ସ୍ମାର୍ଟ ସିଟିରେ ପରିବା ଦର ଆକାଶ ଛୁଆଁ

ଭୁବନେଶ୍ୱର: ଆଉ ଗରିବଙ୍କ ଖାଦ୍ୟ ହୋଇ ରହିନାହିଁ ବାଇଗଣ ଭର୍ତ୍ତା। ରାଜଧାନୀର ଖୁଚୁରା ବଜାରରେ ଏହାର ଦର ୧୦୦ ଟଙ୍କା ଟପି ଯାଇଛି। ବାତ୍ୟା ପ୍ରଭାବରେ ଓଡ଼ିଶା ସମେତ ଦେଶର ବିଭିନ୍ନ ସ୍ଥାନରେ ବ୍ୟାପକ ପରିମାଣରେ ଫସଲ ନଷ୍ଟ ଯୋଗୁଁ ଆବଶ୍ୟକତା ତୁଳନାରେ ବାଇଗଣ ମିଳୁ ନାହିଁ। ତେଣୁ ଏହାର ଦର ଆକାଶ ଛୁଆଁ ହୋଇଥିବା କହିଛନ୍ତି ଭୁବନେଶ୍ୱର ପରିବା ବ୍ୟବସାୟୀ ସଂଘର କବିରାଜ ସ୍ୱାଇଁ। ଉଲ୍ଲେଖନୀୟ ଯେ ରାଜଧାନୀ ବଜାରରେ ଉପଲବ୍ଧ ସବୁ ପ୍ରକାର ବାଇଗଣର ଦର ବଢ଼ି ଯାଇଛି। ପୂର୍ବେ କେଜି ପ୍ରତି ୩୫ ଟଙ୍କାରେ ମିଳୁଥିବା ରାୟପୁର ବାଇଗଣ ଏବେ ୫୦ ଟଙ୍କା ହୋଇ ଯାଇଛି। ସେହିଭଳି ୫୦ ଟଙ୍କାର କୋଲକାତା ବାଇଗଣ ୬୦ ଓ ୭୦ ଟଙ୍କାର ନଖରା ବାଇଗଣ ୧୦୦ ଟଙ୍କାରେ ବିକ୍ରି ହେଉଛି। କିନ୍ତୁ ଖୁଚୁରା ବ୍ୟବସାୟୀମାନେ କହନ୍ତି, ଏବେ ବାହାରୁ ବାଇଗଣ ପ୍ରାୟତଃ ଆସୁନାହିଁ। ତେଣୁ ନଖରା ବାଇଗଣ ଏକମାତ୍ର ଭରସା ପାଲଟିଛି। ତେଣୁ ବାଇଗଣ ଦର ଶତକ ମାରିଛି, ମାନେ ୧୦୦ ଟଙ୍କାରେ ପହଞ୍ଚି ଯାଇଛି। ୧୦୦ ପରେ ମଧ୍ୟ ନଟ୍‌ଆଉଟ୍‌ ହୋଇ ତା’ ବ୍ୟାଟିଂ ଜାରି ରହିଛି। ଅର୍ଥାତ୍‌ ସ୍ଥିତିରେ ତୁରନ୍ତ କିଛି ପରିବର୍ତ୍ତନ ହେବାର ସୂଚନା ମିଳୁ ନଥିବାରୁ ଦର ଆହୁରି ବଢ଼ିବାର ଆଶଙ୍କା ରହିଛି। କେବଳ ଏହି ଗୋଟିଏ ପରିବା ନୁହେଁ, ଶୀତରେ ହାଲୁଆ ଆଦି ପାଇଁ ଗାଜରର ଚାହିଦା ରହୁଥିବାବେଳେ ଏହାର ଦର ୬୦ ଛୁଇଁଛି। । ପିଆଜ ପାଇଁ ଏତେ ଆନ୍ଦୋଳନ ଓ ନାଫେଡ୍‌ ପକ୍ଷରୁ ବିକ୍ରି ଅଭିଯାନ ପରେ ମଧ୍ୟ ବର୍ତ୍ତମାନ ମଧ୍ୟ ସହରରେ ପିଆଜର ଖୁଚୁରା ଦର କିଲୋ ପ୍ରତି ୫୦ ଟଙ୍କା ରହିଛି। ମହାରାଷ୍ଟ୍ରରୁ ପିଆଜ ଆସିବା ପରେ ଦରରେ ଲଗାମ ଲାଗିବ ବୋଲି ଆଶା କରାଯାଉଥିଲେ ମଧ୍ୟ ତାହା ସେତେଟା ଫଳପ୍ରଦ ହୋଇନାହିଁ। ପାଇକାରୀରେ ଏହା ୪୦ରୁ୪୫ ଟଙ୍କାରେ ବିକ୍ରି ହେଉଛି। କଲରା ଦର ମଧ୍ୟ ଉଚ୍ଚା ରହିଛି।
ଖୁଚୁରାରେ ଏହା ଦର କେଜି ପ୍ରତି ୮୦ ଟଙ୍କାରେ ହୋଇଥିବାବେଳେ ବିନ୍‌ସ ୮୦, ବିଟ୍ ୫୦, ଭେଣ୍ଡି ୮୦, ଲାଉ ୪୦, କାକୁଡ଼ି ୪୦, ଟମାଟୋ ୪୦ ଟଙ୍କାରେ ମିଳୁଛି। ଶାଗବାଡ଼ିର ଦାମ୍‌ ୭ ଟଙ୍କାରେ ପହଞ୍ଚି ଯାଇଛି। ଲେମ୍ବୁ ୪ଟାକୁ ୧୦ ଟଙ୍କା ହୋଇ ଯାଇଛି। ଏସବୁ ଭିତରେ ଶାକାହାରୀଙ୍କୁ ଆଳୁର ଆଶ୍ୱାସନା ଅବଶ୍ୟ ଜାରି ରହିଛି। ଆଳୁ କେଜି ପ୍ରତି ୨୦ ଟଙ୍କାରେ ବିକ୍ରି ହେଉଛି। ବନ୍ଧା ଓ ଫୁଲ କୋବି ଦର ମଧ୍ୟ ୩୦ ଟଙ୍କା ରହିଛି। ତେଣେ କିନ୍ତୁ ଗାଁମାନଙ୍କରେ କୋବି ୧୦ରୁ ୧୫ ଟଙ୍କାରେ ବିକ୍ରି ହେଉଥିବା ଜଣାପଡ଼ିଛି। ପାଇକାରୀ ତୁଳନାରେ ଖୁଚୁରା ଦରର ଫରକ୍‌ ପ୍ରାୟ ୨୦ ଟଙ୍କାରୁ ଅଧିକ ରହୁଥିବାରୁ ଗ୍ରାହକଙ୍କ ପକେଟ୍‌ ଉପରେ ମାଡ଼ ହେଉଛି। ଏଭଳି ସ୍ଥିତିରେ ଲୋକଙ୍କ ସ୍ୱାର୍ଥରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ମୂଳଚାଷୀ ପାଉଥିବା ମୂଲ୍ୟ ଓ ପାଇକାରୀ ଦରକୁ ଆଧାରକରି ଖୁଚୁରା ବଜାରର ପରିବା ଦରକୁ ନିୟନ୍ତ୍ରଣ ବା ପରିଚାଳନା କରିବା ଲାଗି କିଛି ପଦକ୍ଷେପ ନିଆଯିବା ଉଚିତ ବୋଲି ମଧ୍ୟବିତ୍ତ ବୁଦ୍ଧିଜୀବୀ ମତ ଦେଉଛନ୍ତି।
ରସୁଣ ୨୮୦, ଅଦା ୧୨୦
ରାଜଧାନୀ ଖୁଚୁରା ବଜାରରେ ରସୁଣର ଦର ୨୮୦ ଓ ଅଦାର ଦର ୧୨୦ ଟଙ୍କାରେ ପହଞ୍ଚି ଯାଇଛି। ବ୍ୟବସାୟୀ ସଂଘର ସଭାପତି ସୁଧାକର ପଣ୍ଡାଙ୍କ କହିବା ଅନୁସାରେ, ସର୍ବଭାରତୀୟ ସ୍ତରରେ ରସୁଣ ବଜାରକୁ କର୍ପୋରେଟ୍‌ ହାଉସ୍‌ଗୁଡ଼ିକ କବଜା କରିଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ଉତ୍ତରପ୍ରଦେଶରେ ସର୍ବାଧିକ ରସୁଣ ଉତ୍ପାଦିତ ହୁଏ। କିନ୍ତୁ ଚଳିତ ବର୍ଷ ଚାହିଦା ତୁଳନାରେ କମ୍‌ ଉତ୍ପାଦନ ହୋଇଥିଲା। ବ୍ୟବସାୟ ସଂସ୍ଥାଗୁଡ଼ିକ ଏହାର ଫାଇଦା ନେଉଛନ୍ତି। ଫଳରେ ଦର କାହିଁରେ କେତେ ବଢିଯାଇଛି।

Share Now:

Kalinga News Beuro

Next Post

ବାରାଣସୀରେ ବିଶ୍ୱର ବୃହତ୍ତମ ଧ୍ୟାନ କେନ୍ଦ୍ର ‘ସ୍ଵର୍ବେଦ ମହାମନ୍ଦିର’ ଉଦ୍‌ଘାଟନ

Mon Dec 18 , 2023
ବାରାଣସୀ: ଆଜି ଉତ୍ତର ପ୍ରଦେଶର ବାରାଣସୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱର ବୃହତ୍ତମ ଧ୍ୟାନ କେନ୍ଦ୍ର ‘ସ୍ଵର୍ବେଦ ମହାମନ୍ଦିର’ର ଶୁଭ ଉଦ୍‌ଘାଟନ କରିଛନ୍ତି। ଆଜି ଗସ୍ତର ଦ୍ଵିତୀୟ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହିତ ମିଶି ଏହି ୭ ମହଲାବିଶିଷ୍ଟ ମନ୍ଦିରକୁ ଉଦ୍‌ଘାଟନ କରିଛନ୍ତି। ବାରାଣସୀ ସହରଠାରୁ ୧୨ କିଲୋମିଟର୍‌ ଦୂର ଉମରାହା ଅଞ୍ଚଳରେ ନିର୍ମିତ ଏହି ୭ ମହଲା ଉଚ୍ଚ ଏହି ସୁନ୍ଦର ମନ୍ଦିର […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial