ସ୍ୱପ୍ନ ଦେଖାଇ ଭଣ୍ଡେଇ ଦେଲା ପର୍ଯ୍ୟଟନ ବିଭାଗ

ସ୍ୱପ୍ନ ଦେଖାଇ ଭଣ୍ଡେଇ ଦେଲା ପର୍ଯ୍ୟଟନ ବିଭାଗ

ଧଉଳିରେ ରୋପ୍‌ୱେ ପ୍ରକଳ୍ପର ପ୍ରଶାସନିକ ମଞ୍ଜୁରୀ ବାତିଲ

ଭୁବନେଶ୍ବର : ଧଉଳିରେ ବହୁ ପ୍ରତୀକ୍ଷିତ ରୋପ୍‌ୱେ ପ୍ରକଳ୍ପକୁ ବାତିଲ୍‌ କରିଦିଆଯାଇଛି। ଦୀର୍ଘ ୫ ବର୍ଷ ଧରି ସ୍ବପ୍ନ ଦେଖାଇ ଆସୁଥିବା ପର୍ଯ୍ୟଟନ ବିଭାଗ ଶେଷରେ ଭଣ୍ଡେଇ ଦେଇଛି। ରାଜଧାନୀ ଭୁବନେଶ୍ବରରେ ପର୍ଯ୍ୟଟନର ବିକାଶ ପାଇଁ ବିଭାଗର ଆନ୍ତରିକତା ଏବେ ଧରାପଡ଼ିଯାଇଛି। କୋଭିଡ୍‌ ପରେ ସ୍ଥାନୀୟ ପର୍ଯ୍ୟଟନର ବିକାଶ ପାଇଁ ଭିତ୍ତିଭୂମି ଦୃଢ଼ କରିବାକୁ ମତ ପ୍ରକାଶ ପାଉଥିଲା ପର୍ଯ୍ୟଟନ ବିଭାଗର ଏହି ଅଦୂରଦର୍ଶୀ ପଦକ୍ଷେପ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ରାଜଧାନୀର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ହେଉଛି ଧଉଳି। ଶାନ୍ତିସ୍ତୂପ, ଅଶୋକଙ୍କ ଐତିହାସିକ ଶିଳାଲେଖ, ପ୍ରାକୃତିକ ପରିବେଷ୍ଟନୀ ପାଇଁ ଏହା ସବୁବେଳେ ଦେଶ ଭିତରର ଓ ବାହାରର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରି ଆସୁଛି। ବିଶେଷ କରି ପର୍ଯ୍ୟଟନ ଋତୁରେ ଏଠାରେ ନାହିଁ ନ ଥିବା ଭିଡ଼ ଦେଖିବାକୁ ମିଳେ। ଧଉଳିକୁ ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀରେ ପରିଣତ କରିବାକୁ ଏହାର ପାରିପାର୍ଶ୍ବିକ ବିକାଶ ପାଇଁ ପର୍ଯ୍ୟଟନ ବିଭାଗ ଅଣ୍ଟା ଭିଡ଼ିଥିଲା। ଶାନ୍ତସ୍ତୂପ ନିକଟକୁ ଯିବା ପାଇଁ ଏକ ରୋପ୍‌ୱେ ନିର୍ମାଣ କରିବାକୁ ପର୍ଯ୍ୟଟନ ବିଭାଗ ପକ୍ଷରୁ ଯୋଜନା ହୋଇଥିଲା। ୨୦୧୫ ମସିହା ଜାନୁଆରି ମାସରେ ଏହାର ପ୍ରକ୍ରିୟା ଆରମ୍ଭ ହେଲା। ରୋପ୍‌ୱେ ସହ ଧଉଳିଗିରି ପାଦଦେଶରେ ଏକ ମ୍ୟୁଜିକାଲ୍‌ ଫାଉ‌େଣ୍ଟନ୍‌ ପାଇଁ ମଧ୍ୟ ଯୋଜନା ରହିଥିଲା। ଉଭୟ ପ୍ରକଳ୍ପ ପାଇଁ ବିଭାଗ ପକ୍ଷରୁ ପ୍ରାଥମିକ ପର୍ଯ୍ୟାୟରେ ଆର୍ଥ ବରାଦ ବି କରାଯାଇଥିଲା। ରୋପ୍‌ୱେ ପ୍ରକଳ୍ପ ପାଇଁ ପାଖାପାଖି ୧୪ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଥିଲା। ବିଭାଗର ଏହି ପ୍ରକଳ୍ପକୁ ଖୋଦ୍‌ ମୁଖ୍ୟମନ୍ତ୍ରୀ ମଧ୍ୟ ପର୍ଯ୍ୟଟନ ବିଭାଗର ବାର୍ଷିକ ସମୀକ୍ଷା ଅବସରରେ ପ୍ରଶଂସା କରିଥିଲେ। ବିଭାଗ ପକ୍ଷରୁ ଏହି ଯୋଜନା ସମ୍ପର୍କରେ ବାରମ୍ବାର ପ୍ରଚାର କରାଯାଉଥିଲା। ଧଉଳିକୁ ନେଇ ପର୍ଯ୍ୟଟକମାନଙ୍କୁ ବେଶ୍ ସ୍ବପ୍ନ ଦେଖାଉଥିଲେ ସରକାର। ରେପୱେ ନିର୍ମାଣ ହେଲେ ପର୍ଯ୍ୟଟକମାନେ ଏକ ନିଆରା ଅନୁଭବ ପାଇବେ ବୋଲି କୁହାଗଲା। ରୋପ୍‌ୱେ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ଦାୟିତ୍ବ ୨୦୧୯ ମାର୍ଚ୍ଚ ୭ ତାରିଖରେ ଓଡ଼ିଶା ନିର୍ମାଣ ନିଗମ(ଓସିସି)କୁ ଦିଆଗଲା। ଏହା ପରେ ଓସିସି ପକ୍ଷରୁ ଟେଣ୍ଡର୍‌ ଡାକିଲା। ପ୍ରଥମ ଦୁଇ ଥର ଟେଣ୍ଡର୍‌ରେ ଗୋଟିଏ ମାତ୍ର ସଂସ୍ଥା ଆବେଦନ କରିବାରୁ ତାହାକୁ ବାତିଲ କରାଗଲା। ତେବେ ତୃତୀୟ ଟେଣ୍ଡର୍‌ରେ ଦୁଇଟି ସଂସ୍ଥା ଅଂଶଗ୍ରହଣ କରିଥିଲେ। ସେଥିରୁ ଆବଶ୍ୟକ ସର୍ତ୍ତାବଳୀକୁ ବିଚାରକୁ ନେଇ ଗୋଟିଏ ସଂସ୍ଥାକୁ ଚୟନ କରାଗଲା। ପ୍ରାୟ ୧୧ କୋଟି ଟଙ୍କାରେ ସେହି ସଂସ୍ଥା କାମ କରିବ ବୋଲି ଚୂଡ଼ାନ୍ତ ହୋଇଥିଲା। ଟେଣ୍ଡର୍‌ରେ ସର୍ତ୍ତ ଥିଲା ଯେ ୨୪ ମାସ ଭିତରେ କାମ ସରିବ। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ଟେଣ୍ଡର ପ୍ରକ୍ରିୟା ସରିଲା ପରେ ଖୋଦ୍‌ ପର୍ଯ୍ୟଟନ ବିଭାଗ କେଁ ପୂରାଇଲା। ପ୍ରକଳ୍ପ ବିଳମ୍ବ ହେଉଥିବା କାରଣ ଦର୍ଶାଯାଇ ବିଭାଗ ଏହାର ପ୍ରଶାସନିକ ମଞ୍ଜୁରୀ ବାତିଲ୍‌ କରିଦେଇଛି। ଏହି ଅର୍ଥ ଫେରାଇ ଦେବା ପାଇଁ ଓସିସିକୁ ପର୍ଯ୍ୟଟନ ନିର୍ଦ୍ଦେଶକ ଗତକାଲି ଚିଠି ଲେଖିଛନ୍ତି। ୫ ବର୍ଷ ଧରି ପର୍ଯ୍ୟଟନର ବିକାଶ ପାଇଁ ଏହି ପ୍ରକଳ୍ପକୁ ନେଇ ବିଭାଗ ସ୍ବପ୍ନ ଦେଖାଉଥିଲା ବେଳେ ହଠାତ କିପରି ଏହି ପ୍ରକଳ୍ପ ‌ଅଲୋଡ଼ା ହୋଇଗଲା, ତାହା ବୁଝାପଡ଼ୁ ନାହିଁ। ପ୍ରଶ୍ନ ଉଠୁଛି, କାହା ସ୍ବାର୍ଥରେ ବିଭାଗ ଏହି ପ୍ରକଳ୍ପ ବାତିଲ୍‌ କଲା ? ଯଦି ଧଉଳିରେ ରୋପ୍‌ୱେର ଆବଶ୍ୟକତା ନ ଥିଲା, ତେବେ ଏତେ ବର୍ଷ ଧରି ଏମିତି ନାଟକବାଜି କାହିଁକି ଚାଲିଥିଲା ? ତିନି ତିନି ଥର ଟେଣ୍ଡର୍‌ ଡକାଯିବା ସମୟରେ ପ୍ରକଳ୍ପକୁ କାହିଁକି ବାତିଲ୍ କରାଗଲା ନାହିଁ ? ଟେଣ୍ଡର୍‌ ଖୋଲାଯାଇ ସଂସ୍ଥା ଚୟନ ପରେ ହଠାତ୍‌ ଏମିତି ନିଷ୍ପତ୍ତି କ’ଣ ପାଇଁ ନିଆଗଲା ? ଯଦି ବିଳମ୍ବ ଏକମାତ୍ର କାରଣ, ତେବେ ପର୍ଯ୍ୟଟନ ବିଭାଗର ଅନ୍ୟ ସବୁ ପ୍ରକଳ୍ପ କ’ଣ ନିର୍ଦ୍ଦିଷ୍ଟ ‌ସମୟସୀମା ମଧ୍ୟରେ ଶେଷ ହୋଇଯାଉଛି ? ଧଉଳିରେ ପ୍ରସ୍ତାବିତ ମ୍ୟୁଜିକାଲ୍‌ ଫାଉଣ୍ଟେନ୍‌ର ଭାଗ୍ୟ କ’ଣ ହୋଇଛି ?
ଏ ସମ୍ପର୍କରେ ବିଭାଗୀୟ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କୁ ଯୋଗାଯୋଗ କରାଯାଇଥିଲା। ‌ଧଉଳି ପ୍ରକଳ୍ପ ବାତିଲ୍‌ ସମ୍ପର୍କରେ ସେ ନିର୍ଦ୍ଦିଷ୍ଟ ଭାବେ କୌଣସି ତଥ୍ୟ ଦେଇପାରି ନ ଥିଲେ। ତେବେ ପର୍ଯ୍ୟଟନ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଥିବା ‘କମିଟେଡ୍‌ ଲାଏବିଲିଟି’କୁ ପ୍ରଥମେ ଗୁରୁତ୍ବ ଦିଆଯାଉଛି ବୋଲି କହିଥିଲେ। ଧଉଳି ରୋପ୍‌ୱେ ପ୍ରକଳ୍ପ ପାଇଁ ନିଷ୍ପତ୍ତି ନିଆଯାଇଥିଲା ବେଳେ ଏକାମ୍ର ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡା ସେତେବେଳେ ପର୍ଯ୍ୟଟନ ମନ୍ତ୍ରୀ ଥିଲେ। ଏ ସମ୍ପର୍କରେ ତାଙ୍କୁ ପଚରାଯିବାରୁ ସେ କହିଥିଲେ ଯେ ପ୍ରକଳ୍ପର ପ୍ରଶାସନିକ ମଞ୍ଜୁରୀ ବାତିଲ୍‌ ହୋଇଥିବା ନେଇ ସୂଚନା ମିଳିଛି। ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଛି। ପର୍ଯ୍ୟଟନର ବିକାଶ ପାଇଁ ଓ ଧଉଳିକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାର ଆବଶ୍ୟକତା ରହିଛି।

Share Now:

Kalinga News Beuro

Next Post

ଉଠିବ କି ଆଦିତ୍ୟ ଦାସଙ୍କ ମୃତ୍ୟୁ ରହସ୍ୟ ଉପରୁ ପର୍ଦ୍ଦା ? ପତ୍ନୀଙ୍କୁ ହୋଇପାରେ ଜେରା

Thu Jul 16 , 2020
ଭୁବନେଶ୍ୱର: ରହସ୍ୟ ଘେର ଭିତରେ ମୋଟିଭେସ୍‌ନାଲ୍‌ ସ୍ପିକର ତଥା ସ୍ୱେଚ୍ଛାସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁ। ଏହି ଘଟଣାରେ ପୋଲିସ୍‌ ତଦନ୍ତକୁ ଜୋରଦାର କରିଛି। ଆଦିତ୍ୟଙ୍କ ଆଉ ଜଣେ ବନ୍ଧୁ ଦୀପୁଙ୍କୁ ଆଜି ଜିଆରପି ଜେରା କରିଛି‌। ଆସନ୍ତାକାଲି ଆଦିତ୍ୟଙ୍କ ପତ୍ନୀଙ୍କୁ ଜେରା କରିପାରେ ଜିଆରପି। ଏହା ପୂର୍ବରୁ ପପୁ, ବିକାଶ, ପ୍ରୀତମଙ୍କୁ ଜେରା କରି ସାରିଛି ଜିଆରପି‌। ଏଥିସହ ସେ ରହୁଥିବା ଭଡ଼ା ଘରର ମାଲିକଙ୍କୁ ମଧ୍ୟ ଜେରା କରି […]
ଆଦିତ୍ୟ ଦାସଙ୍କ ମୃତ୍ୟୁ ରହସ୍ୟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial