ଭୁବନେଶ୍ୱର: ରାଜଧାନୀର ସବୁଠୁ ପୁରୁଣା ଓ ସୁନ୍ଦର ପାର୍କ ହେଉଛି ୟୁନିଟ୍-୨ସ୍ଥିତ ଇନ୍ଦିରା ଗାନ୍ଧୀ ପାର୍କ। ରାଜଧାନୀର କେନ୍ଦ୍ର ତଥା ଲୋକସେବା ଭବନ ସମ୍ମୁଖରେ ଥିବା ଏହି ପାର୍କର ଅବସ୍ଥା ଏବେ ଶୋଚନୀୟ। ଉପର ଚିକ୍କଣ ସିନା ଭିତରେ ସବୁ ଭଙ୍ଗାଦଦରା ଅବସ୍ଥାରେ। ପାଣିଟ୍ୟାପ୍ ଓ ପାଇଖାନା ଭାଙ୍ଗିରୁଜି ଯାଇଥିବା ବେଳେ ଏବେ ସୁରକ୍ଷାକର୍ମୀଙ୍କ ଅବହେଳାରୁ ଭିତରେ ଅସାମାଜିକ ତତ୍ତ୍ବମାନେ ବାଇକ୍ ଧରି ବୁଲିବା ଦେଖିବାକୁ ମିଳୁଛି। ତେଣୁ କରୋନା କଟକଣା କୋହଳ ହେବା ପରେ ଏଠାକୁ ବୁଲିବାକୁ ଆସୁଥିବା ଲୋକେ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି। ପାର୍କରେ ଥିବା ପାନୀୟ ଜଳ ବ୍ୟବସ୍ଥା ଅଚଳ ଅବସ୍ଥାରେ। ପାଣି ଟ୍ୟାପ୍ ସବୁ ଭାଙ୍ଗି ଯାଇଛି। ଖରା ଦିନ ପାଇଁ ଲାଗିଥିବା ଥଣ୍ଡା ପାନୀୟ ଜଳ ମେସିନ୍ ଏବଂ ଆକ୍ବାଗାର୍ଡ ମରାମତି କରିବା ପାଇଁ ୨ ବର୍ଷରୁ ଅଧିକ ଦିନ ହେଲାଣି ଖୋଲା ଯାଇଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ ଲଗା ଯାଇନାହିଁ। ଫଳରେ ପାର୍କକୁ ଆସୁଥିବା ଲୋକମାନେ ପିଇବା ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି। ସେହିଭଳି ଶୌଚାଳୟରେ ଥିବା ଟ୍ୟାପ୍ ଓ ପାଇପ୍କୁ ଦୁର୍ବୃତ୍ତମାନେ ଭାଙ୍ଗି ଦେଇଛନ୍ତି। ଇ-ଟଏଲେଟ୍ କାମ କରୁନି। ଅଧିକାଂଶ ପରିସ୍ରାଗାର ବେସିନ୍, ଟ୍ୟାପ୍ ଓ ପାଇପକୁ ଚୋରମାନେ ନେଇଯାଇଛନ୍ତି ଓ ଆଉ କିଛି ଭାଙ୍ଗି ଗଲାଣି। ସେହିପରି ଶୌଚାଳୟକୁ ନିୟମିତ ପରିଷ୍କାର କରାଯାଉନାହିଁ। ତେଣୁ ଅସ୍ବାସ୍ଥ୍ୟକର ପରିବେଶ ପାଇଁ କେହି ବ୍ୟବହାର କରୁନାହାନ୍ତି। ସେହିପରି ଏଠାରେ ଥିବା ଭିନ୍ନକ୍ଷମଙ୍କ ଶୌଚାଳୟକୁ ଖୋଲାଯାଉ ନାହିଁ। ଇ-ଟଏଲେଟ୍ ମଧ୍ୟ ବର୍ଷେରୁ ଅଧିକ ଦିନ ହେଲାଣି ଖରାପ ହୋଇପଡ଼ିଛି। ଏବେ ଖରାବେଳ ସମୟରେ ଅସାମାଜିକ ଯୁବକ ଯୁବତୀମାନେ ପାର୍କ ଭିତରେ ବାଇକ୍ ଧରି ବୁଳୁଛନ୍ତି ଓ ଘାସ ଗାଲିଚା ଉପରେ ଗାଡ଼ି ଚଳାଇ ନଷ୍ଟ କରୁଛନ୍ତି। ସେହିଭଳି ସଂଧ୍ୟା ସମୟରେ ଅସାମାଜିକ ଯୁବକମାନଙ୍କ ଭିଡ଼ ଜମୁଛି ଓ ସେମାନଙ୍କୁ ନିୟନ୍ତ୍ରଣ କରିବାକୁ କେହି ନାହିଁ। ଫଳରେ ପାର୍କ ବୁଲିବାକୁ ଆସୁଥିବା ଲୋକେ ସେମାନଙ୍କ ଦ୍ବାରା ଖରାପ ବ୍ୟବହାରର ଶିକାର ହେଉଛନ୍ତି। ଏନେଇ ବିଡିଏ ଜଣେ ଅଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ପାର୍କରେ ଭାଙ୍ଗିଯାଇଥିବା ବ୍ୟବସ୍ଥା ସବୁକୁ ଖୁବ୍ ଶୀଘ୍ର ମରାମତି କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ।
ଅବ୍ୟବସ୍ଥା ଘେରରେ ଆଇଜି ପାର୍କ: ଭଙ୍ଗାଦଦରା ପାଣି ଟ୍ୟାପ୍, ଟଏଲେଟ୍
Share Now: