ଆଜିଠାରୁ ଦୟାୱେଷ୍ଟ କେନାଲ ରାସ୍ତା ପାଇଁ ସର୍ଭେ

ଦୟାୱେଷ୍ଟ କେନାଲ ରାସ୍ତା ପାଇଁ ସର୍ଭେ ଆଜିଠୁ

ମାଗଣାରେ କରିବ ‘ନିଶ୍ୱାସ’, ଗଠନ ହେଲା ୭ ଟିମ୍‌

ଭୁବନେଶ୍ୱର : ଦୟାୱେଷ୍ଟ କେନାଲ ଦୁଇ କଡ଼ ଦେଇ ୬ ଥାକିଆ ରାସ୍ତା ନିର୍ମାଣ ପ୍ରସଙ୍ଗ ଆଉ ପାଦେ ଆଗେଇଛି। ବାରଙ୍ଗଠାରୁ ଜଟଣୀ ପର୍ଯ୍ୟନ୍ତ ପ୍ରାୟ ୩୮ କିମି କେନାଲର ଉଭୟ ପାର୍ଶ୍ଵ ଆଜିଠାରୁ ସର୍ଭେ ହେବାକୁ ଯାଉଛି। ଏଥିପାଇଁ ବିଡିଏ ୭ଟି ଟିମ୍‌ ଗଠନ କରିଛି। ‘ନିଶ୍ୱାସ’(ନାସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସୋସିଆଲ ୱାର୍କ ଆଣ୍ଡ ସୋସିଆଲ ସାଇନ୍ସ) ଅନୁଷ୍ଠାନକୁ ସର୍ଭେ ପାଇଁ ଅନୁମତି ଦିଆଯାଇଛି। ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ମାଗଣାରେ ଏହି ସର୍ବେକ୍ଷଣ କରିବେ। ଘର ଘର ବୁଲି ବାସିନ୍ଦାଙ୍କ ତଥ୍ୟ ସଂଗ୍ରହ କରିବା ସହ ସମ୍ପୃକ୍ତ ଅଞ୍ଚଳର ସ୍ଥିତି ଯାଞ୍ଚ କରିବେ। କେଉଁଠି ଜବରଦଖଲ, କେଉଁଠି ଘ‌ରୋଇ ଜମି, ରାସ୍ତା ଅବସ୍ଥା କେଉଁଠି କେମିତି ଅଛି ଏ ସବୁର ଟିକିନିଖି ବିବରଣୀ ପ୍ରସ୍ତୁତ କରିବେ। ଏହାକୁ ଏକ ଡକ୍ୟୁମେଣ୍ଟ କରି ବିଡିଏକୁ ପ୍ରଦାନ କରିବେ। ତଥ୍ୟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ‌ହେବ। ବସ୍ତି ରହିଥିଲେ ସେଗୁଡ଼ିକୁ ଉଚ୍ଛେଦ କରାଯିବା ସହ ସେମାନଙ୍କର ସ୍ଥିତାବସ୍ଥା ଯାଞ୍ଚ କରାଯିବ। ଯଦି ବସ୍ତିବାସିନ୍ଦାମାନେ କୌଣସି ସରକାରୀ ଯୋଜନାରେ ସାମିଲ୍‌ ହୋଇନଥା’ନ୍ତି, ତେବେ ସେମାନଙ୍କୁ ଥଇଥାନ କରାଯିବ। କେହି ସରକାରୀ ଜମି ମାଡ଼ି ବସିଥିଲେ ସେ ସବୁକୁ ଉଚ୍ଛେଦ କରାଯିବ। ଯଥାସମ୍ଭବ ଏହି ସର୍ବେକ୍ଷଣ ଶୀଘ୍ର ଶେଷ କରିବାକୁ ଉଦ୍ୟମ କରିବାକୁ କୁହାଯାଇଛି। ଏହା ପରେ ରାସ୍ତା ନିର୍ମାଣ ଆରମ୍ଭ ହେବ ବୋଲି ସୂଚନା ମିଳିଛି।
ସୂଚନା ମୁତାବକ, ଦୟାୱେଷ୍ଟ କେନାଲ ପୁରୀ କେନାଲର ବାରଙ୍ଗ ପାଖରୁ ବାହାରି ଜଟଣୀ ପର୍ଯ୍ୟନ୍ତ ଯାଇଛି। ଲମ୍ବା ପ୍ରାୟ ୩୮ କିମି ରହିଛି। କେନାଲ‌କୁ ପୋତି ଅନେକ ଜବରଦଖଲ କରିଥିବା ବେଳେ ଦଳ, ପଙ୍କ କାଦୁଅ ଓ ଆବର୍ଜନାରେ ଭର୍ତ୍ତି ହୋଇ ରହିଛି। ଅନେକ ଲୋକ ଏହା ଭିତରକୁ ସିଧାସଳଖ ଆବର୍ଜନା ପାଣି ଛାଡ଼ି ଦେଉଛନ୍ତି। ଜବରଦଖଲ ଯୋଗୁ ୫୦ ଫୁଟ୍‌ ଓସାରର କେନାଲ୍‌ ଏବେ ୧୫ ଫୁଟ୍‌ରେ ସୀମିତ ରହିଛି। ପାଣି ମଧ୍ୟ ବ୍ୟବହାର ଉପଯୋଗୀ ହୋଇ ରହିନାହିଁ। ଏହି କେନାଲର ପୁନରୁଦ୍ଧାର ସହ ଏହାର ବନ୍ଧର ଉଭୟ ପାର୍ଶ୍ଵରେ ଥିବା ରାସ୍ତାକୁ ୪ ଥାକିଆ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ବହୁବାର ବୈଠକ ବସି ଏହାର ରୂପରେଖ ସଂପର୍କରେ ଆଲୋଚନା ହୋଇଥିଲେ ମଧ୍ୟ ଏଥର ସରକାରଙ୍କ ଏହା ଉପରେ ଫୋକସ୍‌ ରହିଛି। ପ୍ରାଥମିକ ପର୍ଯ୍ୟାୟରେ ୭୧୮.୯ କୋଟି ଟଙ୍କାର ଡିପିଆର୍‌ ପ୍ରସ୍ତୁତ ହୋଇଥିବା ବେଳେ ହ୍ୟୁମ୍‌-ପାଇପ୍‌ ଜରିଆରେ କେନାଲ ପାଣି ମାଟି ତଳେ ପରିଚାଳନା କରିବା ଓ ଦୁଇ କଡ଼ରେ ୬ ଥାକିଆ ରାସ୍ତା ନିର୍ମାଣ ସହ ସୌନ୍ଦର୍ଯ୍ୟୀକରଣ କରିବା ଯୋଜନା ରହିଛି। ୪ ପର୍ଯ୍ୟାୟରେ ନିର୍ମାଣ ହେବାକୁ ଥିବା ଏହି ରାସ୍ତା ପାଇଁ ବାରଙ୍ଗ-ପଳାସୁଣି ପର୍ଯ୍ୟନ୍ତ ୨୮୦.୮୯କୋଟି, ପଳାସୁଣି-ଗ୍ୟାରେଜ୍‌ ଛକ ପର୍ଯ୍ୟନ୍ତ ୨୦୧.୨୬ କୋଟି, ଗ୍ୟାରେଜ୍‌ ଛକ-ସୁନ୍ଦରପଦା ପର୍ଯ୍ୟନ୍ତ ୭୯.୧୩ କୋଟି ଓ ସୁନ୍ଦରପଦାରୁ ଜଟଣୀ ଯାଏଁ ୩୭୫.୬୨ କୋଟି ଟଙ୍କାର ବ୍ୟୟ ଅଟକଳ ରହିଛି। ସମାନ୍ତରାଳ ଭାବରେ ୪ଟି ପର୍ଯ୍ୟାୟର କାମ ଏକ ସମୟରେ ଆରମ୍ଭ କରିବାକୁ ଯୋଜନା ରହିଛି।
ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ କଟକ ରୋଡ୍‌ ଓ ପୁରୀ ବାଇପାସ୍‌ର ବିକଳ୍ପ ରାସ୍ତା ଭାବେ ଏହି ରାସ୍ତାକୁ ବ୍ୟବହାର କରାଯିବ। ବାରଙ୍ଗରୁ ପୁରୀ ଆଡ଼କୁ ଆସୁଥିବା ଗାଡ଼ିଗୁଡ଼ିକ ସହର ଭିତରେ ନ ପଶି ସିଧା ଏହି ରାସ୍ତାରେ ଯାଇପାରିବେ। ପୁରୀ-କଟକ ବାଇପାସ୍‌ ରୋଡ୍‌ରୁ ରବି ଟକିଜ୍‌ ପର୍ଯ୍ୟନ୍ତ ଦେଖାଦେଉଥିବା ନିତିଦିନିଆ ଗହଳି ଅନେକାଂଶରେ ହ୍ରାସ ପାଇବ ବୋଲି କୁହାଯାଉଛି। ପଳାସୁଣି, ରସୁଲଗଡ଼, ଜିଜିପି କଲୋନି, ଲକ୍ଷ୍ମୀସାଗର, ଝାରପଡ଼ା, ବଡ଼ଗଡ଼, ଟଙ୍କପାଣି ରୋଡ୍‌ ଆଦି ଅଞ୍ଚଳର ଲୋକ ମଧ୍ୟ ଅଯଥା ଟ୍ରାଫିକ୍‌ ଭିଡ଼‌ରେ ନ ପଶି ଏହି ରାସ୍ତା ଦେଇ ସହରରୁ ବାହାରି ପାରିବେ। ଏହାଦ୍ୱାରା ସହର ଭିତରେ ଥିବା ରାସ୍ତାର ଭିଡ଼ କମିବ।

Share Now:

Kalinga News Beuro

Next Post

ଶିଖରଚଣ୍ଡୀ ଜୈବ ବିବିଧତା ନଷ୍ଟ ପ୍ରସଙ୍ଗ: ସରିଲା ତଦନ୍ତ, ରିପୋର୍ଟ ଦାଖଲ

Mon May 22 , 2023
‘ପ୍ରକଳ୍ପ ସରିବା ପରେ ଗଛ ଲଗାଇବୁ’ ଚନ୍ଦ୍ରଶେଖରପୁର : ପାହାଡ଼ ଅଛି, ଗଛ ନାହିଁ। ଯୁଆଡ଼େ ଚାହିଁଲେ ଖାଲି ପଥର। ଦିନେ ସବୁଜିମାରେ ଭରପୂର ଥିବା ଶିଖରଚଣ୍ଡୀ ଏବେ ଶ୍ରୀହୀନ। ବିକାଶ ନାଁରେ ପଦା ହୋଇଯାଇଛି ଶହଶହ ଗଛ। ସାରା ପାହାଡ଼କୁ ଖୋଳି ଦିଆଯାଇଛି। ଦିନରାତି ଏକ କରି ୪ରୁ ଅଧିକ ଜେସିବି ମେସିନ୍‌ ପାହାଡ଼କୁ ଖୋଳି ଚାଲିଛନ୍ତି। କେଉଁଠି ହେବ, କିଭଳି କରାଯିବ ପାନୀୟ ଜଳ ସଂରକ୍ଷଣ ପ୍ରକଳ୍ପ, […]
ଶିଖରଚଣ୍ଡୀ ଜୈବ ବିବିଧତା ନଷ୍ଟ ପ୍ରସଙ୍ଗ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial