ଭୁବନେଶ୍ୱର: ୨୦୨୦ ମସିହାରେ ଏକ ସଂସ୍ଥା ଅନ୍ଲାଇନ୍ରେ ଶ୍ରୀଅନନ୍ତ ବାସୁଦେବ ଓ ଶ୍ରୀଲିଙ୍ଗରାଜଙ୍କ ଅବଢ଼ା ବିକ୍ରି କରି ବିବାଦକୁ ଆସିଥିଲା। ପରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଉକ୍ତ ସଂସ୍ଥା କ୍ଷମା ମାଗି ଏଥିରୁ କ୍ଷାନ୍ତ ରହିଥିଲା। କିନ୍ତୁ ଏବେ ପୁଣି ତିନି ସଂସ୍ଥା ଅନ୍ଲାଇନ୍ରେ ଅବଢ଼ା ବିକ୍ରି କରୁଥିବା ଜଣାପଡ଼ିଛି। ୱେବ୍ସାଇଟ୍ରେ ବିଜ୍ଞାପନ ପ୍ରକାଶ ପାଇବା ପରେ ଏହା ଜଣାପଡ଼ିଛି ଏବଂ ଏହାକୁ ନେଇ ଏକାମ୍ର କ୍ଷେତ୍ରରେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ତେଣୁ ଏହା ବିରୋଧରେ ଥାନାରେ ଅଭିଯୋଗ କରିବାକୁ ବିଭିନ୍ନ ମହଲରୁ ଚେତାବନୀ ଦିଆଯାଇଛି। ବ୍ରାହ୍ମଣ ନିଯୋଗ ପକ୍ଷରୁ ମିଳିଥିବା ସୂଚନାନୁସାରେ ଯେଉଁ ସଂସ୍ଥା ଅନ୍ଲାଇନ୍ରେ ଅବଢ଼ା ଯୋଗାଇବାକୁ ବିଜ୍ଞାପନ ଦେଇଛି, ଉକ୍ତ ସଂସ୍ଥା ଉଭୟ ଆମିଷ ଓ ଛତୁ ବି ଅନ୍ଲାଇନ୍ରେ ଦେଉଛି। ତେଣୁ ଡେଲିଭରି ବୟ କୌଣସି ଗୋଟିଏ ଅଞ୍ଚଳକୁ ଗଲା ବେଳେ ଅବଢ଼ା ସହିତ ଆମିଷ ବି ନେବାର ସମ୍ଭାବନା ରହିଛି। ଏମିତି ହେଲେ ଆମ ଓଡ଼ିଆଙ୍କ ଭାବାବେଗ ଉପରେ କୁଠାରଘାତ ହେବା ସହ ସମାନ। ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ପତିଙ୍କ କହିବା ଅନୁଯାୟୀ ଅବଢ଼ା ଓ ଆମିଷ ଗୋଟିଏ ଗାଡ଼ିରେ ପରିବହନ କରିବା ଆମ ଧର୍ମୀୟ ଭାବନାର ପରିପନ୍ଥୀ। ଏଭଳି କରୁଥିବା ସଂସ୍ଥା ଆମ ଓଡ଼ିଆଙ୍କ ଭାବାବେଗ ସହ ଖେଳୁଛନ୍ତି। ଅବଢ଼ା ବରାଦ କରିଥିବା ଶ୍ରଦ୍ଧାଳୁଙ୍କୁ ଠକୁଛନ୍ତି। ପ୍ରଥମତଃ ମନ୍ଦିର ଅପେକ୍ଷା ୨/୩ ଗୁଣ ଚଢ଼ା ଦର ନେଉଛନ୍ତି। ସେଥିରେ ପୁଣି ଆମିଷ ଗାଡ଼ିରେ ପରିବହନ କରୁଛନ୍ତି।
ଦ୍ଵିତୀୟତଃ ସେମାନେ ସତରେ ମନ୍ଦିରରୁ ନେଇ ଶ୍ରଦ୍ଧାଳୁଙ୍କୁ ଯୋଗାଉଛନ୍ତି କି ନକଲି ପ୍ରସାଦ ତିଆରି କରି ଯୋଗାଉଛନ୍ତି, ତାହା କିଏ ଜାଣୁଛି ? ସେମାନେ ନିଜ ରୋଷଶାଳାରେ ନକଲି ପ୍ରସାଦ ରାନ୍ଧି ମହାପ୍ରସାଦ ନାଁରେ ବିକ୍ରି କରୁଥିବା ଆଶଙ୍କା ରହିଛି। ତେଣୁ ଏଭଳି ଅସାଧୁ ବେପାର ଆମ ଓଡ଼ଆଙ୍କ ଭାବାବେଗ ସହ ଖେଳିବା ସଦୃଶ ହୋଇଛି। ଉକ୍ତ ସଂସ୍ଥା ନକଲି ମହାପ୍ରସାଦ ବିକି ଆମ ଠାକୁରଙ୍କୁ ଯେତିକି ଅପମାନିତ କରୁଛନ୍ତି, ଗ୍ରାହକଙ୍କ ଭାବନା ସହ ଖେଳି ସେତିକି ଅପରାଧ କରୁଛନ୍ତି ବୋଲି ଶ୍ରୀ ପତି କ୍ଷୋଭ ପ୍ରକାଶ କରିଛିନ୍ତି। ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରଶାସନ, ନିଯୋଗଠାରୁ ଅନୁମତି ନଥାଇ ଏପରି ସଂସ୍ଥା ଅନ୍ଲାଇନ୍ରେ ମହାପ୍ରସାଦ ବିକ୍ରି କରିବା ଦଣ୍ଡନୀୟ ଅପରାଧ। ଏଥିପାଇଁ ଉକ୍ତ ସଂସ୍ଥା ବିରୋଧରେ ଫୌଜଦାରୀ ମାମଲା ରୁଜୁ କରାଯିବ ବୋଲି ଏକାମ୍ର ଜନ ଜାଗରଣ ମଞ୍ଚର ସଭାପତି ଆଇନଜୀବୀ ଭୀଷ୍ମ ନାରାୟଣ ନାୟକ ଓ ଉପସଭାପତି ତଥା ଯୁବ ଆଇନଜୀବୀ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ ଚେତାବନୀ ଦେଇଛନ୍ତି।
ଅନ୍ଲାଇନ୍ରେ ଅବଢ଼ା ବିକ୍ରି : ଭାବାବେଗ ଉପରେ କୁଠାରଘାତ,ଥାନାକୁ ଯିବେ ଏକାମ୍ରବାସୀ

Share Now: