ଓରକଳରେ ବାଘ ଆତଙ୍କ

ବାଘ ନୁହେଁ ବଣ ଭୁଆ: ବନ ବିଭାଗ

ପୁରୁଣା ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ଓରକଳ ଗ୍ରାମ ନିକଟରେ କଲରାପତରିଆ ବାଘ ବୁଲୁଥିବାର ଭିଡ଼ିଓ ଭାଇରାଲ୍‌ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ପ୍ରାୟ ୨୯ ସେକେଣ୍ଡର ଏହି ଭିଡ଼ିଓଟି ନିକଟସ୍ଥ ଏକ ଆପାର୍ଟମେଣ୍ଟରୁ ସୁଟିଂ ହୋଇଥିବା ବେଳେ ଏଥିରେ ଏକ ଧୂସର ରଙ୍ଗର ଜନ୍ତୁ ଚାଲୁଥିବା ଦେଖିବାକୁ ମିଳିଛି। ଏହି ଜନ୍ତୁଟି ଏକ କଲରାପତରିଆ ବାଘ ବୋଲି ପ୍ରଚାର ହୋଇଯିବାରୁ ସୁନ୍ଦରପଦା, ଓରକଳ ଏବଂ ନିକଟସ୍ଥ ଅଞ୍ଚଳରେ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ଅପରପକ୍ଷେ ବନ ବିଭାଗ କର୍ମଚାରୀ ଅଭିଯୋଗ ପାଇବା ପରେ କ୍ଷେତ୍ର ପରିଦର୍ଶନ ଏବଂ ପାଦ ଚିହ୍ନ ଦେଖି କହିଛନ୍ତି ଯେ ଏହା ବାଘ ନୁହେଁ ବରଂ ଗୋଟିଏ ବଣ ଭୁଆ (ଓ୍ଵାଇଲ୍ଡ କ୍ୟାଟ୍‌)। ମିଳିଥିବା ସୂଚନା ମୁତାବକ, ଓରକଳ ଗ୍ରାମ ନିକଟ ମହାଭୋଇ ପୋଖରୀ ପାଖରେ ଥିବା ଏକ ଖାଲି ପଡ଼ିଆରେ ଏକ ଧୂଷର ରଙ୍ଗର ଜନ୍ତୁ ବୁଲୁଥିବା ବେଳେ ପ୍ରଥମେ କିଛି ଲୋକେ ଦେଖିଥିଲେ। ଅପରାହ୍ନ ପ୍ରାୟ ସାଢ଼େ ୨ଟାରେ ସେଠାରେ ଥିବା ହାଇଟେକ୍‌ ଆପାର୍ଟମେଣ୍ଟ୍‌ରେ ରହୁଥିବା କିଛି ଲୋକ ମୋବାଇଲ୍‌ରେ ଏହି ଜନ୍ତୁଟି ବୁଲୁଥିବାର ଭିଡିଓ ରେକର୍ଡିଂ କରିଥିଲେ। କିଛି ସମୟ ପରେ ଜନ୍ତୁଟି ନିକଟରେ ଥିବା ଏକ ହୁଡ଼ା ଡେଇଁ ବୁଦା ଭିତରେ ପଶି ଯାଇଥିଲା। ଏହି ଘଟଣା ପ୍ରଚାର ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଛନକା ପଶି ଯାଇଥିଲା। ଏହି ଜନ୍ତୁଟି ବାଘ ବୋଲି ପ୍ରଚାର ହୋଇଯିବାରୁ ଏହାକୁ ଧରିବା ପାଇଁ ସ୍ଥାନୀୟ ଯୁବକମାନେ ଠେଙ୍ଗା ବାଡ଼ି ଧରି ଖୋଜିଥିଲେ। ଏହାପରେ ବନ ବିଭାଗ ନିକଟରେ ଖବର ପହଞ୍ଚିବାରୁ ଭୁବନେଶ୍ୱର ସିଟି ଫରେଷ୍ଟ ଡିଭିଜନର ମଞ୍ଚେଶ୍ୱର ରେଞ୍ଜ୍‌ର ରେଞ୍ଜର ଗୌର ଗୋପାଳ ସିଙ୍କ ନେତୃତ୍ୱରେ ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଜନ୍ତୁଟିକୁ ଖୋଜାଖୋଜି କରିଥିଲେ। କିନ୍ତୁ କିଛି ପାଇନଥିଲେ। ଏହାପରେ ଜନ୍ତୁଟିର ପାଦ ଚିହ୍ନ ସଂଗ୍ରହ କରି ବନ୍ୟ ଜନ୍ତୁ ବିଶେଷଜ୍ଞଙ୍କ ନିକଟକୁ ପଠାଇଛନ୍ତି। କିନ୍ତୁ ସ୍ଥାନୀୟ ବାସିନ୍ଦା ବାଘ ଭୟରେ ଠେଙ୍ଗା ବାଡ଼ି ଧରି ସଂଧ୍ୟାରେ ଘର ଆଗରେ ବସିଥିବା ଦେଖିବାକୁ ମିଳିଥିଲା।

ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ
ପାଦ ଚିହ୍ନକୁ ଯାଞ୍ଚ ପାଇଁ ପଠାଇଲା ବନ ବିଭାଗ
ରେଞ୍ଜର ଗୌର ଗୋପାଳ ସି  କହିଛନ୍ତି ଯେ ଓରକଳ ଗ୍ରାମରେ ଦେଖାଯାଇଥିବା ଜନ୍ତୁଟି କୁକୁରଠୁ ସାନ ଏବଂ ବିଲେଇଠାରୁ ବଡ଼। ପାଦ ଚିହ୍ନରୁ ଏହା ବଣଭୁଆ ବୋଲି ଜଣାପଡ଼ୁଛି। ପ୍ରକୃତରେ ଏହା କେଉଁ ଜନ୍ତୁ, ତାହା ବନ୍ୟ ଜନ୍ତୁ ବିଶେଷଜ୍ଞ ପାଦ ଚିହ୍ନ ପରୀକ୍ଷା କରିବା ପରେ କହିିବେ। ପାଦ ଚିହ୍ନରୁ ଏହା ବାଘ ନୁହେଁ ବୋଲି ଆମେ ନିଶ୍ଚିତ। କାରଣ ବାଘର ଯେଉଁଠୁ ପାଦ ଚିହ୍ନ ସଂଗ୍ରହ କରାଯାଇଛି, ସେଠାରେ କେବେ ନଖ ଚିହ୍ନ ଆସେନି। କିନ୍ତୁ ବଣଭୁଆ, ବିଲୁଆ, ଗଧିଆ ଆଦି ଜନ୍ତୁଙ୍କର ପାଦ ଚିହ୍ନ ସହ ନଖ ଚିହ୍ନ ଆସିଥାଏ। ଏଠାରେ ପାଦ ଚିହ୍ନ ସହ ନଖ ଚିହ୍ନ ଥିବାରୁ ବାଘ ନୁହେଁ ବୋଲି ପ୍ରାଥମିକ ସର୍ଭେରୁ ଜଣାପଡ଼ିଛି।

Share Now:

Kalinga News Beuro

Leave a Reply

Next Post

କର୍ତ୍ତବ୍ୟ ଆଗରେ ତୁଚ୍ଛ ହେଲା ସମ୍ପର୍କ: ଆଇପିଏସ୍ ଝିଅକୁ ସାଲ୍ୟୁଟ୍‌ ମାରିଲେ ଡିସିପି ବାପା

Tue Sep 4 , 2018
ହାଇଦ୍ରାବାଦ: କୁହାଯାଏ କର୍ମ ହିଁ ଭଗବାନ। କର୍ମ ମଣିଷକୁ ମହାନ କରିଦିଏ। ହେଲେ ଏହି କର୍ମ ପାଇଁ ସମ୍ପର୍କ ବି ତୁଚ୍ଛ ହୋଇପାରେ ତା’ର ଏକ ଜ୍ୱଳନ୍ତ ଉଦାହରଣ ଏବେ ସାମ୍ନାକୁ ଆସିଛି। ଗୋଟିଏ ବିଭାଗରେ ଝିଅ ବଡ଼ ଅଫିସର ହୋଇଥିବା ବେଳେ ବାପ କନିଷ୍ଠ ଅଫିସର ହୋଇ ମଧ୍ୟ ନିଜ କର୍ତ୍ତବ୍ୟକୁ ଭୁଲିଯାଇ ନାହାନ୍ତି। ସଂଯୋଗବଶତଃ କୌଣସି ଏକ କାର୍ଯ୍ୟକ୍ରମରେ ଉଭୟଙ୍କ ଭେଟ ହୋଇଥିବା ବେଳେ ପ୍ରୋଟୋକଲ ଏବଂ ଶାଳୀନତା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial