ନବ ଦାସ ହତ୍ୟାକାଣ୍ଡ ଘଟଣା : କ୍ରାଇମବ୍ରାଞ୍ଚ ଚାର୍ଜସିଟକୁ ନେଇ ତେଜିଲା ରାଜନୀତି

ବିରୋଧୀ କହିଲେ-କାହାଣୀ ଗଢ଼ିଛି କ୍ରାଇମବ୍ରାଞ୍ଚ

କାହାଣୀ ଗଢ଼ିଛି କ୍ରାଇମବ୍ରାଞ୍ଚ-ବିରୋଧୀ

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟାକାଣ୍ଡକୁ କ୍ରାଇମବ୍ରାଞ୍ଚ ଦାଖଲ କରିଥିବା ଚାର୍ଜସିଟକୁ ନେଇ ଆରମ୍ଭ ହୋଇଛି ରାଜନେତିକ ଆରୋପ-ପ୍ରତ୍ୟାରୋପ। ଗତକାଲି ବିଜେପି ସାଂସଦ ସୁରେଶ ପୂଜାରୀ ଏହି ୧୦୦୦ ପୃଷ୍ଠାର ଚାର୍ଜସିଟକୁ ‘ରଦ୍ଦି କାଗଜ’ କହି କଡା ସମାଲୋଚନା କରିଥିଲେ। କ୍ରାଇମବ୍ରାଞ୍ଚ ତଦନ୍ତକୁ ବିଗହରା କରିଛି ବୋଲି ଅଭିଯୋଗ ଆଣିଥିଲେ। ଏହାପରଠାରୁ ଏହାକୁ ନେଇ ତେଜିଛି ରାଜନୀତି। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି କହିଛନ୍ତି ଯେ କ୍ରାଇମବ୍ରାଞ୍ଚ ଚାର୍ଜସିଟରେ ନବ ଦାସଙ୍କ ପତ୍ନୀ ଓ ପୁଅଙ୍କ ବୟାନକୁ ଗୁରୁତ୍ୱ ଦିଆଯାଇନାହିଁ। ସେମାନେ ଏହା ଏକ ପୂର୍ବପରିକଳ୍ପିତ ହତ୍ୟା ବୋଲି କହିଥିଲେ। ଆମେ ମଧ୍ୟ ଏହା ପୂର୍ବରୁ କହି ଆସୁଥିଲୁ କି ନବ ଦାସଙ୍କ ହତ୍ୟାକାଣ୍ଡ ଏକ ପ୍ରି-ପ୍ଲାନ୍ ମର୍ଡର। କିନ୍ତୁ କ୍ରାଇମବ୍ରାଞ୍ଚ ତଦନ୍ତକୁ ସେ ଦିଗରେ ନ ନେଇ ଗୋପାଳଠୁ ଆରମ୍ଭ କରି ଗୋପାଳରେ ସାରିଦେଇଛି। ଗୋପାଳ ଦାସ ଜରିଆରେ କାହାଣୀ ତିଆରି କରିଛି କ୍ରାଇମବ୍ରାଞ୍ଚ। କ୍ରାଇମବ୍ରାଞ୍ଚର ହତ୍ୟା ପୂର୍ବରୁ ଗୋପାଳ ଲଣ୍ଡା ହେବା ଥିଓରି ବହୁତ ଆଶ୍ଚର୍ଯ୍ୟ ଲାଗୁଛି। କ୍ରାଇମବ୍ରାଞ୍ଚ ମାଧ୍ୟମରେ ସରକାର ଏହି ଘଟଣାରୁ ଖସି ଯିବା ପାଇଁ ଚେଷ୍ଟା କରିଛନ୍ତି। ଯେଉଁମାନେ ଏହି ଘଟଣା ପଛରେ ଅଛନ୍ତି ଆଉ ବର୍ତ୍ତିଯିବା ଲାଗି ଚେଷ୍ଟା କରିଛନ୍ତି ସେମାନେ କେବେ ବି ଖସି ପାରିବେ ନାହିଁ। ଲୋକେ ସରକାରଙ୍କୁ କେବେ ବି କ୍ଷମା ଦେବେ ନାହିଁ। ସରକାର ତାଙ୍କ ଭାବମୂର୍ତ୍ତି ବଞ୍ଚେଇବାକୁ ଆଇନକୁ ଯେମିତି ବାଟବଣା କରୁଛନ୍ତି ସେ କଥା ବିଧାନସଭାରେ ଉଠେଇବ ବିଜେପି।
ସେହିପରି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଘଟଣାକୁ ବିଧାନସଭାରେ ଉଠାଯିବ ବୋଲି ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ନବ ଦାସଙ୍କ ସ୍ତ୍ରୀ ଓ ପୁଅ ଯେଉଁ ପ୍ରି-ପ୍ଲାନ ମର୍ଡର କଥା କହିଛନ୍ତି ତାହା ସତ୍ୟ। ତାଙ୍କର ବହୁତ ଶତ୍ରୁ ଥିଲେ, ତାହା ବି ସତ୍ୟ। ନବ ଦାସଙ୍କ ସ୍ତ୍ରୀ ଓ ପୁଅ ଯେଉଁ କଥା କହିଛନ୍ତି ସରକାର ତାକୁ ଗୁରୁତ୍ୱର ସହ ନେବା ଆବଶ୍ୟକ। ତେଣୁ ଆହୁରି ଭିତରକୁ ଯାଇ ଘଟଣାର ତଦନ୍ତ କରିବାର ଆବଶ୍ୟକତା ରହିଛି। ନବ ଦାସଙ୍କ ହତ୍ୟାକାଣ୍ଡରେ ଚାଲିଥିବା ତଦନ୍ତର ମୋଡ଼ ବଦଳାଯାଉଛି।
ବିଜେଡି ବିଧାୟକ ପର୍ଶୁରାମ ଧଡ଼ା ବିଜେପି ଓ କଂଗ୍ରେସ ନେତାଙ୍କ ମତକୁ ଦୃଢ଼ ଭାବେ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ନବ ଦାସଙ୍କ ହତ୍ୟାକାଣ୍ଡ କେବେ ବି ପ୍ରି-ପ୍ଲାନ ମର୍ଡର ନୁହେଁ। ତଦନ୍ତରେ ସବୁ କଥା ଲୋକଲୋଚନକୁ ଆସି ସାରିଛି। କ୍ରାଇମବ୍ରାଞ୍ଚର ଚାର୍ଜସିଟରେ ଷଡ଼ଯନ୍ତ୍ର ଦିଗ ନାହିଁ ମାନେ ଷଡ଼ଯନ୍ତ୍ର ହୋଇନାହିଁ। ନବ ଦାସଙ୍କ ହତ୍ୟାକାଣ୍ଡର ସତ୍ୟାସତ୍ୟ ସାମ୍ନାକୁ ଆସୁ ବୋଲି ସରକାର ସବୁ କ୍ଷେତ୍ରରେ ଚେଷ୍ଟା କରିଛନ୍ତି। ପରିବାରର ବୟାନ ଅନୁଯାୟୀ ତଦନ୍ତ ହୋଇଛି। ତଦନ୍ତର ସତ୍ୟାସତ୍ୟ ସାମ୍ନାକୁ ଆସିଛି। ଆସାମୀ ବି ଧରାପିଡ଼ିଛି କାର୍ଯ୍ୟାନୁଷ୍ଠାନ ବି ଗ୍ରହଣ କରାଯାଇଛି।

Share Now:

Kalinga News Beuro

Next Post

ୟୁପିଆଇ ମାଧ୍ୟମରେ ଦୁବାଇ ପଠାଇ ହେବ ଟଙ୍କା

Sat Jul 15 , 2023
ଆବୁଧାବି : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୟୁଏଇ ଗସ୍ତ କାଳରେ ଭାରତର ରିଜର୍ଭ ବ୍ୟାଙ୍କ ଓ ୟୁଏଇର କେନ୍ଦ୍ରୀୟ ବ୍ୟାଙ୍କ ମଧ୍ୟରେ ଦୁଇଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଗୋଟିଏ ବୁଝାମଣାପତ୍ର ଫଳରେ ଦୁଇ ଦେଶ ପରସ୍ପର ସହ ନିଜସ୍ବ ମୁଦ୍ରାରେ ବାଣିଜ୍ୟ କାରବାର କରିବେ। ଏହା ଫଳରେ ଅନ୍ତର୍ଜାତୀୟ ବାଣିଜ୍ୟରେ ଭାରତୀୟ ଟଙ୍କା ଓ ୟୁଏଇର ମୁଦ୍ରା ଦିରହାମ ସୁଦୃଢ ହେବ। ୨ୟ ବୁଝାମଣାପତ୍ର ଅନୁସାରେ ଭାରତର ୟୁପିଆଇ ବ୍ୟବସ୍ଥାକୁ […]
ୟୁପିଆଇ ମାଧ୍ୟମରେ ଦୁବାଇ ପଠାଇ ହେବ ଟଙ୍କା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial