କ୍ଷୋଭ ଜଣାଇଲା ଓଡ଼ିଶା : ଭାରତ ବନ୍ଦକୁ ସମର୍ଥନ

ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ, କାଁ ଭାଁ ଗଣ୍ଡଗୋଳ, ମନ ଜିଣିବାକୁ ଗୋଲାପ, ଚକୋଲେଟ୍‌

ଭୁବନେଶ୍ୱର : ତୈଳ ଓ ରନ୍ଧନ ଗ୍ୟାସ ଦର ବୃଦ୍ଧି ଯୁବପିଢି, ମଧ୍ୟମ ଓ ନିମ୍ନ ମଧ୍ୟବିତ୍ତ, ଗୃହିଣୀଙ୍କୁ କେତେ ବାଧିଛି, ଲୋକେ କେତେ ଅସନ୍ତୁଷ୍ଟ, ତାହା ଆଜି ପ୍ରକଟିତ ହୋଇଛି। କାଁ ଭାଁ କେମିତି ଛୋଟ ମୋଟ ଗଣ୍ଡଗୋଳକୁ ବାଦ୍‌ ଦେଲେ କଂଗ୍ରେସ ସମେତ ଦେଶର ୨୨ଟି ରାଜନୈତିକ ଦଳ ଯେଉଁ ଭାରତ ବନ୍ଦ ଡାକରା ଦେଇଥିଲେ, ତାହାକୁ ଓଡ଼ିଶାବାସୀ ସ୍ୱତଃସ୍ଫୂର୍ତ ସମର୍ଥନ ଦେଇଛନ୍ତି। କେଇ ଘଣ୍ଟା ପାଇଁ ବନ୍ଦ ହୋଇଯାଇଥିଲା ସାରା ଓଡ଼ିଶା; ଦୋକାନ ବଜାର, ଯାନବାହନ ଚଳାଚଳ ପର୍ଯ୍ୟନ୍ତ। ପୁରୀରୁ ରାଉରକେଲା, ଜୟପୁରରୁ ବାଲେଶ୍ୱର ପର୍ଯ୍ୟନ୍ତ ସବୁଠାରେ ଜନଜୀବନ ଠପ୍‌ ହୋଇଯାଇଥିଲା। ରାଜ୍ୟବାସୀ ଆଜି ଏହି ବନ୍ଦରେ ସାମିଲ ହୋଇ ସ୍ପଷ୍ଟ ଭାବେ ଜଣାଇ ଦେଇଛନ୍ତି ଯେ ଯେଭଳି ତେଲର ଅହେତୁକ ଦରବୃଦ୍ଧି ଘଟୁଛି, ତାହା ଗ୍ରହଣୀୟ ନୁହେଁ। ସାଧାରଣ ଲୋକଙ୍କ ପକେଟ୍‌କୁ ବାଧିଲାଣି। କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାର ତଥାପି ତୈଳକୁ ଜିଏସ୍‌ଟି ପରିସରଭୁକ୍ତ କରୁନାହାନ୍ତି। କେନ୍ଦ୍ର ଓ ରାଜ୍ୟ କେହି ବି ନିଜ ଟିକସ ନ କମାଇ ପରିବାରର ଅର୍ଥନୀତିକୁ ଦୋହଲାଇ ଦେଲେଣି।

ଅନ୍ୟପକ୍ଷରେ, ଭିନ୍ନ ଏକ କାରଣରୁ ଆଜିର ଭାରତ ବନ୍ଦ ରାଜ୍ୟ ରାଜନୀତିରେ ଚର୍ଚ୍ଚାକୁ ଆସିଛି। ଯେବେ କଂଗ୍ରେସ ଦଳ ବନ୍ଦ ଡାକରା ଦିଏ, ଅନେକ ସ୍ଥାନରେ ହିଂସା, ଜଳାପୋଡା ଘଟଣା ପୂର୍ବରୁ ସାମ୍ନାକୁ ଆସୁଥିଲା। ଆଜି କିନ୍ତୁ ଭିନ୍ନ ପରିସ୍ଥିତି ଦେଖିବାକୁ ମିଳିଛି। ଶାନ୍ତିପୂର୍ଣ୍ଣ ଭାବେ ତଥା ଅଭିନବ ଢଙ୍ଗରେ ଦଳୀୟ ନେତା ପିକେଟିଂ କରିଛନ୍ତି। କେଉଁଠି ଗୋଲାପ ଫୁଲ, ଆଉ କେଉଁଠି ଚକୋଲେଟ୍‌ ଦେଇ ମନ ଜିଣିବାକୁ ଚେଷ୍ଟା କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ତାଙ୍କ ଟିମ୍‌। ଲୋକଙ୍କ ଦୁର୍ଦଶା ଦୂର ପାଇଁ ଦଳ ପକ୍ଷରୁ କଣ୍ଟ୍ରୋଲ ରୁମ୍‌ ଖୋଲାଯାଇଥିଲା। ସେହିଭଳି ନବରଙ୍ଗପୁରରେ କଂଗ୍ରେସ କର୍ମୀ ଶଗଡ଼ରେ ବସି ତୈଳ ଦର ବୃଦ୍ଧିର ପ୍ରତିବାଦ କରିଥିଲେ। ଖୋର୍ଧାରେ କିଛି କଂଗ୍ରେସ କର୍ମୀ ଘୋଡା ଗାଡିର ସାହାଯ୍ୟ ନେଇଥିଲେ। ତେବେ ପୁରୀର କାକଟପୁରରେ କିଛି କଂଗ୍ରେସ କର୍ମୀ ତହସିଲ କାର୍ଯ୍ୟାଳୟରେ ଗଣ୍ଡଗୋଳ ଭିଆଇଥିଲେ। ନବରଙ୍ଗପୁରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧସେଇ ପଶିଥିଲେ କଂଗ୍ରେସ କର୍ମୀ। କଂଗ୍ରେସର ଏହି ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରାକୁ ପାଖାପାଖି ୨୨ଟି ରାଜନୈତିକ ଦଳ ସମର୍ଥନ କରିଥିଲେ। ଗତ କିଛି ମାସ ଧରି ତେଲ ଓ ଗ୍ୟାସ ଦର ବୃଦ୍ଧିକୁ ନେଇ ରାଜ୍ୟବାସୀଙ୍କ ମନରେ ପୁଞ୍ଜୀଭୂତ ଅସନ୍ତୋଷ ଆଜି ଧର୍ମଘଟ ବେଳେ ପ୍ରକଟିତ ହୋଇଥିଲା। ବସ୍‌, ଟ୍ରକଠାରୁ ଆରମ୍ଭ କରି ବେସରକାରୀ କାର୍‌ ପର୍ଯ୍ୟନ୍ତ ଚଳାଚଳ ଆପେ ବନ୍ଦ ହୋଇଯାଇଥିଲା। କାଁ ଭାଁ କିଛି ଅଞ୍ଚଳକୁ ଛାଡିଦେଲେ ଅନ୍ୟ ସବୁ ଅଞ୍ଚଳରେ ଦୋକାନ ବଜାର ଖୋଲିନଥିଲା। ବସ ଚଳାଚଳ ବନ୍ଦ ଯୋଗୁଁ ବିଭିନ୍ନ ବସଷ୍ଟାଣ୍ଡରେ ଯାତ୍ରୀମାନେ ଅଟକି ରହିଥିଲେ ସକାଳ ପହରୁ। ଯେଉଁ କିଛି ଦୋକାନ ବଜାର ଖୋଲିଥିଲା ବା ଯାନବାହାନ ଚଳାଚଳ କରୁଥିଲା, ତାକୁ ପିକେଟିଂ କରି ବନ୍ଦ କରିଦିଆଯାଇଥିଲା। ଫଳରେ ଯାତାୟତ ଏକରକମ ଠପ୍‌ ହୋଇଯାଇଥିଲା। ବ୍ୟାଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ଘରୋଇ ପ୍ରତିଷ୍ଠାନରେ ବି ବନ୍ଦର ଜବରଦସ୍ତ ପ୍ରଭାବ ପଡିଥିଲା। ଯେହେତୁ ରାଜ୍ୟ ସରକାର ପୂର୍ବରୁ ସ୍କୁଲ ବନ୍ଦ କରିଥିଲେ। ଆଜି ସକାଳେ ସବୁ କଲେଜ ଛୁଟି କରାଯାଇଥିଲା।

ସକାଳ ୬ଟା ପୂର୍ବରୁ ରେଳଷ୍ଟେସନରେ ପିକେଟିଂ ଆରମ୍ଭ ହୋଇଥିଲା। ଫଳରେ ଟ୍ରେନ ଚଳାଚଳ ବ୍ୟାହତ ହୋଇଥିଲା। ୧୯ଟି ଟ୍ରେନ୍‌ ବାତିଲ ହୋଇଥିଲା। ୫ଟି ଟ୍ରେନ୍‌କୁ ଆଂଶିକ ବାତିଲ୍‌ କରାଯାଇଥିଲା। ୨୯ଟି ଟ୍ରେନ୍‌ ବିଭିନ୍ନ ସ୍ଥାନରେ ଅଟକି ରହିଥିଲା। ଫଳରେ ଯାତ୍ରୀମାନେ ନାହିଁନଥିବା ଦୁର୍ଦଶାର ସମ୍ମୁଖୀନ ହୋଇଥିଲେ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମାଷ୍ଟରକ୍ୟାଣ୍ଟିନ ଛକରେ ପିକେଟିଂ କରିଥିଲେ। ପରେ ବିଧାନସଭା ସମ୍ମୁଖକୁ ଯାଇ ବିଧାୟକମାନଙ୍କୁ ବିଧାନସଭା ନଯିବାକୁ ପ୍ରବର୍ତାଇଥିଲେ। ଶ୍ରୀ ପଟ୍ଟନାୟକଙ୍କ ସହିତ ଦଳୀୟ ବିଧାୟକ ତାରାପ୍ରସାଦ ବାହିନୀପତି, ଅଂଶୁମାନ ମହାନ୍ତି ପ୍ରମୁଖ ଏଥିରେ ସାମିଲ ହୋଇଥିଲେ। ଏଜି ଛକରେ ବିରୋଧୀଦଳ ନେତା ନରସିଂହ ମିଶ୍ର, ପିସିସିର କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବୀ ବିଶ୍ୱାଳ, ଏଆଇସିସି ପ୍ରଚାର କମିଟି ସଦସ୍ୟ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତଚରଣ ଦାସ, ବିଧାୟକ ତାରାପ୍ରସାଦ ବାହିନୀପତି ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ପୂର୍ବତନ ମନ୍ତ୍ରୀ ସୁରେଶକୁମାର ରାଉତରାୟ, ଓଡ଼ିଶା ପିସିସି ମିଡିଆ ସେଲ୍‌ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ, କୃଷକ ସେଲ୍‌ ଅଧ୍ୟକ୍ଷ ଅମୀୟ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ପିକେଟିଂ କରିଥିଲେ। ମାଷ୍ଟରକ୍ୟାଣ୍ଟିନ ଛକରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକଙ୍କ ସହିତ ଏଆଇସିସିର ଅନିଲ ଚୋଧୁରୀ, ଏଆଇସିସି ସମ୍ପାଦକ ଜି ରୁଦ୍ରରାଜୁ, ଭୁବନେଶ୍ୱର ଜିଲା କଂଗ୍ରେସ ସଭାପତି ମାନସ ଚୋଧୁରୀ, ସତ୍‌ସଙ୍ଗ ବିହାରଠାରେ ପୂର୍ବତନ ଛାତ୍ରକଂଗ୍ରେସ ସଭାପତି ଇତିଶ ପ୍ରଧାନ ରହି ପିକେଟିଂ କରିବା ସହିତ ତୈଳଦର ବୃଦ୍ଧିକୁ ବିରୋଧ କରିଥିଲେ। ବନ୍ଦ ପ୍ରଭାବ ଆଜି ବିଧାନସଭା ଉପରେ ବି ପଡିଥିଲା। ମୁଖ୍ୟମନ୍ତ୍ରୀ ୪ ମିନିଟ୍‌ ବିଳମ୍ବରେ ପହଞ୍ଚିଥିଲେ ଗୃହରେ। ମାତ୍ର ୫ ଜଣ ମନ୍ତ୍ରୀ ପହଞ୍ଚିଥିଲେ। ବିଜେଡିର ୬୦ରୁ ଅଧିକ ବିଧାୟକ ଉପସ୍ଥିତ ଥିଲେ। ବିଜେପିର ୩ଜଣ ବିଧାୟକ ପହଞ୍ଚିଥିଲେ। କଂଗ୍ରେସର ୪ଜଣ ବିଧାୟକ ବି ଗୃହରେ ଉପସ୍ଥିତ ଥିଲେ। ହଟ୍ଟଗୋଳ କାରଣରୁ ଆସନ୍ତାକାଲି ପର୍ଯ୍ୟନ୍ତ ବାଚସ୍ପତି ଗୃହକୁ ମୁଲତବୀ କରିଥିଲେ। ସେହିଭଳି ଆଜି ସକାଳ ୧୦ଟା ସୁଦ୍ଧା ସଚିବାଳୟର ପଛଫାଟକ ବ୍ୟତୀତ ଅନ୍ୟ ସବୁ ଫାଟକ ବନ୍ଦ କରି ଦିଆଯାଇଥିଲା। ସଚିବାଳୟକୁ ପ୍ରାୟ କିଛି ମନ୍ତ୍ରୀ, ଅଫିସର ମଟର ସାଇକେଲ୍‌ ଯୋଗେ ଆସିଥିଲେ। ଉନ୍ନୟନ କମିସନର ଆର୍‌ ବାଲକ୍ରିଷ୍ଣନ୍‌ଙ୍କୁ ବିକ୍ଷୋଭକାରୀ ଅଟକାଇବାରୁ ସେ ଚାଲି ଚାଲି ସଚିବାଳୟ ଆସିଥିଲେ। ଉନ୍ନୟନ କମିସନରଙ୍କୁ ଏସକର୍ଟ ଗାଡି ସୁରକ୍ଷା ଦେଇପାରିନଥିଲା। କେଉଁ କାରଣ ପାଇଁ ପଛଗେଟ୍‌ ବଦଳରେ ଆଗ ଗେଟ୍‌ ଦେଇ ପୁଲିସ ଆଣୁଥିଲା, ତାର ତଦନ୍ତ ହେବ ବୋଲି କହିଛନ୍ତି ପୁଲିସ କମିସନର ସତ୍ୟଜିତ ମହାନ୍ତି। ବନ୍ଦ ପାଇଁ ସମଗ୍ର ରାଜ୍ୟରେ ବ୍ୟାପକ ପୁଲିସ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ପ୍ରତି ଛକ, ବଜାରରେ ପୁଲିସ ମୁତୟନ ହୋଇଥିଲେ। ବନ୍ଦ କାରଣରୁ ରାଜ୍ୟରେ ସମୁଦାୟ ୭୧୧ ଜଣଙ୍କୁ ପୁଲିସ ଗିରଫ କରି ପରେ ଛାଡିଦେଇଥିଲା।

Share Now:

Kalinga News Beuro

Leave a Reply

Next Post

ଲଜ୍ଜା: ଗଣ ଦୁଷ୍କର୍ମ ପୀଡ଼ିତା ନାବାଳିକା ୭ ମାସର ଗର୍ଭବତୀ

Tue Sep 11 , 2018
ଜଳେଶ୍ୱର: ସମାଜ ପାଇଁ ଲଜ୍ଜା। ପୁଣି ଜଣେ ନାବାଳିକାକୁ ଗଣ ଦୁଷ୍କର୍ମ। ଘରେ ବାପା-ମାଆ ନଥିବାର ସୁଯୋଗ ନେଇ ୫ ଅଭିଯୁକ୍ତ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ନାବାଳିକା ଗର୍ଭବତୀ ହୋଇଥିବା ଜଣାପଡ଼ିବା ପରେ ଘଟଣା ପଦାକୁ ଆସିଥିଲା। ଆଜି ଏମିତି ଦୁଇ ଦୁଇଟି ଘଟଣା ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳରେ ଆଲୋଡ଼ନ ଖେଳାଇ ଦେଇଛି। ଅଭିଯୋଗରୁ ପ୍ରକାଶ, ୧୬ ବର୍ଷୀୟ ନାବାଳିକାଙ୍କ ବାପା ଓ ମାଆ ଭୋଗରାଇ ଅଞ୍ଚଳରେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial