ସବୁଜିମା ହେବ ଶିଖରଚଣ୍ଡୀ : ଗଛ କାଟିଥିଲେ, ପୋତିଲେ ୨୭ ପ୍ରଜାତିର ୩୪୦୦ ଗଛ

ସବୁଜିମା ହେବ ଶିଖରଚଣ୍ଡୀ

ଚନ୍ଦ୍ରଶେଖରପୁର: ପାନୀୟ ଜଳ ସଂରକ୍ଷଣ ପ୍ରକଳ୍ପ କରିବାକୁ ଶିଖରଚଣ୍ଡୀ ପାହାଡ଼ରୁ ଗଛ କାଟି ପଦା କରିଦେଲେ। ୮ ଏକର ଜମିରୁ ସମସ୍ତ ପ୍ରଜାତିର ଔଷଧୀୟ ବୃକ୍ଷ ଜାଳିଦେଲେ। ସହର ଭିତରେ ଥିବା ଏହି ପାହାଡ଼ରୁ ଗଛ କଟାଯିବାକୁ ନେଇ ଅଞ୍ଚଳବାସୀ ସ୍ବର ଉଠାଇବା ସହ ନ୍ୟାସନାଲ ଗ୍ରିନ୍‌ ଟ୍ରିବ୍ୟୁନାଲ୍‌(ଏନ୍‌ଜିଟି)ରେ ମାମଲା ପରେ ରାଜ୍ୟ ସରକାରଙ୍କ ଚେତା ପଶିଛି। ଯେତିକି ଅଞ୍ଚଳ ଗଛ କାଟିଥିଲେ ସେତିକି ଅଞ୍ଚଳକୁ ପୁଣିଥରେ ବନୀକରଣ କରିବା ଦିଗରେ ପଦକ୍ଷେପ ନେଇଛନ୍ତି। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ), ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଓ ଓଡ଼ିଶା ବନ ଉନ୍ନୟନ ନିଗମ(ଓଏଫ୍‌ଡିସି) ମିଳିତ ଉଦ୍ୟମରେ ‘ସବୁଜ ପାହାଡ଼’ ଅଭିଯାନରେ ଶିଖରଚଣ୍ଡୀ ପା‌ହାଡ଼କୁ ସବୁଜିମା କରାଯାଇଛି। ଏହିକ୍ରମରେ ଆଜି ଭୁବନେଶ୍ୱର ୩ ହଜାରରୁ ଅଧିକ ଲୋକଙ୍କୁ ସାମିଲ କରି ଏକ ବିଶାଳ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଛି। ୫ ଏକର ପରିମିତ ଅଞ୍ଚଳରେ ୩୪୦୦ରୁ ଅଧିକ ବୃକ୍ଷ ଲାଗିଛି। ଯେଉଁଥିରେ ୨ ହଜାର ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ସମେତ ଶତାଧିକ ବରିଷ୍ଠ ନାଗରିକ, ଆବାସିକ ସଂଘ, ଆଇଟି କମ୍ପାନି ପ୍ରତିନିଧି, ସ୍ୱୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି), ବଜାର କମିଟି, ଧର୍ମାନୁଷ୍ଠାନ ସଂଘ, ସ୍ୱେଚ୍ଛାସେବୀ ସଙ୍ଗଠନ, ରାଜନୈତିକ ବ୍ୟକ୍ତିବିଶେଷ ସାମିଲ ହୋଇ ବୃକ୍ଷରୋପଣ କରିଥିଲେ।
ଶିଖରଚଣ୍ଡୀ ପାହାଡ଼ର ବିକାଶ ଦିଗରେ ବିଡିଏ ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଛି। ୫୪ ଏକର ପରିମିତ ଅଞ୍ଚଳରେ ବିକାଶ କରାଯିବ, ଯେଉଁଥିରେ ମୁଖ୍ୟ ମନ୍ଦିର ସମେତ ପାହାଡ଼କୁ ୪ଟି ଜୋନ୍‌ରେ ବିଭକ୍ତ କରାଯାଇ ତାହାର ବିକାଶ କରିବାକୁ ନିଷ୍ପତ୍ତି ନିଆଯାଇଛି। ବିଡିଏ ଉପାଧ୍ୟକ୍ଷ ବଲବନ୍ତ ସିଂ କହିଛନ୍ତି ଯେ ଏହି ବନୀକରଣ ମାଧ୍ୟମରେ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷଙ୍କୁ ସାମିଲ କରିବାକୁ ଉଦ୍ୟମ ହୋଇଛି। ଏହାକୁ ଏକ ଅନନ୍ୟ ପର୍ଯ୍ୟଟନସ୍ଥଳୀରେ ପରିଣତ କରାଯିବ। ସର୍ବସାଧାରଣଙ୍କ ପାଇଁ ପାର୍କିଂ, କମ୍ୟୁନିଟି ସେଣ୍ଟର, ପିଲାଙ୍କ ଖେଳିବା ଅଞ୍ଚଳ, ରିକ୍ରିଏସନାଲ ସେଣ୍ଟର, ଟ୍ରେକିଂ ରୁଟ୍‌, ଭିୟୁ ପଏଣ୍ଟ, ବ୍ୟାଟେରି ଚାଳିତ ଗାଡ଼ି, ପ୍ରସାଦ ଦୋକାନ ଆଦି ବ୍ୟବସ୍ଥା ହେବ। ଏ ବାବଦରେ ୩୦ କୋଟି ଟଙ୍କା ଖର୍ଚ୍ଚ ହେବ। ଚଳିତ ମାସ ଶେଷ ସୁଦ୍ଧା ପାହାଡ଼ ଉପର ଓ ଚାରିପାଖରେ ୧୮ ହଜାର ଗଛ ଲଗାଇବାକୁ ସ୍ଥିର ହୋଇଛି। ଏଥିପାଇଁ ୩.୫୧ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ୫ବର୍ଷ ପାଇଁ ଓଏଫ୍‌ଡିସି ଏହି ଗଛଗୁଡ଼ିକର ରକ୍ଷଣାବେକ୍ଷଣ କରିବ। ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ଜଟଣୀ ବିଧାୟକ ସୁ‌ରେଶ କୁମାର ରାଉତରାୟ, ମେୟର ସୁଲୋଚନା ଦାସ, ଓଏଫ୍‌ଡିସି ପରିଚାଳନା ନିର୍ଦ୍ଦେଶକ ସୁରେଶ ପନ୍ଥ, ଭୁବନେଶ୍ୱର ସର୍କଲର ଆରସିସିଏଫ୍‌ ସଞ୍ଜୟ କୁମାର, ବିଏମ୍‌ସି କମିସନର ବିଜୟ ଅମୃତା କୁଲାଙ୍ଗେ, ଅତିରିକ୍ତ କମିସନର ସୂର୍ଯ୍ୟବଂଶୀ ମୟୂର ବିକାଶ, ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଡିସିପି ପ୍ରତୀକ୍‌ ସିଂହ, ଜେଡ୍‌ଡିସି ପୁରନ୍ଦର ନନ୍ଦ, କର୍ପୋରେଟର ମିହିର କୁମାର ରାଉତ ପ୍ରମୁଖ ସାମିଲ ହୋଇଥିଲେ।

Share Now:

Kalinga News Beuro

Next Post

ବଣବୁଦାରେ ପୂର୍ଣ୍ଣ ବେତେଣ୍ଡା-ଆଣ୍ଠୁଆରି ମାଇନର ରାସ୍ତା

Mon Sep 18 , 2023
ବାଲିଅନ୍ତା ବଜାର: ପ୍ରତାପରୁଦ୍ରପୁର ପଞ୍ଚାୟତ ଦେଇ ଯାଇଥିବା ବେତେଣ୍ଡା-ଆଣ୍ଠୁଆରି ମାଇନର କେନାଲ ରାସ୍ତା ବଣବୁଦାରେ ଭର୍ତ୍ତି ହୋଇରହିଛି। ପ୍ରାଚୀ ସବ୍‌ଡିଭିଜନ ଅଧୀନରେ ଥିବା ଏହି ରାସ୍ତାର ନବୀକରଣ କରାଯାଉନଥିବାରୁ ସ୍ଥାନୀୟ ଲୋକେ ବହୁ ଯାତାୟାତ ପାଇଁ ବହୁ ସମସ୍ୟାରେ ପଡ଼ୁଛନ୍ତି। ଏବେ ରାସ୍ତାରେ ଖାଲଖମା ଯେତିକି ସମସ୍ୟା ବଢ଼ାଉଛି, ରାସ୍ତା ଉପରକୁ ମାଡ଼ିଆସିଥିବା ବଣବୁଦା ସେତିକି ବିପଦର କାରଣ ହୋଇଛି। ସ୍ଥାନୀୟ ଲୋକଙ୍କ କହିବା କଥା ପ୍ରତାପରୁଦ୍ରପୁର, ଜୟଦେବ ଓ […]
ବଣବୁଦାରେ ପୂର୍ଣ୍ଣ ବେତେଣ୍ଡା-ଆଣ୍ଠୁଆରି ମାଇନର ରାସ୍ତା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial