ପୋତା ପୋଖରୀ ପୁନରୁଦ୍ଧାର ପ୍ରସଙ୍ଗ : ୬ ମାସର କାମକୁ ବିତିଲାଣି ୨ବର୍ଷ, ତଥାପି ସରୁନି

୬ ମାସର କାମକୁ ୨ବର୍ଷ

ଭୁବନେଶ୍ବର: ୧୯ ନମ୍ବର ୱାର୍ଡ ଅନ୍ତର୍ଗତ ବାସୁଦେବନଗର ପୋତା ପୋଖରୀ ପୁନରୁଦ୍ଧାରରେ ଅହେତୁକ ବିଳମ୍ବ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧିଲାଣି। ରାଜଧାନୀର ସର୍ବପୁରାତନ ପୋଖରୀ ମଧ୍ୟରୁ ଅନ୍ୟତମ ଏହି ପୋଖରୀ ୧୦ ବର୍ଷ ହେଲା ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଥିଲା। ଦୁଇ ବର୍ଷ ତଳେ ଏହାର ପୁନରୁଦ୍ଧାର ପାଇଁ ବିଏମ୍‌ସି ପଦକ୍ଷେପ ନେଇଥିଲା। ଏଥିପାଇଁ ଆବଶ୍ୟକ ଅର୍ଥ ମଞ୍ଜୁର କରିବା ସହ ୬ ମାସ ଭିତରେ କାମ ଶେଷ ହେବ ବୋଲି କୁହାଯାଇଥିଲା। ହେଲେ ଦୁଇ ବର୍ଷ ବିତିଯାଇଥିଲେ ମଧ୍ୟ କାମ ଶେଷ ହୋଇନାହିଁ। କାର୍ଯ୍ୟାଦେଶ ପାଇଥିବା ଠିକାସଂସ୍ଥା କାମ ଆରମ୍ଭ କରିବା ଦିନରୁ ହିଁ ଅବହେଳା କରି ଚାଲିଥିଲା। ଦିନେ କାମ ହେଲେ, ୮ ଦିନ ବନ୍ଦ ରହୁଥିଲା। କିନ୍ତୁ ଗତ ୨ମାସ ହେବ, ଆଉ କାହାରି ଦେଖାଦର୍ଶନ ନାହିଁ। ଅଧାପନ୍ତରିଆ କାମ କରି ଠିକାସଂସ୍ଥା ଦୁଇ ମାସ ହେଲା ଛାଡ଼ି ଦେଇଛି। ତେଣୁ କେବେ କାମ ସରିବ, ତାକୁ ନେଇ ଏବେ ଅଞ୍ଚଳବାସୀ ସନ୍ଦିହାନ।
୧୦ହଜାର ଲୋକଙ୍କ ନିର୍ଭରତା ସହ ଖେଳୁଛି ବିଏମ୍‌ସି
ସୂଚନାନୁସାରେ, ଏହି ପୋଖରୀ ଉପରେ ଜିଜିପି କଲୋନି, ଭାଗବତ ସନ୍ଧାନ, ରସୁଲଗଡ଼, ମଳୟ ବିହାର, ପ୍ରାଚୀବିହାର ଆଦି ଅଞ୍ଚଳର ପ୍ରାୟ ୧୦ ହଜାର ଲୋକ ନିର୍ଭର କରନ୍ତି। କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗାଭସା ପର୍ବଠାରୁ ଆରମ୍ଭ କରି ଶୁଦ୍ଧିକ୍ରିୟା ଆଦି ବିଭିନ୍ନ କାମ ପାଇଁ ଲୋକ ଏହି ପୋଖରୀ ଉପରେ ନିର୍ଭର କରନ୍ତି। ହେଲେ ଗତ ୧୦ ବର୍ଷ ହେଲା ଏହି ପୋଖରୀଟି ଅବହେଳିତ ଅବସ୍ଥାରେ ପଡ଼ି ରହିବା ଯୋଗୁଁ ‌ଲୋକମାନେ ବାଧ୍ୟ ହୋଇ କୁଆଖାଇ ନଦୀକୁ ଏ ସବୁ କାମ ପାଇଁ ଯାଉଥିଲେ। ଅପରପକ୍ଷେ, ଅଢ଼େଇ ଏକରର ଏହି ପୋଖରୀରେ ସବୁ ସମୟରେ ଝର ପଡ଼ି ରହୁଥିଲା। ଫଳରେ ପାଣି ବିଶେଷ ଶୁଖୁ ନଥିଲା। ଏହା ପ୍ରଭାବରେ ସ୍ଥାନୀୟ ଅଞ୍ଚଳରେ କୂଅ, ବୋରୱେଲ୍‌ ଆଦିରେ ଜଳାଭାବ ଦେଖାଯାଉ ନଥିଲା। କିନ୍ତୁ ପୋଖରୀ ପୋତି ହୋଇଯିବାରୁ ସ୍ଥାନୀୟ ଅଞ୍ଚଳରେ ଖରା‌ଦିନେ ଜଳସଂକଟ ଦେଖାଦେଉଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି।
ସ୍ଥାନୀୟ ବାସିନ୍ଦା ସ୍ମୃତିରଞ୍ଜନ ରାଉତରାୟଙ୍କ କହିବାନୁସାରେ, ପୋଖରୀ ଉନ୍ନତୀକରଣ କାମ ଆରମ୍ଭ ହେବା ଦିନଠାରୁ ହିଁ ଅନିୟମିତତା ଦେଖାଦେଇଥିଲା। ଯେଉଁ ଠିକାସଂସ୍ଥା କାମ କରୁଥିଲା, ଦିନେ କାମ ହେଲେ ଆଠ ଦିନ ବନ୍ଦ ରହୁଥିଲା। ନିୟମିତ ଭାବେ କାମ କରିଥିଲେ ଖରା ଦିନ ଆରମ୍ଭରୁ କାମ ଶେଷ ହୋଇଯାଇଥା’ନ୍ତା। ଏନେଇ କର୍ପୋରେଟର୍‌ ସ୍ମୃତିରେଖା ବରିସଲ୍‌ଙ୍କୁ ପଚାରିବାରୁ ସେ କହିଛନ୍ତି, ପୋଖରୀର ପୁନରୁଦ୍ଧାର କାମ ତୁରନ୍ତ ଶେଷ କରିବା ଓ ସୌନ୍ଦର୍ଯ୍ୟୀକରଣ କରିବା ପାଇଁ ମେୟର, ବିଧାୟକ ସମସ୍ତଙ୍କୁ ଜଣାଇ ଦିଆଯାଇଛି। ଉନ୍ନତୀକରଣ ବାଦ୍‌ ସୌନ୍ଦର୍ଯ୍ୟୀକରଣ ପାଇଁ ଅଧିକ ଅର୍ଥ ବ୍ୟୟ ପାଇଁ ପ୍ରସ୍ତାବ ଦିଆଯାଇଛି। ଏ ସଂପର୍କରେ ବିଏମ୍‌ସିର କନିଷ୍ଠ ଯନ୍ତ୍ରୀ ପତିତପାବନ ପଟ୍ଟନାୟକଙ୍କୁ ପଚାରିବାରୁ ସେ କହିଛନ୍ତି, ଏଥିପାଇଁ ଅଢ଼େଇ କୋଟି ଟଙ୍କା ମଞ୍ଜୁର ହୋଇଥିଲା। ୨୦୨୩ ମାର୍ଚ୍ଚ ୩୧ ସୁଦ୍ଧା କାମ ଶେଷ କରିବା ପାଇଁ ଅବଧି ଥିଲା। ଏବେ ପୋଖରୀର ପଙ୍କୋଦ୍ଧାର କାମ ଶେଷ ହେବା ସହ ଚାରିପାଖରେ ବାଡ଼ ବୁଲା ସରିଛି। ୩ଟି ଘାଟର କାମ ମଧ୍ୟ ସରିଛି। ଆଉ ଯାହା କାମ ବାକି ଅଛି, ଖୁବ୍‌ଶୀଘ୍ର ସରିବ।

Share Now:

Kalinga News Beuro

Next Post

ବହି କିଣିଦେବାର ବାହାନାରେ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ କରି ଶିକ୍ଷକ ଗିରଫ

Thu Apr 6 , 2023
ପାଟଣାଗଡ଼: ବର୍ତ୍ତମାନ ସମୟରେ ଗୁରୁ ସାଜିଥିବା କିଛି ଶିକ୍ଷକ ଗୁରୁ ଶିଷ୍ୟ ସମ୍ପର୍କରେ କଳଙ୍କ ଲଗାଉଥିବା ଦେଖା ଦେଇଛି। ଏପରିକି ନାବାଳିକା ଛାତ୍ରୀ ମାନଙ୍କ ସହ ମଧ୍ୟ ଦୁଷ୍କର୍ମ କରୁଥିବା ବିଭିନ୍ନ ସ୍ଥାନରୁ ଅନେକ ସମୟରେ ଖବର ଆସେ। ଏପରି ଏକ କଳଙ୍କିତ ଖବର ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଯୋଗିମୁଣ୍ଡାରୁ ଆସିଥିବା ଜଣାପଡିଛି ଯୋଗିମୁଣ୍ଡା ଉଚ୍ଚ ବିଦ୍ୟାଳୟର ଜଣେ ଶିକ୍ଷକ ନାବାଳିକା ଛାତ୍ରୀକୁ ବହି କିଣିଦେବା କହି ନିଜ ସାଥିରେ […]
ଦୁଷ୍କର୍ମ ଉଦ୍ୟମ କରି ଗିରଫ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial