ଶ୍ରୀଲିଙ୍ଗରାଜ ମନ୍ଦିରରେ ଅବଢ଼ା ମାରା : ଅଢ଼େଇ ଘଣ୍ଟା ବିଳମ୍ବରେ ବାହାରିଲା ଭୋଗ

ପୁରୁଣା ଭୁବନେଶ୍ୱର: ଆଜି ଶ୍ରୀଲିଙ୍ଗରାଜ ମନ୍ଦିରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ସଅଳ ନୀତି ପାଇଁ ପ୍ରସ୍ତୁତ ଅବଢ଼ା ଭୋଗ ଲାଗି ହେବା ବେଳେ ଗର୍ଭଗୃହରେ ଖଟା ହାଣ୍ଡି ଭାଙ୍ଗି ମହାପ୍ରଭୁଙ୍କ ଶକ୍ତିକୁ ଛୁଇଁବାରୁ ଠାକୁରଙ୍କ ବେଶ ଓ ଅବଢ଼ା ମାରା ହୋଇଯାଇଥିଲା। ତେଣୁ ବିଧି ଅନୁସାରେ ମାରା ଅବଢ଼ା ସବୁକୁ ଅମୁଣିଆ କୂଅରେ ବିସର୍ଜନ କରାଯାଇଥିଲା। ମହାପ୍ରଭୁଙ୍କ ମହାସ୍ନାନ ନୀତି ପରେ କୋଠ ଥାଳି ପ୍ରସ୍ତୁତ କରାଯାଇ ଠାକୁରଙ୍କ ନୀତି ସମ୍ପନ୍ନ ହୋଇଥିଲା। ଭୋଗ ମାରା‌ ହେବାରୁ ଆଜି ସକାଳୁ ଅବଢ଼ା ପାଇଁ ଆସିଥିବା ଶହଶହ ଶ୍ରଦ୍ଧାଳୁ ନିରାଶ ହୋଇଥିଲେ।
ଶ୍ରୀଲିଙ୍ଗରାଜ ମନ୍ଦିରରେ ଗତକାଲି ପରି ଆଜି ମଧ୍ୟ ସଅଳ ଧୂପ ହୋଇ ଅବଢ଼ା ବାହାରିବା ପାଇଁ ପ୍ରସ୍ତୁତ ହେଉଥିଲା। ଭୋର୍‌ ୫ଟା ୧୫ରେ ମଙ୍ଗଳ ଆଳତି ଆରମ୍ଭ ହୋଇ ୬ଟା ୧୫ମିନିଟ୍‌ରେ ମହାସ୍ନାନ କରାଯାଇଥିଲା। ସକାଳ ପ୍ରାୟ ୮ଟା ୧୫ମିନିଟ୍‌ରେ ସକାଳ ଧୂପ ପାଇଁ ଗର୍ଭଗୃହକୁ ଅନ୍ନ, ଡାଲି, ଖଟା ସହ ବିଭିନ୍ନ ତରକାରୀ ଭୋଗ ପାଇଁ ରଖାଯାଇଥିଲା। ଗର୍ଭଗୃହରେ ଅବଢ଼ା ବେତା ଉପରେ ରଖାଯାଇଥିବା ଖଟା ମାଟି ହାଣ୍ଡି ହଠାତ୍‌ ମିଳେଇଗଲା। ଏଥିରୁ ଖଟା ବୋହିଯାଇ ଯାଇ ଶ୍ରୀଲିଙ୍ଗରାଜଙ୍କ ଶକ୍ତିକୁ ଛୁଇଁଲା। ଫଳରେ ଠାକୁରଙ୍କ ବେଶ ମାରା ହେବାରୁ ପୂଜାପଣ୍ଡା ସେବାୟତ ଉଠି ପଡ଼ି ଭୋଗ ମାରା ହେଲା ବୋଲି ଘୋଷଣା କରିଥିଲେ। ମନ୍ଦିର ସୁପରଭାଇଜର ରାଜକିଶୋର ମହାପାତ୍ର କହିଛନ୍ତି ଯେ ଆଜିର ଅଘଟଣ ସ୍ୱତଃ ଘଟିଛି। ଭୋଗ ମାରା ହେବା ପରେ ସେବାୟତମାନଙ୍କ ଦ୍ୱାରା ଅମୁଣିଆ କୂଅରେ ବିସର୍ଜନ କରାଯାଇଥିଲା। ଏହାପରେ ଠାକୁରଙ୍କର ମହାସ୍ନାନ ପୂର୍ବକ ସାନି ଭୋଗ ଲାଗି ହୋଇଥିଲା। ଏହି ପ୍ରକ୍ରିୟାରେ ଅଢ଼େଇ ଘଣ୍ଟା ବିଳମ୍ବ ହୋଇ ୧୦ଟା ୩୦ରେ ଭୋଗ ବାହାରିଥିଲା। ଏନେଇ ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି କୁହନ୍ତି, ଆଜି ସକାଳ ଧୂପ ପାଇଁ ବିଭିନ୍ନ ଲୋକଙ୍କ ଅବଢ଼ା ବରାଦି ରଖାଯାଇଥିଲା। ୬ଜଣ ସୁଆର ସେବାୟତଙ୍କ ଦ୍ୱାରା ମାଟି ହାଣ୍ଡିରେ ରୋଷେଇ ହୋଇ ଭୋଗ ହେବାକୁ ଯାଇଥିଲା। ହେଲେ ଭୋଗ ମାରା ହୋଇଗଲା। ପ୍ରାୟ ଲକ୍ଷେ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଛି।

Share Now:

Kalinga News Beuro

Next Post

ରାହୁଲଙ୍କ ଭିଡିଓ ସୁଟ୍‌କୁ ଲଜ୍ଜାଜନକ ବୋଲି କହି ନିନ୍ଦା କଲେ ରାଜ୍ୟସଭା ଅଧ୍ୟକ୍ଷ ଧନକର୍‌

Tue Dec 19 , 2023
ନୂଆଦିଲ୍ଳୀ: ମଙ୍ଗଳବାର ତୃଣମୂଳ କଂଗ୍ରେସ ସାଂସଦ କଲ୍ୟାଣ ବାନାର୍ଜୀଙ୍କୁ ନିନ୍ଦା କରିଛନ୍ତି ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକର୍‌। ଟିଏମ୍‌ସି ସାଂସଦ ସଂସଦ ବାହାରେ ତାଙ୍କର ମିମିକ୍ରି କରୁଥିବା କାରଣକୁ ନେଇ ସେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି। କେବଳ କଲ୍ୟାଣ ବାନାର୍ଜୀ ନୁହଁନ୍ତି, ରାହୁଲ ଗାନ୍ଧୀଙ୍କ ଉପରେ ବି ସେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି। ସାଂସଦ ମିମିକ୍ରି କରୁଥିବା ବେଳେ ତାହାକୁ ଭିଡିଓ ସୁଟ୍‌ କରୁଥିଲେ କଂଗ୍ରେସର ବରିଷ୍ଠ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial