ବେଙ୍ଗାଲୁରୁ: କର୍ଣ୍ଣାଟକର ହାସନ ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜିଲ୍ଲାର ବାଗିଭାଲୁ ଗାଁରେ ଜଣେ ଯୁବକ ନିଜ ଜମି ନିକଟରେ ଏକ ଅସୁସ୍ଥ କଲରାପତ୍ରିଆ ବାଘକୁ ଦେଖିବାକୁ ପାଇଥିଲେ। ଏହାପରେ ସେ କଲରାପତ୍ରିଆ ବାଘକୁ ନିଜ ଦୁଇ ଚକିଆ ଯାନରେ ଦଉଡ଼ିରେ ବାନ୍ଧି ଚିକିତ୍ସା ପାଇଁ ପ୍ରାଣୀ ଚିକିତ୍ସାଳୟକୁ ନେଇଯାଇଥିଲେ। ବାଟରେ ଲୋକମାନେ ଏହାକୁ ଦେଖି ଆଶ୍ଚର୍ଯ୍ୟ ହେବା ସହ ଘଟଣାର ଭିଡିଓ ରେକର୍ଡିଂ କରିଥିଲେ। ଭିଡିଓଟି ଏବେ ଭାଇରାଲ ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ,୨୫ ବର୍ଷୀୟ ବେଣୁଗୋପାଳ ଓରଫ ମୁଥୁ ସକାଳେ ନିଜ ମୋଟର ସାଇକେଲରେ ନିଜ ଚାଷଜମି ଆଡ଼କୁ ଯାଉଥିଲେ। ଏହି ସମୟରେ ସେ ଜମିର ଏକ କୋଣରେ ଏକ କଲରାପତ୍ରିଆ ବାଘପଡ଼ିଥିବା ଦେଖିଥିଲେ। ବାଘଟି ଅସୁସ୍ଥ ଥିଲା ଓ ଚାଲିବାକୁ ଅକ୍ଷମ ଥିଲା। ଏହା ଦେଖି ବେଣୁଗୋପାଳ ବାଘକୁ ଧରି ନିଜ ମୋଟର ସାଇକେଲର ପଛ ସିଟରେ ଏକ ଦଉଡ଼ି ସହାଯ୍ୟରେ ବାନ୍ଧି ଦେଇଥିଲା ଓ ପ୍ରାଣୀ ଚିକିତ୍ସାଳୟ ଅଭିମୁଖେ ଯାଇଥିଲା। ପରେ ବନ ବିଭାଗ ଅଧିକାରୀମାନେ ଏ ସଂପର୍କରେ ସୂଚନା ପାଇବା ପରେ କଲରାପତ୍ରିଆକୁ ଧରି ପ୍ରାଣୀ ଚିକିତ୍ସାକେନ୍ଦ୍ରରେ ଚିକିତ୍ସା କରାଇଥିଲେ। ବାଘର ଅବସ୍ଥା ସ୍ଥିର ଥିବା ବିଭାଗ ପକ୍ଷରୁ କୁହାଯାଇଛି। ବାଘଟି ଶିକାର ସନ୍ଧାନରେ ଆସି ଗ୍ରାମ ନିକଟରେ ଫସି ଯାଇଥିଲା ବୋଲି ବିଭାଗ ପକ୍ଷରୁ କୁହାଯାଇଛି।
ବାଇକରେ ବସି ଡାକ୍ତରଙ୍କ ପାଖକୁ ଗଲା ଅସୁସ୍ଥ ବାଘ

Share Now: