ଭୁବନେଶ୍ୱର: ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ନୀତିକାନ୍ତିରେ ପୁଣି ବିଭ୍ରାଟ ଦେଖିବାକୁ ମିଳିଛି। ମଙ୍ଗଳଆଳତି ପରେ ମହାଦେବଙ୍କ ନୀତି ହୋଇନାହିଁ। ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡାଙ୍କ ମଧ୍ୟରେ ବିବାଦ ଯୋଗୁଁ ଉପାସ ରହିଛନ୍ତି ଶ୍ରୀଲିଙ୍ଗରାଜ ମହାପ୍ରଭୁ। ତେବେ ବାହ୍ୟ ପ୍ରଭାବରେ ପ୍ରଭାବିତ ହୋଇ ଦୁଇ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ କନ୍ଦଳ ଲାଗିରହିଥିବା ହେତୁ ଏଭଳି ଘଟଣା ଘଟିଥିବା ଜଣାପଡ଼ିଛି। ଠାକୁରଙ୍କ ସେବା ପାଇଁ ବଡୁ ନିଯୋଗଙ୍କୁ ଯେଉଁ ସମ୍ପତ୍ତି ଦିଆଯାଇଥିଲା ସେଠାରେ ସେମାନେ ନିର୍ମାଣ କାର୍ଯ୍ୟ କରୁଥିବାରୁ ଏହାକୁ ବିରୋଧ କରି ଅନ୍ୟ ସେବାୟତ ଗୋଷ୍ଠୀ ଠାକୁରଙ୍କ ନୀତି ବନ୍ଦ କରିଥିବା ସୂଚନା ମିଳିଛି। ବେବନ୍ଦୋବସ୍ତ ଜମି ବିବାଦକୁ ନେଇ ଶ୍ରୀ ଲିଙ୍ଗରାଜଙ୍କ ନୀତି ବନ୍ଦ। ଆଜି ମଙ୍ଗଳ ଆଳତି ଠାରୁ ନୀତି କାନ୍ତି ବନ୍ଦ ରହିଛି। ବେବନ୍ଦୋବସ୍ତ ଜମି ଶ୍ରୀ ଲିଙ୍ଗରାଜଙ୍କ ଖାତାକୁ ଫେରୁଥିବା ବେଳେ ବଡୁ ନିଯୋଗ ଦ୍ଵାରା ନିର୍ମାଣାଧୀନ ଦୋକାନ ଘରକୁ ସମ୍ପୂର୍ଣ ନିର୍ମାଣ କରିବାକୁ ହାଇକୋର୍ଟରୁ ଅନୁମତି ମିଳିଛି। ନିର୍ମାଣ ସମୟରେ ଯାହାକୁ ନେଇ ଅନ୍ୟ ନିଯୋଗ ଚାଲେଞ୍ଜ କରିବା ଫଳରେ ଦୋକାନ ଘର ନିର୍ମାଣ କାମ ବନ୍ଦ ରହିଥିଲା। ପୂଜା ପଣ୍ଡା ଓ ବ୍ରାହ୍ମଣ ନିଯୋଗ ଏହା ପଛରେ ଏକ ବଡ ଷଡ଼ଯନ୍ତ୍ର ଥିବା ଦର୍ଶାଇ ନୀତିକାନ୍ତି ବନ୍ଦ କରି ଜିଦରେ ଅଟଳ ଅଛି।
ଲିଙ୍ଗରାଜ ନୀତି ସୁପରଭାଇଜର୍ ରାଜକିଶୋର ମହାପାତ୍ର କହିଛନ୍ତି, ପୁଣି ଉପବାସରେ ରହିପାରନ୍ତି ପ୍ରଭୁ ଲିଙ୍ଗରାଜ। ସକାଳୁ ସିଂହଦ୍ୱାର ଖୋଲା ନୀତି ହୋଇଛି। କିନ୍ତୁ ମଙ୍ଗଳ ଆଳତି କରାଯାଇ ନାହିଁ। ମଙ୍ଗଳ ଆଳତି ଠାରୁ ନିତିକାନ୍ତି ବନ୍ଦ ରହିଛି। ବ୍ରାହ୍ମଣ ନିଯୋଗର ପତି ଓ ପୂଜା ପଣ୍ଡା ନିଯୋଗର ସେବାୟତ ଅନୁପସ୍ଥିତ ଥିବାରୁ ବନ୍ଦ ରହିଛି ନିତିକାନ୍ତି। ମନ୍ଦିର ପ୍ରଶାସନକୁ ଏଇ ବିଷୟରେ ଆମେ ଲିଖିତ ଆକାରରେ ଦିଆଯାଇଛି। କଣ ଏହା ପଛରେ କାରଣ ରହିଛି ତାହା ମନ୍ଦିର ପ୍ରଶାସନ ବୈଠକ ପରେ ସ୍ପଷ୍ଟ ହେବ। ଏଣେ ଏନେଇ ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ କହିଛନ୍ତି,ଆମ ପକ୍ଷରୁ ସମସ୍ତ ନିତିକାନ୍ତି କରାଯାଉଛି। କିଏ କଣ ଅଭିଯୋଗ ଆଣିଛି ଆମେ ଜାଣିନାହୁଁ।
ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ନୀତିକାନ୍ତିରେ ପୁଣି ବିଭ୍ରାଟ

Share Now: