ନୂଆ ରୂପ ନେବ ରାଜଧାନୀର ଜଳାଶୟ : ପ୍ରାକୃତିକ ଉପାୟରେ ହେବ ଉନ୍ନତୀକରଣ

ନୂଆ ରୂପ ନେବ ଜଳାଶୟ

ଭୁବନେଶ୍ୱର: ଭୁବନେଶ୍ୱରରେ ଥିବା ଜଳାଶୟଗୁଡ଼ିକ ନୂଆ ରୂପ ନେବ। ପ୍ରାକୃତିକ ଉପାୟରେ ଏହାର ଉନ୍ନତୀକରଣ ହେବ। ସିମେଣ୍ଟ କଂକ୍ରିଟ ବ୍ୟବହାର ହେବ ନାହିଁ। ପରିବେଶ ସୁରକ୍ଷାକୁ ଆଖି ଆଗରେ ରଖି ଆମ ପୋଖରୀ ଯୋଜନା ଅଧୀନରେ ଉନ୍ନତୀକରଣ କରିବାକୁ ଯୋଜନା କରିଛି ବିଏମ୍‌ସି। ତେବେ ଏହା ପୂର୍ବରୁ ପୋଖରୀଗୁଡ଼ିକର ସ୍ଥିତି ଯାଞ୍ଚ କରିବା ସହ ଟିକ୍‌ନିକ୍‌ ତଥ୍ୟ ସଂଗ୍ରହ କରିବାକୁ ଡ୍ରୋନ୍‌ ସର୍ଭେ ହେବ। ଏଥିପାଇଁ ବିଏମ୍‌ସି ଘରୋଇ ସଂସ୍ଥା ଚୟନ କରିବାକୁ ଯାଉଛି। ଭୁବନେଶ୍ୱରରେ ୧୧୧ ପୋଖରୀ ରହିଛି। ଲକ୍ଷ୍ମୀସାଗର ଫିସେରି ପଣ୍ଡର ଉନ୍ନତୀକରଣ ଚାଲିଛି। ଏଣୁ ବାକି ୧୧୦ ଜଳାଶୟର ଉନ୍ନତୀକରଣ ‌ଆମ ପୋଖରୀ ଯୋଜନାରେ ହେବ। ଡ୍ରୋନ୍‌ ସର୍ଭେରୁ ତଥ୍ୟ ଆସିବା ପରେ ଏହି ଉନ୍ନତୀକରଣ ପାଇଁ ଡିପିଆର ପ୍ରସ୍ତୁତ ହେବ ବୋଲି ଜଣାପଡ଼ିଛି। ଚଳିତବର୍ଷ ନଭେମ୍ବର ସୁଦ୍ଧା ଜଳାଶୟଗୁଡ଼ିକର ଉନ୍ନତୀକରଣ କାମ ଆରମ୍ଭ ହେବ ବୋଲି ଜଣାପଡ଼ିଛି।
ସହରରେ ଥିବା ଜଳାଶୟଗୁଡ଼ିକ କ୍ରମଶଃ ଜବରଦଖଲ ହେବା ସହ ପୋତି ହୋଇଯାଉଛି। ଫଳରେ ସହରର ଭୂତଳ ଜଳସ୍ତର କମିବାରେ ଲାଗିଛି। ନୂଆପଲ୍ଲୀ ହଜ ପୋଖରୀ ଓ ଲକ୍ଷ୍ମୀସାଗର ଫିସେରି ପଣ୍ଡକୁ ନେଇ ଏଭଳି ଅନେକ ସମସ୍ୟା ଦେଖାଯାଇଥିଲା। ବିଏମ୍‌ସି ନିଜ ଖର୍ଚ୍ଚରେ ଏହି ଦୁଇ ଜଳାଶୟର ଉନ୍ନତୀକରଣ କରିଥିଲା। ଇତିମଧ୍ୟରେ ସରକାର ‘ମୋ ପୋଖରୀ’ ଯୋଜନାରେ ଅର୍ଥ ଯୋଗାଇ ଦେବାକୁ ଘୋଷଣା କରିବା ପରେ ବାକି ୧୧୦ଟି ପୋଖରୀର ଉନ୍ନତୀକରଣ ଯୋଜନା ହୋଇଛି। କର୍ମଚାରୀଙ୍କ ଜରିଆରେ ସର୍ଭେ କରିବାକୁ ହେଲେ ବିଏମ୍‌ସିକୁ ବହୁତ ସମୟ ଲାଗିଥାନ୍ତା। ଏଣୁ ଶୀଘ୍ର ତଥ୍ୟ ସଂଗ୍ରହ କରିବା ପାଇଁ ପୋଖରୀଗୁଡ଼ିକର ଡ୍ରୋନ୍‌ ସର୍ଭେ କରାଯିବ। ୧ ମାସ ମଧ୍ୟରେ ଏହି ୧୧୦ ପୋଖରୀର ତଥ୍ୟ ସଂଗ୍ରହ କରାଯିବ। ଏହି ସର୍ଭେ ପାଇଁ ବିଏମ୍‌ସି ପ୍ରାୟ ୩୭ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ଅଟକଳ ପ୍ରସ୍ତୁତ କରିଛି। ଠିକା ସଂସ୍ଥା ଚୟନ କରିବାକୁ ବିଏମ୍‌ସି ଟେଣ୍ଡର ଡାକିଛି। ୧୮ ତାରିଖ ଦିନ ଠିକା ସଂସ୍ଥା ଚୟନ କରାଯିବ। ଚଳିତମାସ ଶେଷ ସୁଦ୍ଧା ସର୍ଭେ ଆରମ୍ଭ ହେବ ଓ ସେପ୍ଟେମ୍ବର ମାସ ଆରମ୍ଭ ସୁଦ୍ଧା ସମସ୍ତ ପୋଖରୀର ତଥ୍ୟ ଆସିବ। ସର୍ଭେରେ ଡ୍ରୋନ୍‌ ପୋଖରୀର ସ୍ଥିତି ସହ କେତେ ପାଣି ଅଛି, ପାଣି ଧରିବା ପାଇଁ କେତେ ଜାଗା ଅଛି, ଯେତିକି ଆୟତନ ରେକର୍ଡ ରହିଛି ସେତିକି ଅଛି ନା ଜବରଦଖଲ ହୋଇଛି, ପୋଖରୀକୁ ଲାଗି ରାସ୍ତା, ଡ୍ରେନ୍‌ ଓ ଅନ୍ୟାନ୍ୟ ଯାହା ସବୁ ରହିଛି ତାହାର ରେକର୍ଡ ପ୍ରସ୍ତୁତ କରାଯିବ। ଡ୍ରୋନ୍‌ ଉଚ୍ଚକ୍ଷମତା ସମ୍ପନ୍ନ କ୍ୟାମେରା ଜରିଆରେ ଫଟୋ ସଂଗ୍ରହ କରିବ।
ୱାର୍ଡ ନଂ. ୫୯ରେ ସର୍ବାଧିକ ୧୨ଟି ପୋଖରୀ ରହିଥିବା ବେଳେ ୩, ୬୪ ଓ ୬୭ ୱାର୍ଡରେ ୭ଟି ଲେଖାଏଁ, ୯, ୨୨ ଓ ୬୦ରେ ୫ଟି ଲେଖାଏଁ ଓ ୪ ନଂ ୱାର୍ଡରେ ୬ଟି ପୋଖରୀ ରହିଛି। ୩୩ଟି ୱାର୍ଡରେ ପୋଖରୀ ନାହିଁ। ଡ୍ରୋନ୍‌ ଉଡ଼ାଇବା ପାଇଁ ଏୟା‌ରପୋର୍ଟ ଅଞ୍ଚଳରେ ଅନୁମତି ନାହିଁ। ପୂର୍ବରୁ ଜାଗା ମିସନ୍‌ ଓ ମଶା ଔଷଧ ସ୍ପ୍ରେ ପାଇଁ ଅନୁମତି ମଗା ଯାଇଥିଲେ ମଧ୍ୟ ମିଳିପାରିନଥିଲା। ଏଣୁ ଏହି କଟକଣା ଥିବା ଅଞ୍ଚଳରେ ପୋଖରୀଗୁଡ଼ିକର ସର୍ଭେ କରାଯାଇ ପାରିବ ନାହିଁ। ଯେଉଁଗୁଡ଼ିକ ଡ୍ରୋନ୍‌ ସର୍ଭେରୁ ବାଦ୍‌ ପଡ଼ିବ ସେ ସବୁଗୁଡ଼ିକ ମାନୁଆଲି କରାଯିବ ବୋଲି ଜଣାପଡ଼ିଛି।
ଏଠାରେ ସୂଚାଇ ଦିଆଯାଇପାରେ ପୋଖରୀଗୁଡ଼ିକର ଉନ୍ନତୀକରଣ ପାଇଁ ବିଏମ୍‌ସି ପୂର୍ବରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିବା ଦର୍ଶାଇଛି। ହେଲେ ଅଧିକାଂଶ ପୋଖରୀ ଏବେ ବ୍ୟବହାର ଉପଯୋଗୀ ହୋଇ ରହିନାହିଁ। ‌ଆମ ପୋଖରୀ ଯୋଜନାରେ ଏସବୁରେ ପୁଣି ଅର୍ଥ ଖର୍ଚ୍ଚ ହେବାକୁ ଯାଉଛି। ଏଥିରେ କେବଳ ଠିକାଦର ପୋଷା ହେବେ ନା ବ୍ୟବହାର ଉପଯୋଗୀ ହେବ ତାହା ଉପରେ ସମସ୍ତଙ୍କର ନଜର ରହିଛି।

Share Now:

Kalinga News Beuro

Next Post

ଭାଗ ବଣ୍ଟା ହେଉଥିଲା କୁଟୁରା ମାଂସ : ମାଡି ବସିଲା ବନ ବିଭାଗ, ୨ ଗିରଫ

Fri Jul 7 , 2023
ରାୟଗଡା: ଭାଗ ବଣ୍ଟା ହେଉଥିଲା କୁଟୁରା ମାଂସ। ହେଲେ ଖବର ପାଇ ମାଡି ବସିଲା ରାୟଗଡା ବନ ବିଭାଗ। ଘଟଣାସ୍ଥଳରୁ ୩ କିଲୋ କୁଟୁରା ମାଂସ ଜବତ ସହ ୨ ଜଣଙ୍କୁ ଗିରଫ କରିବାରେ ସଫଳ ହେଲା ବନ ବିଭାଗ। ଆଉ ଗିରଫ ୨ ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରାଯାଇଥିବା ବନାଞ୍ଚଳ ଅଧିକାରୀ ସଂଜୟ ଦାସ ପ୍ରକାଶ କରିଛନ୍ତି। ବିଶେଷ ସୂତ୍ରରୁ ଖବର ମିଳିଥିଲା ଯେ ରାୟଗଡା ବନାଞ୍ଚଳ […]
କୁଟୁରା ମାଂସ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial