କଟକ: କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ଛାଡ଼ପତ୍ର ଆବେଦନକୁ ଗ୍ରହଣ କରିଛନ୍ତି ଓଡ଼ିଶା ଉଚ୍ଚ ନ୍ୟାୟାଳୟ। ଏହି ମାମଲାରେ ବର୍ଷା ପ୍ରିୟଦର୍ଶିନୀଙ୍କୁ ନୋଟିସ୍ ଜାରି କରିବେ ହାଇକୋର୍ଟ। ତଳ କୋର୍ଟର ରେକର୍ଡ ଦାଖଲ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେବେ। ନଭେମ୍ବର ୯ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ। ସୂଚନାଯୋଗ୍ୟ, ଅନୁଭବ ମହାନ୍ତିଙ୍କ ଛାଡ଼ପତ୍ର ଆବେଦନକୁ କଟକ ପରିବାର ଅଦାଲତ ଖାରଜ କରିଥିବା ବେଳେ ଏହି ରାୟ ବିରୋଧରେ ଅନୁଭବ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ୨୦୨୩, ସେପ୍ଟେମ୍ବର୍ ୨୨ରେ ପରିବାର ଅଦାଲତ ତାଙ୍କ ଛାଡ଼ପତ୍ର ଆବେଦନକୁ ଖାରଜ କରି ଯେଉଁ ରାୟ ଦେଇଛନ୍ତି ତାହା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ଅନୁଭବ ଦର୍ଶାଇଛନ୍ତି। ଏହି ମାମଲାରେ ଅନୁଭବ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ବି ପକ୍ଷଭୁକ୍ତ କରିଛନ୍ତି। କଟକ ପରିବାର ଅଦାଲତ ଅନୁଭବଙ୍କ ଛାଡ଼ପତ୍ର ଆବେଦନ ସହିତ ଦାମ୍ପତ୍ୟ ଜୀବନ ପୁନଃସ୍ଥାପନ ପାଇଁ ବର୍ଷା ରୁଜୁ କରିଥିବା ମାମଲାକୁ ବି ଖାରଜ କରିଥିଲେ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୧୪ ଫେବୃଆରୀ ୮ରେ ଅନୁଭବ ବର୍ଷାଙ୍କୁ ବିବାହ କରିଥିଲେ। ପରବର୍ତ୍ତୀ ସମୟରେ ସେମାନଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା। ଅନୁଭବ ଦିଲ୍ଲୀର ପଟିଆଲା ହାଉସ୍ ଅଦାଲତରେ ଛାଡ଼ପତ୍ର ପାଇଁ ୨୦୨୦ରେ ପିଟିସନ୍ ଦାଖଲ କରିଥିଲେ। ଛାଡ଼ପତ୍ର ପାଇଁ ଅନୁଭବ ଦାୟର କରିଥିବା ଆବେଦନକୁ କଟକ ପରିବାର ଅଦାଲତକୁ ସ୍ଥାନାନ୍ତର କରିବା ପାଇଁ ବର୍ଷା ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ୨୦୨୧ ମାର୍ଚ୍ଚ ୫ରେ ସୁପ୍ରିମକୋର୍ଟରେ ମାମଲାର ଚୂଡାନ୍ତ ଶୁଣାଣି ହୋଇଥିଲା। ଅନୁଭବଙ୍କ ସହମତିକୁ ବିଚାରକୁ ନେଇ ସୁପ୍ରିମକୋର୍ଟ ବର୍ଷାଙ୍କ ଟ୍ରାନ୍ସଫର୍ ପିଟିସନ୍କୁ ଅନୁମତି ଦେଇଥିଲେ। ସେହି ଅନୁଯାୟୀ ୨୦୨୧, ଏପ୍ରିଲ୍ ୫ରେ ଉଭୟ ପରିବାର ଅଦାଲତରେ ହାଜର ହୋଇଥିଲେ। ଉଭୟଙ୍କ ପକ୍ଷରୁ ରୁଜୁ ମାମଲାର ଏକତ୍ର ଶୁଣାଣି କଟକ ପରିବାର ଅଦାଲତରେ ହୋଇଥିଲା।
ଓଡ଼ିଶା ହାଇକୋର୍ଟରେ ଅନୁଭବ ମହାନ୍ତିଙ୍କ ଛାଡ଼ପତ୍ର ମାମଲା : ବର୍ଷାଙ୍କୁ ନୋଟିସ୍ କଲେ କୋର୍ଟ

Share Now: