାଗିଗଲା। କାମ ସରିବାର ୬ ମାସ ପରେ ରାସ୍ତା କାମ ହେଲା। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ଟିକିଏ ଆଶ୍ୱସ୍ତ ନ ହେଉଣୁ, ଏବେ ଗଙ୍ଗୁଆ ନାଳ ପୋଲଠାରୁ ଜଗନ୍ନାଥନଗର ରାସ୍ତାକୁ ଖୋଳି ଦିଆଯାଇଛି। ମାସେ ତଳେ କାମ ଆରମ୍ଭ ହୋଇଥିବା ବେଳେ ଲଗାତାର ୧୫ଦିନ ହେଲା କାମ ବନ୍ଦ ପଡ଼ିଛି। ମଜୁରିଆ କି ଠିକାଦାର; ନିର୍ମାଣସ୍ଥଳରେ କାହାରି ଦେଖା ନାହିଁ। ତେଣୁ ଗତଥର ଭଳି ଏଥର ମଧ୍ୟ ପୁଣି କାମ ବିଳମ୍ବ ହେବ ଓ ଅଞ୍ଚଳବାସୀ ପୁଣିଥରେ ଦହଗଞ୍ଜ ହେବେ ବୋଲି ସ୍ଥାନୀୟ ବାସିନ୍ଦା କ୍ଷୋଭର ସହ କହିଛନ୍ତି।
ଏହି କାମ ଆରମ୍ଭ ହେବାର ପ୍ରଥମ କିଛି ଦିନ ଜୋରସୋର୍‌ରେ କାମ ଚାଲିଲା। ଡୋଜର୍‌ ଦ୍ୱାରା ରାସ୍ତାକୁ ଖୋଳାଯିବା ସହ ରାସ୍ତା ଉପରେ ମାଟି ଗଦା କରିଦିଆଗଲା। କିନ୍ତୁ ଗତ ୫ଦିନ ହେଲା ହଠାତ୍‌ କାମ ବନ୍ଦ କରିଦିଆଯାଇଛି। ରାସ୍ତା ଉପରେ ମାଟି ଗଦା ହୋଇ ରହିଥିବାରୁ ଲୋକେ ଯାତାୟାତରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ବାଟ ଦେଇ କାର୍‌, ବସ୍‌ ଯିବା ତ ଦୂରର କଥା, ସାଇକେଲ-ବାଇକ୍‌ ଭଳି ଦୁଇଚକିଆ ଗାଡ଼ି ବି ଅତି ବିପଦସଂକୁଳ ଅବସ୍ଥାରେ ପାର୍‌ ହେଉଛନ୍ତି। ଟିକିଏ ଅସାବଧାନ ହେଲେ ଖାଲରେ ପଡ଼ି ଜୀବନ ଯିବା ନିଶ୍ଚିତ। ସ୍ଥାନୀୟ ବାସିନ୍ଦା ରମାକାନ୍ତ ଓଝାଙ୍କ କହିବା କଥା, ଉନ୍ନତିମୂଳକ କାମକୁ ଆମେ ବିରୋଧ କରୁନାହିଁ। କିନ୍ତୁ ଜାଣିଶୁଣି ଏମିତି କାମ ବିଳମ୍ବ କରି ଲୋକଙ୍କୁ ହଇରାଣ କରାଯିବା ଉଚିତ ନୁହେଁ। ଉନ୍ନତିମୂଳକ କାମ ନାମରେ ଏଠି ଏକପ୍ରକାର ଅରାଜକତା ଚାଲିଛି। ଶହଶହ ଲୋକଙ୍କ ଯାତାୟାତ ରାସ୍ତାକୁ ଏମିତି ଦିନ ଦିନ ଧରି ଅବରୋଧ କରିବାର ମାନେ କ’ଣ ବୋଲି ସେ ଓଲଟା ପ୍ରଶ୍ନ କରିଛନ୍ତି।
ଅନ୍ୟ ଜଣେ ବାସିନ୍ଦା ଜୟଦେବ ପାତ୍ର କହିଛନ୍ତି, ଅଫିସ୍‌ ଯିବା ପାଇଁ ଘରୁ ଗାଡ଼ି ବାହାର କରି ହେଉନାହିଁ। ଜରୁରୀକାଳୀନ ସେବା ବି ବାଧାପ୍ରାପ୍ତ ହେଉଛି। ମାସେରୁ ଅଧିକ ସମୟ ହେଲା ଠିକାଦାର କଂକ୍ରିଟ୍‌ ରାସ୍ତା ଖୋଳି ଦେଇ କାମ ବନ୍ଦ କରି ଦେଇଛି। ରାସ୍ତା ଉପରେ ମେସିନ୍‌ ଛିଡ଼ା ହେଉଛି ଏବଂ ମାଟି ଗଦା ହୋଇଛି। ମୁଖ୍ୟରାସ୍ତାରେ ଅଳ୍ପ କିଛି ବାଟ ଛଡ଼ା ଯାଇଛି, ଯେଉଁଥିରେ ଦୁଇ ଚକିଆ ଗାଡ଼ି ଯିବା ମଧ୍ୟ କଷ୍ଟକର ହେଉଛି। ବେଆଇନ ରାସ୍ତା ବନ୍ଦ କରାଯାଉଥିବାରୁ ଠିକା ସଂସ୍ଥା ଓ ବିଭାଗୀୟ ଅଧିକାରୀଙ୍କ ଉପରେ ମାମଲା ରୁଜୁ ହେବା ଆବଶ୍ୟକ।

Share Now:

Kalinga News Beuro

Next Post

ରାଜ୍ୟରେ ଗ୍ରୀଷ୍ମ ଲହରି ଜାରି : ଭୁବନେଶ୍ବର, ଝାରସୁଗୁଡ଼ାରେ ତାପାମାତ୍ରା ୪୧ ଡିଗ୍ରି ରେକର୍ଡ

Sat Apr 15 , 2023
ଭୁବନେଶ୍ବର: କ୍ରମାଗତ ଭାବେ ରାଜ୍ୟରେ ଗ୍ରୀଷ୍ମ ଲହରି ଜାରି ରହିଛି। ସକାଳ ୭ଟାରୁ ସୂର୍ଯ୍ୟଦେବତାଙ୍କ ପ୍ରଖର କିରଣ ଆରମ୍ଭ ହୋଇଯାଇଯାଉଛି। ଅପରାହ୍ନ ବେଳକୁ ଆହୁରି ତତାଉଛି। ଜରୁରି କାମ ନଥିଲେ ଲୋକେ ବାହାରକୁ ଯିବାକୁ ଚାହୁଁ ନାହାନ୍ତି। ଆଜି ଦିନ ସାଢ଼େ ୨ଟା ସୁଦ୍ଧା ଭୁବନେଶ୍ୱର ଓ ଝାରସୁଗୁଡ଼ା ସର୍ବାଧିକ ୪୧ ଡିଗ୍ରି ତାପମାତ୍ରା ‌ରେକର୍ଡ କରାଯାଇଛି।ଆଜି ଦିନ ୨ ଟା ୩୦ ସୁଦ୍ଧା ତାପମାତ୍ରାଭୁବନେଶ୍ୱର: ୪୧.୦ ଡ଼ିଗ୍ରି,ଝାରସୁଗୁଡା: ୪୧.୦ […]
ରାଜ୍ୟରେ ଗ୍ରୀଷ୍ମ ଲହରି ଜାରି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial