ନୂଆଦିଲ୍ଲୀ: ଭର୍ଚୁଆଲ୍ ଶୁଣାଣି ଜାରି ରଖିବାକୁ ଦେଶର ସମସ୍ତ ହାଇକୋର୍ଟକୁ ଅନୁରୋଧ କରି ସୁପ୍ରିମ୍ କୋର୍ଟ ଶୁକ୍ରବାର କହିଛନ୍ତି ଯେ ଭାରତର ପ୍ରତ୍ୟେକ ବିଚାରପତି ବୈଷୟିକ ଜ୍ଞାନକୌଶଳରେ ଦକ୍ଷ ହେବା ଆବଶ୍ୟକ। ପଞ୍ଜାବ ଓ ହରିୟାଣା ହାଇକୋର୍ଟ ଶୁଣାଣି ପାଇଁ ଭିଡିଓ କନଫରେନ୍ସିଂ ବ୍ୟବହାରକୁ ସମ୍ପୂର୍ଣ୍ଣ ରୂପେ ତ୍ୟାଗ କରିଛନ୍ତି ବୋଲି ଅଭିଯୋଗ କରି ଏକ ପିଟିସନର ଶୁଣାଣି କରି କୋର୍ଟ ଏହା କହିଛନ୍ତି। ଏହି ପ୍ରସଙ୍ଗରେ ପୂର୍ବ ଶୁଣାଣି ସମୟରେ ସୁପ୍ରିମକୋର୍ଟ ଦେଶର ସମସ୍ତ ହାଇକୋର୍ଟ ଓ ଟ୍ରିବ୍ୟୁନାଲକୁ ନୋଟିସ ଜାରି କରିଥିଲେ। ଏଥିସହ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ଆଜି ସ୍ପଷ୍ଟ କରି ଦେଇଛନ୍ତି ଯେ ଭର୍ଚୁଆଲ ଶୁଣାଣି ପାଇଁ କୌଣସି ହାଇକୋର୍ଟ ମନା କରିପାରିବେ ନାହିଁ।
ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ କହିଛନ୍ତି, ଜଣେ ବିଚାରପତି ବୈଷୟିକ ଜ୍ଞାନ କୌଶଳସମ୍ପନ୍ନ କି ନାହିଁ ତାହା ପ୍ରସଙ୍ଗ ନୁହେଁ। ଏହି ଦେଶରେ ବିଚାରପତି ହେବାକୁ ହେଲେ ଟେକ୍ନୋଲୋଜି ଅନୁକୂଳ ହେବା ଦରକାର। ନଚେତ୍ ଟେକ୍ନୋଲୋଜି ସହ ନିଜକୁ ପରିଚିତ କରାଇବା ପାଇଁ ପର୍ଯ୍ୟାପ୍ତ ପ୍ରଶିକ୍ଷଣ ସୁନିଶ୍ଚିତ କରିବାକୁ ପଡ଼ିବ। ସୁପ୍ରିମ୍କୋର୍ଟ ବିଚାରପତିଙ୍କ କ୍ଷେତ୍ରରେ ମଧ୍ୟ ଏହା ପ୍ରଜୁଜ୍ୟ। ବୈଷୟିକ ଜ୍ଞାନକୌଶଳ ଏକ ବିକଳ୍ପ ନୁହେଁ ବରଂ ଏକ ଜରୁରୀ ଉପକରଣ ବୋଲି କହି ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼ କହିଛନ୍ତି ଯେ ଏହି ବୈଷୟିକ ପରିବର୍ତ୍ତନକୁ ଗ୍ରହଣ କରିବା ପାଇଁ ଓକିଲମାନଙ୍କୁ ଉତ୍ସାହିତ କରିବା ଜରୁରୀ, କାରଣ ଇଣ୍ଟରନେଟ୍ ବର୍ତ୍ତମାନ ସମସ୍ତ କୋର୍ଟରେ ଉପଲବ୍ଧ। ଏହାପରେ କୋର୍ଟ ଏସଂକ୍ରାନ୍ତରେ ଅନେକ ନିର୍ଦ୍ଦେଶନାମା ଜାରି କରିଥିଲେ, ଯେଉଁଥିରେ କୁହାଯାଇଛି ଯେ କୌଣସି ହାଇକୋର୍ଟ କୌଣସି ଓକିଲଙ୍କୁ ଭିଡିଓ କନଫରେନ୍ସିଂ ସୁବିଧା କିମ୍ବା ହାଇବ୍ରିଡ୍ ଶୁଣାଣି ପାଇଁ ମନା କରିପାରିବେ ନାହିଁ। ଅନ୍ୟ ଏକ ନିର୍ଦ୍ଦେଶନାମାରେ ସମସ୍ତ ଓକିଲ ଓ ଆବେଦନକାରୀଙ୍କୁ ମାଗଣା ୱାଇଫାଇ ସମେତ ପର୍ଯ୍ୟାପ୍ତ ଇଣ୍ଟରନେଟ୍ ସୁବିଧା ଯୋଗାଇ ଦେବାକୁ ହାଇକୋର୍ଟଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଭର୍ଚୁଆଲ ଶୁଣାଣି ପାଇଁ କୌଣସି ହାଇକୋର୍ଟ ମନା କରିପାରିବେ ନାହିଁ : ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼

Share Now: