ଚନ୍ଦକା ଆସିବେ ତପ୍ତପାଣି ସମ୍ବର : ଅଭ୍ୟସ୍ତ ହେଉଛନ୍ତି କଟକରୁ ଆସିଥିବା ହରିଣ

ଚନ୍ଦ୍ରଶେଖରପୁର: ନୂଆ ନୂଆ ବନ୍ୟଜନ୍ତୁଙ୍କ ବାସସ୍ଥାନ ପାଲଟୁଛି ଚନ୍ଦକା-ଡମପଡ଼ା ଅଭୟାରଣ୍ୟ। ଏହା ସହିତ କୁମ୍‌କୀରେ ହାତୀ ପ୍ରଶିକ୍ଷଣ ପାଇଁ ହାତୀ ପାଠଶାଳା ପ୍ରସ୍ତୁତି ହେଉଛି। କଟକ ତୁଳସୀପୁରସ୍ଥିତ ହରିଣ ପାର୍କରୁ ସ୍ଥାନାନ୍ତର ହୋଇଥିବା ୨୭୬ଟି ହରିଣଙ୍କୁ ଅଭୟାରଣ୍ୟର ଆମ୍ବିଲୋ ଓ ଭରତପୁରଠାରେ ନିର୍ମାଣ ହୋଇଥିବା ଅସ୍ଥାୟୀ ଖୁଆଡ଼ରେ ରଖାଯାଇଛି। ସେମାନଙ୍କୁ ଜଙ୍ଗଲୀ ପରିବେଶରେ ଅଭ୍ୟସ୍ତ କରାଯାଉଛି। କିନ୍ତୁ ଆସିବା ଦିନଠାରୁ ପ୍ରତି ସପ୍ତାହରେ ଗୋଟିଏ ଯୋଡ଼ିଏ ମିଶି ୧୧ଟି ହରିଣଙ୍କ ଜୀବନ ଗଲାଣି। ଆହୁରି କିଛି ହରିଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ରହିଥିବାରୁ ଚିକିତ୍ସା ଜାରି ରହିଛି। ଓୟୁଏଟିର ବିଶେଷଜ୍ଞମାନେ ପ୍ରତିଦିନ ହରିଣଙ୍କ ସ୍ୱାସ୍ଥ୍ୟବସ୍ଥା ପରଖୁଛନ୍ତି। ବନ ବିଭାଗର ଜଣେ ଅଧିକାରୀ କହିଛନ୍ତି, ଅଭୟାରଣ୍ୟ ପରିବେଶରେ ହରିଣମାନେ ତିଷ୍ଠିବାକୁ କିଛି ସମୟ ଦରକାର। ମାସକ ତଳେ ସ୍ଥାନାନ୍ତର ହୋଇଥିବା ହରିଣଙ୍କ ସ୍ଵଭାଵରେ ପରିବର୍ତ୍ତନ ଆସୁଛି। ଖାଦ୍ୟରେ ମଧ୍ୟ ପରିବର୍ତ୍ତନ ଆସିଲାଣି। ସେମାନେ ଜଙ୍ଗଲୀ ଖାଦ୍ୟ ଗ୍ରହଣ କରୁଛନ୍ତି। ପ୍ରଥମେ ପ୍ରଥମେ ଏକାଠି ରହିବାକୁ ପସନ୍ଦ କରୁଥିବା ହରିଣଗୁଡ଼ିକ ଏବେ ଗୋଠଛଡ଼ା‌ ହୋଇ ଏଣେତେଣେ ଧାଉଁଛନ୍ତି। ବିସ୍ତୀର୍ଣ୍ଣ ପରିବେଶରେ ସେମାନଙ୍କୁ ଛଡ଼ା ଯାଇଥିବାରୁ ଚଲାବୁଲାରେ କୌଣସି ଅସୁବିଧା ହେଉନାହିଁ। ଆସିବା ପରେ କିଛି ଦିନ ଖାଇବା ପିଇବା ଠିକ୍‌ ନ ଥିବାରୁ ଝଡ଼ି ଯାଇଥିଲେ। ମାତ୍ର ଏବେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଆସିଛି। ଜଙ୍ଗଲୀ ପରିବେଶ ସହ ସେମାନେ ଖାପ ଖାଉଥିବାରୁ ଆଉ ମାସେ କିମ୍ବା ଦେଢ଼ମାସ ମଧ୍ୟରେ ଅଭୟାରଣ୍ୟ ଭିତରକୁ ଛାଡ଼ିବାକୁ ଲକ୍ଷ୍ୟ ରଖାଯାଇଛି।
ଏହାରି ଭିତରେ ଅଭୟାରଣ୍ୟ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଗଜପତି ଜିଲ୍ଲା ତପ୍ତପାଣି ଜଙ୍ଗଲରୁ ଚନ୍ଦକା-ଡମପଡ଼ା ଅଭୟାରଣ୍ୟକୁ ସମ୍ବର ଆଣିବା‌କୁ ବନ ବିଭାଗ ଅଣ୍ଟା ଭିଡ଼ିଛି। ‌ସମ୍ବରମାନଙ୍କୁ କିଭଳି ଭାବେ ଏଠାକୁ ଅଣାଯିବ, ସେନେଇ ଆଲୋଚନା ହୋଇଛି। ତେବେ କେତେ ସମ୍ବର ଆସିବେ, ସେମାନଙ୍କୁ କେମିତି ସ୍ଥାନାନ୍ତର କରାଯିବ, ସେମାନଙ୍କୁ ଅଭୟାରଣ୍ୟର କେଉଁ ଅଞ୍ଚଳରେ ଛଡ଼ାଯିବ- ସେନେଇ ବିଭାଗୀୟ ଅଧିକାରୀମାନେ ଏବେ ବିଚାରବିମର୍ଶ ଜାରି ରଖିଛନ୍ତି। ଅଧିକାରୀ ଜଣକ କହିଛନ୍ତି, ଚନ୍ଦକା ଜଙ୍ଗଲରେ ବର୍ତ୍ତମାନ ଆଦୌ ସମ୍ବର ନାହାନ୍ତି। ମାତ୍ର ଏହି ଜଙ୍ଗଲରେ ସମ୍ବର ରହିବା ପାଇଁ ପର୍ଯ୍ୟାପ୍ତ ଭିତ୍ତିଭୂମି ରହିଛି। ସମ୍ବରଙ୍କ ଉଚ୍ଚତା ପ୍ରାୟ ୫ ଫୁଟ ହୋଇଥିବା ବେଳେ ଓଜନ ୩୦୦ କେଜି। ଶିଙ୍ଗର ଉଚ୍ଚତା ୩ରୁ ୪ ଫୁଟ ଏବଂ ଦେହ ସାରା ଟାଉଁସିଆ ଲୋମରେ ପରିପୂର୍ଣ୍ଣ। ଦେହର ବର୍ଣ୍ଣ ସାମାନ୍ୟ ହଳଦିଆ ବା ଧୂସର ବାଦାମୀ ମିଶା। ମାଈ ସମ୍ବରର ରଙ୍ଗ ଅଣ୍ଡିରା ସମ୍ବରର ରଙ୍ଗଠାରୁ ଫିକା। ଅଳ୍ପ ଆଚ୍ଛାଦିତ ଜଙ୍ଗଲରେ ରହୁଥିବା ଏହି ସମ୍ବର ଘାସପତ୍ର ଓ ଜଙ୍ଗଲୀ ଫଳ ଖାଇଥାନ୍ତି। ଦିନରେ ଲୁଚି ରହନ୍ତି, ରାତି ହେଲେ ଜଙ୍ଗଲରେ ବୁଲନ୍ତି। ଏମାନଙ୍କ ଦୃଷ୍ଟିଶକ୍ତି କମ୍ ହୋଇଥିବା ବେଳେ ଶ୍ରବଣ ଓ ଘ୍ରାଣ ଶକ୍ତି ପ୍ରଖର। ଶାନ୍ତ ସ୍ବାଭାବର ଏହି ବନ୍ୟଜନ୍ତୁ ଯିବା ଆସିବା ସମୟରେ ଶବ୍ଦ କରନ୍ତି ନାହିଁ। ଏମାନେ ମୁଖ୍ୟତଃ ଦଳରେ ରହନ୍ତି।
ସୂଚନାଯୋଗ୍ୟ ଯେ ୧୭୫.୭୯ ବର୍ଗ କିମି ବ୍ୟାପି ଚନ୍ଦକା-ଡମପଡା ଅଭୟାରଣ୍ୟରେ କୋଚିଲା, ବେଲ, କାଙ୍କଡ଼ା, ସୁନାରି, ଶାଳ, କୁମ୍ଭ, କରଞ୍ଜ, ଜାମୁ, ବେତ, ଦୁରମାରୀ, ଭୁଇଁନିମ୍ବ, ଶତାବରୀ, ଇନ୍ଦ୍ରଜବ, ଅପମାରଙ୍ଗ, ପାତାଳ ଗରୁଡ଼ ଭଳି ବହୁ ଔଷଧୀୟ ଗଛ ରହିଛି। ହାତୀ, ବାର୍‌ହା, ମୟୂର, ହରିଣ, ବିଲୁଆ, କୋକିଶିଆଳି ପରି ବନ୍ୟଜନ୍ତୁ ଏଠାରେ ରହୁଛନ୍ତି।

Share Now:

Kalinga News Beuro

Next Post

ପୂର୍ବତନ ବିଧାୟିକା ସୁଜ୍ଞାନ କୁମାରୀ ଦେଓ ଅସୁସ୍ଥ : ଭେଟିବାକୁ ଚେନ୍ନାଇ ଗଲେ ମୁଖ୍ୟମନ୍ତ୍ରୀ

Fri Feb 9 , 2024
ଭୁବନେଶ୍ଵର: ବିଶିଷ୍ଟ ରାଜନୀତିଜ୍ଞ ତଥା ପୂର୍ବତନ ବିଧାୟିକା ଭି. ସୁଜ୍ଞାନ କୁମାରୀ ଦେଓଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ଚେନ୍ନାଇ ଯାଇଛନ୍ତି। ତାଙ୍କ ସହିତ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ, ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ୫ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି କାର୍ତ୍ତିକ ପାଣ୍ଡିଆନ ଏବଂ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial