୮ ବର୍ଷ ପରେ ରାଜଧାନୀ‌ରେ ସର୍କସ

୮ ବର୍ଷ ପରେ ରାଜଧାନୀ‌ରେ ସର୍କସ୍‌

ରୋମାଞ୍ଚ ଭରିଲା ଗ୍ଲୋବ୍‌ ରାଇଡିଂ, ରିଙ୍ଗ୍‌ ଡ୍ୟାନ୍ସ, ଆଫ୍ରିକାନ୍‌ ଜଙ୍ଗ୍‌ଲିଙ୍ଗ୍‌

ଭୁବନେଶ୍ୱର: ରଙ୍ଗବେରଙ୍ଗ କପଡ଼ାର ଟେଣ୍ଟ ହାଉସ୍‌ ଭିତରେ ଝିଲିମିଲି ଆଲୁଅରେ ଝଲସୁଥିଲା ମଞ୍ଚ। ପର୍ଯ୍ୟାୟକ୍ରମେ ଗୋଟିଏ ପରେ ଗୋଟିଏ ଗ୍ରୁପ୍‌ ଆସି କଳା-କୌତୁକ ଦେଖାଇ ଲୋକଙ୍କୁ ରୋମାଞ୍ଚିତ କରୁଥିଲେ। କେତେବେଳେ ଗ୍ଲୋବ୍‌ ଆକୃତିର ଲୁହା ପିଞ୍ଜରାରେ ପଶି ପଞ୍ଝାଏ ବାଇକ୍‌ ଚାଳକ ଘୁଁ…ଘାଁ କରି ଗାଡ଼ି ଚଳାଉଥିଲେ ତ କେତେବେଳେ ୨୦ ଫୁଟ୍‌ ଉଚ୍ଚରେ କିଛି ଯୁବତୀ ରିଙ୍ଗ୍‌ରେ ଗୋଡ଼ ଛନ୍ଦି ବିଭିନ୍ନ ଅଙ୍ଗଭଙ୍ଗୀ ପ୍ରଦର୍ଶନ କରୁଥିଲେ। ଆଉ କିଛି ଯୁବକ ପାଟିରୁ ନିଆଁ ବାହାର କରୁଥିଲେ। ଟିକିଏ ଏପଟସେପଟ ହେଲେ ଜଖମ ହେବାର ଭୟ ଥିଲେ ହେଁ ସେଥିପ୍ରତି ସେମାନଙ୍କ ପରବାୟ ନଥିଲା। କେବଳ ଗୋଟିଏ ଲକ୍ଷ୍ୟ ଥିଲା, ଦର୍ଶକଙ୍କ କରତାଳି ସାଉଁଟିବା। ଦୀର୍ଘ ୮ ବର୍ଷ ପରେ ଭୁବନେଶ୍ୱରରେ ପଡ଼ିଥିବା ସର୍କସ୍‌ରେ ଏଭଳି ପରିବେଶ ଦେଖିବାକୁ ମିଳିଥିଲା।
ୟୁନିଟ୍‌-୩ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ‘ଅଜନ୍ତା ସର୍କସ’ର କଳାକାରମାନେ ଶନିବାର ପ୍ରଥମ ଦିନରେ ଅଢ଼େଇ ଘଣ୍ଟା ଧରି ଲୋକଙ୍କ ମନୋରଞ୍ଜନ କରିଥିଲେ। ଗୋଟିଏ ସୋ’ରେ ଗ୍ଲୋବ୍‌ ରାଇଡିଂ, ରିଙ୍ଗ୍‌ ଡ୍ୟାନ୍ସ, ଆଫ୍ରିକାନ୍‌ ଜଙ୍ଗ୍‌ଲିଙ୍ଗ୍‌, ଜିମ୍ନାଷ୍ଟିକ୍‌ , ଲ୍ୟା‌ଡର୍‌ ବାଲାନ୍ସ ଭଳି ୩୨ ପ୍ରକାର କଳା ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ବିଶେଷକରି ୪୦ ଫୁଟ୍‌ ଉଚ୍ଚତା ଓ ୩୦ଫୁଟ୍‌ ଲମ୍ବରେ ଲମ୍ଫ ମାରିବା ଓ ସ୍ଥାନ ପରିବର୍ତ୍ତନ କରିବା ସୋ’ ବେଶି ଆକର୍ଷଣୀୟ ଦେଖାଯାଉଛି। ଆଫ୍ରିକାନ୍‌, ଇଥିଓପିଆନ୍‌, ମଣିପୁର ଓ ଭାରତୀୟ ସର୍କସ କଳାକାରମା‌ନେ ଏଥିରେ ନିଜର ପ୍ରତିଭା ପ୍ରଦର୍ଶନ କରି ରାଜଧାନୀବାସୀଙ୍କ ମନ‌ ମୋହିଥିଲେ। ୩୫ ଦିନ ଧରି ଚାଲିବାକୁ ଥିବା ଏହି ସର୍କସ୍‌ରେ ଦୈନିକ ୩ଟି ଲେଖାଁଏ ‌ସୋ’ ପ୍ରଦର୍ଶିତ ହେବ। ଅପରାହ୍ଣ ୧ଟାରେ ପ୍ରଥମ ସୋ’ ଆରମ୍ଭ ହେଉଥିବା ବେଳେ ୪ଟାରେ ଦ୍ଵିତୀୟ, ୭ଟାରେ ତୃତୀୟ ସୋ’ ପ୍ରଦର୍ଶିତ ହେବ। ଗୋଟିଏ ସୋ’ରେ ଦେଢ଼ ହଜାର ଲୋକଙ୍କ ପାଇଁ ବ୍ୟବସ୍ଥା କରାଯାଇଛି। ମଞ୍ଚ ସମ୍ମୁଖ ଟିକେଟ୍‌ର ଦାମ୍‌ ୩ଶହ ଟଙ୍କା ହୋଇଥିବା ବେଳେ ତା’ ପଛକୁ ୨ଶହ ଓ ସଂପୂର୍ଣ୍ଣ ପଛକୁ ୧୫୦ଟଙ୍କା ହୋଇଛି। ଲୋକମା‌ନେ ପ୍ରତି ସୋ’ର ଅଧ ଘଣ୍ଟାଏ ପୂର୍ବରୁ ଟିକେଟ୍‌ ବୁକ୍‌ କରିପାରିବେ। ajanta circus.comରେ ଟିକେଟ୍‌ ଆଗୁଆ ବି ବୁକିଂ କରିହେବ। ଅଫ୍‌ଲାଇନ୍‌ରେ ଅଗ୍ରୀମ ଏକ ସପ୍ତାହ ପାଇଁ ବୁକିଂ ବ୍ୟବସ୍ଥା ରହିଛି ବୋଲି ଅନୁଷ୍ଠାନର ବୈକୁଣ୍ଠନାଥ ପାତ୍ର ଓ ସଞ୍ଜିତ ଘୋଷାଲ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଏହି ଅଜନ୍ତା ସର୍କସ୍‌ ଗତ ୮ ତାରିଖରୁ ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହୋଇଥା’ନ୍ତା। ଏଥିପାଇଁ ଆୟୋଜକଙ୍କ ପକ୍ଷରୁ ସବୁପ୍ରକାର ପ୍ରସ୍ତୁତି ବି ସରିଥିଲା। କିନ୍ତୁ ସେଦିନ କାଳବୈଶାଖୀ ବର୍ଷା-ପବନରେ ସର୍କସ୍‌ର ତମ୍ବୁ ମାଟିରେ ଲୋଟି ପଡ଼ିଥିଲା।

Share Now:

Kalinga News Beuro

Next Post

କ୍ୟାପିଟାଲ ହସ୍ପିଟାଲରେ ୫-ଟି ସଚିବଙ୍କ ସମୀକ୍ଷା

Sun Jun 18 , 2023
ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନ କରିଛନ୍ତି ୫-ଟି ସଚିବ। ହସ୍ପିଟାଲର ବିଭିନ୍ନ ୱାର୍ଡ ସମେତ ହସ୍ପିଟାଲ ପରିସରରେ ନିର୍ମାଣାଧୀନ ଟ୍ରମା କେୟାର୍‌ ଓ ଅନ୍ୟାନ୍ୟ ଉନୟନମୂଳକ କାର୍ଯ୍ୟ ବୁଲି ସମୀକ୍ଷା କରିଛନ୍ତି। ‘ଆମ ହସ୍ପିଟାଲ’ ଅଧୀନରେ ଚାଲିଥିବା‌ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିବା ସହ ହସ୍ପିଟାଲ କର୍ମଚାରୀ ଓ ଇଞ୍ଜିନିୟର୍‌ମାନଙ୍କ ସହ ଆଲୋଚନା କରି ଲାଗିବାକୁ ଥିବା ପୋଷ୍ଟର୍‌, ବ୍ୟାନର୍‌ ସହ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ। ଏହି ସମୟରେ […]
କ୍ୟାପିଟାଲ ହସ୍ପିଟାଲରେ ୫-ଟି ସଚିବ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial