୩ ବର୍ଷ ବିତିଗଲା ମାଧବାନନ୍ଦ ପୋଖରୀ ପୁନରୁଦ୍ଧାର କେବେ ?

ମାଧବାନନ୍ଦ ପୋଖରୀ ପୁନରୁଦ୍ଧାର କେବେ

କଟକ-ଜଗତପୁର: ଜଗତପୁର ୪୮ନଂ ୱାର୍ଡ ଅନ୍ତର୍ଗତ ନିମପୁର ଜଳାଶୟ ଓ ୪୯ନଂ ୱାର୍ଡର ମାଧବାନନ୍ଦ ପୁଷ୍କରିଣୀ ପୁନଃରୁଦ୍ଧାର ପାଇଁ ୨୦୧୯ ମସିହା ସ୍ବାୟତ୍ତ ଶାସନ ଦିବସରେ ଶିଳାନ୍ୟାସ କରାଯାଇଥିଲା। ସିଏମ୍‌ସିର ଏହି ପଦକ୍ଷେପକୁ ସେତେବେଳେ ୨ଟି ଵାର୍ଡ ଅଧିବାସୀ ପ୍ରଶଂସା କରିଥିଲେ। କେନ୍ଦ୍ର ସରକାରଙ୍କ ଅମୃତ ଯୋଜନାରେ ୨କୋଟି ୩୧ ଲକ୍ଷ ଟଙ୍କା ଖର୍ଚ୍ଚ ଅଟକଳରେ ୨ ଏକରରୁ ଅଧିକ ପରିମିତ ଜମିରେ ନିମପୁର ଜଳାଶୟ ଓ ୨କୋଟି ୪୨ଲକ୍ଷ ଟଙ୍କା ଖର୍ଚ୍ଚ ଅଟକଳରେ ସାଢ଼େ ୪ ଏକରରୁ ଅଧିକ ପରିମିତ ଜମିରେ ଥିବା ଇମାମନଗର ମାଧବାନନ୍ଦ ପୋଖରୀର ପୁନଃରୁଦ୍ଧାର ପାଇଁ ନିର୍ଦ୍ଦିଷ୍ଟ ଠିକାଦାର ସଂସ୍ଥାକୁ କାର୍ଯ୍ୟାଦେଶ ମିଳିଥିଲା। ପ୍ରଥମ ପର୍ଯ୍ୟାୟରେ ୨ଗୋଟି ପୋଖରୀର ଗଚ୍ଛିତ ଜଳ ନିଷ୍କାସନ, ପଙ୍କୋଦ୍ଧାର ଓ ଦଳ ସଫେଇ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଏହାର ୩/୪ ମାସ ପରେ କାର୍ଯ୍ୟ ଠପ୍ ହୋଇଯାଇଥିଲା, ଦୀର୍ଘ ୬ ମାସ ଧରି କାର୍ଯ୍ୟ ବନ୍ଦ ରହିବାରୁ ସ୍ଥାନୀୟ ଅଧିବାସୀମାନେ ସିଏମ୍‌ସି ଯନ୍ତ୍ରୀ, ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ। କିଛିଦିନ ପରେ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିବ ବୋଲି ଆଶ୍ୱାସନା ଦେଇ ସମୟ ଗଡ଼ାଇ ଚାଲିଥିଲେ। ଏହି ଶିଳାନ୍ୟାସକୁ ୩ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ କାର୍ଯ୍ୟର ଅଗ୍ରଗତି ନହେବାରୁ ଉଭୟ ୱାର୍ଡବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। କରୋନା ମହାମାରୀର ଆଳ ଦେଖାଇ ସିଏମ୍‌ସି କର୍ତ୍ତୃପକ୍ଷ ପୁନରୁଉଦ୍ଧାର କାର୍ଯ୍ୟରେ ବିଳମ୍ବ ହେଉଥିବା ସଫେଇ ଦେଇଥିଲେ। ସୂଚନାନୁସାରେ, ନିକଟରେ ନିମପୁର ପୋଖରୀ ପୁନରୁଦ୍ଧାର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି, କିନ୍ତୁ ମାଧବାନନ୍ଦ ଜଳାଶୟ ଯଥା ପୂର୍ବଂ ତଥା ପରଂ ଅବସ୍ଥାରେ ପଡ଼ିରହିଛି।
ଏ ସମ୍ପର୍କରେ ସିଏମ୍‌ସିର ନିର୍ବାହୀଯନ୍ତ୍ରୀ ଦେବୀରଞ୍ଜନ ତ୍ରିପାଠୀଙ୍କୁ ପଚାରିବାରୁ; ଠିକାଦାରଙ୍କ ଅପରିପକ୍ୱତା ଓ ଅନିୟମିତତା ଯୋଗୁଁ ୨ଟି ପ୍ରକଳ୍ପର ଠିକାଦାରଙ୍କୁ କାର୍ଯ୍ୟାଦେଶରୁ ବାଦ୍ ଦିଆଯାଇ କଳା ତାଲିକାଭୁକ୍ତ କରିବା ପାଇଁ ସୁପାରିସ କରାଯାଇଥିଲା। ଏହାସହ ନୂତନ ଟେଣ୍ଡର‌୍‌ ଆହ୍ୱାନ ପାଇଁ କମିସନରଙ୍କୁ ଅବଗତ କରିଥିଲେ। କିନ୍ତୁ ନିମପୁର ଜଳାଶୟ ଠିକାଦାର ନିଜ ତ୍ରୁଟି ସ୍ୱୀକାର କରି ପୁନର୍ବାର କାର୍ଯ୍ୟାରମ୍ଭ କରିବା ପାଇଁ କାର୍ଯ୍ୟାଦେଶ ପାଇଛନ୍ତି। କିନ୍ତୁ ମାଧବାନନ୍ଦ ପୋଖରୀ ପ୍ରକଳ୍ପ ଉନ୍ନତୀକରଣର କାର୍ଯ୍ୟକାରିତା ପାଇଁ କୌଣସି ପୁନଃବିଚାର ହୋଇନାହିଁ। ଏହି ପୁଷ୍କରିଣୀର ଉନ୍ନୟନ ମଧ୍ୟରେ ପଙ୍କଉଦ୍ଧାର, ପୋଖରୀ ଖନନ, ଚତୁଃପାର୍ଶ୍ୱ ପାଦଚଲା ରାସ୍ତା ନିର୍ମାଣ ସହ ଆଲୋକୀକରଣ ତଥା ସୌନ୍ଦର୍ଯ୍ୟୀକରଣ ବ୍ୟବସ୍ଥା ପାଇଁ ଖର୍ଚ୍ଚ ଅଟକଳରେ ପ୍ରସ୍ତାବ ରହିଛି। ଏତେବଡ଼ ବୃହତ ପ୍ରକଳ୍ପ ଉନ୍ନତୀକରଣ ପାଇଁ ସିଏମ୍‌ସି କର୍ତ୍ତୃପକ୍ଷ ଗୁରୁତ୍ୱ ଦେଉନଥିବାରୁ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହି ଘଟଣାରେ ୨ଟି ୱାର୍ଡ ଦାୟିତ୍ବରେ ଥିବା କନିଷ୍ଠ ଯନ୍ତ୍ରୀ ନଇମ୍ ଅହମ୍ମଦ ଖାନ୍‌ ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି। ଏପର୍ଯ୍ୟନ୍ତ ପ୍ରକଳ୍ପ ପାଇଁ ୩ ଥର ଲେଖାଏଁ ଟେଣ୍ଡର୍‌ ହୋଇସାରିଛି। ୩ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ପ୍ରକଳ୍ପ କାମ ଆରମ୍ଭ ହୋଇପାରୁନଥିବାରୁ ସାଧାରଣରେ ନାନା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଖୁବ୍‌ଶୀଘ୍ର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରାନଗଲେ ଭବିଷ୍ୟତରେ ଆନ୍ଦୋଳନ ହେବ ବୋଲି ଚର୍ଚ୍ଚା ଜୋର୍‌ ଧରିଲାଣି।

Share Now:

Kalinga News Beuro

Next Post

ଅତିକ-ଅସରଫଙ୍କର ଆଇଏସଆଇ ସହ ସମ୍ପର୍କ ଥିବାର ମିଳିଲା ପ୍ରମାଣ

Tue Apr 25 , 2023
ନୂଆଦିଲ୍ଲୀ: ମାଫିଆ ଅତିକ ଅହମ୍ମଦ ଏବଂ ତାଙ୍କ ଭାଇ ଅସରଫଙ୍କର ଆଇଏସଆଇ କନେକ୍ସନ ନେଇ ଏକ ବଡ଼ ଖୁଲାସା ହୋଇଛି। ଉଭୟ ଆଇଏସଆଇକୁ ସାହାଯ୍ୟ କରୁଥିଲେ। ମିଳିଥିବା ପ୍ରମାଣରୁ ଜଣାପଡିଛି ଯେ ଅସରଫ ଆତଙ୍କବାଦୀ ଜିଶାନ କମରର ପାସପୋର୍ଟ ତିଆରି କରିବାରେ ସାହାଯ୍ୟ କରିଥିଲା। ଅସରଫ ପାସପୋର୍ଟ ଅଧିକାରୀଙ୍କୁ ଚିଠି ଲେଖି ଜିଶାନ କମରଙ୍କୁ ଜାଣିଛନ୍ତି ଏବଂ ପାସପୋର୍ଟ ଦେବାରେ ଅସୁବିଧା ନାହିଁ ବୋଲି କହିଥିଲେ। ଅସରଫ ପାସପୋର୍ଟ ଅଧିକାରୀଙ୍କ […]
ଅତିକ-ଅସରଫଙ୍କର ଆଇଏସଆଇ ସହ ସମ୍ପର୍କ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial