ଶିଖରଚଣ୍ଡୀ ଜୈବ ବିବିଧତା ନଷ୍ଟ ପ୍ରସଙ୍ଗ: ସରିଲା ତଦନ୍ତ, ରିପୋର୍ଟ ଦାଖଲ

ଶିଖରଚଣ୍ଡୀ ଜୈବ ବିବିଧତା ନଷ୍ଟ ପ୍ରସଙ୍ଗ

‘ପ୍ରକଳ୍ପ ସରିବା ପରେ ଗଛ ଲଗାଇବୁ’

ଚନ୍ଦ୍ରଶେଖରପୁର : ପାହାଡ଼ ଅଛି, ଗଛ ନାହିଁ। ଯୁଆଡ଼େ ଚାହିଁଲେ ଖାଲି ପଥର। ଦିନେ ସବୁଜିମାରେ ଭରପୂର ଥିବା ଶିଖରଚଣ୍ଡୀ ଏବେ ଶ୍ରୀହୀନ। ବିକାଶ ନାଁରେ ପଦା ହୋଇଯାଇଛି ଶହଶହ ଗଛ। ସାରା ପାହାଡ଼କୁ ଖୋଳି ଦିଆଯାଇଛି। ଦିନରାତି ଏକ କରି ୪ରୁ ଅଧିକ ଜେସିବି ମେସିନ୍‌ ପାହାଡ଼କୁ ଖୋଳି ଚାଲିଛନ୍ତି। କେଉଁଠି ହେବ, କିଭଳି କରାଯିବ ପାନୀୟ ଜଳ ସଂରକ୍ଷଣ ପ୍ରକଳ୍ପ, ସେନେଇ କାହା ପାଖରେ ଉତ୍ତର ନାହିଁ। ଏବେ କେବଳ ପାହାଡ଼କୁ ସମତଳ କରାଯାଉଛି। କାମ କେବେ ହେବ, ସେନେଇ କେହି କହିବାକୁ ନାରାଜ। ଗୋଟିଏ ପଟେ ଗଛ ଛାଇ ତଳେ ବସି ଠିକାଦାରମାନେ କାମ ତଦାରଖ କରୁଛନ୍ତି। ଆଉ ଅନ୍ୟପଟେ ପାହାଡ଼ କାଟି ଚାଲିଛି ଜେସିବି। ଏଭଳି ଯଦି ବେଧଡ଼କ ଭାବେ ଗଛ କଟା ଚାଲେ, ପରିବେଶ ପ୍ରତି ବିପଦ ସୃଷ୍ଟି ହେବ ବୋଲି ପରିବେଶବିତ୍‌ ସୁନାକର ପଣ୍ଡା କହିଛନ୍ତି।
ସେପଟେ ପ୍ରକଳ୍ପ ନାଁରେ ପାହାଡ଼ କଟାଯାଉଥିବା ନେଇ ଅଭିଯୋଗ ପରେ ଚନ୍ଦକା-ଡମପଡ଼ା ବନଖଣ୍ଡ ପକ୍ଷରୁ ତଦନ୍ତ କରାଯାଇଥିଲା। ଜଣେ ରେଞ୍ଜରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଏକ ଟିମ୍‌ ଉକ୍ତ ଘଟଣାର ତଦନ୍ତ କରି ରିପୋର୍ଟ ଦେଇଥିବା ଜଣାପଡ଼ିଛି। ପାନୀୟ ଜଳ ସଂରକ୍ଷଣ ପ୍ରକଳ୍ପ ହେଉଥିବା ପାହାଡ଼ ଅଞ୍ଚଳ ରାଜସ୍ୱ ବିଭାଗ ଅଧୀନରେ ରହିଛି, ଯାହାକି ବନଖଣ୍ତ ଅଞ୍ଚଳରେ ଆସୁଛି। ଏହି ଜମିକୁ ରାଜସ୍ୱ ବିଭାଗ ପକ୍ଷରୁ ଇଡ୍‌କୋକୁ ହସ୍ତାନ୍ତର କରାଯିବା ପରେ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ହେଉଛି। ପ୍ରକଳ୍ପ ଲାଗି ବହୁ ପରିମାଣର ଗଛକଟା ଯାଇଛି। କିଛି ଔଷଧୀୟ ବୃକ୍ଷକୁ ବଳି ପକାଯାଇଛି। ତାହାର ପ୍ରଭାବ ଭୁବନେଶ୍ୱରର ଜୈବ ବିବିଧତା ଉପରେ ପଡ଼ିବ। ଗଛ କଟାଯିବା ସମୟରେ ପରିବେଶ ଉପରେ ପଡ଼ିବାକୁ ଥିବା ପ୍ରଭାବ ସମ୍ପର୍କରେ କେହି ଚିନ୍ତା କରି ନ ଥିବା ରିପୋର୍ଟରେ ଦର୍ଶାଯାଇଥିବା ବିଶେଷସୂତ୍ରରୁ ଜଣାପଡ଼ିଛି। ଶିଖରଚଣ୍ଡୀ ଉନ୍ନତୀକରଣ ପ୍ରକଳ୍ପ ଆରମ୍ଭ ହୋଇ ନଥିବାରୁ ସେ ବିଷୟରେ ଯାଞ୍ଚ କମିଟି କୌଣସି ତଥ୍ୟ ଦେଇନାହାନ୍ତି। ପ୍ରକଳ୍ପ କାର୍ଯ୍ୟ ତଦାରଖ କରୁଥିବା ଅଧିକାରୀଙ୍କ କହିବା କଥା ହେଉଛି ଯେ ଜୈବବିବିଧତା ସ୍ଥଳ ଭାବେ ପରିଚିତ ଏହି ପାହାଡ଼ର କୌଣସି କ୍ଷତି ହେବ ନାହିଁ। ପୁଣିଥରେ ବୃକ୍ଷରୋପଣ କରାଯିବ। ପାହାଡ଼ ଉପରେ ଜଳ ସଂରକ୍ଷଣ ଭଣ୍ଡାର ନିର୍ମାଣ ହେବା ପରେ ନିକଟବର୍ତ୍ତୀ ଅଞ୍ଚଳରେ ବ୍ୟାପକ ବୃକ୍ଷରୋପଣ କରାଯିବ। ଶିଖରଚଣ୍ଡୀ ଉନ୍ନତିମୂଳକ ପ୍ରକଳ୍ପ କାମ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି।

Share Now:

Kalinga News Beuro

Next Post

ଭୋଟର ତାଲିକା ସହ ଯୋଡ଼ାଯିବ ଜନ୍ମ-ମୃତ୍ୟୁ ତଥ୍ୟ : ଅମିତ ଶାହା

Tue May 23 , 2023
ନୂଆଦିଲ୍ଲୀ : ଭୋଟର ତାଲିକା ଏବଂ ଅନ୍ୟାନ୍ୟ ଉନ୍ନୟନ ମୂଳକ ପ୍ରକଳ୍ପରେ ଜନ୍ମ ଓ ମୃତ୍ୟୁ ସଂଖ୍ୟା ଯୋଡିବାକୁ କେନ୍ଦ୍ର ସରକାର ବିଚାର କରୁଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏହାର ସଙ୍କେତ ଦେଇଛନ୍ତି। ଜନ୍ମ ଓ ମୃତ୍ୟୁ ସମ୍ପର୍କିତ ତଥ୍ୟକୁ ଭୋଟର ତାଲିକା ଏବଂ ସାମଗ୍ରିକ ବିକାଶ ପ୍ରକ୍ରିୟା ସହ ଯୋଡ଼ିବା ପାଇଁ ସରକାର ସଂସଦରେ ଏକ ବିଲ୍ ଆଣିବାକୁ ଯୋଜନା କରୁଛନ୍ତି ବୋଲି ସେ ସୋମବାର ଏକ […]
ଭୋଟର ତାଲିକା ସହ ଯୋଡ଼ାଯିବ ଜନ୍ମ-ମୃତ୍ୟୁ ତଥ୍ୟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial