ମାର୍ଚ୍ଚ ପରେ ବି ଶେଷ ହେଲାନି ପଙ୍କୋ‌ଦ୍ଧାର କାମ

ମାର୍ଚ୍ଚ ପରେ ବି ଶେଷ ହେଲାନି ପଙ୍କୋ‌ଦ୍ଧାର କାମ

ଟେଣ୍ଡର୍‌ର ‘ସ୍କୋପ୍‌ ଅଫ୍‌ ୱାର୍କ’କୁ ଘରୋଇ ସଂସ୍ଥାଙ୍କ ଅଣଦେଖା

କଟକ: ମୌସୁମୀ ଆସିବା ପୂର୍ବରୁ ସହରର ସମସ୍ତ ଡ୍ରେନ୍‌ରୁ ମାର୍ଚ୍ଚ ସୁଦ୍ଧା ପଙ୍କୋଦ୍ଧାର କାମ ‌ଶେଷ ହେବ। ପଙ୍କ‌ ସଫେଇ ସହ ସମସ୍ତ ନାଳରୁ ଭାସମାନ ଅଳିଆକୁ ଉଠାଯିବ। ସହରର ପରିମଳ ଦାଇତ୍ୱ ୩ଟି ଘରୋଇ ସଂସ୍ଥା ନେବା ପରେ ପୌର ନିଗମ ପକ୍ଷରୁ ଏପରି କିଛି ଘୋଷଣା ହୋଇଥିଲା। ମାତ୍ର ମାର୍ଚ୍ଚ ଯାଇ ଏପ୍ରିଲ ଆସିଥିଲେ ବି ସହରର୍ ଡ୍ରେନରୁ ୩୦ ପ୍ରତିଶତ ପଙ୍କ ସଫେଇ କାମ ହୋଇ ପାରିଲା ନାହିଁ। ଘରୋଇ ସଂସ୍ଥାଙ୍କ ନିକଟରେ ଡ୍ରେନ୍‌ ସଫେଇ ପାଇଁ ଆବଶ୍ୟକ ଥିବା ମେସିନ୍‌ ନଥିବାରୁ ସଫେଇ କାମ ହୋଇ ପାରୁ ନଥିବା ନିଗମ ପକ୍ଷରୁ ସଫେଇ ଦିଆଯାଇଛି। ପରିମଳ ଟେଣ୍ଡର୍‌ର ‘ସ୍କୋପ୍‌ ଅଫ୍‌ ୱାର୍କ’ରେ ପଙ୍କ ସଫେଇ କାମ ଥିବା ବେଳେ ଘରୋଇ ସଂସ୍ଥାମାନେ ଏହାକୁ ପାଳନ କରୁ ନଥିବା ଅଭିଯୋଗ ହୋଇଛି। ଏପରି ସ୍ଥିତିରେ ଘରୋଇ ସଂସ୍ଥାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ସେମାନଙ୍କ ସପକ୍ଷରେ ନିଗମ ଅଧିକାରୀ ଯୁକ୍ତି ବାଡ଼ିବାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ଘରୋଇ ସଂସ୍ଥାଙ୍କ ସଫେଇକୁ ଦେଖିଲେ ଏଥର କଟକ ସହର ବ‌ର୍ଷାପାଣିରେ ଉବୁଟୁବୁ ହେବାର ଆଶଙ୍କା ଦେଖା ଦେଇଛି।
ସହରର ପରିମଳ ଦାଇତ୍ୱ ଗତବର୍ଷ ଅକ୍ଟୋବରରୁ ୩ଟି ଘରୋଇ ସଂସ୍ଥା; ମଞ୍ଜୁଶ୍ରୀ, ଜାଗୃତି ଓ ପ୍ରତ୍ୟୁଷ ହାତକୁ ଯିବାପରେ କଟକିଆଙ୍କ ଜଳବନ୍ଦି ସମସ୍ୟା ଦୂର ହେବ ବୋଲି ଆଶା କରାଯାଇଥିଲା। ମାତ୍ର ଘରୋଇ ସଂସ୍ଥାଗୁଡିକର ପଙ୍କ ସଫେଇ କାମକୁ ଦେଖିଲେ ଏହାର ବାସ୍ତବତା ଉପରେ ପ୍ରଶ୍ନ ଉଠିଛି। ପୌର ନିଗମର ୫୯ଟି ୱାର୍ଡର ସଫେଇ ସହ ସମସ୍ତ ଡ୍ରେନ୍‌ରୁ ପଙ୍କ ଉଦ୍ଧାର କାମ କରିବାକୁ ଘରୋଇ ସଂସ୍ଥାକୁ କୁହାଯାଇଥିଲା। ଏଥିରେ ସହର ମଧ୍ୟ ଦେଇ ଯାଇଥିବା ୧୮ କିଲୋମିଟର ଏମ୍‌ଏସ୍‌ଡବ୍ଲୁସି ୧ ଓ ୨ ଡ୍ରେନ୍‌କୁ ଛାଡ଼ିଲେ ବାକି ୨୯ କିଲୋମିଟର ବିଏସ୍‌ଡବ୍ଲୁସି ଡ୍ରେନ, ୧୩୦ କିଲୋମିଟର ମେଜର୍‌ ସର୍ଫେସ୍‌ ଡ୍ରେନ୍‌ ଓ ୫୨୦ କିଲୋମିଟର ସର୍ଫେସ ଡ୍ରେନ୍‌ର ସଫେଇ ଦାୟିତ୍ବ ତିନିଟି ସଂସ୍ଥାକୁ ଦିଆଯାଇଛି। ୩ଟି ଘରୋଇ ସଂସ୍ଥା ଡ୍ରେନ୍‌ ସଫେଇ ପାଇଁ ସେମାନଙ୍କ ମେସିନ୍‌ ଓ ଲୋକ ଲଗାଇବାକୁ ପରିମଳ ଟେଣ୍ଡର୍‌ର ‘ସ୍କୋପ୍‌ ଅଫ୍‌ ୱାର୍କ’ରେ ଥିଲା। ଅକ୍ଟୋବରରୁ ମାର୍ଚ୍ଚ, ୬ମାସ ମଧ୍ୟରେ ସହରର ସମସ୍ତ ଡ୍ରେନ୍‌ ସଫା କରିବାକୁ କୁହାଯାଇଥିଲା। ମାତ୍ର ଏହା ମଧ୍ୟରେ ମାର୍ଚ୍ଚ ‌ଶେ​ଷ ହୋଇ ସାରିଥିବା ବେଳେ ସହରର ୩୦ ପ୍ରତିଶତ ଡ୍ରେନ୍‌ ସ‌ଫେଇ ହୋଇ ନାହିଁ। ସେପଟେ ୨୯ କିଲୋମିଟର ବିଏସ୍‌ଡବ୍ଲୁସି ଡ୍ରେନ୍‌ରେ ସଫେଇ କାମ ଏବେ ସୁଦ୍ଧା ଆରମ୍ଭ ହୋଇ ନାହିଁ। ଡ୍ରେନ୍‌ ସଫେଇ ପାଇଁ ଆବଶ୍ୟକ ଥିବା ମେସିନ୍‌ ଉକ୍ତ ସଂସ୍ଥାଗୁଡିକ ନିକଟରେ ନଥିବାରୁ ସଫେଇ କାମ ହୋଇପାରୁ ନଥିବା ନିଗମ ଡେପୁଟି କମିସନର୍‌ (ସାନିଟେସେନ୍‌) ସଂଜୀବିତା ରାୟ କହିଛନ୍ତି। ଯଦି ସଂସ୍ଥା ଡ୍ରେନ୍‌ ସଫେଇରେ ବିଳମ୍ବ କରନ୍ତି ତେବେ ଏହାକୁ ନିଗମ ପକ୍ଷରୁ କରାଯିବ ବୋଲି ଡେପୁଟି କମିସନର୍‌ କହିଛନ୍ତି। ତେବେ ପରିମଳ ଟେଣ୍ଡର୍‌ରେ ଭାଗ ନେବା ପୂର୍ବରୁ ଘରୋଇ ସଂସ୍ଥା ‘ସ୍କୋପ୍‌ ଅଫ୍‌ ୱାର୍କ’ରେ ଅବଗତ ନଥିଲେ କି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି।

Share Now:

Kalinga News Beuro

Next Post

ରୁଷ ହାତରେ ୟୁକ୍ରେନର ଯୁଦ୍ଧଯୋଜନା : ଅନଲାଇନରେ ଲିକ୍ ହେଲା ନାଟୋର ଗୋପନ ରିପୋର୍ଟ

Fri Apr 7 , 2023
ନ୍ୟୁୟର୍କ : ରୁଷ୍ ଉପରେ ଆକ୍ରମଣ କରିବା ନିମନ୍ତେ ୟୁକ୍ରେନର ପ୍ରତିରକ୍ଷା ବାହିନୀକୁ ସୁଦୃଢ଼ କରିବା ପାଇଁ ଆମେରିକା ଏବଂ ନାଟୋ ପକ୍ଷରୁ ପ୍ରସ୍ତୁତ ଗୁପ୍ତ ସାମରିକ ଯୋଜନା ଥିବା ଅନେକ ଗୋପନୀୟ ଦସ୍ତାବିଜ ଅନଲାଇନରେ ଲିକ୍ ହୋଇଯାଇଛି। ନ୍ୟୁୟର୍କ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ, ଏସବୁ ଦସ୍ତାବିଜ ଏବେ ଟ୍ୱିଟର ଏବଂ ଟେଲିଗ୍ରାମରେ ଘୁରିବୁଲୁଛି। ଏପରି ସୁରକ୍ଷା ଉଲ୍ଲଙ୍ଘନକୁ ନେଇ ବାଇଡେନ ପ୍ରଶାସନ ଚିନ୍ତା ପ୍ରକଟ କରିବା ସହ […]
ରୁଷ ହାତରେ ୟୁକ୍ରେନର ଯୁଦ୍ଧଯୋଜନା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial