ଭୁଆସୁଣୀ ଡର୍ମ୍ପିଂୟାର୍ଡ : ଦାରୁଠେଙ୍ଗ, ଚନ୍ଦକା ଅଭୟାରଣ୍ୟ ଓ ନନ୍ଦନକାନନ ପ୍ରତି ବିପଦ

କଙ୍କାଳ ପାହାଡ଼ର କୁତ୍ସିତ ସତ୍ୟ-ବୁଝୁନି ପ୍ରଶାସନ

ବାରଙ୍ଗ : ଭୁଆସୁଣୀ ଡର୍ମ୍ପିଂୟାର୍ଡରେ ଜମା ହୋଇଥିବା ଅଳିଆ ପର୍ବତ ଦ୍ୱାରା କେବଳ ଯେ ସ୍ଥାନୀୟ ଲୋକେ ପ୍ରଭାବିତ ହୋଇଛନ୍ତି, ତା’ ନୁହେଁ। ଦୂରରେ ଥିବା ଚନ୍ଦକା ଅଭୟାରଣ୍ୟ ଓ ନନ୍ଦନକାନନ ଉପରେ ମଧ୍ୟ ବିପଦର କଳା ବାଦଲ ଛାଇ ଯାଇଛି। କାରଣ ୬୦ଏକର ପରିମିତ ଜାଗାରେ ଜମା ହୋଇ ରହିଥିବା ଏହି ୧୬ ଲକ୍ଷ ମେଟ୍ରିକ୍ ଟନ୍ ପଚାସଢ଼ା ପୁରୁଣା ଆବର୍ଜନାରୁ ବାହାରୁଥିବା ପାଣି ନନ୍ଦନକାନନ ନିକଟସ୍ଥ କାଞ୍ଜିଆ ହ୍ରଦରେ ମିଶୁଛି। ତେଣୁ ସେଠାରେ ଥିବା ବନ୍ୟଜନ୍ତୁଙ୍କ ଜୀବନ ପ୍ରତି ଅଲକ୍ଷ୍ୟରେ ବିପଦ ସୃଷ୍ଟି କରୁଛି। କାଞ୍ଜିଆ ହ୍ରଦର ପାଣି ସହିତ ନନ୍ଦନକାନନ ଚିଡ଼ିଆଖାନାର ସବୁ ଜୀବଜନ୍ତୁ ପ୍ରତ୍ୟକ୍ଷ ବା ପରୋକ୍ଷରେ ସଂପର୍କରେ ଆସୁଛନ୍ତି, ଜଳଜୀବମାନେ ତ ସିଧାସଳଖ ସଂପର୍କରେ ଆସୁଛନ୍ତି। ତେଣୁ ଏହାଦ୍ବାରା ସେମାନେ ଆକ୍ରାନ୍ତ ହେବା ସ୍ୱାଭାବିକ। କିନ୍ତୁ ଏହି ପ୍ରସଙ୍ଗକୁ କେବେ ତର୍ଜମା କରା ଯାଇନାହିଁ। ସତ ହେଉଛି, ଗତ ୧୫ ବର୍ଷ ଭିତରେ ଚିଡ଼ିଆଖାନାର ୪୦ପ୍ରତିଶତ ଜୀବଜନ୍ତୁ ଅଜଣା ରୋଗରେ ମରିଥିଲେ ମଧ୍ୟ ତାହାକୁ ସାମ୍‌ନାକୁ ଅଣାଯାଉ ନାହିଁ। ପୁଣି ଏହି ପାଣି ବିଶେଷକରି ବର୍ଷାଋତୁରେ ଅସଂଖ୍ୟ ସ୍ଥାୟୀ ଓ ଅସ୍ଥାୟୀ ଜଳଧାରା ଜରିଆରେ ଚନ୍ଦକା ଅଭୟାରଣ୍ୟ ଭିତରକୁ ମଧ୍ୟ ଯାଉଛି ଓ ସେଠାକାର ଜଳାଧାର ଓ ଜଳାଶୟରେ ମିଶୁଛି। ତା’କୁ ସେଠାକାର ବଣ୍ୟପ୍ରାଣୀ ନିଶ୍ଚିତ ଭାବେ ବ୍ୟବହାର କରୁଥିବେ ଓ ତା’ଦ୍ୱାରା ରୋଗାକ୍ରାନ୍ତ ହେଉଥିବେ। ଆଶ୍ଚର୍ଯ୍ୟଜନକ ଭାବେ ଏହି ପ୍ରସଙ୍ଗରେ କର୍ତ୍ତୃପକ୍ଷ ବା ବଣ୍ୟଜନ୍ତୁଙ୍କ ପ୍ରସଙ୍ଗରେ କାର୍ଯ୍ୟ କରୁଥିବା କୌଣସି ସଂସ୍ଥା ଥରୁଟିଏ ମୁଣ୍ଡ ବି ଖେଳାଇ ନାହାନ୍ତି।

ଭୁଆସୁଣୀ ଡର୍ମ୍ପିଂୟାର୍ଡର ଅଳିଆ ଗଦାକୁ ଆବଦ୍ଧ କରି ରଖିବା ପାଇଁ ତିଆରି କରା ଯାଇଥିବା ନାମକୁ ମାତ୍ର ପାଚେରିଟି ଅନେକ ସ୍ଥାନରେ ଭାଙ୍ଗି ଗଲାଣି, ଏହାର ଉଚ୍ଚତା ମଧ୍ୟ ଯଥେଷ୍ଟ ନୁହେଁ। ସେଥିପାଇଁ ଭିତରେ ଥିବା ଅଳିଆ ଉଚ୍ଛୁଳି ବାହାରେ ପଡୁଛି। ଅଳିଆ ଗଦା ଭିତରକୁ ଗୃହପାଳିତ ତଥା ବନ୍ୟଜନ୍ତୁ ଅବାଧରେ ପ୍ରବେଶ କରୁଛନ୍ତି ଓ ଅଳିଆ ତଥା ପଲିଥିନ୍‌ ଖାଇ ରୋଗାକ୍ରାନ୍ତ ହୋଇ ମରୁଛନ୍ତି। ସାମାଜିକ କର୍ମୀ ତଥା ଦାରୁଠେଙ୍ଗ ଗ୍ରାମର ସଚିନ ମହାପାତ୍ର ଅଭିଯୋଗ କରିଛନ୍ତି ଯେ ୧୫ ବର୍ଷର ସଂଘର୍ଷ ପରେ ଦାରୁଠେଙ୍ଗରେ ଅଳିଆ ପଡ଼ିବା ବନ୍ଦ ହେଇଛି ସତ। କିନ୍ତୁ ଅନେକ ଗୃହପାଳିତ ଜୀବ ଏହି ଗଦା ହୋଇଥିବା ଅଳିଆ ଖାଇ ମରୁଛନ୍ତି। ଗତ ୪ ମାସ ମଧ୍ୟରେ ଏହି ଅଞ୍ଚଳରେ ଶତାଧିକ ଗାଈଗୋରୁ ଓ ଛୋଟ ବନ୍ୟଜନ୍ତୁ ମୃତ୍ୟୁବରଣ କରି ସାରିଲେଣି। ଅଳିଆ ଗଦା ନିକଟରେ କୁଢ଼ କୁଢ଼ ଜୀବଜନ୍ତୁଙ୍କ କଙ୍କାଳ ପଡ଼ିଥିବାର ଭୟଙ୍କର ଚିତ୍ର ତାହାକୁ ବୟାନ କରୁଛି। କେବଳ ଗତ ୧୦ରୁ ୧୫ ଦିନ ମଧ୍ୟରେ ତାଙ୍କ ଗାଁର ୪ଟି ଗୋରୁଙ୍କର ମୃତ୍ୟୁ ହୋଇଥିବା ଜଣେ ଗ୍ରାମବାସୀ କହିଲେ। ଗୋଟିଏ ମାରାତ୍ମକ କଥା ହେଉଛି, ପଡ଼ିଥିବା ଅଧିକାଂଶ ଗାଈଗୋରୁଙ୍କ ଶବ ଓ କଙ୍କାଳ ଭିତରେ ପଲିଥିନ୍‌ ପୁଟୁଳି ‌ଦେଖିବାକୁ ମିଳୁଛି। ଶବର ମାଂସ ବିଲୁଆ ଓ ଅନ୍ୟ ଜନ୍ତୁ ଖାଇ ଦେଉଛନ୍ତି, ବାକି କୀଟଙ୍କ ପେଟକୁ ଯାଉଛି। ପଚିସଢ଼ି ମାଟିରେ ମିଶୁଛି କିଛି। କିନ୍ତୁ ପଲିଥିନ୍ ମାଟିରେ ନମିଶି ହାଡ଼ର ପିଞ୍ଜରା ଭିତରେ ରହିଯାଇ ସେମାନଙ୍କ ମୃତ୍ୟୁର କାରଣ ଦର୍ଶାଉଛି। ଦାରୁଠେଙ୍ଗ ସରପଞ୍ଚ ତପନ ଚକ୍ରବର୍ତ୍ତୀ କହିଛନ୍ତି, ଭୁବନେଶ୍ୱର ସହରର ଅଳିଆ ପଡ଼ିବା ବନ୍ଦ ହେବା ଦ୍ୱାରା ଅଞ୍ଚଳବାସୀଙ୍କୁ କିଛିଟା ଆଶ୍ଵସ୍ତି ମିଳିଛି ସତ, ହେଲେ ଅବ୍ୟବସ୍ଥିତ ଭାବେ ଅଳିଆ ଜମା ହୋଇ ରହିବାରୁ ଅଳିଆ ଓ ପଲିଥିନ୍‌ ଖାଇ ଶହ ଶହ ଗାଈଗୋରୁ ମରି ସାରିଲେଣି। ଆଗକୁ ଆଉ କେତେ ମରିବେ ତାହା କହିବା ସମ୍ଭବ ନୁହେଁ। ଏଠାରୁ ବାହାରୁଥିବା ଆବର୍ଜନା ପାଣି ନନ୍ଦନକାନନ ନିକଟରେ ଥିବା କାଞ୍ଜିଆ ହ୍ରଦରେ ମିଶି ଚିଡ଼ିଆଖାନାର ଜୀବଜନ୍ତୁଙ୍କ ଜୀବନପ୍ରତି ବିପଦ ଆଣୁଥିବା ସେ ମଧ୍ୟ କହିଲେ। ଅନ୍ୟଜଣେ ଗ୍ରାମବାସୀ ଅଭିଯୋଗ କଲେ ଯେ ଏଠାକାର ଆବର୍ଜନା ପାଣି ଦ୍ୱାରା ସ୍ଥାନୀୟ ଅଞ୍ଚଳରେ ଭୂତଳ ଜଳ ଖରାପ ହେଉଛି ଓ ଅଞ୍ଚଳବାସୀ କିଡ୍‌ନି ଓ ଚର୍ମ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଖରାଦିନେ ଏଠାରେ ନିଆଁ ଲଗାଯାଉଥିବାରୁ ଅଧିକାଂଶ ପରିବାର‌ରେ ଶ୍ୱାସରୋଗୀ ସୃଷ୍ଟି ହୋଇଛନ୍ତି।

Share Now:

Kalinga News Beuro

Next Post

ଟେଷ୍ଟ୍‌ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ୮ ୱିକେଟ୍‌ରେ ହରାଇଲା ଭାରତୀୟ ମହିଳା କ୍ରିକେଟ୍‌ ଟିମ୍‌

Sun Dec 24 , 2023
ମୁମ୍ବାଇ: ଆଜି ମୁମ୍ବାଇସ୍ଥିତ ୱାଙ୍ଖେଡ଼େ ଷ୍ଟାଡିୟମ୍‌ରେ ଚାଲିଥିବା ଟେଷ୍ଟ୍‌ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ମହିଳା କ୍ରିକେଟ୍‌ ଟିମ୍‌କୁ ୮ ୱିକେଟ୍‌ରେ ପରାସ୍ତ କରି ଭାରତର ମହିଳା କ୍ରିକେଟ୍‌ ଟିମ୍ ଇତିହାସ ସୃଷ୍ଟି କରିଛି। ଏହି ୪ ଦିବସୀୟ ଟେଷ୍ଟ୍‌ ମ୍ୟାଚ୍‌ରେ ଆଜି ଚତୁର୍ଥ ଇନିଙ୍ଗ୍ସ୍‌ରେ ଭାରତର ମହିଳା କ୍ରିକେଟ୍‌ ଟିମ୍‌ ୧୮.୪ ଓଭର୍‌ରେ ୨ ୱିକେଟ୍‌ ବିନିମୟରେ ନିର୍ଦ୍ଧାରିତ ୭୫ ରନ୍‌ ସଂଗ୍ରହ କରି ଏହି ଐତିହାସିକ ବିଜୟ ହାସଲ କରିଛି। […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial