ଘେରାବନ୍ଦିରେ ବାଣୀବିହାର: ତିନିପାଖରେ ବସ୍ତି ପାଚେରି ବି ଦେଖାଯାଉନି

ଭୁବନେଶ୍ୱର : ବଦଳୁଛି ବାଣୀବିହାର ଚେହେରା। କ୍ୟାମ୍ପସର ସୌନ୍ଦର୍ଯ୍ୟକରଣ ହୋଇଛି। ନୂଆ କୋଠା ନିର୍ମାଣ କରାଯାଇ ଅତ୍ୟାଧୁନିକ ସୁବିଧା ସୁଯୋଗ ଉପଲବ୍ଧ ହେଉଛି। ସେଣ୍ଟ୍ରାଲ କ୍ୟାଣ୍ଟିନ୍‌ର ନବକଳେବର ସାଙ୍ଗକୁ ବିଳାସପୂର୍ଣ୍ଣ ଆବାସସ୍ଥଳୀ ନିର୍ମାଣ ଚାଲିଛି। ଏବେ ବିଡିଏ ପକ୍ଷରୁ କ୍ୟାମ୍ପସ ଭିତର ଦେଇ ଯାଇଥିବା ପ୍ରାକୃତିକ ଡ୍ରେନ୍‌-୪ର ନିକଟ ୨୦ ଏକର ପରିମିତ ଖୋଲାସ୍ଥାନରେ ବୃକ୍ଷରୋପଣ କରାଯାଇ କଂକ୍ରିଟ୍‌ ଚେୟାର, ପଢ଼ିବାକୁ ବିସ୍ତୀର୍ଣ୍ଣ ପରିସର, ମୁକ୍ତାକାଶ ବ୍ୟାୟାମଶାଳା, ଲନ୍‌ ଆଦି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଏତେସବୁ ପରେ ମଧ୍ୟ ରାଜଧାନୀ ଛାତି ଉପରେ ଗଢ଼ି ଉଠିଥିବା ୮୦ ବର୍ଷ ତଳର ଏହି ପୁରାତନ ଶିକ୍ଷାନୁଷ୍ଠାନକୁ ଚାରିପାଖରୁ ଘେରାବନ୍ଦି କରି ରଖିଛି ଏକାଧିକ ବସ୍ତି।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ପରିସର ଭିତରେ ଥିବା ପଥରବନ୍ଧ ବସ୍ତି ଧୀରେ ଧୀ‌ରେ ଛାତ୍ରାବାସ ନିକଟରେ ପହଞ୍ଚି ଗଲାଣି। କ୍ୟାମ୍ପସ୍‌ର ଏକ ଓ ଦୁଇ ନମ୍ବର ଛାତ୍ରାବାସକୁ ଲାଗି ବସ୍ତିବାସିନ୍ଦାଙ୍କ ଘର ଗଢ଼ିଉଠିଛି। ଗଢ଼ି ଉଠିଥିବା ବସ୍ତିକୁ ପେଭର୍‌ ବ୍ଲକ ରାସ୍ତା ସହ ବିଦ୍ୟୁତ୍‌ ସଂଯୋଗ ହୋଇଛି। ପାଣି ପାଇପ ବି ଘରେ ପହଞ୍ଚିଛି। ପ୍ରତିଦିନ ହଷ୍ଟେଲ ପଛ ପାର୍ଶ୍ଵରେ ଅସାମାଜିକଙ୍କ ଆଡ଼ା ଜମୁଥିବାରୁ ଛାତ୍ରମାନେ ଭୟରେ ରାତି କାଟୁଛନ୍ତି। ହଷ୍ଟେଲର ଅନ୍ତେବାସୀଙ୍କ ସୁରକ୍ଷା ପାଇଁ ନୂଆ କରି ପାଚେରି ନିର୍ମାଣ କରାଯାଇଥିଲେ ମଧ୍ୟ କେତେବେଳେ ହଷ୍ଟେଲ ଉପରକୁ କାଚ ବୋତଲ ମାଡ଼ ହେଉଛି ତ ଆଉ କେତେବେଳେ ୟୁନିଭରସିଟି ଲ’ କଲେଜ ଉପରେ ଟେକା ପଡ଼ୁଛି। ଅସାମାଜିକମାନେ ଶିକ୍ଷାନୁଷ୍ଠାନ ଜମିକୁ ଏକପ୍ରକାର କବ୍‌ଜା କରି ରଖିଥିଲେ ମଧ୍ୟ କେହି ମୁହଁ ଖୋଲୁନାହାନ୍ତି। ଯିଏ କହୁଛି, ମାଡ଼ ଖାଉଛି। ବସ୍ତିବାସିନ୍ଦା ବିନାବାଧାରେ ପାଚେରି ଡେଇଁ ଭିତରକୁ ମାଡ଼ି ଆସୁଛନ୍ତି।
ଏବେ ସ୍ଥିତି ଏମିତି ହେଲାଣି ଯେ କ୍ୟାମ୍ପସ ପରିସର ବସ୍ତିବାସିନ୍ଦାଙ୍କ ଡର୍ମ୍ପିଂୟାର୍ଡ ପାଲଟିଲାଣି। ବିଶ୍ୱବିଦ୍ୟାଳୟର ଦକ୍ଷିଣ ଓ ପଶ୍ଚିମ ପାର୍ଶ୍ବକୁ ଲାଗି ଗଢ଼ି ଉଠିଥିବା ବସ୍ତିରେ ଘର ସଂଖ୍ୟା ପ୍ରତି ସପ୍ତାହରେ ବଢ଼ୁଛି। କିଏ ପରିବାର ସହ ଆସି ରହିଥିଲା ତ କିଏ ନୂଆ ବେପାର ଆରମ୍ଭ କଲାଣି। କ୍ୟାମ୍ପସର ଦକ୍ଷିଣ ପାର୍ଶ୍ଵ ପାଚେରି ତଥା ଜାତୀୟ ରାଜପଥକୁ ଲାଗି ରହିଥିବା ପାଚେରି କାନ୍ଥ ବାହାରକୁ ଦେଖାଯାଉ ନାହିଁ। ବର୍ଷକ ତଳେ କ୍ୟାମ୍ପସ ପାଚେରି ଉଚ୍ଚତା ବୃଦ୍ଧି ସହ ତାର ଜାଲି ଲଗାଯାଇଥିଲେ ମଧ୍ୟ ତାହାର କୌଣସି ପ୍ରଭାବ ପଡ଼ିନାହିଁ। ସହରର ବିଭିନ୍ନ ସ୍ଥାନରୁ ବସ୍ତିବାସିନ୍ଦା ମାଡ଼ି ବସିଥିବା ସରକାରୀ ଜମିରୁ ଜବରଦଖଲ ହଟାଇବା ଦିଗରେ ବିଏମ୍‌ସି, ବିଡିଏ ପଦକ୍ଷେପ ନେଉଥିଲେ ମଧ୍ୟ ବାଣୀବିହାର କ୍ଷେତ୍ରରେ ସମସ୍ତେ ଆଖି ବୁଜି ଦେଇଛନ୍ତି। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ମଧ୍ୟ ଚିଠି ଲେଖି ଲେଖି ହତାଶ ହୋଇଗଲେଣି। ବିଏମ୍‌ସି କିମ୍ବା ବିଡିଏ କାହାର ମଧ୍ୟ ଏଥିପ୍ରତି ଟିକିଏ ହେଲେ ନଜର ନାହିଁ। ଗୋଟିଏ ପଟେ ପୁରାତନ ଶିକ୍ଷାନୁଷ୍ଠାନର ବିକାଶ ପାଇଁ ରାଜ୍ୟ ସରକାର ହାତଖୋଲି ଟଙ୍କା ଦେଉଥିବା ବେଳେ ଅନ୍ୟପଟେ ଉତ୍କଳ ପରି ବିଶାଳ ଓ ପୁରାତନ ଶିକ୍ଷାନୁଷ୍ଠାନର ଜମିକୁ ବସ୍ତି ଗିଳିବା ସହିତ ସୌନ୍ଦର୍ଯ୍ୟ ନଷ୍ଟ କରୁଛି। ବାଣୀବିହାର ଛକ ଉପରେ ବିଶ୍ୱବିଦ୍ୟାଳୟ କ୍ୟାମ୍ପସକୁ ଲାଗି ଦୋକାନ ଘର ବଢ଼ିଚାଲିଛି। ପ୍ରତିମାସ ସେଠାରେ ନୂଆ ଦୋକାନ ଖୋଲୁଛି କିନ୍ତୁ କେହି ଧ୍ୟାନ ଦେଉନାହାନ୍ତି।
୨୦୧୯ରେ ରାଜଭବନ ଅଧିକାରୀ କ୍ୟାମ୍ପସ ପରିଦର୍ଶନରେ ଆସି ପାଚେରି ମରାମତି ସହ ବସ୍ତି ହଟାଇବାକୁ ପରାମର୍ଶ ଦେଇଥିଲେ। ଇତିମଧ୍ୟରେ ୫ ବର୍ଷ ବିତିଗଲାଣି। ବସ୍ତି ହଟାଇବା ପାଇଁ ବାରମ୍ବାର ଚିଠି ଲେଖି କର୍ତୃପକ୍ଷ ଏବେ ହାତ ଟେକି ଦେଲେଣି। ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ କହିଛନ୍ତି ଯେ ବସ୍ତି ହଟାଇବାକୁ ବିଏମ୍‌ସିକୁ ବହୁ ଥର ଚିଠି ଲେଖାଯାଇଛି। ତା’ପରେ ମଧ୍ୟ କୌଣସି ପଦକ୍ଷେପ ‌ନିଆଯାଉ ନାହିଁ। ଏବେ ବିଡିଏ ପକ୍ଷରୁ ୪ ନମ୍ବର ଡ୍ରେନ୍‌ କାମ ଚାଲିଛି। କାମ ଶେଷ ହେବାପରେ ଡିଡିସିଇ ପାର୍ଶ୍ବ କ୍ୟାମ୍ପସର ସୌନ୍ଦର୍ଯ୍ୟକରଣ ହୋଇଯିବ ବୋଲି ଆଶା ରହିଛି। ବିଶ୍ୱବିଦ୍ୟାଳୟ କ୍ୟାମ୍ପସକୁ ସବୁଜ କରାଯାଇଛି। ତେବେ ସମ୍ପୂର୍ଣ୍ଣ ୪୦୦ ଏକର ସବୁଜିମା ସମ୍ଭବ ନୁହେଁ। ଯେତିକି ସମ୍ଭବ ଓ ଆବଶ୍ୟକତା ରହିଛି, ସେହି ଅନୁଯାୟୀ କାର୍ଯ୍ୟ ହାତକୁ ନିଆଯାଉଛି।

Share Now:

Kalinga News Beuro

Next Post

କମିଲା ବିଦ୍ୟୁତ୍‌ ଦର : ଘରୋଇ ଉପଭୋକ୍ତାଙ୍କ ପାଇଁ ଖୁସି ଖବର

Tue Feb 13 , 2024
ଭୁବନେଶ୍ୱର : ଗ୍ରୀଷ୍ମଋତୁର ଆଗମନ ପୂର୍ବରୁ ଘରୋଇ ଉପଭୋକ୍ତାଙ୍କ ପାଇଁ ଖୁସି ଖବର ଆସିଛି। ଗ୍ରୀଷ୍ମଦିନରେ ଏସି ଓ କୁଲରର ବ୍ୟବହାର ଯୋଗୁଁ ବିଦ୍ୟୁତ୍‌ ବିଲ୍‌ ଅଧିକ ଆସିବା ନେଇ ଚିନ୍ତାରୁ ସାମାନ୍ୟ ଆଶ୍ବସ୍ତି ମିଳିଛି। ଓଡ଼ିଶା ଇଲେକ୍ଟ୍ରିସିଟି ରେଗୁଲେଟରି କମିସନ (ଓଇଆରସି) ଆଜି ଘରୋଇ ଉପଭୋକ୍ତାଙ୍କ ପାଇଁ ବିଜୁଳି ଦର ହ୍ରାସ କରିଛନ୍ତି।ଘରୋଇ ଉପଭୋକ୍ତାଙ୍କ ପାଇଁ ପ୍ରତ୍ୟେକ ସ୍ଲାବରେ ୧୦ ପଇସା ହ୍ରାସ ହେବ ବୋଲି ଓଇଆରସି କହିଛନ୍ତି। […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial