‘ସପ୍ତପଦୀ’ ଓ ଅନ୍ୟାନ୍ୟ ରୀତିନୀତି ବିନା ହିନ୍ଦୁ ବିବାହ ଅବୈଧ : ଆହ୍ଲାବାଦ ହାଇକୋର୍ଟ

‘ସାତପଦୀ’ ଓ ଅନ୍ୟାନ୍ୟ ରୀତିନୀତି ବିନା ହିନ୍ଦୁ ବିବାହ ଅବୈଧ

ପ୍ରୟାଗରାଜ: ‘ସପ୍ତପଦୀ’ ଓ ଅନ୍ୟାନ୍ୟ ରୀତିନୀତି ବିନା ହିନ୍ଦୁ ବିବାହ ବୈଧ ନୁହେଁ ବୋଲି ଏକ ବିବାହ ମାମଲାରେ ରାୟ ଦେବା ବେଳେ ଆହ୍ଲାବାଦ ହାଇକୋର୍ଟ କହିଛନ୍ତି। ଛାଡ଼ପତ୍ର ନ ଦେଇ ତାଙ୍କଠାରୁ ପୃଥକ୍‌ ରହୁଥିବା ସ୍ତ୍ରୀ ଅନ୍ୟତ୍ର ବିବାହ କରିଥିବା ଅଭିଯୋଗ କରି ଜଣେ ବ୍ୟକ୍ତି ଉପରୋକ୍ତ ମାମଲା ଦାଏର କରିଥିଲେ। ଅଦାଲତ ଏହି ମାମଲାକୁ ଖାରଜ କରିଛନ୍ତି। ସଂଗୃହୀତ ସୂଚନା ଅନୁସାରେ, ୨୦୧୭ରେ ଉତ୍ତର ପ୍ରଦେଶର ମିର୍ଜାପୁରରେ ସ୍ମୃତି ସିଂହ ଓ ସତ୍ୟମ୍‌ ସିଂହଙ୍କ ବିବାହ ହୋଇଥିଲା। କିନ୍ତୁ, ଉଭୟଙ୍କ ମଧ୍ୟରେ ସମ୍ପର୍କ ତିକ୍ତ ହେବାରୁ ସ୍ମୃତି ଶାଶୂଘର ଛାଡ଼ି ଚାଲିଯିବା ସହିତ ଯୌତୁକ ନିର୍ଯାତନା ଦିଆଯାଇଥିବା ଉଲ୍ଲେଖ କରି ‘ଏଫ୍‌ଆଇଆର୍‌’ ଦେଇଥିଲେ। ତଦନ୍ତ କରି ପୁଲିସ ସ୍ୱାମୀ ଓ ତାଙ୍କ ପରିବାର ଲୋକଙ୍କ ନାମରେ ମାମଲା ରୁଜୁ କରିଥିଲେ।
କିନ୍ତୁ, ସ୍ମୃତି ଅନ୍ୟଜଣକୁ ବିବାହ କରିଛନ୍ତି ବୋଲି ସତ୍ୟମ୍‌ ଉଚ୍ଚ ପୁଲିସ ଅଧିକାରୀଙ୍କ ନିକଟରେ ଆବେଦନ କରିଥିଲେ। ତାହା ମିଛ ବୋଲି ମିର୍ଜାପୁର ସଦର ପୁଲିସ ଅଧିକାରୀ ତଦନ୍ତ କରି ଜାଣିପାରିଲେ। ପରେ ମାମଲାର ସମାଧାନ କରି ୨୦୨୧ ଜାନୁଆରି ୧୧ରେ ମିର୍ଜାପୁର ପରିବାର ଅଦାଲତର ବିଚାରପତି ସ୍ମୃତି ଅନ୍ୟତ୍ର ବିବାହ କରିବା ପର୍ଯ୍ୟନ୍ତ ଭରଣ ପୋଷଣ ବାବଦରେ ତାଙ୍କୁ ମାସିକ ୪୦୦୦ ଟଙ୍କା ଦେବା ପାଇଁ ସତ୍ୟମ୍‌ଙ୍କୁ ଆଦେଶ ଦେଇଥିଲେ। କିନ୍ତୁ, ସ୍ମୃତି ପୁନର୍ବିବାହ କରିସାରିଛନ୍ତି ବୋଲି ସତ୍ୟମ୍‌ ଅଦାଲତରେ ଅଭିଯୋଗ ଫାଇଲ୍‌ କରିଥିଲେ। ଅଭିଯୋଗ ଆଧାରରେ ମାଜିଷ୍ଟ୍ରେଟ୍‌ ସ୍ମୃତିଙ୍କୁ ସମନ୍‌ ଜାରି କରିବା ପରେ ସେ ହାଇକୋର୍ଟରେ ପିଟିସନ୍‌ ଦାଏର କରିଥିଲେ। ସ୍ମୃତି ସିଂହ ଫାଇଲ୍‌ କରିଥିବା ପିଟିସନ୍‌ର ଶୁଣାଣି ପାଇଁ ଅନୁମତି ଦେଇ ସେପ୍ଟେମ୍ବର ୧୯ ତାରିଖ ଦିନ ବିଚାରପତି ସଞ୍ଜୟ କୁମାର ସିଂହ କହିଲେ, ବିବାହ ‘ସମ୍ପନ୍ନ’ ଅର୍ଥ ନିର୍ଦ୍ଧାରିତ ରୀତିନୀତିରେ ବିବାହ କରାଯିବା। ନିର୍ଦ୍ଧାରିତ ରୀତିନୀତି ଓ ପଦ୍ଧତିରେ ଅନୁଷ୍ଠିତ ବିବାହକୁ ‘ବିବାହ ସମ୍ପନ୍ନ’ ହୋଇଛି ବୋଲି କୁହାଯାଇ ପାରିବ ନାହିଁ। ବିବାହ ଯଦି ବୈଧ ବିବାହ ନୁହେଁ, ଆଇନ ଦୃଷ୍ଟିରେ ତାହା ବିବାହ ନୁହେଁ। ହିନ୍ଦୁ ରୀତି ଅନୁସାରେ, ବିବାହର ବୈଧ୍ୟତା ପାଇଁ ‘ସାତପଦୀ’ (ହୋମ ଅଗ୍ନି ଚାରିପଟେ ସାତ ଘେରା ବୁଲିବା) ହେଉଛି ଅତ୍ୟାବଶ୍ୟକ ରୀତିଗୁଡ଼ିକରୁ ଗୋଟିଏ। ଅଭିଯୋଗ ହୋଇଥିବା ସ୍ମୃତିଙ୍କ ଦ୍ଵିତୀୟ ବିବାହ ଅନୁଷ୍ଠାନରେ ଏ ସବୁ ହୋଇ ନାହିଁ ବୋଲି ଅଦାଲତ କହିଛନ୍ତି।

Share Now:

Kalinga News Beuro

Next Post

ଘର ଉପରକୁ ଦୁର୍ବୃତ୍ତଙ୍କ ବୋମାମାଡ଼

Thu Oct 5 , 2023
ବାଲିପାଟଣା: ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ବନମାଳୀପୁର ଫାଣ୍ଡି ଅଧୀନ ଖଇରିପୁର ଗ୍ରାମରେ ବୋମାମାଡ଼। ଗତକାଲି ବିଳମ୍ବିତ ରାତିରେ ଗ୍ରାମର ଭଗବାନ ଓଝାଙ୍କ ଘର ଉପରକୁ ଦୁର୍ବୃତ୍ତ। ଆତଙ୍କ ସୃଷ୍ଟି ଉଦ୍ଦେଶ୍ୟରେ ଦୁର୍ବୃତ୍ତମାନେ ଏଭଳି କାଣ୍ଡ ଭିଆଇଥିବାର ଅନୁମାନ କରାଯାଉଛି। ଦୁର୍ବୃତ୍ତମାନେ ବୋମାମାଡ଼ କରି ଫେରାର ହୋଇ ଯାଇଛନ୍ତି। ବୋମାମାଡ଼ରେ ଭଗବାନଙ୍କ ଘର କାନ୍ଥ ଓ ପାଣି ପାଇପ କ୍ଷତିଗ୍ରସ୍ତ ହୋଇଛି। କିଏ ଏବଂ କାହିଁକି ବୋମାମାଡ଼ କରିଛି ତାହା […]
ଘର ଉପରକୁ ଦୁର୍ବୃତ୍ତଙ୍କ ବୋମାମାଡ଼

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial