କେରଳରେ ପ୍ରଳୟ,ବଞ୍ଚିବାକୁ ସଂଘର୍ଷ : କେନ୍ଦ୍ରକୁ ୨୬୦୦ କୋଟି ମଗାଯିବ

କୋଚି: ପ୍ରବଳ ବର୍ଷା ଓ ବନ୍ୟା ବିତ୍ପାତ ଯୋଗୁ କେରଳ ଚିତ୍ର ସଂପୂର୍ଣ୍ଣ ବଦଳିଯାଇଛି। ରାଜ୍ୟ ଯେଉଁ ବିକାଶ ଦେଇ କରୁଥିଲା ସେଥିରେ ବିରାମ ଲାଗିଛି। ଜୀବନ ଧାରଣ ପାଇଁ ନୂଆ ସଂଘର୍ଷ ଆରମ୍ଭ ହୋଇଛି। କେରଳର ଭିତ୍ତିଭୂମି ବ୍ୟବସ୍ଥାରେ ସୁଧାର ଆଣିବା ସହିତ ରାଜ୍ୟବାସୀଙ୍କ ଜୀବନ ଧାରଣ ମାନକୁ ପୂର୍ବବତ୍‌ ସ୍ତରକୁ ନେବା କାଠିକର ପାଠ ହେବ ବୋଲି କୁହାଯାଉଛି।
କେରଳରେ ଶତାବ୍ଦୀର ସବୁଠୁ ଭୟଙ୍କର ବର୍ଷା ଓ ବନ୍ୟା ଯୋଗୁ ଧନଜୀବନର ଭୟଙ୍କର କ୍ଷତି ଘଟିଛି। ୧୦,୦୦୦ କିଲୋମିଟରରୁ ଅଧିକ ରାସ୍ତା ୧୦ ଦିନ ବ୍ୟାପୀ ପ୍ରଖର ଜଳସ୍ରୋତରେ ଧୋଇଯାଇ ନଷ୍ଟ ହୋଇଯାଇଛି। ଲକ୍ଷେରୁ ଅଧିକ ଘର ମଧ୍ୟ ପାଣିରେ ଭାସିଯାଇଛି। ଫଳରେ ଲକ୍ଷ ଲକ୍ଷ ଲୋକ ବାସହରା ହୋଇଯାଇଛନ୍ତି। ବନ୍ୟା ଯୋଗୁ ୨୦,୦୦୦ କୋଟି ଟଙ୍କା କ୍ଷତି ଘଟିଥିବା ରାଜ୍ୟ ସରକାର ଆକଳନ କରିଛନ୍ତି। ରାଜ୍ୟର ଇଡୁକି, ମାଲାପୁରମ୍‌, କୋଟ୍ଟାୟାମ୍‌ ଓ ଏର୍ନାକୁଲମ୍‌ ଜିଲ୍ଲା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ତେବେ ବର୍ତମାନ ଲୋକଙ୍କ ଉଦ୍ଧାର ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଲୋକଙ୍କୁ ରିଲିଫ ସାମଗ୍ରୀ ଯୋଗାଇ ଦିଆଯାଉଛି। ତେବେ ପୂର୍ବ ସ୍ଥିତିକୁ ଫେରିବା ବେଶ୍‌ କଷ୍ଟକର ବ୍ୟାପାର ବୋଲି ରାଜ୍ୟ ସରକାର ସ୍ୱୀକାର କରିଛନ୍ତି।
ଏ ନେଇ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ୍‌ କହିଛନ୍ତି, ଆଗକୁ ରାଜ୍ୟ କଠିନ ପରିସ୍ଥିତିର ସାମ୍ନା କରିବ। ରିଲିଫ ଶିବିରରେ ଏବେ ୧୦ ଲକ୍ଷରୁ ଊର୍ଧ୍ୱ ଲୋକ ରହିଛନ୍ତି। ସେମାନଙ୍କୁ ସୁରକ୍ଷା ଯୋଗାଇବା ଉପରେ ଗୁରୁତ୍ୱ ଦିଆଯାଉଛି। ବର୍ତମାନ କ୍ଷୟକ୍ଷତି ଆକଳନ କରାଯାଉଛି। ଆକଳନ ଅନୁସାରେ ଏବେ ସୁଦ୍ଧା ରାଜ୍ୟରେ ବାସଗୃହକୁ ମିଶାଇ ଲକ୍ଷେରୁ ଅଧିକ ଘର ନଷ୍ଟ ହୋଇଯାଇଛି। ୧୦,୦୦୦ କିମିର ଜାତୀୟ ରାଜପଥ ବନ୍ୟା ପାଣିରେ ଧୋଇଯାଇଛି ଏବଂ ଶତାଧିକ ପୋଲ ଭୁଶୁଡ଼ି ପଡ଼ିଛି। ଲକ୍ଷ ଲକ୍ଷ ହେକ୍ଟରର ଚାଷ ନଷ୍ଟ ହୋଇଛି। ଏଥିପାଇଁ ରାଜ୍ୟ ସରକାରଙ୍କୁ ବହୁ ମୂଲ୍ୟ ଦେବାକୁ ପଡ଼ିବ। ତେବେ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଶେଷ ପରେ ବିଧିବଦ୍ଧ ଭାବେ କ୍ଷୟକ୍ଷତି ହିସାବ କରାଯିବ ବୋଲି ବିଜୟନ୍‌ କହିଛନ୍ତି। ଆମ୍ବେଦକର ବିଶ୍ୱବିଦ୍ୟାଳୟର ପ୍ରକାଶ ତ୍ରିପାଠୀଙ୍କ ଏକ ଆକଳନ ଅନୁସାରେ ଥଇଥାନ ପାଇଁ ହାରାହାରି ୨ ବର୍ଷ ଏବଂ ପାରିପାର୍ଶ୍ୱିକ ସୁଧାର ଲାଗି ୫ ବର୍ଷରୁ ଅଧିକ ସମୟ ଲାଗିବ।
ମୁଖ୍ୟମନ୍ତ୍ରୀ ଟ୍ଵିଟ୍‌ କରି କହିଛନ୍ତି, କେନ୍ଦ୍ର ନିକଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ବ୍ୟାପକ ଯୋଜନା ଦାଖଲ କରାଯିବ। ନୂଆ କେରଳର ନିର୍ମାଣ ସକାଶେ ଯୋଜନା ପ୍ରସ୍ତୁତ ହେବ। ତେବେ ଏଥିପାଇଁ କେନ୍ଦ୍ରଠାରୁ ୨,୬୦୦ କୋଟି ଟଙ୍କାର ସ୍ୱତନ୍ତ୍ର ଏମ୍‌ଜିଏନ୍‌ଆର୍‌ଇଜିଏ ପ୍ୟାକେଜ୍‌ ମଗାଯିବ। ସେହିପରି ରାଜ୍ୟର ଋଣ ସୀମା ଜିଡିପିର ୪.୫ ପ୍ରତିଶତକୁ ବଢ଼ାଇବା ନିମନ୍ତେ ମଧ୍ୟ ରାଜ୍ୟ କେନ୍ଦ୍ରକୁ ଅନୁରୋଧ କରିବ। ଫଳରେ ରାଜ୍ୟ ସରକାର ବଜାରରୁ ୧୦,୫୦୦ କୋଟି ଟଙ୍କାର ଅତିରିକ୍ତ ଋଣ କରିବାକୁ ସୁଯୋଗ ପାଇବେ। ଅନ୍ୟପକ୍ଷରେ କେରଳ ପାଇଁ କେନ୍ଦ୍ର ସରକାର ୬୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହାସହ ରାଜ୍ୟକୁ ଆମଦାନି ହୋଇ ଆସୁଥିବା ରିଲିଫ ସାମଗ୍ରୀ ଉପରେ ବହିଃଶୁଳ୍କ ଓ ଜିଏସ୍‌ଟି ଛାଡ଼ କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି।
ଘର ଭିତରେ କୁମ୍ଭୀର, ସାପ
କୋଚି,୨୧/୮: କେରଳରେ ବର୍ଷା ଛାଡ଼ିବା ପରେ ବନ୍ୟା ଆଶଙ୍କା ମଧ୍ୟ ଟଳିଛି। ଅନେକ ସ୍ଥାନରୁ ଜଳ ସ୍ତର ହ୍ରାସ ପାଇବାରୁ ଲୋକମାନେ ସେମାନଙ୍କ ଘରକୁ ଫେରିବା ଆରମ୍ଭ କରିଛନ୍ତି। କିନ୍ତୁ ଘର ମଧ୍ୟରେ କୁମ୍ଭୀର, ସାପ ଓ ଅନ୍ୟ ଅନିଷ୍ଟକାରୀ ସରୀସୃପ ପଶିଥିବାରୁ ରହିବା ପାଇଁ ଅନୁପଯୋଗୀ ହୋଇଛି। ବନ୍ୟା ପାଣି ପଶିବା ଯୋଗୁ ଘରର ଅଧିକାଂଶ ଅଂଶ ଭାଙ୍ଗି ନଷ୍ଟ ହୋଇଯାଇଛି। ତାହାକୁ ମରାମତି ପାଇଁ ପ୍ରସ୍ତୁତ ହେଉଥିବା ଲୋକଙ୍କୁ ଏବେ କୁମ୍ଭୀର ଓ ସାପ ଭୟ ଘାରିଛି। ଥ୍ରିସୁର ଜିଲ୍ଲାର ଜଣେ ବାସିନ୍ଦା ବନ୍ୟା ପାଣି ଛାଡ଼ିବା ପରେ ନିଜ ଘରକୁ ଯାଇଥିଲେ। କିନ୍ତୁ ସେଠାରେ ତାଙ୍କୁ କୁମ୍ଭୀର ସ୍ୱାଗତ କରିଥିଲା। ଫଳରେ ଜୀବନ ବିକଳରେ ସେ ପୁଣି ରିଲିଫ ଶିବିର ଫେରିଥିଲେ। ପରେ ସେ ପଡ଼ୋଶୀଙ୍କ ସହାୟତାରେ କୁମ୍ଭୀରକୁ ଧରି ବାନ୍ଧି ପକାଇଥିଲେ। ଅନ୍ୟପକ୍ଷରେ ଅଧିକାଂଶ ଲୋକଙ୍କ ଘରେ ଏବେ ମାଳ ମାଳ ବିଷଧର ସାପ ଦେଖିବାକୁ ମିଳୁଛି। ଫଳରେ ଘର ଏବେ ରହିବା ଉପଯୋଗୀ ହୋଇନାହିଁ।

Share Now:

Kalinga News Beuro

Leave a Reply

Next Post

ସାମାଜିକ ଗଣମାଧ୍ୟମରେ ଆଧାର ସେୟାର୍‌ କରନ୍ତୁ ନାହିଁ: ୟୁଆଇଡିଏଆଇ

Wed Aug 22 , 2018
ନୂଆଦିଲ୍ଲୀ: ଗୋପନୀୟତା ଉପରେ ଅଯଥା ହସ୍ତକ୍ଷେପ ରୋକିବାକୁ ନିଜର ପାନ୍‌, ଡେବିଟ୍‌ ଓ କ୍ରେଡିଟ୍‌ କାର୍ଡ ଏବଂ ଚେକ୍‌ ଆଦିର ବିବରଣୀ ପ୍ରଘଟ ନ କରିଲା ଭଳି ବ୍ୟବହାରକାରୀମାନେ ସେମାନଙ୍କ ଆଧାର ନମ୍ବର ମଧ୍ୟ ଇଣ୍ଟର୍‌ନେଟ୍‌ କିଂବା ସାମାଜିକ ଗଣମାଧ୍ୟମରେ ସେୟାର୍‌ କରନ୍ତୁ ନାହିଁ ବୋଲି ୟୁନିକ୍‌ ଆଇଡେଣ୍ଟିଫିକେସନ୍‌ ଅଥରିଟି ଅଫ୍‌ ଇଣ୍ଡିଆ (ୟୁଆଇଡିଏଆଇ) କହିଛି। କେତେକ ପ୍ରଶ୍ନର ଉତ୍ତର ଦେଇ ୟୁଆଇଡିଏଆଇ କହିଛି ଯେ ଆଧାର ନମ୍ବର ସେୟାର୍‌ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial