ବଡ଼ଦାଣ୍ଡରେ ଏସି ଟନେଲ୍‌ ଛାୟା ସେଡ୍ ନିର୍ମାଣ ଜାରି : ନୂଆବର୍ଷରୁ ମହାପ୍ରଭୁଙ୍କୁ ଶୃଙ୍ଖଳିତ ଦର୍ଶନ କରିବେ ଭକ୍ତ

ମରଚିକୋଟ ଛକରୁ ଶ୍ରୀନଅର ଓ ଶ୍ରୀମନ୍ଦିର ଚତୁପାର୍ଶ୍ଵରୁ ହଟିଲେ ଉଠାଦୋକାନୀ

ପୁରୀ: ନୂଆବର୍ଷରୁ ଭକ୍ତମାନେ ମହାପ୍ରଭୁଙ୍କ ଶୃଙ୍ଖଳିତ ଦର୍ଶନ କରିବେ। ଏଥିପାଇଁ ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ମରଚିକୋଟ ଛକରୁ ଶ୍ରୀନଅର ଓ ଶ୍ରୀମନ୍ଦିର ଚତୁପାର୍ଶ୍ଵରୁ ଉଠାଦୋକାନୀଙ୍କୁ ହଟାଯାଇଛି। ଏଥି ସହିତ ମରଚିକୋଟ ଛକର ବଡଦାଣ୍ଡ ଭେଣ୍ଡିଂ ଜୋନ୍ ମୁକ୍ତ ହୋଇଛି। ଏସି ଟନେଲ୍‌ ଛାୟା ସେଡ୍ ପାଇଁ ଆଜିଠାରୁ ସର୍ଭେ ଆରମ୍ଭ ହୋଇଯାଇଛି। ୮୪ ମିଟର ଲମ୍ବା ଓ ୧୨ ମିଟର ଓସାରର ଏହି ଟନେଲର ନିର୍ମାଣ କାର୍ଯ୍ୟ ଚଳିତ ଡିସେମ୍ବର ୨୫ ତାରିଖ ସୁଦ୍ଧା ଶେଷ କରାଯିବ ବୋଲି ଉପଜିଲ୍ଲାପାଳ ଭବତାରଣ ସାହୁ ଗଣମାଧ୍ୟମକୁ କହିଛନ୍ତି। ନୂଆବର୍ଷରେ ଶ୍ରୀକ୍ଷେତ୍ର ନୂଆ ରୂପରେ ଝଲସିବ। ବଡ଼ଦାଣ୍ଡର ଉଭୟ ପାର୍ଶ୍ୱର କୋଠା ଫିକା ଗୋଲାପି ଦୃଶ୍ୟମାନ ହେବ। ଏସି ଟନେଲ ସେଡ୍ ଦେଇ ମହାପ୍ରଭୁଙ୍କ ଦର୍ଶନ କରିବେ। ଜାନୁଆରି ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପିତ ହେବ। ଟନେଲ ନିର୍ମାଣ ଠିକା ସଂସ୍ଥାର କର୍ମଚାରୀ ଅନିଲ ନାୟକ କହିଛନ୍ତି, ଆଗାମୀ ଦିନରେ ମହାପ୍ରଭୁଙ୍କ ଦର୍ଶନ ଶୃଙ୍ଖଳିତ ହେବ। ନୂଆବର୍ଷରେ ଭକ୍ତମାନେ ନୂଆ ଅନୁଭୁତି ପାଇପାରିବେ। ପ୍ରାରମ୍ଭିକ ପର୍ଯ୍ୟାୟରେ ବଡଦାଣ୍ଡରେ କଳେବର ହେଉଛି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସେଣ୍ଟ୍ରାଲ ଏସି ଟନେଲ ସେଡ୍ ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ସେଡ୍ ନିର୍ମାଣ ପାଇଁ ଲ୍ୟାଣ୍ଡ ସର୍ଭେ ହେଉଛି। ଡିଜାଇନ ଅନୁସାରେ ଏହା ୮୪ମିଟର ଲମ୍ବା, ୧୨ମିଟର ଚଉଡ଼ା ଓ ୫ଲେୟାର ବିଶିଷ୍ଟ ହେବ। ମରଚିକୋଟ ଛକରୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏହି ଟନେଲ ବଡଦାଣ୍ଡର ଶ୍ରୀକୃଷ୍ଣ ସିନେମା ହଲ ଗଳି ପାର୍ଶ୍ୱରେ ନିର୍ମାଣ କରାଯାଉଛି। ଓଡ଼ିଶା ସେତୁ ନିର୍ମାଣ ନିଗମ (ଓବିସିସି) ପକ୍ଷରୁ ଏନେଇ ଠିକାସଂସ୍ଥା ଦ୍ୱାରା ସର୍ଭେ କରାଯାଇ ନିର୍ମାଣ ଆରମ୍ଭ କରାଯାଉଛି। ଏହି ଲମ୍ବା ସେଡରେ ପ୍ରାୟ ୧୫ଟି ଖୁଣ୍ଟି ଓ ସଂପୂର୍ଣ୍ଣ ପାଲ ଆଚ୍ଛାଦିତ ଏସି ଟନେଲ ଡିଜାଇନ ସେଡ୍ ସହ ଷ୍ଟିଲ ବେରିକେଡ, ବସିବା ପାଇଁ ବ୍ୟବସ୍ଥା ଆଦି ସୁବିଧା କରାଯାଉଛି। ଡିସେମ୍ବର୨୫ ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ସାରିବା ପାଇଁ ନିର୍ଦ୍ଦେଶ ରହିଛି। ଏହାଦ୍ୱାରା ଭକ୍ତମାନେ ଶୃଙ୍ଖଳିତ ଦର୍ଶନ କରିପାରିବେ ବୋଲି ଆଶା କରାଯାଉଛି।
ଉପଜିଲ୍ଲାପାଳ ଶ୍ରୀ ସାହୁ କହିଛନ୍ତି, ପୁରୀ ବଡଦାଣ୍ଡ ‘ନୋ ଭେଣ୍ଡିଂ ଜୋନ୍’ ହେବ। ଭକ୍ତଙ୍କ ଭିଡ଼ ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ଏହି ପଦକ୍ଷେପ ନିଆଯାଉଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ମରଚିକୋଟ ଛକରୁ ସିଂହଦ୍ୱାର ଓ ଶ୍ରୀମନ୍ଦିର ଚତୁପାର୍ଶ୍ଵରୁ ଉଠାଦୋକାନ ହଟାଯାଇଛି। ମରଚିକୋଟ ଛକର ଉଭୟ ପାର୍ଶ୍ୱରେ ଥିବା ପାଞ୍ଚଶହରୁ ଉର୍ଦ୍ଧ୍ଵ ଉଠାଦୋକାନକୁ ହଟାଯାଇ ସେମାନଙ୍କୁ ଜଗନ୍ନାଥ ବଲ୍ଲଭରେ ଭେଣ୍ଡିଂଜୋନ୍ କରାଯାଇ ଥଇଥାନ କରାଯାଉଛି। ଆଉ ଏବେ କ୍ଷତିପୂରଣ ବାବଦରେ ଦୋକାନ ପିଛା ମାସିକ ୧୫ହଜାର ଟଙ୍କା ଦୁଇମାସ ପ୍ରଦାନ କରାଯିବ। ସେପଟେ ସରକାରଙ୍କ ଥଇଥାନ ନୀତିକୁ ନେଇ ଉଠାଦୋକାନୀମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବଡ଼ଦାଣ୍ଡ ଭଳି ବେପାର ସେଠାରେ ହେବନାହିଁ। ଏଣୁ ମାର୍କେଟ ଛକରୁ ମରଚିକୋଟ ଛକ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଉଠାଦୋକାନକୁ ଉଛେଦ କରାଯାଉ। ଆଉ ସଠିକ ଥଇଥାନ ଅବଲମ୍ବନ କରାଯାଉ ବୋଲି ଉଠାଦୋକାନୀ ସଂଘ ଦାବି କରିଛି।

Share Now:

Kalinga News Beuro

Next Post

ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ରେବନ୍ତ ରେଡ୍ଡୀ

Thu Dec 7 , 2023
୧୧ ବିଧାୟକ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ନେଲେ ହାଇଦ୍ରାବାଦ: ବିଧାନସଭା ନିର୍ବାଚନରେ ଦଳର ବିଜୟ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ତେଲେଙ୍ଗାନା କଂଗ୍ରେସ ମୁଖ୍ୟ ଅନୁମୁଲା ରେବନ୍ତ ରେଡ୍ଡୀ ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ହାଇଦ୍ରାବାଦସ୍ଥିତ ‘ଲାଲ୍‌ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍‌’ରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ତାମିଲିସାଇ ସୌନ୍ଦର୍ଯ୍ୟାରାଜନ ରେବନ୍ତ ରେଡ୍ଡୀଙ୍କୁ ତେଲେଙ୍ଗାନା ରାଜ୍ୟର ଦ୍ଵିତୀୟ ମୁଖ୍ୟମନ୍ତ୍ରୀ ଭାବେ ପଦ ଓ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial