ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନ : ୩ ବିଧାୟକଙ୍କ ପାଇଁ ଅଗ୍ନିପରୀକ୍ଷା

୩ ବିଧାୟକ

ଭୁବନେଶ୍ୱର : ସକାଳ ନ ହେଉଣୁ ବିଧାୟକଙ୍କ ଘରେ ଲମ୍ବା ଲାଇନ୍। ବାୟୋଡାଟା ଧରି ଛିଡ଼ା ହେଉଛନ୍ତି ଶହ ଶହ ଆଶାୟୀ। କିଏ ସମର୍ଥକଙ୍କୁ ଧରି ଶକ୍ତି ପ୍ରଦର୍ଶନ କରୁଛନ୍ତି ତ ଆଉ କିଏ ପତ୍ନୀଙ୍କ ବାୟୋଡାଟା ଧରି ବିଧାୟକଙ୍କ ନିକଟରେ ପହଞ୍ଚି ଯାଉଛନ୍ତି। ପୂର୍ବତନ କର୍ପୋରେଟରଙ୍କ ସମେତ ନବାଗତ ଆଶାୟୀ ବି ଏହି ତାଲିକାରେ ଯୋଡ଼ି ହୋଇଛନ୍ତି। ବିଜେଡିରେ ଆଶାୟୀଙ୍କ ସଂଖ୍ୟା ସର୍ବାଧିକ ଥିବାରୁ ଭୁବନେଶ୍ୱରର ତିନି ବିଧାୟକଙ୍କ ପାଇଁ ପ୍ରାର୍ଥୀ ଚୟନ ଅଗ୍ନିପରୀକ୍ଷା ସଦୃଶ ହୋଇଛି। ବିଶେଷ କରି ୨୦ଟି ୱାର୍ଡରେ ଏପରି ବିବାଦୀୟ ସ୍ଥିତି ସୃଷ୍ଟି ହୋଇଛି ଯେ ସେଠାରେ ଟିକେଟ୍‌ ବାଣ୍ଟିବା କଷ୍ଟକର ବ୍ୟାପାର ହୋଇପଡ଼ିଛି। ପୁଣି ଠିକ୍ ଭାବେ ପ୍ରାର୍ଥୀ ଚୟନ ନ କଲେ ତୃଣମୂଳ ସ୍ତରରେ ସଂଗଠନ ବିଗିଡ଼ିଯିବାର ଆଶଙ୍କା ରହିଛି, ଯାହାର ପ୍ରଭାବ ୨୦୨୪ ସାଧାରଣ ନିର୍ବାଚନରେ ପଡ଼ିପାରେ। ଏଥିପାଇଁ ସେମାନେ ବେଶ୍‌ ସତର୍କତାର ସହ ଗୋଟିଚାଳନା କରୁଛନ୍ତି। ବିଏମ୍‌ସି ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ ନିଷ୍ପତ୍ତି ଆପାତତଃ ତିନି ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡା, ଅନନ୍ତ ନାରାୟଣ ଜେନା ଓ ସୁଶାନ୍ତ ରାଉତଙ୍କ ଉପରେ ଛାଡ଼ି ଦିଆଯାଇଛି। ତିନି ଜଣଙ୍କ ନାମ ସୁପାରିସ୍‌ କରିବାକୁ ସେମାନଙ୍କୁ ଦଳ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସେହି ତିନି ଜଣଙ୍କ ମଧ୍ୟରୁ ଜଣଙ୍କ ନାମରେ ମୋହର ମରାଯିବ। ଏ ପର୍ଯ୍ୟନ୍ତ ପ୍ରାୟ ୪୦ ୱାର୍ଡରେ କର୍ପୋରେଟର୍‌ ପ୍ରାର୍ଥୀ ଚୂଡ଼ାନ୍ତ ହୋଇଗଲାଣି। ଯେଉଁମାନଙ୍କ ନାମ ଚୂଡ଼ାନ୍ତ ହୋଇଛି, ସେମାନଙ୍କୁ ବ୍ୟକ୍ତିଗତ ଭାବେ ଜଣାଇ ଦିଆଯାଇଛି। କିନ୍ତୁ ସାର୍ବଜନୀନ ଭାବେ ତାହା ଘୋଷଣା ହୋଇ ନ ଥିବାରୁ ସେଠାରେ ମଧ୍ୟ ଆଶାୟୀଙ୍କ ଆଶା‌ ମରିନାହିଁ।
ଏମିତିକି ଟିକେଟ୍ ନ ପାଇଲେ ୱାର୍ଡରୁ ଅସନ୍ତୋଷ ନିଆଁ ବ୍ୟାପିବାର ଆଶଙ୍କା ଥିବା ଏବେଠାରୁ ଜଳଜଳ ହୋଇ ଦେଖାଦେଲାଣି। ଦୁଇ ଦିନ ତଳେ ଏକାମ୍ର ନିର୍ବାଚନମଣ୍ଡଳୀର ୪୪ ନମ୍ବର ୱାର୍ଡରେ ଦୁଇ ଗୋଷ୍ଠୀ ବିଜେଡି ପତାକା ଧରି ଶୋଭାଯାତ୍ରା କରିଥିଲେ। କଥା ଯାଇ ବିଧାୟକଙ୍କ ପାଖରେ ପହଞ୍ଚିଥିଲେ ବି ସମାଧାନର ବାଟ ବାହାରିପାରୁନାହିଁ। ସେହିପରି ୬୦, ୬୧, ୬୩ ଓ ୬୫ ନମ୍ବର ୱାର୍ଡରେ ଏକାଧିକ ‌ଯୋଗ୍ୟ ଆଶାୟୀ ଥିବାରୁ ସେଠାରେ ପ୍ରାର୍ଥୀ ଚୟନ ବିଳମ୍ବ ହେବାରେ ଲାଗିଛି। ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀର ୩୧ ନମ୍ବର ୱାର୍ଡ ଆଶାୟୀ ପ୍ରାର୍ଥୀ ଶକ୍ତି ପ୍ରଦର୍ଶନ କରି ବିଧାୟକଙ୍କ ଅଡ଼ୁଆ ବଢ଼ାଇ ଦେଇଛନ୍ତି। ଏଠାରେ ୩୫, ୩୬, ୪୨, ୪୩ ନମ୍ବର ୱାର୍ଡରେ ପ୍ରାର୍ଥୀ ଚୟନ ବି ସହଜ ହେଉନାହିଁ। ଭୁବନେଶ୍ୱର ଉତ୍ତରରେ ୩, ୫, ୧୦, ୧୪ ଓ ୧୫ ନମ୍ବର ୱାର୍ଡରେ ପ୍ରାର୍ଥୀ ଚୟନକୁ ନେଇ ସ୍ଥାନୀୟ ବିଧାୟକ ଅକଳରେ ପଡ଼ିଯାଇଛନ୍ତି। ଏହି ସବୁ ଅଞ୍ଚଳରେ ଏକାଧିକ ଗୋଷ୍ଠୀ ମୁହାଁମୁହିଁ ଅବସ୍ଥାକୁ ଆସିଯାଇଛନ୍ତି। ପ୍ରତିଦିନ ଗଳିକନ୍ଦିରେ ସଭା, ଭୋଜି କରି ସମର୍ଥକଙ୍କୁ ସେମାନେ ଏକଜୁଟ୍‌ କରୁଛନ୍ତି ଓ ବିଧାୟକଙ୍କ ଉପରେ ଚାପ ସୃଷ୍ଟି କରୁଛନ୍ତି। ଟିକେଟ୍‌ ନ ମିଳିଲେ ଦଳୀୟ ପ୍ରାର୍ଥୀଙ୍କୁ ନିର୍ବାଚନ ମଇଦାନରେ ବିରୋଧ କରାଯିବ ବୋଲି କିଛି ଜାଗାରେ ବିଦ୍ରୋହୀ ଆଶାୟୀ ପ୍ରାର୍ଥୀ ଖୋଲାଖୋଲି ଧମକ ଦେଲେଣି। ମିଳିଥିବା ସୂଚନା ଅନୁଯାୟୀ ୬୭ ୱାର୍ଡ ଲାଗି ତିନି ବିଧାୟକଙ୍କ ନିକଟରେ ଏବେ ସୁଦ୍ଧା ୬୦୦ରୁ ଅଧିକ ଆଶାୟୀଙ୍କ ବାୟୋଡାଟା ପହଞ୍ଚିଲାଣି। ଗୋଟିଏ ଗୋଟିଏ ୱାର୍ଡରୁ ୧୦ ଜଣ ଆଶାୟୀ ରହିଛନ୍ତି। ଏମିତି ବି କିଛି ୱାର୍ଡ ରହିଛି ଯେଉଁଠି ୨୫ ଜଣ ଆଶାୟୀ ବିଜେଡିରୁ ପ୍ରାର୍ଥୀ ହେବା ଲାଗି ଆବେଦନ କରିଛନ୍ତି। ହାତଗଣତି ୪ରୁ ୫ଟି ୱାର୍ଡକୁ ଛାଡ଼ି ଦେଲେ ଅନ୍ୟ ସବୁ ୱାର୍ଡରୁ ୫ରୁ ଅଧିକ ଆଶାୟୀ କର୍ପୋରେଟର ପ୍ରାର୍ଥୀ ଦୌଡ଼ରେ ସାମିଲ ହୋଇଛନ୍ତି। ବିଶେଷକରି ପ୍ରାର୍ଥୀ ହେବା ଲାଗି ଯୁବଗୋଷ୍ଠୀଙ୍କ ମଧ୍ୟରେ ଅଧିକ ଆଗ୍ରହ ଦେଖିବାକୁ ମିଳିଛି। ପଞ୍ଚାୟତ ନିର୍ବାଚନରେ ବିଜେଡିର ଏକପାଖିଆ ବିଜୟ ପରେ ଆଶାୟୀଙ୍କ ସଂଖ୍ୟା ଆହୁରି ବଢ଼ିଯାଇଛି। ଆଜି ସନ୍ଧ୍ୟା ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ମଧ୍ୟ ଭୁବନେଶ୍ବର ନିର୍ବାଚନମଣ୍ଡଳୀରେ ଥିବା ୱାର୍ଡଗୁଡ଼ିକ ଲାଗି ୨୨୦ରୁ ଅଧିକ ଆଶାୟୀ ବାୟୋଡାଟା ଦାଖଲ କରିଥିବା ବେଳେ ଉତ୍ତର ଭୁବନେଶ୍ବରର ୨୫ ୱାର୍ଡ ଲାଗି ୨୬୦ରୁ ଅଧିକ ଆବେଦନ ଆସିଛି। ଏକାମ୍ର ଭୁବନେଶ୍ୱରରେ ବି ସମାନ ଅବସ୍ଥା। ପାଖାପାଖି ୧୮୦ ଜଣ ଆଶାୟୀ ଆବେଦନପତ୍ର ଦାଖଲ କରିଥିବା ଜଣାପଡ଼ିଛି। ଟିକେଟ୍‌ ଦୌଡ଼ରେ ପୂର୍ବତନ କର୍ପୋରେଟରମାନେ ପଛରେ ପଡ଼ିନାହାନ୍ତି। ଯେଉଁମାନଙ୍କ ଟିକେଟ୍ କଟିବା ଏକପ୍ରକାର ଥୟ, ସେମାନେ ବି ନିଜ କିମ୍ବା ପରିବାର ସଦସ୍ୟଙ୍କ ବାୟୋଡାଟା ଧରି ବିଧାୟକଙ୍କ ନିକଟରେ ପହଞ୍ଚି ଯାଉଛନ୍ତି। କେହି କେହି ଭାଇ, ଭାଇନା କହି ବିଧାୟକଙ୍କ ପାଦ ତଳେ ପଡ଼ି ଆଶୀର୍ବାଦ ଭିକ୍ଷା କରୁଛନ୍ତି। ଭୁବନେଶ୍ୱର ମଧ୍ୟ ବିଧାୟକଙ୍କ ବାସଭବନରେ ସର୍ବାଧିକ ଭିଡ଼ ପରିଲକ୍ଷିତ ହେଉଛି। କିଛି ନେତା ଟିକେଟ୍‌ ପାଇବା ଲାଗି ଥାଟବାଟ ପଟୁଆଳ ଧରି ବିଧାୟକଙ୍କ ନିକଟରେ ପହଞ୍ଚି ଯାଉଛନ୍ତି। ୱାର୍ଡ ସଂରକ୍ଷଣରେ ଯେଉଁ ପୂର୍ବତନ କର୍ପୋରେଟରଙ୍କ ଟିକେଟ୍ କଟିଛି ସେମାନେ ଏବେ ଅନ୍ୟ ୱାର୍ଡ ଉପରେ ଆଖି ପକାଇଛନ୍ତି। ପୂର୍ବରୁ କର୍ପୋରେଟର ରହିଥିବା ୱାର୍ଡର ପାଖାପାଖି ୱାର୍ଡ ଲାଗି ସେମା‌ନେ ଆଗ୍ରହୀ ଥିବା ନେଇ ଆବେଦନପତ୍ରରେ ଉଲ୍ଲେଖ କରୁଛନ୍ତି। ପ୍ରାର୍ଥୀ ଚୟନ ପରେ ୱାର୍ଡର ପରିସ୍ଥିତି କିପରି ରହୁଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।

Share Now:

Kalinga News Beuro

Next Post

ଗତ ୨୪ ଘଣ୍ଟା ମଧ୍ୟରେ ୧୩୮ କରୋନା ପଜିଟିଭ ଚିହ୍ନଟ : ୩୩ ଜଣ ୧୮ ବର୍ଷରୁ କମ୍ ବର୍ଗର

Thu Mar 3 , 2022
ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୩୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୭୮ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୬୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୩୩ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି। ଆଜି ସମ୍ବଲପୁର ଜିଲ୍ଲାରୁ ସର୍ବାଧିକ ୩୧ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ […]
ଗତ ୨୪ ଘଣ୍ଟା ମଧ୍ୟରେ ୧୩୮ କରୋନା ପଜିଟିଭ ଚିହ୍ନଟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial