ଉମରକୋଟରେ ବିଜୁ ସେତୁ ଭୁଶୁଡ଼ିବା ଘଟଣା : କ୍ଷତିପୂରଣ ଦେବାକୁ ଜାତୀୟ ମାନବ ଅଧିକାର କମିସନଙ୍କ ନିର୍ଦ୍ଦେଶ

ଉମରକୋଟରେ ବିଜୁ ସେତୁ ଭୁଶୁଡ଼ିବା ଘଟଣା

ଭୁବନେଶ୍ବର: ଉମରକୋଟରେ ବିଜୁ ସେତୁ ଭୁଶୁଡ଼ିବା ଘଟଣାରେ ଜାତୀୟ ମାନବ ଅଧିକାର କମିସନ୍ କ୍ଷତିପୂରଣ ଦେବାକୁ ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୃତକଙ୍କ ପରିବାରକୁ ୫ ଲକ୍ଷ ଓ ଆହତଙ୍କୁ ଲକ୍ଷେ ଟଙ୍କା ଲେଖାଏଁ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ନବରଙ୍ଗପୁର ଜିଲ୍ଲା ଉମରକୋଟରେ ନିର୍ମାଣାଧୀନ ବିଜୁ ସେତୁ ଭୁଶୁଡ଼ିବା ଘଟଣାରେ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି ଜାତୀୟ ମାନବିକ ଅଧିକାର କମିସନ। ତେଣୁ ଏହି ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ଲାଗି କମିସନ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଏଥିରେ ଆହତ ହୋଇଥିବା ବ୍ୟକ୍ତିମାନଙ୍କୁ ଲକ୍ଷେ ଟଙ୍କା ଦେବାକୁ ମଧ୍ୟ କମିସନ କହିଛନ୍ତି। ସୂଚନାଯୋଗ୍ୟ, ୨୦୨୧ ମସିହା ଜାନୁଆରି ୧୦ ତାରିଖରେ ନାଗି ନଦୀର ଜାନିଗୁଡା-ତଳପଦର ରାସ୍ତାରେ ବିଜୁ ସେତୁ ଯୋଜନାରେ ହେଉଥିବା ବ୍ରିଜ୍ ଭୁଶୁଡ଼ି ମହେନ୍ଦ୍ର ମାଳି ନାମକ ଜଣେ ଶ୍ରମିକ ପ୍ରାଣ ହରାଇଥିଲେ। ଏଥିରେ ପ୍ରକାଶ କାଣ୍ଡି, ରମେଶ ଭୋଇ, ସନ୍ତୋଷ ଭୋଇ ଓ ଅନ୍ୟ ଆଠ ଜଣ ଆହତ ହୋଇଥିଲେ। ନିମ୍ନମାନର କାର୍ଯ୍ୟ ଯୋଗୁଁ ଏଭଳି ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେବା ଓ ଅନ୍ୟମାନେ ଆହତ ହୋଇଛନ୍ତି ବୋଲି ଦର୍ଶାଇ ମାନବିକ ଅଧିକାର କର୍ମୀ ତଥା ଆଇନଜୀବୀ ଶ୍ରୀ ଅଖଣ୍ଡ ନୂଆଦିଲ୍ଲୀସ୍ଥ ଜାତୀୟ ମାନବିକ ଅଧିକାର କମିସନଙ୍କ ନିକଟରେ ୧୧ ତାରିଖରେ ପିଟିସନ୍ ଦାୟର କରିଥିଲେ। ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଓ ଥଇଥାନ ଏବଂ ଆହତମାନଙ୍କୁ କ୍ଷତିପୂରଣ ଦେବା ସହ ଦୋଷୀ ଅଫିସରମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି ସେ ନିବେଦନ କରିଥିଲେ। କମିସନ ଏହି ଘଟଣାରେ ନବରଙ୍ଗପୁର ଜିଲ୍ଲାପାଳଙ୍କଠାରୁ ଦୁଇ ଥର ରିପୋର୍ଟ ମାଗିଥିଲେ। ସେହି ରିପୋର୍ଟରୁ ଜଣାପଡ଼ିଥିଲା ଯେ ଏହି ଘଟଣା ପାଇଁ ସରକାରୀ ଅଧିକାରୀମାନେ ଦାୟୀ। ଘଟଣା ପାଇଁ ଜଣେ ନିର୍ବାହୀ ଯନ୍ତ୍ରୀଙ୍କ ସମେତ ୩ଜଣଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିଲା।
ଏହି ଅବହେଳା ପାଇଁ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଏବଂ ଆହତମାନଙ୍କୁ ଲକ୍ଷେ ଟଙ୍କା କାହିଁକି ଦିଆନଯିବ ସେ ନେଇ ଜବାବ୍ ଦେବାକୁ କମିସନ ମୁଖ୍ୟ ଶାସନ ସଚିବଙ୍କୁ ଗତ ବର୍ଷ ଜୁନ୍ ୨୮ ତାରିଖରେ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ। କିନ୍ତୁ ମୁଖ୍ୟ ଶାସନ ସଚିବଙ୍କ ତରଫରୁ କୌଣସି ଉତ୍ତର ନ ମିଳିବାରୁ ପୁଣି ଅକ୍ଟୋବର ୧୭ ତାରିଖରେ ରିମାଇଣ୍ଡର୍ ଦିଆଯାଇଥିଲା। କିନ୍ତୁ ମୁଖ୍ୟ ଶାସନ ସଚିବ ଏଥର ବି କୌଣସି ଉତ୍ତର ରଖିନଥିଲେ। ଗତ ୧୧ ତାରିଖରେ ହୋଇଥିବା ଶୁଣାଣିରେ କମିସନ ଏହି କ୍ଷତିପୂରଣ ରାଶି ଦେବା ଲାଗି ଚୂଡ଼ାନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ଜୁନ୍ ୨ ତାରିଖ ସୁଦ୍ଧା ଏହି କ୍ଷତିପୂରଣ ରାଶି ପ୍ରଦାନ ହୋଇଥିବାର ପ୍ରମାଣ କମିଶନଙ୍କ ନିକଟରେ ଦାଖଲ କରିବାକୁ କୁହାଯାଇଛି। କମିସନଙ୍କ ନିର୍ଦ୍ଦେଶକୁ ମାନି ସରକାର କ୍ଷତିପୂରଣ ରାଶି ପ୍ରଦାନ କରିବା ସହ ଏହି ଘଟଣା ପାଇଁ ଦାୟୀ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେ ସରକାରଙ୍କ ନିକଟରେ ଦାବି କରିଛନ୍ତି।

Share Now:

Kalinga News Beuro

Next Post

ରାଜଧାନୀରେ ପୁଣି ଏକ ପିଏଚ୍‌ଡି ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

Sun Apr 16 , 2023
ଭୁବନେଶ୍ବର: କମିସନରେଟ ପୁଲିସର ଇନଫୋସିଟି ଥାନା ଅନ୍ତର୍ଗତ ନନ୍ଦନବିହାରସ୍ଥିତ ଏକ ଭଡ଼ାଘରୁ ଜଣେ ପିଏଚ୍‌ଡି ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ ଛାତ୍ରୀ ଜଣକ ହେଲେ ନୀତିକା ତିୱାରୀ। ସେ ଉତ୍ତରପ୍ରଦେଶ ନିବାସୀ ଅଟନ୍ତି। ପୁଲିସର ସୂଚନା ଅନୁସାରେ ନିତିକା ତିୱାରୀ ନନ୍ଦନବିହାରରେ ଏକ ଭଡ଼ାଘରେ ରହୁଥିଲେ। ସେ ଭୁବନେଶ୍ବରସ୍ଥିତ ଏକ ଘରୋଇ ବିଶ୍ବବିଦ୍ୟାଳୟରେ ପିଏଚ୍‌ଡି ପାଠ ପଢୁଥିଲେ। ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇ ପୁଲିସ ଶନିବାର ଭଡ଼ାଘରୁ […]
ଭଡ଼ାଘରୁ ପିଏଚ୍‌ଡି ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial