ଜାଗା ମିସନ୍‌ ହୋର୍ଡିଂ କେଳେଙ୍କାରୀ ପ୍ରସଙ୍ଗ: ଏସ୍‌ଡିଏ ମୁଣ୍ଡରେ ଅଠା ବୋଳି ଖସିବେ

ଜାଗା ମିସନ୍‌ ହୋର୍ଡିଂ କେଳେଙ୍କାରୀ ପ୍ରସଙ୍ଗ

ଭୁବନେଶ୍ୱର: ବିଏମ୍‌ସି ତଣ୍ଟିରେ ଲାଗିଥିବା ଜାଗା ମିସନ ହୋର୍ଡିଂରେ ୨ କୋଟି ଟଙ୍କାର କେ‌ଳେଙ୍କାରୀ କଣ୍ଟା ସଫା କରିବାକୁ ସୁଚିନ୍ତିତ ଯୋଜନା ହୋଇଛି। ଦୀର୍ଘ ଦୁଇ ବର୍ଷ ପରେ ସିଟି ଇଞ୍ଜିନିୟର ଅରୁଣ ନାୟକ ନିଜ ମୁଣ୍ଡରୁ ଏହି କେଳେଙ୍କାରୀ ହଟାଇବା ପାଇଁ ନୂଆ ବୁଦ୍ଧି ପାଞ୍ଚିଛନ୍ତି। ଏସ୍‌ଡିଏ (ବସ୍ତିବାସିନ୍ଦା ସଂଘ)ମାନଙ୍କ ଉପରେ ଚାପ ପକାଇ ସେମାନଙ୍କ ଠାରୁ ସ୍ୱତନ୍ତ୍ର ଫର୍ମରେ ସ୍ୱିକାରୋକ୍ତି ଗ୍ରହଣ ନେଉଛନ୍ତି। ଫର୍ମରେ ଲେଖା ହୋଇଛି ‘ନିବେଦନର ଅଭିପ୍ରାୟ ଏହିକି ଯେ, ମୁଁ ଏସ୍‌ଡିଏର ସଭାପତି ଅଟେ। ସମ୍ପୃକ୍ତ ୱାର୍ଡରେ ଜାଗା ମିସନର ହୋର୍ଡିଂ ଲଗାଇବା ପାଇଁ ଆମେ ୱାର୍କ ଅର୍ଡର ପଠାଇଥିଲୁ। ଯାହାର ମୂଲ୍ୟ ହେଉଛି ୬୩ ହଜାର ୩୪୧ ଟଙ୍କା। ଆମ ପାଖରେ କୌଣସି ବୈଷୟିକ ଜ୍ଞାନ କୌଶଳ ନ ଥିବା ହେତୁ ଆମେ ଏହି ହୋର୍ଡିଂ ଲଗାଇ ପାରିଲୁ ନାହିଁ। ଏଣୁ ହିନ୍ଦୁସ୍ଥାନ ଆଡ୍‌ଭର୍ଟାଇଜିଂ ଏଜେନ୍‌ସି ଦ୍ୱାର ଏହି ହୋର୍ଡିଂ ଲଗାଇଥିଲୁ। ଏହି ଅର୍ଥ ଏସ୍‌ଡିଏ ନାମରେ ପ୍ରଦାନ କଲେ ଆମେ ଉପକୃତ ହେବୁ। ଭବିଷ୍ୟତରେ ଏହାକୁ ନେଇ ଆମର କୌଣସି ଅଭିଯୋଗ ରହିବ ନାହିଁ।’ ଏଭଳି ଏକ ସତ୍ୟପାଠରେ ଦସ୍ତଖତ କରିବାକୁ ଇଞ୍ଜିନିୟର ଚାପ ପକାଇଛନ୍ତି। କମିସନ ବାବଦକୁ ଅର୍ଥ ମିଳିବାକୁ ଥିବାରୁ ୧୨ରୁ ୧୩ ଏସ୍‌ଡିଏ ସଭାପତି ଦସ୍ତଖତ କରି ସାରିଛନ୍ତି। ଅନ୍ୟମାନେ ବି ପ୍ରସ୍ତୁତ ହେଉଛନ୍ତି। ୨ ବର୍ଷ ଧରି ଘାଣ୍ଟି ହେବା ପରେ ବିଏମ୍‌ସି ଏହି କେଳେଙ୍କାରୀରୁ ମୁକୁଳିବାକୁ ପଥ ପରିଷ୍କାର କରିଛି।
ଦୀର୍ଘ ତିନିବର୍ଷ କାଳ ବିଏମ୍‌ସିରେ ନିର୍ବାଚିତ ପ୍ରତିନିଧି ନଥିଲେ। ଏହି ସମୟରେ ଅଧିକାରୀମାନଙ୍କର ରାଜ୍‌ ଚାଲିଥିଲା। ଅଧିକାରୀମାନେ ନିଜ ନିଜ କ୍ଷମତାର ଅପବ୍ୟବହାର କରି ନିଜ ସ୍ୱାର୍ଥ ସାଧନ କରୁଥିଲେ, ପକେଟ୍‌ ଗରମ କରୁଥିଲେ। ସବୁଠାରୁ ବେଶି କେଳେଙ୍କାରୀ ହୋଇଥିଲା ଇଞ୍ଜିନିୟରିଂ ସେକ୍ସନରେ। ସିଟି ଇଞ୍ଜିନିୟର ଅରୁଣ ନାୟକ ଜାଗା ମିସନ୍‌ ହୋର୍ଡିଂ ଲଗାଇବାକୁ ବିନା ଟେଣ୍ଡରରେ ନିଜ ଲୋକଙ୍କୁ ଡାକି ହୋର୍ଡିଂ ଲଗାଇଥିଲେ। ପଞ୍ଚାୟତ ନିର୍ବାଚନ ପୂର୍ବରୁ ଅର୍ଥାତ୍‌ ୨୦୨୧ ନଭେମ୍ବର ମାସରେ ସହରରେ ଥିବା ୪୩୬ ବସ୍ତିରେ ଜାଗା ମିସନ ହୋର୍ଡିଂ ଲଗାଇବାକୁ ନିର୍ଦ୍ଦେଶ ଦେଇଥିଲେ। ପାଖାପାଖି ୪୫୦ ହୋର୍ଡିଂ ଯୁଦ୍ଧକାଳୀନ ଭିତ୍ତିରେ ସଂସ୍ଥାମାନେ ଲଗାଇ ଖର୍ଚ୍ଚ ବାବଦକୁ ହୋର୍ଡିଂ ପିଛା ୬୩ ହଜାର ଦେଖାଇ ୨ କୋଟିରୁ ଊର୍ଦ୍ଧ୍ବ ବିଲ୍‌ ଉପସ୍ଥାପନ କରିଥିଲେ। କିନ୍ତୁ ଏସ୍‌ଡିଏମା‌ନଙ୍କ ଜରିଆରେ ଏହି ହୋର୍ଡିଂ ଲଗାଇବା ନିୟମ ଥିବା କେତେକ ଏସ୍‌ଡିଏଙ୍କ କାନରେ ପଡ଼ି ଯିବାରୁ ବିରୋଧ ହୋଇଥିଲା। ଏଣୁ ଦୁଇ କୋଟିର ବିଲ୍‌ପାସ୍‌ ହୋଇ ପାରିନଥିଲା। ଲକ୍ଷ ଲକ୍ଷ ଟଙ୍କାର ପିସି ହାତେଇବାକୁ ଇଞ୍ଜିନିୟର ଯେଉଁ ଯୋଜନା କରିଥିଲେ ତାହା ଫସର ଫାଟିଥିଲା। ଏପରିକି ବିଲ୍‌ ପାସ୍‌ ହେବା ପୂର୍ବରୁ ଯେଉଁ ପିସି ଇଞ୍ଜିନିୟର ନେଇଥିଲେ ତାହା ଫେରାଇବାକୁ ବାଧ୍ୟ ହୋଇଥିବା ଚର୍ଚ୍ଚା ହୋଇଥିଲା। ସେବେଠାରୁ ଏହି ବିଲ୍‌ ଆଉ ପାସ୍‌ ହୋଇ ପାରିନଥିଲା। ଏହା ପରେ ନିର୍ବାଚିତ ଜନପ୍ରତିନିଧିମାନେ ବିଏମ୍‌ସିକୁ ଆସିଥିଲେ। ପ୍ରଥମେ ପ୍ରଥମେ ମେୟର ଓ କେତେକ କର୍ପୋରେଟର ଏହି ବିଲ୍‌ ପାସ୍‌ କରିବାକୁ ବିରୋଧ କରୁଥିବା ବେଳେ ପରେ ନିରବ ହୋଇ ଯାଇଥିଲେ।
ଏବେ ପୁଣି ଥରେ ଜାଗା ମିସନ୍‌ର ପ୍ରଚାର ପ୍ରସାର କରିବା ପାଇଁ ବିଏମ୍‌ସି ସହର ସାରା ୭୦୭ଟି ହୋର୍ଡିଂ ଲଗାଇବାକୁ ଯାଉଛି। ପୂର୍ବରୁ ବୁଦ୍ଧି ଶିଖିଥିବାରୁ ଏଥର ‌ଟେଣ୍ଡର କରିଛି। ସେଥିରେ ପ୍ରାୟ ୩କୋଟି ୫୩ ଲକ୍ଷ ଖର୍ଚ୍ଚ ହେବାକୁ ଯାଉଛି। ଏହି ଖର୍ଚ୍ଚରେ କେଳେଙ୍କାରୀ ହୋଇଥିବା ପୁରୁଣା ଜାଗା ମିସନ ହୋର୍ଡିଂର ବିଲ୍‌ ଆଡ୍‌ଜଷ୍ଟ କରିବାକୁ ଯୋଜନା ହୋଇଥିଲା। କିନ୍ତୁ ୨କୋଟି ଟଙ୍କା ପରିମାଣ ଅଧିକ ହୋଇ ଯାଉଥିବାରୁ ଏହାକୁ ଆଡ୍‌ଜଷ୍ଟ କରିବା ସମ୍ଭବ ହୋଇନଥିଲା। ଏଣେ ଦୁଇ ବର୍ଷ ପରେ ବିଲ୍‌ ହୋଇଥିବା କାରଣ ଅଡିଟ୍‌କୁ ସ୍ପଷ୍ଟ କରିବା ସମସ୍ୟା ହେବା ଆଶଙ୍କା କରି ଇଞ୍ଜିନିୟର ମାନସମନ୍ଥନ କରିଥିଲେ। ଶେଷରେ ଏସ୍‌ଡିଏଙ୍କୁ ବ୍ଲାକ୍‌ମେଲ୍‌ କରିବା ଯୋଜନା କରିଥିଲେ। ପୂର୍ବରୁ ଜାଗା ମିସନ୍‌ ସର୍ଭେ ସମୟରେ କେତେକ ଏସ୍‌ଡିଏ ହସ୍ତକ୍ଷେପ କରି ଯୋଗ୍ୟ ହିତାଧିକାରୀଙ୍କୁ ତାଲିକାରୁ କାଟି ଅଯୋଗ୍ୟଙ୍କୁ ଯୋଡ଼ି ଦେଇଥିଲା। ଏଭଳ କେତେକ ଏସ୍‌ଡିଏଙ୍କ ତାଲିକା ତିଆରି କରି କାର୍ଯ୍ୟାନୁଷ୍ଠାନ ନେବାକୁ ଯୋଜନା କରିଥିଲା। କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା। କେବଳ ଭୟ ଦେଖାଇ ରଖିଥିଲା। ହୋର୍ଡିଂ କେଳେଙ୍କାରୀରୁ ବର୍ତ୍ତିବାକୁ ଏହାକୁ ଅସ୍ତ୍ର ଭାବରେ ବ୍ୟବହାର କରିଥିଲା। ଏବେ ଦୁଇ କୋଟିର କେଳେଙ୍କାରୀ ବାଏଁ ବାଏଁ ଉଡ଼ାଇ ଦେବାକୁ ବାବୁମାନେ ସଫଳ ହୋଇଛନ୍ତି। ନା ମେୟର ସୁଲୋଚନା ଦାସ ମୁହଁ ଖୋଲିଛନ୍ତି ନା ୬୭ କର୍ପୋରେଟର ପ୍ରତିବାଦ କରିଛନ୍ତି। କମିସନର ବିଜୟ ଅମୃତା କୁଲାଙ୍ଗେ ବି ଇଞ୍ଜିନିୟରଙ୍କ ସମର୍ଥନରେ ଅଛନ୍ତି। ତେବେ ଜଣେ ଅଧିକାରୀ କହିଛନ୍ତି, ବିଏମ୍‌ସି ଚାପ ପକାଇ ନାହିଁ, ବରଂ ଏସ୍‌ଡିଏମାନେ ନିଜ ଇଚ୍ଛାରେ ହିନ୍ଦୁସ୍ତାନ ଆଡ୍‌ଭର୍ଟାଇଜିଂ ଏଜେନ୍‌ସିକୁ ଠିକା ଦେଇଥିବା ସ୍ୱିକାରୋକ୍ତି ପ୍ରଦାନ କରୁଛନ୍ତି। କିନ୍ତୁ ଦୁଇ ବର୍ଷ ପରେ ସେମାନେ କାହିଁକି ସ୍ୱିକାରୋକ୍ତି ପ୍ରଦାନ କଲେ ତାହା କାରଣ କହିବାକୁ ସମ୍ପୃକ୍ତ ଅଫିସର ଜଣଙ୍କ ଚାହି ନାହାନ୍ତି।

Share Now:

Kalinga News Beuro

Next Post

ସବୁଜିମା ହେବ ଶିଖରଚଣ୍ଡୀ : ଗଛ କାଟିଥିଲେ, ପୋତିଲେ ୨୭ ପ୍ରଜାତିର ୩୪୦୦ ଗଛ

Mon Sep 18 , 2023
ଚନ୍ଦ୍ରଶେଖରପୁର: ପାନୀୟ ଜଳ ସଂରକ୍ଷଣ ପ୍ରକଳ୍ପ କରିବାକୁ ଶିଖରଚଣ୍ଡୀ ପାହାଡ଼ରୁ ଗଛ କାଟି ପଦା କରିଦେଲେ। ୮ ଏକର ଜମିରୁ ସମସ୍ତ ପ୍ରଜାତିର ଔଷଧୀୟ ବୃକ୍ଷ ଜାଳିଦେଲେ। ସହର ଭିତରେ ଥିବା ଏହି ପାହାଡ଼ରୁ ଗଛ କଟାଯିବାକୁ ନେଇ ଅଞ୍ଚଳବାସୀ ସ୍ବର ଉଠାଇବା ସହ ନ୍ୟାସନାଲ ଗ୍ରିନ୍‌ ଟ୍ରିବ୍ୟୁନାଲ୍‌(ଏନ୍‌ଜିଟି)ରେ ମାମଲା ପରେ ରାଜ୍ୟ ସରକାରଙ୍କ ଚେତା ପଶିଛି। ଯେତିକି ଅଞ୍ଚଳ ଗଛ କାଟିଥିଲେ ସେତିକି ଅଞ୍ଚଳକୁ ପୁଣିଥରେ ବନୀକରଣ କରିବା […]
ସବୁଜିମା ହେବ ଶିଖରଚଣ୍ଡୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial