ପ୍ରଧାନଶିକ୍ଷକଙ୍କୁ ଫେରାଇ ଆଣିବା ପାଇଁ ସ୍କୁଲ ଆଗରେ ଛାତ୍ରଛାତ୍ରୀଙ୍କ ଧାରଣା

ରାୟଗଡା: ରାୟଗଡା ବ୍ଲକର ଜେମାଦେଇପେଣ୍ଠ ପଞ୍ଚାୟତର ବଡରାଇସିଂ ସେବାଶ୍ରମ ବିଦ୍ୟାଳୟର ଛାତ୍ରମାନେ ଗତ ଦୁଇ ଦିନ ତଳେ ଚାଲି ଚାଲି ପ୍ରାୟ ୨୦ କିଲୋମିଟର ଜିଲ୍ଲାପାଳଙ୍କ ନିକଟରେ ପହଞ୍ଚିଥିଲେ ମଧ୍ୟ ଦ୍ଵିତୀୟ ଶନିବାର ଥିବାରୁ ଜିଲ୍ଲାପାଳ କାର୍ଯ୍ୟାଳୟ ବନ୍ଦ ରହିଥିଲା। ପରେ ଏହି ପିଲାମାନେ ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ଭେଟି ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ବିରୋଧରେ ଅଭିଯୋଗ କରିଥିଲେ। ତେବେ ବିଭାଗୀୟ ତଦନ୍ତ ପରେ ପ୍ରଧାନଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି। ତେବେ ଏହା ଜାଣିବା ପରେ ପିଲାମାନେ ଆଜି ସ୍କୁଲ ସାମ୍ନାରେ ଧାରଣାରେ ବସିଥିଲେ। ଆମର ପ୍ରଧାନଶିକ୍ଷକଙ୍କୁ ତୁରନ୍ତ ସ୍କୁଲକୁ ଫେରାଇ ଆଣନ୍ତୁ ବୋଲି ଜିଦ ଧରିଥିଲେ। ଯେଉଁ ୧୫ ଜଣ ଛାତ୍ର ପ୍ରଧାନଶିକ୍ଷକଙ୍କ ବିରୋଧରେ ମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଥିଲେ, ସେମାନଙ୍କ ମଧ୍ୟରୁ ଜଣକୁ ଛାଡିଦେଲେ ସମସ୍ତ ପିଲା ଧାରଣାରେ ସାମିଲ ଥିଲେ। ଏମାନଙ୍କର କହିବା ହେଲା ଅଷ୍ଟମ ଶ୍ରେଣୀର ଜନୈକ ଛାତ୍ର ସେମାନଙ୍କୁ ପ୍ରଧାନଶିକ୍ଷକଙ୍କ ବିରୋଧରେ ମତାଇ ଜିଲ୍ଲାପାଳ କାର୍ଯ୍ୟାଳୟକୁ ଯିବାକୁ ଉସୁକାଇଥିଲା। ତେବେ ସେହି ପିଲାକୁ ଆଜି ସ୍କୁଲରେ ଘରକୁ ପଠାଇ ଦିଆଯାଇଥିବା ଜଣାପଡିଛି।
ତେବେ ନାଟକୀୟ ଢଙ୍ଗରେ ବିଦ୍ୟାଳୟରେ ଚାଲିଥିବା ଏସବୁ ଘଟଣା ପଛରେ କାହାର ହାତ ରହିଛି ଏବେ ତାହା ତଦନ୍ତ ସାପେକ୍ଷ। ମିଳିଥିବା ସୂଚନା ଅନୁଯାୟୀ ସେହି ବିଦ୍ୟାଳୟର ହିଁ କିଛି ଖଳ ପ୍ରକୃତିର ଶିକ୍ଷକ ବା ଶିକ୍ଷୟତ୍ରୀ ପିଲାଙ୍କୁ ଏଭଳି କରିବାକୁ ମତାଇଥିଲେ। ପିଲାମାନେ ଦିନ ଦ୍ୱିପ୍ରହର ପର୍ଯ୍ୟନ୍ତ ସ୍କୁଲ ବାହାରେ ଧାରଣାରେ ବସିଥିଲେ। ବିଭାଗୀୟ ଅଧିକାରୀମାନେ ସ୍କୁଲକୁ ଯାଇ ବୁଝାସୁଝା କଲେ ମଧ୍ୟ କେହି ଶୁଣିନଥିଲେ। କିନ୍ତୁ ପ୍ରଧାନଶିକ୍ଷକ ଫୋନ ଯୋଗେ ପିଲାଙ୍କୁ ଖାଇବାକୁ ଅନୁରୋଧ କରିବା ସହ ସେ କିଛି ଦିନ ଭିତରେ ଫେରିଆସିବେ ବୋଲି ପ୍ରତିଶ୍ରୁତି ଦେବା ପରେ ପିଲାମାନେ ଖାଇବାକୁ ଯାଇଥିଲେ। ତେବେ ବାରମ୍ବାର ଜିଲ୍ଲାରେ ରହିଥିବା ହଷ୍ଟେଲଗୁଡିକରେ କାହିଁକି ଏଭଳି ଅବସ୍ଥା ହେଉଛି ତାହା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଜାଣିପାରୁନାହାନ୍ତି କି ବୋଲି ଆଲୋଚନା ହେଉଛି। ନା ସବୁ ଜାଣି ଏହାକୁ ଅଜଣା ରହୁଛନ୍ତି। କେବଳ ହଷ୍ଟେଲର ଦାୟିତ୍ୱ ନେଇ ଟଙ୍କା ହଡପ କରିବା ଯୋଜନାରେ ଶିକ୍ଷକମାନଙ୍କ ମଧ୍ୟରେ ଝଗଡା ପିଲାଙ୍କୁ ବଳି ପକାଯାଉଛି। ଏଭଳି ଶିକ୍ଷକ ବା ଶିକ୍ଷୟତ୍ରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି।

Share Now:

Kalinga News Beuro

Next Post

ଧୀରଜ ପ୍ରସାଦ ସାହୁଙ୍କ ଟଙ୍କା ଭର୍ତ୍ତି ଲକରରୁ ବାହାରିଲା ଇନ୍ସପେକ୍ଟରଙ୍କ ନାମରେ ଥିବା ୫ଲକ୍ଷ ଟଙ୍କାର ପ୍ୟାକେଟ

Mon Dec 11 , 2023
ଭୁବନେଶ୍ୱର: ଝାଡଖଣ୍ଡରୁ କଂଗ୍ରେସ ରାଜ୍ୟସଭା ସାଂସଦ, ଧୀରଜ ପ୍ରସାଦ ସାହୁ ଓ ତାଙ୍କ ଘନିଷ୍ଠ ସହଯୋଗୀଙ୍କ ବାସଭବନରେ ଆୟକର ବିଭାଗ ୫ଦିନ ଧରି ଚଢ଼ଉ କରିଥିଲା। ଏହି ଚଢ଼ଉ ଓଡ଼ିଶା, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡସ୍ଥିତ ସାହୁ ଗ୍ରୁପର କମ୍ପାନିରେ ହୋଇଥିଲା। ଆୟକର ବିଭାଗର ଅଧିକାରୀମାନେ ଓଡ଼ିଶା ଓ ଝାଡ଼ଖଣ୍ଡରୁ ଏପର୍ଯ୍ୟନ୍ତ ମୋଟ ୪୫୪ କୋଟି ୫୦ ଲକ୍ଷ ଟଙ୍କା ଜବତ କରିଥିବା ଜଣାପଡ଼ିଛି। ଓଡ଼ିଶାର ବଲାଙ୍ଗୀରରେ ସୁଦାପଡ଼ା ମଦ କମ୍ପାନିର […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial