୫ ଦିନିଆ ରିମାଣ୍ଡରେ ତଡାଖିଆ ଉପଜିଲ୍ଲାପାଳ : ଅଧିକ ଖୋଳତାଡ଼ କରିବ ଭିଜିଲାନ୍ସ

୫ ଦିନିଆ ରିମାଣ୍ଡରେ ଉପଜିଲ୍ଲାପାଳ

ଭୁବନେଶ୍ୱର: ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଗିରଫ ହୋଇଥିବା ନବରଙ୍ଗପୁରର ପୂର୍ବତନ ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଛି ଭିଜିଲାନ୍ସ। ୫ ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି କୋର୍ଟ। ରିମାଣ୍ଡ ସମୟରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ସମ୍ପର୍କରେ ଅଧିକ ଖୋଳତାଡ଼ କରିବ ଭିଜିଲାନ୍ସ। ପୂର୍ବରୁ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କୁ ଚାକିରିରୁ ବାଧ୍ୟତାମୂଳକ ଅବସର ଦିଆଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶାନ୍ତଙ୍କୁ ବାଧ୍ୟତାମୂଳକ ଅବସର ଦେଇଥିଲେ। କୋଟି କୋଟି ଟଙ୍କା ବେଆଇନ ସମ୍ପତ୍ତି ଠୁଳ କରିଥିଲେ ପ୍ରଶାନ୍ତ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଦୁଇଦିନ ତଳେ ପ୍ରଶାନ୍ତ ରାଉତଙ୍କୁ ଗିରଫ କରିଥିଲା ଭିଜିଲାନ୍ସ ବିଭାଗ। ଆୟଠାରୁ ୫୦୦% ଅଧିକ ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ। ତାଙ୍କଠାରୁ ୩ କୋଟିରୁ ଅଧିକ ନଗଦ ଟଙ୍କା ସହ ମୋଟ ୫ କୋଟି ଆୟ ବହିର୍ଭୂତ ସମ୍ପତ୍ତି ଠାବ ହୋଇଛି।
ସୂଚନାଯୋଗ୍ୟ, ଶୁକ୍ରବାର ସକାଳେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ୯ଟି ଜାଗାରେ ଚଢ଼ଉ ବେଳେ ପ୍ରଶାନ୍ତଙ୍କ କାନନବିହାର ଏଚ୍ଆଇଜି-୧୧୫ରେ ଥିବା ଘରୁ ୨କୋଟି ୩ଲକ୍ଷ ୫୦୦ ଟଙ୍କା ଜବତ କରାଯାଇଥିଲା। ଚଢ଼ଉ ବେଳେ ପ୍ରଶାନ୍ତ ୬ଟି ସିଲ୍ ପେଟି ଓ ଗୋଟିଏ ଆଟାଚି ଭର୍ତ୍ତି ଟଙ୍କା ପଡ଼ୋଶୀଙ୍କ ଛାତ ଉପରକୁ ଫିଙ୍ଗି ଦେଇଥିଲେ। ପଡ଼ୋଶୀ ମଧ୍ୟ ଏହି ଟଙ୍କା ପେଟି ଘରକୁ ନେଇ ଯାଇଥିଲେ। ଭିଜିଲାନ୍ସ ଅଧିକାରୀମାନେ ପଡ଼ୋଶୀଙ୍କ ଘର ଭିତରେ ପଶି ଟଙ୍କା ଜବତ କରିଥିଲେ। କୋଟି କୋଟି ଟଙ୍କା ଜବତ ହେବା ପ୍ରଚାର ହେବାପରେ ସ୍ଥାନୀୟ ବାସିନ୍ଦା ଦେଖିବା ଲାଗି ଘର ବାହାରକୁ ମଧ୍ୟ ଚାଲି ଆସିଥିଲେ। ଖାଲି ଭୁବନେଶ୍ୱର ନୁହେଁ, ନବରଙ୍ଗପୁର ସରକାରୀ କ୍ୱାର୍ଟର୍ସରୁ ଦୁଇଟି ପର୍ଯ୍ୟାୟରେ ୮୮ ଲକ୍ଷ ୯୩ ହଜାର ୩୦୦ ଟଙ୍କା ଜବତ କରାଯାଇଥିଲା। ସେହିପରି ଚଢ଼ଉ ଜାରି ରହିଥିବା ବେଳେ ସନ୍ଧ୍ୟାରେ ଆଉ ୧୦ ଲକ୍ଷ ୩୭ ହଜାର ଟଙ୍କା ଭୁବନେଶ୍ୱର କାନନବିହାର ଘରୁ ଜବତ କରାଯାଇଥିଲା। ଏହି ଟଙ୍କାକୁ ସେ ବହି ଥାକ ପଛପଟ କାନ୍ଥରେ ଲୁଚାଇ ରଖିଥିଲେ। ଏବେ ସୁଦ୍ଧା ୩କୋଟି ୨ ଲକ୍ଷ ୩୦ ହଜାର ୮୦୦ ଟଙ୍କା ଜବତ କରାଯାଇଥିଲା। ଚଢ଼ଉ ପାଇଁ ୯ଟି ଟିମ୍ ତିଆରି ହୋଇଥିଲା। ଦୁଇଜଣ ଅତିରିକ୍ତ ଏସ୍‌ପିଙ୍କ ନେତୃତ୍ୱରେ ୭ଜଣ ଡିଏସପି, ୮ଜଣ ଇନ୍ସପେକ୍ଟର ସାମିଲ ହୋଇଥିଲେ।

Share Now:

Kalinga News Beuro

Next Post

ଏକାମ୍ର ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Wed Jun 28 , 2023
ଭୁବନେଶ୍ୱର: ଆଧ୍ୟାତ୍ମିକ ପରିବେଶରେ ଏକାମ୍ର ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହି ଯଜ୍ଞରେ ପୁଷ୍ପାଞ୍ଜଳି ଦେବା ସହ ଏକାମ୍ର ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ୫ଟି ସଚିବ ଭି.କେ.ପାଣ୍ଡିଆନ୍ ମଧ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ବେଦ, ମନ୍ତ୍ର ଓ ପୂଜାପାଠରେ କମ୍ପୁଛି ଏକାମ୍ରକ୍ଷେତ୍ର। ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ପରିବେଶ। ଏକାମ୍ର କ୍ଷେତ୍ର ଆମେନିଟିଜ୍ ଆଣ୍ଡ ମନ୍ୟୁମେଣ୍ଟସ୍ ରିଭାଇଭାଲ୍ ପ୍ଲାନ […]
ଏକାମ୍ର ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial