ଆଜି ସାରା ରାଜ୍ୟରେ ଘରୋଇ ବସ୍‌ ସେବା ବନ୍ଦ : ଯାତ୍ରୀ ହନ୍ତସନ୍ତ

ଭୁବନେଶ୍ବର: ଆଜି (ଶୁକ୍ରବାର) ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସାରା ରାଜ୍ୟରେ ଘରୋଇ ବସ୍‌ ଚଳାଚଳ ବନ୍ଦ ରହିଥିବା କାରଣରୁ ସାରା ରାଜ୍ୟରେ ବସ୍ ଯାତ୍ରୀ ହନ୍ତସନ୍ତ ହେଉଥିବାର ପରିଲକ୍ଷିତ ହେଉଛି। ଆଜି ଓଡ଼ିଶାର ସବୁଠାରୁ ବଡ଼ ବସ୍ ଷ୍ଟାଣ୍ଡ ‘ନେତାଜୀ ବସ୍ ଟର୍ମିନାଲ୍’ରୁ କୌଣସି ଘରୋଇ ବସ୍ ଚଳାଚଳ କରୁନାହିଁ। କଟକ-ଭୁବନେଶ୍ବରରେ କେବଳ ସରକାରୀ ବସ୍ ଓ ମୋ ବସ୍ ଚଳାଚଳ କରୁଛି। ବସ୍ ଧର୍ମଘଟ ହେତୁ ବହୁ ଲୋକ ନିଜ ସୁବିଧାରେ ଯାତାୟତ କରୁଥିବା ଦେଖିବାକୁ ମିଳିଛି। ଏଣେ ବାଲେଶ୍ବରରେ ଘରୋଇ ବସ୍ ମାଲିକ ସଂଘ ବନ୍ଦ ନିଷ୍ପତ୍ତି ବିରୁଦ୍ଧରେ ଯାଇ ବସ୍ ଚଳାଚଳ ଜାରି ରଖିଥିବା ଜଣାଯାଇଛି। ରାଜ୍ୟ ବସ ମାଲିକ ସଂଘ ର ନିଷ୍ପତ୍ତି ବିରୁଦ୍ଧରେ ବାଲେଶ୍ଵର ଘରୋଇ ବସ୍ ମାଲିକ ସଂଘ। ବାଲେଶ୍ଵର ରେ ଦୁଇଟି ବସ ମାଲିକ ସଂଘ ରହିଥିବା ବେଳେ ଗୋଟିଏ ରାଜ୍ୟ ସଂଘ ପକ୍ଷରୁ ଦିଆଯାଇଥିବା ଧର୍ମଘଟ କୁ ସମର୍ଥନ କରୁଥିବା ବେଳେ ଆଉ ଗୋଟିଏ ସଂଘ୍ ବିରୋଧ କରୁଛି। ଆଜି ବାଲେଶ୍ଵର ବସ ଷ୍ଟାଣ୍ଡରୁ ବିଭିନ୍ନ ଅଞ୍ଚଳକୁ ବାଲେଶ୍ଵର ଘରୋଇ ବସ୍ ମାଲିକ ସଂଘ ବସ ପଠାଇଛି। ଅନ୍ୟପଟେ ବାଲେଶ୍ଵର ଆର୍ ଟି ଓ ମଧ୍ୟ ବାଲେଶ୍ଵର ବସଷ୍ଟାଣ୍ଡ ରେ ଉପସ୍ଥିତ ରହି ପରିସ୍ଥିତି ଉପରେ ନଜର ରଖିଛି। ଯାତ୍ରୀ ଏବେ ବସଷ୍ଟାଣ୍ଡ ଛାଡ଼ି ରାସ୍ତାକଡ଼ରେ ଛିଡା ହୋଇ ଯିବା ପାଇଁ ସହାୟତା ମାଗୁଛନ୍ତି। ଜୟପୁର ବସଷ୍ଟାଣ୍ଡ ପାଖରେ ଯାତ୍ରୀଙ୍କ ଗହଳି ପରିଲକ୍ଷିତ ହେଉଛି। ଏଣେ ବନ୍ଦର ପ୍ରଭାବ କେନ୍ଦ୍ରାପଡ଼ାରେ ବି ଦେଖିବାକୁ ମିଳିଛି। କେନ୍ଦ୍ରାପଡ଼ା ବସଷ୍ଟାଣ୍ଡରୁ ବସ ଗଡ଼ିବା ବନ୍ଦ ରହିଛି। ଜିଲ୍ଲାରୁ ଯାଉଥିବା ଶତାଧିକ ବସ ବନ୍ଦ ହେବାରୁ ଯାତ୍ରୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଆଳି, ପଟ୍ଟାମୁଣ୍ଡାଇ, ରାଜନଗର, ମାର୍ଶାଘାଇ, ମହାକାଳପଡା ଓ ପାଟକୁରାରୁ ସମସ୍ତ ବସ ବନ୍ଦ ରହିଛି।

ଘରୋଇ ବସ ବନ୍ଦର ପ୍ରଭାବ ରାଉରକେଲାରେ ବି ଦେଖିବାକୁ ମିଳିଛି। ରାଉରକେଲା ବସଷ୍ଟାଣ୍ଡରୁ ବସ ଗଡ଼ିବା ବନ୍ଦ ରହିଛି। ଯାଉଥିବା ଶତାଧିକ ବସ ବନ୍ଦ ହେବାରୁ ଯାତ୍ରୀ ମାନେ ବିଭିନ୍ନ ସମସ୍ୟାର ସମୁଖୀନ ହୋଇଛନ୍ତି। ରାଉରକେଲାରୁ ଝାରଖଣ୍ଡ, ଛତିଶଗଡ଼ ସମେତ ସମ୍ବଲପୁର, ବରଗଡ଼, ସୁନ୍ଦରଗଡ଼ ଅନୁଗୁଳ, ଢେଙ୍କାନାଳ ସହ କଟକ, ଭୁବନେଶ୍ୱର ଓ ରାଜ୍ୟର ପ୍ରମୁଖ ସହରକୁ ଯାଉଥିବା ସମସ୍ତ ବସ ବନ୍ଦ ରହିଛି। ସୂଚନାଯୋଗ୍ୟ, ରାଜ୍ୟ ସରକାର ଯେତେଦିନ ପର୍ଯ୍ୟନ୍ତ ‘ଲକ୍ଷ୍ମୀ’ ଯୋଜନାରେ ଘରୋଇ ବସ୍‌କୁ ସାମିଲ୍ କରିବା ସହ ମୋ ବସ୍‌କୁ କେବଳ ସହରାଞ୍ଚଳରେ ଚଳାଇବା ନେଇ ଲିଖିତ ପ୍ରତିଶ୍ରୁତି ଦେଇନାହାନ୍ତି ସେତେଦିନ ପର୍ଯ୍ୟନ୍ତ ଏହି ଧର୍ମଘଟ ଜାରି ରହିବ ବୋଲି ଓଡ଼ିଶା ଘରୋଇ ବସ୍‌ ମାଲିକ ସଂଘ କହିଛି। ଆଜି ଠାରୁ ସ୍କୁଲ, କଲେଜ ଛୁଟି ହେଉଥିବାବେଳେ ସମସ୍ତେ ଏବେ ଘର ମୁହାଁ ହୋଇଛନ୍ତି। ହେଲେ ଏହି ସମୟରେ ହଠାତ୍ ବସ୍‌ ସେବା ବନ୍ଦ ହେବାକୁ ଥିବାରୁ ଆଜିଠାରୁ ସାଂଘାତିକ ପରିସ୍ଥିତି ସୃଷ୍ଟି ହୋଇଛି। ଆଜି ରାତିରେ ବସ୍‌ରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିବାବେଳେ ଟ୍ରେନ୍‌ରେ ଏବେ ଟିକେଟ୍ ମିଳୁନି।

Share Now:

Kalinga News Beuro

Next Post

ବାଲିପାଟଣା ପୁଲିସକୁ ବଡ଼ ସଫଳତା : ବନମାଳୀପୁର ଅଞ୍ଚଳରୁ ୫ ଡକାୟତ ଗିରଫ

Fri Oct 20 , 2023
ବାଲିପାଟଣା: ଭୁବନେଶ୍ୱର କମିସନରେଟ ଅଧୀନ ବାଲିପାଟଣା ପୁଲିସ ଏକ ବଡ଼ ଧରଣର ଡକାୟତି ଉଦ୍ୟମ ପଣ୍ଡ କରିଛି। ଗତକାଲି ରାତିରେ ବନମାଳୀପୁର ଅଞ୍ଚଳରୁ ଡକାୟତି ପାଇଁ ଯୋଜନା କରୁଥିବା ବେଳେ ପୁଲିସ ୫ ଜଣଙ୍କୁ ପୁଲିସ କାବୁ କରିଛି। ସେମାନଙ୍କ ଠାରୁ ଖଣ୍ଡା, ଲୁହା ଛଡ଼, ଲଙ୍କା ଗୁଣ୍ଡ, ନଗଦ ଟଙ୍କା, ୩ଟି ମୋବାଇଲ୍ ଏବଂ ବାଇକ ଜବତ ହୋଇଛି। ୩ ଜଣ ବାଲିପାଟଣା ଥାନା ଅଞ୍ଚଳର ହୋଇଥିବା ବେଳେ […]
ବନମାଳୀପୁର ଅଞ୍ଚଳରୁ ୫ ଡକାୟତ ଗିରଫ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial