ବୁଲାଗୋରୁ ମୁକ୍ତ ହେବ ଭୁବନେଶ୍ୱର : କାର୍ଯ୍ୟରେ ବାଧା ଦେଲେ କାର୍ଯ୍ୟାନୁଷ୍ଠାନ

ବୁଲାଗୋରୁ ମୁକ୍ତ ହେବ ଭୁବନେଶ୍ବର

ଭୁବନେଶ୍ୱର: ଭୁବନେଶ୍ୱରକୁ ବୁଲାଗୋରୁ ମୁକ୍ତ କରିବା ପାଇଁ ବିଏମ୍‌ସି ନିଷ୍ପତ୍ତି ନେଇଥି‌ଲେ ମଧ୍ୟ ତାହା ସଫଳ ହେଉନାହିଁ। ବୁଲା ଗୋରୁଙ୍କୁ ଉଠାଇ ନେବା ‌ବେଳେ କେତେକ ଲୋକ କାର୍ଯ୍ୟରେ ବାଧା ଦେଉଥିବାରୁ ସମସ୍ୟା ହୋଇଛି। ଫଳରେ ଦୀର୍ଘ ଦିନ ହେବ ବୁଲା ଗୋରୁ ନିୟମିତ ଉଠା‌ଯାଇ ପାରୁନାହିଁ। ଠିକା ନେଇଥିବା ସଂସ୍ଥା ଏ ନେଇ ନିଜର ଅସହାୟତା ପ୍ରଦର୍ଶନ କରିବାରୁ ଆଜି ଏ ନେଇ ମାନସମନ୍ଥନ ହୋଇଛି। କାର୍ଯ୍ୟକ୍ରମର ସଫଳତା ପାଇଁ ବିଏମ୍‌ସି କମିସନରେଟ୍‌ ପୁଲିସର ସହଯୋଗ ଲୋଡ଼ିଛି। ବିଏମ୍‌ସି କମିସନର ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ସମୀକ୍ଷା ବୈଠକରେ କମିସନରେଟ୍‌ ପୁଲିସ ଏହି କାର୍ଯ୍ୟରେ ସହଯୋଗ କରିବାକୁ ସ୍ବୀକୃତି ଦେଇଛି। ଆଗକୁ ଏହି କାର୍ଯ୍ୟରେ କେହି ବାଧା ଦେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିଷ୍ପତ୍ତି ହୋଇଛି।
ସହରରୁ ବୁଲା ଗାଈଗୋରୁଙ୍କୁ ଉଠାଇବା ପାଇଁ ବିଏମ୍‌ସି ୪ଟି ଏଜେନ୍‌ସିଙ୍କୁ ନିୟୋଜିତ କରିଛି। ବିଶାଲ୍‌, ଆରକେ ଏଜେନ୍‌ସି, ଜେକେ ଏଜେନ୍‌ସି ଓ ଭାଷା ଏଜେନ୍‌ସି ଭଳି ୪ଟି ସଂସ୍ଥା ବୁଲାଗୋରୁଙ୍କୁ ଉଠାଇ ନେଇ ଗୋ’ଶାଳାରେ ଛାଡ଼ୁଛନ୍ତି। ଏଠାରୁ ୫ଟି ଗୋ’ଶାଳାକୁ ଗୋରୁ ଯାଉଛନ୍ତି। ଭୁବନେଶ୍ୱର ଭିତରେ ଜାମୁକୋଳିରେ ଥିବା ଗୋ’ଶାଳାର କ୍ଷମତା ୭୦୦ ରହିଥିବା ବେଳେ ଜଟଣୀର ୫୦୦, ଖୋର୍ଦ୍ଧା(ସୁଷମା)ର ୩୦୦, ପୁରୀ ବାଲିଘାଇର ୧୦୦୦ ଓ ବ୍ରହ୍ମଗିରିର କ୍ଷମତା ୫୦୦ ରହିଛି। ଜାମୁକୋଳିରେ ଆଉ ଜାଗା ନାହିଁ। ଏହାର କଳେବର ବୃଦ୍ଧି କରିବା ପାଇଁ ଯେଉଁ ୨୦ ଏକର ଜାଗା ଦିଆଯାଇଛି ତାହାର କ୍ଷମତା ୫ ହଜାର ରହିଥିଲେ ମଧ୍ୟ ଏହା ପ୍ରସ୍ତୁତ ହେବାକୁ ଆଉ ୩ ମାସ ଲାଗିବ ବୋଲି କୁହାଯାଉଛି। ସହରରୁ ଗୋରୁ ଉଠାଇ ନେବାକୁ ଠିକା ନେଇଥିବା ସଂସ୍ଥାମାନଙ୍କୁ ଗୋରୁ ପିଛା ୨୨୮୬ ଟଙ୍କା ଦିଆଯାଉଛି। ଗୋ’ଶାଳାରେ ରକ୍ଷଣାବେକ୍ଷଣ କରୁଥିବା ସଂସ୍ଥାକୁ ଗୋରୁ ପିଛା ଦିନକୁ ୨୦୦ ଟଙ୍କା ଦିଆଯାଉଛି। ଏହି ଗୋରୁଙ୍କୁ ଉଠାଇ ନେଇ ଗୋ’ଶାଳାରେ ରଖିବା ପାଇଁ ମାସକୁ ବିଏମ୍‌ସି ପ୍ରାୟ ୧ କୋଟି ୮୦ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛି। ଏଯାବତ୍‌ ସହରରୁ ୨୦୦୦ରୁ ଅଧିକ ଗୋରୁ ନିଆଯାଇଛି। ଏବେ ଆହୁରି ୨ ହଜାରରୁ ବେଶି ଅଛନ୍ତି।
ନିକଟ ଅତୀତରେ ବଡ଼ଗଡ଼ ବ୍ରିଟ୍‌ କଲୋନିରେ ଏଜେନ୍‌ସି ଗୋରୁଙ୍କୁ ଉଠାଉଥିବା ବେଳେ ଏହାକୁ ବିରୋଧ କରି ଏକ ପରିବାର ଏଜେନ୍‌ସି କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ। କେବଳ ପ୍ରତିବାଦ କରିନଥିଲେ ବରଂ ଗାଡ଼ିର ଫାଟକ ଖୋଲି ଦେବାରୁ ଅନ୍ୟ ଜାଗାରୁ ଉଠାଇ ଅଣାଯାଇଥିବା ଗୋରୁ ବି ସେଠାରେ ବାହାରି ଯାଇଥିଲେ। ମାମଲା ଥାନାକୁ ଯାଇଥିଲା। ଏଭଳି ଅନେକ ଜାଗାରେ ସଂସ୍ଥା ବିରୋଧର ଶିକାର ହେବା ପରେ ଗୋରୁ ଉଠାଇବା ବନ୍ଦ କରିଦେଇଥିଲା। ଗୋରୁଙ୍କ ପିଛା ଏତେ ଗୁଡ଼ାଏ ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ଗୋରୁ ନିୟମିତ ମରୁଥିବା ଅଭିଯୋଗ କରି ଲୋକମାନେ ଏଭଳି ବିରୋଧ କରୁଥିଲେ। ତେବେ ଏବେ ପୁଲିସ ସହାୟତାରେ ଗୋରୁ ଉଠାଇବାକୁ ନିଷ୍ପତ୍ତି ହୋଇଛି। କିନ୍ତୁ ଗୋଶାଳାରେ ଗୋରୁ ମରିବେ ନାହିଁ ବୋଲି କିଏ ପ୍ରତିଶ୍ରୁତି ଦେବ ସେ ଉତ୍ତର ନା ବିଏମ୍‌ସି ନା ଏଜେନ୍‌ସି ନା ଗୋଶାଳା କର୍ତ୍ତୃପକ୍ଷ, କାହା ପାଖରେ ନାହିଁ।

Share Now:

Kalinga News Beuro

Next Post

ରାଜଧାନୀରେ ହିଟ୍ ଆଣ୍ଡ ରନ୍ ମାମଲା: ୪ ଦିନର ଲୁଚକାଳି ଖେଳ ପରେ ଧରାପଡ଼ିଲା ଅଭିଯୁକ୍ତ

Wed Oct 4 , 2023
ଭୁବନେଶ୍ୱର: ରାଜମହଲ ଛକରେ ଘଟିଥିବା ହିଟ୍ ଆଣ୍ଡ ରନ୍ ମାମଲାର ମୁଖ୍ୟ ଅଭିଯୁକ୍ତ ତଥା କାର୍‌ ମାଲିକ ବିକାଶ ପାଲ୍‌(୨୬)କୁ ଶେଷରେ କ୍ୟାପିଟାଲ୍‌ ଥାନା ପୁଲିସ ଗିରଫ କରିଛି। ୪ ଦିନ କାଳ ପୁଲିସକୁ ଚକ୍‌ମା ଦେଇ ଖସିଯାଉଥିବା ବିକାଶକୁ ଆଜି ପୁଲିସ ଆଠଗଡ଼ରୁ ପିଛା କରିକରି ଶିରିପୁର ଛକରୁ ଧରିଛି। କାର୍‌ ମାଲିକ ବିକାଶ ଘଟଣା ଦିନ ନିଜେ ଗାଡ଼ି ଚଳାଉଥିଲା ବେଳେ ଦୁର୍ଘଟଣା ଘଟିଥିଲା। ଘଟଣା ପରଠୁ […]
ରାଜଧାନୀରେ ହିଟ୍ ଆଣ୍ଡ ରନ୍ ମାମଲା

ଆହୁରି ପଢ଼ନ୍ତୁ

Breaking News

Most Read

Social media & sharing icons powered by UltimatelySocial