ଦକ୍ଷିଣ କୋରିଆରେ ପୃଥିବୀର ସବୁଠୁ ସୁନ୍ଦର ୮୦୦ ବର୍ଷ ପୁରୁଣା ଝଙ୍କାଳିଆ ‘ଗିଙ୍କୋ’ ଗଛ

ସିଓଲ୍‌: ସୁନା ପରି ଝଟକୁ ଥିବା ଦକ୍ଷିଣ କୋରିଆରେ ଥିବା ଗୋଟାଏ ୮୦୦ ବର୍ଷ ପୁରାତନ ଝଙ୍କା ‘ଗିଙ୍କୋ’ ଗଛ ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି। ସଂଗୃହୀତ ସୂଚନା ଅନୁସାରେ, ଦକ୍ଷିଣ କୋରିଆରେ ‘ଗିଙ୍କୋ’ ଗୋଟିଏ ସାଧାରଣ ଗଛ। ସମଗ୍ର ଦକ୍ଷିଣ କୋରିଆରେ ଅନେକ ଐତିହାସିକ ଓ ପ୍ରଖ୍ୟାତ ‘ଗିଙ୍କୋ’ ଗଛ ରହିଛି। କିନ୍ତୁ, ସୁନା ପରି ଝଲସୁ ଥିବା ଏହି ‘ଗିଙ୍କୋ’ ଗଛ ଚାରିପଟେ ବହୁସଂଖ୍ୟକ ଲୋକ ଏକତ୍ର ହେଉଥିବା ଭାଇରାଲ୍‌ ଭିଡିଓରେ ଦେଖାଯାଉଛି। ଦକ୍ଷିଣ କୋରିଆ ୱେବ୍‌ସାଇଟ୍‌ଗୁଡ଼ିକରେ ଉଲ୍ଲେଖ ଅଛି ଯେ, ଏହି ବୃକ୍ଷଟି ଦେଶର ଜାତୀୟ ସ୍ମାରକୀ ଏବଂ ଅନେକ ଲୋକ ଏହାକୁ ଦେଖିବାକୁ ଆସୁଛନ୍ତି। ୱଙ୍‌ଜୁ ବାଙ୍ଗିୟେ-ରି‌’ଠାରେ ଥିବା ଏହି ‘ଗିଙ୍କୋ’ ଗଛଟି ୧୭ ମିଟର୍‌ ବ୍ୟାସବିଶିଷ୍ଟ ତା’ର ବିଶାଳ ଝଙ୍କା ପାଇଁ ବିଖ୍ୟାତ। ଗଛଟି ଯେଉଁ ପ୍ରକାର ଶାଖାପ୍ରଶାଖା ମେଲିଛି ତାହା ବିଶ୍ବର ଯେକୌଣସି ଗଛ ଅପେକ୍ଷା ଢେର୍‌ ସୁନ୍ଦର। ଅନେକ ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀ ଏହାକୁ ‘ବିଶ୍ବର ସବୁଠୁ ସୁନ୍ଦର ବୃକ୍ଷ’ ବୋଲି କହୁଛନ୍ତି।
ଏ ଗଛର ଜନ୍ମ ସମ୍ବନ୍ଧରେ ‘କୋରିଆ ଜୁଙ୍ଗ୍‌ଆଙ୍ଗ୍‌ ଡେଲି’ ସମ୍ବାଦପତ୍ର ଜନଶ୍ରୁତି ଉପରେ ଆଧାରିତ ଦୁଇଟି କିମ୍ବଦନ୍ତୀ ପ୍ରକାଶ କରିଛି। ଗୋଟିଏ କାହାଣୀରେ କୁହାଯାଇଛି, ଏହି ଗଛଟି ସିଲ୍ଲା ରାଜବଂଶ ସମୟରେ (ଖ୍ରୀଷ୍ଟପୂର୍ବ ୫୭-୯୩୫ ଖ୍ରୀଷ୍ଟାବ୍ଦ) ଅଙ୍କୁରିତ ହୋଇଥିଲା। ଅନ୍ୟ କାହାଣୀରେ ଲେଖା ଅଛି, ‌ଯୋଗୀ ହେବା ପାଇଁ କୁମ୍‌ଗାଙ୍ଗ୍‌ ପର୍ବତ ଶୃଙ୍ଗକୁ ଯିବା ବାଟରେ ସିଲ୍ଲା ରାଜବଂଶର ଶେଷ ରାଜା ଯୁବରାଜ ମାଉଇ ଏହି ବୃକ୍ଷଟିକୁ ରୋପଣ କରିଥିଲେ। ଏହି ବୃକ୍ଷ ଉପରେ ଏକାଧିକ ପୁସ୍ତକ ରଚନା କରିଥିବା ଲେଖକ ଗୋହ୍‌ କ୍ୟୁ-ହଙ୍ଗ୍‌ଙ୍କ କଥାରୁ ଉଦ୍ଧାର କରି ‘କୋରିଆ ଜୁଙ୍ଗ୍‌ଆଙ୍ଗ୍‌ ଡେଲି’ ଲେଖିଛି, କୌଣସି ଲିଖିତ ରିପୋର୍ଟ ନ ଥିଲେ ମଧ୍ୟ ବିଶେଷଜ୍ଞମାନେ ଏହି ଗଛର ବୃଦ୍ଧି ପରୀକ୍ଷା କରି ତାହା ୧,୧୦୦ ବର୍ଷ ପୁରାତନ ବୋଲି ମତ ଦେଉଛନ୍ତି। ଜୋସେଓନ୍‌ ରାଜବଂଶ ଶାସନ କାଳରେ (୧୩୯୨-୧୯୧୦) ଏହି ଗଛ ସରକାରୀ ମାନ୍ୟତା ପାଇଥି‌ଲା ବୋଲି ମଧ୍ୟ ଅନେକ କହନ୍ତି।

Share Now:

Kalinga News Beuro

Next Post

ବଡ଼ଦାଣ୍ଡରେ ଏସି ଟନେଲ୍‌ ଛାୟା ସେଡ୍ ନିର୍ମାଣ ଜାରି : ନୂଆବର୍ଷରୁ ମହାପ୍ରଭୁଙ୍କୁ ଶୃଙ୍ଖଳିତ ଦର୍ଶନ କରିବେ ଭକ୍ତ

Wed Dec 6 , 2023
ମରଚିକୋଟ ଛକରୁ ଶ୍ରୀନଅର ଓ ଶ୍ରୀମନ୍ଦିର ଚତୁପାର୍ଶ୍ଵରୁ ହଟିଲେ ଉଠାଦୋକାନୀ ପୁରୀ: ନୂଆବର୍ଷରୁ ଭକ୍ତମାନେ ମହାପ୍ରଭୁଙ୍କ ଶୃଙ୍ଖଳିତ ଦର୍ଶନ କରିବେ। ଏଥିପାଇଁ ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ମରଚିକୋଟ ଛକରୁ ଶ୍ରୀନଅର ଓ ଶ୍ରୀମନ୍ଦିର ଚତୁପାର୍ଶ୍ଵରୁ ଉଠାଦୋକାନୀଙ୍କୁ ହଟାଯାଇଛି। ଏଥି ସହିତ ମରଚିକୋଟ ଛକର ବଡଦାଣ୍ଡ ଭେଣ୍ଡିଂ ଜୋନ୍ ମୁକ୍ତ ହୋଇଛି। ଏସି ଟନେଲ୍‌ ଛାୟା ସେଡ୍ ପାଇଁ ଆଜିଠାରୁ ସର୍ଭେ ଆରମ୍ଭ ହୋଇଯାଇଛି। ୮୪ ମିଟର ଲମ୍ବା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial