ଶୁକ୍ରବାରରୁ ରାଜଧାନୀରେ ପରିବା ବିକ୍ରି ବନ୍ଦ ଜିଦ୍‌ରେ ଅଟଳ ମହାସଂଘ

ଶୁକ୍ରବାରରୁ ରାଜଧାନୀରେ ପରିବା ବିକ୍ରି ବନ୍ଦ

ଭୁବନେଶ୍ୱର: ଆସନ୍ତା ୨୦ ତାରିଖ, ଅର୍ଥାତ୍‌ ଶୁକ୍ରବାର ଠାରୁ ଭୁବନେଶ୍ବର‌ରେ ପରିବା ବିକ୍ରି ବନ୍ଦ ରହିବା ନେଇ ରାଜଧାନୀ କଞ୍ଚା ପରିବା ମହାସଂଘ ଚେତାବନୀ ଦେବା ପରେ ତନାଘନା ହୋଇଛି। ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବ୍ୟବସାୟ ବନ୍ଦ ହେବାକୁ ଚେତାବନୀ ଦିଆଯାଇଥିବାରୁ ଛୋଟ ଛୋଟ ବ୍ୟବସାୟୀଙ୍କ ସମେତ ଗ୍ରାହକ ଚିନ୍ତାରେ ପଡ଼ିଛନ୍ତି। ପ୍ରତ୍ୟେକ ଦିନ ଗ୍ରାହକ ଏହି ପରିବା କିଣୁଥିବା ବେଳେ ଛୋଟ ଛୋଟ ବ୍ୟବସାୟୀ ଏହି ବେପାରରୁ ପରିବାର ଚଳାନ୍ତି। ଛୋଟ ବ୍ୟବସାୟୀ ୟୁନିଟ୍‌-୧ ହାଟରୁ ପରିବା ନେଇ ବିଭିନ୍ନ ହାଟ ଓ ରାସ୍ତାକଡ଼ରେ ବିକ୍ରି କରିଥାନ୍ତି। ୟୁନିଟ୍‌-୧ ହାଟ ସମ୍ପୂର୍ଣ୍ଣ ବନ୍ଦ ରହିବାକୁ ଯାଉଥିବାରୁ ରାଜଧାନୀରେ ଥିବା ୨୦ରୁ ଊର୍ଦ୍ଧ୍ବ ହାଟରେ ପରିବା ଉପଲବ୍ଧ ହେବନାହିଁ। ଆଳୁ ପିଆଜ କିଛି ଦିନ ରହିବା ଆଶା ଥିଲେ ମଧ୍ୟ କଞ୍ଚା(ସବୁଜ) ପରିବା ଉପଲବ୍ଧ ହେବାର କୌଣସି ସମ୍ଭାବନା ନାହିଁ। ଦୁଇଦିନ ତଳୁ ବିଏମ୍‌ସି ଓ କମିସନରେଟ୍‌ ପୁଲିସକୁ ଅବଗତ କରାଯାଇଥି‌ଲେ ମଧ୍ୟ କେହି ହସ୍ତକ୍ଷେପ କରିନଥିବାରୁ ବ୍ୟବସାୟ ବନ୍ଦ ରଖିବା ନିଷ୍ପତ୍ତି ଚୂଡ଼ାନ୍ତ ହୋଇଛି। ଆଜି ପୂର୍ବାହ୍ନ ଓ ଅପରାହ୍ନରେ ୧ ନଂ ହାଟ ପରିସରରେ ମହାସଂଘ ପକ୍ଷରୁ ଡେଙ୍ଗୁରା ପିଟାଯାଇ ୨୦ ତାରିଖରୁ ଆନ୍ଦୋଳନ ବାବଦରେ ସୂଚନା ଦିଆଯାଇଛି। ସଂଘର ଅଭିଯୋଗ ହେଉଛି, କ୍ୟାପିଟାଲ୍‌ ଥାନା କଡ଼ରେ ଥିବା ହାଟ ପ୍ରବେଶ ପଥରେ ଦୁର୍ଗାପୂଜା ପାଇଁ ତୋରଣ ହୋଇଛି। ରାସ୍ତାର ଉଭୟପାର୍ଶ୍ବରେ ବାଉଁଶ ପୋତା ଯାଇଥିବାରୁ ରାସ୍ତା ସଙ୍କୁଚିତ ହୋଇଛି। ଉପରେ ଲିଚୁ ଲାଇଟ୍‌ ମାଳ ଝୁଲୁଛି। ଏଣୁ ଟ୍ରକ୍‌ ପଶି ପାରୁନାହିଁ। ଦିନକୁ ଏହି ହାଟକୁ ୧୦୦ରୁ ଅଧିକ ବଡ଼ ଟ୍ରକ୍‌ ଓ ୩୦୦ରୁ ଅଧିକ ଛୋଟଗାଡ଼ି ଯିବା ଆସିବା କରୁଛି। ସଙ୍କୁଚିତ ରାସ୍ତା ପାଇଁ ଗାଡ଼ି ପଶି ପାରୁନାହିଁ। ଗୋଟିଏ ଗାଡ଼ି ପଶିଲେ ଆଉ ଗୋଟିଏ ଗାଡ଼ି ବାହାରି ପାରୁନାହିଁ। ଫଳରେ ଯେଉଁ ସମୟରେ ୫ଟି ଗାଡ଼ି ଅନ୍‌ଲୋଡ୍‌ ହୋଇ ଫେରିବା କଥା, ସେତିକି ସମୟରେ ମାତ୍ର ଗୋଟିଏ ଗାଡ଼ି ଅନ୍‌ଲୋଡ୍‌ ହୋଇ ପାରୁଛି। ଏଣୁ ଭୟଙ୍କର ସମସ୍ୟା ଉପୁଜୁଛି। ପୂଜା ମୁଖ୍ୟ ରାସ୍ତାକଡ଼ରେ ହେଉଛି। ଗଳି ଭିତରେ ଏହି ସାଜସଜ୍ଜାର ଆବଶ୍ୟକତା ନାହିଁ। କମିସନରେଟ୍‌ ପୁଲିସ ଏ ବାବଦରେ ସମ୍ପୂର୍ଣ୍ଣ ଅବଗତ ଥିଲେ ମଧ୍ୟ ହାତ ମାରିବାକୁ ସାହସ ଜୁଟାଇ ପାରୁନାହିଁ। ଜଣେ ମହିଳା କର୍ପୋରେଟରଙ୍କ ସ୍ବାମୀ ଏହି ଅବରୋଧ ସପକ୍ଷରେ ଥିବାରୁ ବିଏମ୍‌ସି ଓ ପୁଲିସ ଉଭୟ ନିରବ ଥିବା କୁହାଯାଉଛି। ତେବେ ଆଲୋଚନା ମାଧ୍ୟମରେ ଏହି ସମସ୍ୟା ସମାଧାନ କରାଯିବ ବୋଲି କହିଛନ୍ତି କମିସନର ବିଜୟ ଅମୃତା କୁଲାଙ୍ଗେ।
ଏହି ହାଟ ପରିସରରେ ରହିଥିବା ୯ ସଂଘରେ ପ୍ରାୟ ୧୫୦୦ ପରିବା ବ୍ୟବସାୟୀ ରହିଛନ୍ତି। ୫୦ ହୋଲ୍‌ସେଲ୍‌ ବ୍ୟବସାୟୀ ଅଛନ୍ତି। ସହର ଭିତରର ହାଟଗୁଡ଼ିକରେ ରହିଥିବା ପରିବା ବ୍ୟବସାୟୀ ଏହି ହାଟ ଉପରେ ନିର୍ଭର କରନ୍ତି। ତା’ଛଡ଼ା ପିପିଲି ଠାରୁ ଆରମ୍ଭ କରି ନିମାପଡ଼ା, ନୂଆହାଟ, କାକଟପୁର ଦେଇ ଅସ୍ତରଙ୍ଗ ଓ ବ୍ରହ୍ମଗିରି ପର୍ଯ୍ୟନ୍ତ ଏଠାରୁ ପରିବା ଯାଇଥାଏ। ସେହିଭଳି ଜଟଣୀ ଓ ଖୋର୍ଦ୍ଧା ସହ ନନ୍ଦନକାନନ, ବାରଙ୍ଗ ଓ ଫୁଲନଖରା ପର୍ଯ୍ୟନ୍ତ ଏଠାରୁ ପରିବା ଯାଇଥାଏ। ଏଣୁ ୧ ନମ୍ବର ହାଟ ବନ୍ଦହେଲେ ଏହି ସବୁ ଜାଗାରେ ପରିବା ନମିଳିବା ନିଶ୍ଚିତ। ପ୍ରତ୍ୟେକ ଦିନ ୨୫୦୦ ଟନ୍‌ ପରିବା ଆବଶ୍ୟକ ହୋଇଥାଏ। ବିଶେଷକରି ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ବିହାର, ରାଞ୍ଚି, ଛତିଶଗଡ଼, ଦିଲ୍ଲୀ ପ୍ରଭୃତି ଜାଗାରୁ ପରିବା ଏହି ବଜାରକୁ ଆସିଥାଏ। ଏହା ଛଡ଼ା ବାଇଗଣ, କାଙ୍କଣ, ପୋଟଳ ଓ ଅମୃତଭଣ୍ଡା ପାଇଁ କେବଳ କୋଲକାତା ଉପରେ ନିର୍ଭର କରିବାକୁ ପଡ଼ିଥାଏ। ଦୁଇଦିନ ପୂର୍ବରୁ ଏହିସବୁ ରାଜ୍ୟର ବ୍ୟବସାୟୀମାନଙ୍କୁ ଅର୍ଡର ଦେବାକୁ ପଡ଼ିଥାଏ। ସେଥିପାଇଁ ଏହି ବ୍ୟବସାୟୀମାନଙ୍କ ସହ ଆଲେଚାନା କରାଯାଇଛି ବୋଲି କହିଛନ୍ତି କଞ୍ଚା ପରିବା ମହାସଂଘ ସଭାପତି କବିରାଜ ସ୍ବାଇଁ କହିଛନ୍ତି। କେବଳ ଏହି ରାସ୍ତା ଜବରଦଖଲ ସମସ୍ୟା ନୁହେଁ, ଅସ୍ଥାୟୀ ଭାବେ ହାଟ ପାଖରେ ମୂର୍ତ୍ତୀ ବିକ୍ରି କରିବାକୁ ସ୍ବୀକୃତି ଦେବା, ଶୀତବସ୍ତ୍ର ବଜାର ଓ ପ୍ଲାଷ୍ଟିକ ବଜାରକୁ ସ୍ବୀକୃତି ଦେବାଦ୍ବାରା ହାଟ ଭିତରକୁ ଭାରୀଯାନ ଚଳାଚଳରେ ଅସୁବିଧା ହେଉଛି। ଏସବୁ ଉପରେ ବିଚାର କରାଯିବା ଜରୁରୀ ବୋଲି ସେ କହିଛନ୍ତି।

Share Now:

Kalinga News Beuro

Next Post

ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ : ସମଲିଙ୍ଗୀ ବିବାହକୁ ନା

Tue Oct 17 , 2023
ନୂଆଦିଲ୍ଲୀ: ସମଲିଙ୍ଗୀ ବିବାହର ବୈଧୀକରଣକୁ ନେଇ ସୁପ୍ରିମ୍‌କୋର୍ଟ ସଂରକ୍ଷିତ ରଖିଥିବା ରାୟ ଆଜି ପ୍ରକାଶ ପାଇଛି। ସର୍ବୋଚ୍ଚ ଅଦାଲତ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେଇ ପାରିବେ ନାହିଁ ବୋଲି କହିଛନ୍ତି। କୋର୍ଟ ଆଇନ୍‌ ତିଆରି କରିପାରିବନି, କେବଳ ଆଇନ୍‌କୁ ବ୍ୟାଖ୍ୟା କରିପାରିବେ। ନୂତନ ଆଇନ ପ୍ରଣୟନ କରିବା ସଂସଦ ବା ବ୍ୟବସ୍ଥାପନା ସଭାର ଅଧିକାର। ତେଣୁ ଏ ସଂକ୍ରାନ୍ତୀୟ ଆଇନ ପ୍ରଣୟନ ସଂସଦର ଅଧିକାର କ୍ଷେତ୍ର ବୋଲି ପ୍ରଧାନବିଚାରପତି […]
ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେଇ ପାରିବେ ନାହିଁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial