ୟୁନିଟ୍‌-୯ ବାଳିକା ହାଇସ୍କୁଲ ମିଶ୍ରଣ ପ୍ରତିବାଦରେ ଧାରଣା : ‘ସ୍କୁଲ ଛାଡ଼ି ଆମେ ଯିବୁନି’

‘ସ୍କୁଲ ଛାଡ଼ି ଆମେ ଯିବୁନି’-1

ଅଚେତ ହେଇଗଲେ ୮ ଛାତ୍ରୀ,ଅଢ଼େଇ ଘଣ୍ଟା ଯାଏ କେହି ଆସିଲେନି

ଭୁବନେଶ୍ୱର : ‘ଆମ ସ୍କୁଲ କାହିଁକି ଉଠିଯିବ? ସ୍କୁଲକୁ ମିଶ୍ରଣ କରିବା ପୂର୍ବରୁ ଆମକୁ ପଚାରିଥିଲ କି ଆମେ କ’ଣ ଚାହୁଛୁ? ଯଦି ଆମ ସ୍କୁଲକୁ ବାଳକ ଉଚ୍ଚ ବିଦ୍ୟାଳୟ ସହ ମିଶ୍ରଣ କରାଯାଉଛି, ତେବେ ରମାଦେବୀ ଯୁକ୍ତ ୨ କଲେଜକୁ ବିଜେବି କଲେଜ ସହ ମିଶ୍ରଣ କରୁନାହଁ କାହିଁକି? ସେମାନେ କ’ଣ କେବଳ ଝିଅ, ଆମେ ନୋହୁଁ? ନାରୀ ବୋଲି କ’ଣ ଆମକୁ ନିର୍ଯାତନା ଦେବ? ଆମେ ପାଠ ପଢ଼ିବାକୁ ଆସିଛୁ। ଆମ ସ୍କୁଲ ଭଲ। ଭଲ ପାଠପଢ଼ା ହେଉଛି। ଆମେ ଆମ ସ୍କୁଲ ଛାଡ଼ି କୁଆଡ଼େ ଯିବୁନି। ଆମ ସ୍କୁଲର ନାଁ ରହିଛି। ୟୁନିଟ୍‌-୯ ବାଳିକା ଉଚ୍ଚ ବିଦ୍ୟାଳୟ ସାରା ରାଜ୍ୟରେ ପରିଚିତ। ଆମକୁ ଏହି କ୍ୟାମ୍ପସରେ ଯେତିକି ସୁବିଧା ସୁଯୋଗ ମିଳୁଛି, ତାହା ଆଉ କେଉଁଠି ବି ମିଳିବ ନାହିଁ। ଯଦି କୋ-ଏଜୁକେସନ କରିବାକୁ ଚାହୁଁଛନ୍ତି, ତାହା ହେଲେ ୟୁନିଟ୍‌-୯ ବାଳକ ଉଚ୍ଚ ବିଦ୍ୟାଳୟକୁ ଆମ ହାଇସ୍କୁଲ ସହ ମିଶ୍ରଣ କରାଯାଉ।’ ଭୁବନେଶ୍ୱରସ୍ଥିତ ୟୁନିଟ୍‌-୯ ବାଳିକା ହାଇସ୍କୁଲକୁ ୟୁନିଟ୍‌-୯ ହାଇସ୍କୁଲ ସହ ମିଶ୍ରଣ କରିବାକୁ ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତି ବିରୋଧରେ ଆଜି ଏଭଳି ସ୍ୱର ଉଠାଇଛନ୍ତି ଶତାଧିକ ଛାତ୍ରୀ।
ଗଣଶିକ୍ଷା ମନ୍ତ୍ରୀ ହାଏ ହାଏ… ଜିଲ୍ଲାପାଳ ହାଏ ହାଏ… ପରି ସ୍ଲୋଗାନ ଦେଇ ପାଖାପାଖି ଅଢ଼େଇ ଘଣ୍ଟା ଧରି ଛାତ୍ରୀମାନେ ସ୍କୁଲ ଫାଟକ ବନ୍ଦ କରି ଧାରଣାରେ ବସିଥିଲେ। ଆନ୍ଦୋଳନରେ ୮ଜଣ ଛାତ୍ରୀ ଅଚେତ ହୋଇପଡ଼ିଥିଲେ। ଜ‌ଣଙ୍କ ପରେ ଜଣେ ଛାତ୍ରୀ ଚେତାଶୂନ୍ୟ ହେବା ସହ ସ୍ଥିତି ଅଣାୟତ୍ତ ହେବାରୁ ଭୁବନେଶ୍ୱର ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ପ୍ରଜ୍ଞା ପରମିତା ଜେନା ଘଟଣାସ୍ଥଳରେ ପହଞ୍ଚି ଛାତ୍ରୀ ଓ ଅଭିଭାବକଙ୍କୁ ବୁଝାସୁଝା କରିଥିଲେ। ତାଙ୍କୁ ମଧ୍ୟ ଆନ୍ଦୋଳନକାରୀଙ୍କ ରୋଷର ଶିକାର ହେବାକୁ ପଡ଼ିଥିଲା। ଛାତ୍ରୀମାନେ ବିଇଓଙ୍କୁ ଘେରିବା ସହ ଆମ ସ୍କୁଲ୍‌ ଏଠାରୁ କାହିଁକି ଉଠିବ ବୋଲି ପ୍ରଶ୍ନ କରିଥିଲେ। ବିଇଓ ଶ୍ରୀମତୀ ଜେନା ସ୍କୁଲ କ୍ୟାମ୍ପସ ପରିସରରେ ଅଭିଭାବକ ଓ ଛାତ୍ରୀମାନଙ୍କ ସହ ଆଲୋଚନା କରିଥିଲେ। ଏ ସମ୍ପର୍କରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରିବେ ବୋଲି ପ୍ରତିଶ୍ରୁତି ଦେବା ପରେ ସେମାନେ ଆନ୍ଦୋଳନରୁ ଓହରିଥିଲେ। ଅଭିଭାବକମାନେ କହିଛନ୍ତି ଯେ ସରକାର ଏତେ ବଡ଼ ନିଷ୍ପତ୍ତି ନେଉଛନ୍ତି, କାହାକୁ ପଚାରୁ ନାହାନ୍ତି। ସବୁଜିମାଭରା ପରିବେଶରେ ଥିବା ଏହି ବିଦ୍ୟାଳୟରେ ଉଚ୍ଚମାନର ଶିକ୍ଷାଦାନ ସହ ଏନ୍‌ସିସି, ରେଡକ୍ରସ୍‌, ଇକୋ କ୍ଲବ୍‌, ଲିଟେରାସି କ୍ଲବ୍‌, ବ୍ୟାଣ୍ଡ ଦଳ ରହିଛି। ଏଠାକାର ଛାତ୍ରୀମାନେ ବ୍ଲକ, ଜିଲ୍ଲା, ରାଜ୍ୟ ଓ ଜାତୀୟସ୍ତରର ପ୍ରତିଯୋଗିତାରେ ସଫଳତା ହାସଲ କରୁଛନ୍ତି। ବାରଙ୍ଗ, ହଂସପାଳ, ଚନ୍ଦ୍ରଶେଖରପୁର, ଶୈଳଶ୍ରୀବିହାର, ପଟିଆ, ଡମଣା, ପଳାସୁଣୀ, ରସୁଲଗଡ଼, ଜିଜିପି କଲୋନି, ୟୁନିଟ୍‌-୮, ସତ୍ୟନଗର, ବେଣୁପୁର, ଟଙ୍କପାଣି ରୋଡ୍‌ ଅଞ୍ଚଳର ଛାତ୍ରୀମାନେ ଏଠାରେ ଶିକ୍ଷା ଗ୍ରହଣ କରୁଛନ୍ତି। ଝିଅମାନେ ଏଠାରେ ସୁରକ୍ଷିତ ଓ ଶୃଙ୍ଖଳିତ ଅଛନ୍ତି। ବାଳକ ହାଇସ୍କୁଲରେ ପିଲାମାନେ ନିଶା ଖାଉଛନ୍ତି, ଶିକ୍ଷକ ଜାଣିପାରୁ ନାହାନ୍ତି। ଦୁଇଟି ଯାକ ସ୍କୁଲ ଯେଉଁଠି ଅଛି, ସେଠାରେ ରହୁ। ୫-ଟି ଅଧୀନରେ ଏହି ସ୍କୁଲ ପରିବର୍ତ୍ତନ ହୋଇଛି। ତେଣୁ ୫-ଟି ସଚିବଙ୍କୁ ବାର୍ତ୍ତା ଦେବାକୁ ଚାହୁଛୁ ଯେ ଯଦି ପିଲାଙ୍କ ଏହି ଧାରଣା ପରେ ନିଷ୍ପତ୍ତିରେ ପରିବର୍ତ୍ତନ କରା ନ ଯାଏ, ଆଗାମୀ ଦିନରେ ଜୋରଦାର ପ୍ରତିବାଦ କରାଯିବ।

ହାଇସ୍କୁଲ ବନ୍ଦକୁ ବରଦାସ୍ତ କରିବୁନି-ସୁର ରାଉତରାୟ
ଆନ୍ଦୋଳନରେ ସାମିଲ ହୋଇ ବିଧାୟକ ସୁରେଶ କୁମାର ରାଉତରାୟ କହିଲେ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟକୁ ଆହୁରି ଜାଗା ଦିଆଯାଉ, ତା’ର ବିକାଶ ହେଉ। ଆପତ୍ତି ନାହିଁ। କିନ୍ତୁ ଏହି ହାଇସ୍କୁଲ ବନ୍ଦକୁ ବରଦାସ୍ତ କରାଯିବ ନାହିଁ। ସ୍କୁଲ ଏବେ ଅଛି, ଆଗକୁ ରହିବ। ଏଥିପାଇଁ ଯାହା ସଂଘର୍ଷ ହେବ, ଦେଖାଯିବ। ଏ ସରକାର ଏହି ବାଳିକା ହାଇସ୍କୁଲ କରିନାହାନ୍ତି। ହରେକୃଷ୍ଣ ମହତାବ ଏହାକୁ ପ୍ରତିଷ୍ଠା କରିଥିଲେ। ତାହାକୁ ବିଲୀନ ହେବାକୁ ଦେବୁ ନାହିଁ।
ସ୍ଥାନୀୟ କର୍ପୋରେଟର୍‌ ଅପରୂପ ନାରାୟଣ ରାଉତ କହିଛନ୍ତି ଯେ ଏହି ଅଞ୍ଚଳରେ ବାଳିକା ହାଇସ୍କୁଲ ନ ଥିବାରୁ ସହରର ବିଭିନ୍ନ ସ୍ଥାନରୁ ଛାତ୍ରୀମାନେ ଆସି ଏଠାରେ ଶିକ୍ଷା ଗ୍ରହଣ କରୁଛନ୍ତି। ପୂର୍ବତନ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆସି କହିଯାଇଥିଲେ ଏହି ସ୍କୁଲ ଯେମିତି ଅଛି ସେମିତି ରହିବ। ମିଶ୍ରଣ ହେବନି। ଏବେ ପୁଣି ବନ୍ଦ କରିବାକୁ ଚକ୍ରାନ୍ତ କରୁଛନ୍ତି। ରମାଦେବୀ ଯୁକ୍ତ୨ କଲେଜକୁ ଆଉ କେଉଁଠି ଜାଗା ଦିଆଯାଉ। ବାଳକ ହାଇସ୍କୁଲରେ ଏବେ ୯୦୦ ପିଲା ରହିଛନ୍ତି। ଏମାନେ ସେଠାକୁ ଗଲେ ପାଠପଢ଼ା କିଭଳି ହେବ? ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନ ନେଲେ ଆଗାମୀ ଦିଗରେ ପିଲାମାନେ ରାଜରାସ୍ତାକୁ ଓହ୍ଲାଇବେ। ବିଇଓ ଶ୍ରୀମତୀ ଜେନା କହିଛନ୍ତି ଯେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଅଭିଯୋଗପତ୍ର ଗ୍ରହଣ କରାଯାଇଛି। ସେମାନଙ୍କ ଦାବିକୁ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଦେଇଛି।

Share Now:

Kalinga News Beuro

Next Post

ମାଲକାନଗିରିରେ ବନ୍ୟା: ପୋଟେରୁ ପୋଲ ଉପରେ ବନ୍ୟା ଜଳ ପ୍ରବାହିତ

Tue Jul 18 , 2023
ଆନ୍ଧ୍ର-ତେଲେଙ୍ଗାନାକୁ ଯୋଗାଯୋଗ ବିଚ୍ଛିନ୍ନ ମାଲକାନଗିରି: ଜିଲ୍ଲାରେ ସୋମବାର ଠାରୁ ପ୍ରବଳ ବର୍ଷା ହେଉଛି। ମାଲକାନଗିରି ସହର ଠାରୁ ବିଭିନ୍ନ ଗ୍ରାମରେ ଜଳମଗ୍ନ ଦେଖିବାକୁ ମିଳିଛି। ଜିଲ୍ଲାର କେତେକେ ନଦୀ ଓ ନାଳ ଉପରେ ପାଣି ପ୍ରବାହିତ ହେଉଥିବା ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଛି। ବିଭିନ୍ନ ସ୍ଥାନରେ ଗାଡ଼ି ଅଟକି ରହିଥିବା ବେଳେ ଲୋକେ ବିପଦପୂର୍ଣ୍ଣ ଭାବେ ଯାତାୟତ କରୁଛନ୍ତି। ଏଥିସହ ଜିଲ୍ଲାର କେତେକ ସ୍ଥାନରେ ଗଛ ପଡ଼ି ରାସ୍ତା ଅବରୋଧ […]
ମାଲକାନଗିରିରେ ବନ୍ୟା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial