ଭୋପାଳ: ବେଆଇନ ଭାବେ ଚାଲୁଥିବା ମଧ୍ୟପ୍ରଦେଶର ଆଶ୍ରୟ ଗୃହରୁ ୨୬ଜଣ ଝିଅ ନିଖୋଜ ହେବା ଘଟଣାରେ ଏକ ବଡ଼ ମୋଡ଼ ଆସିଛି। କୁହାଯାଉଛି ଯେ, ନିଖୋଜ ହୋଇଥିବା ୨୬ଜଣଙ୍କ ମଧ୍ୟରୁ ୧୨ଜଣ ସେମାନଙ୍କ ଘରେ ଥିଲେ। ୧୨ଜଣକ ପତ୍ତା ମିଳିବା ପରେ ଏବେ ଅନ୍ୟ ନିଖୋଜ ଝିଅଙ୍କୁ ପୁଲିସ ଖୋଜିବା ଆରମ୍ଭ କରିଛି। ନିଖୋଜ ଝିଅମାନଙ୍କ ମଧ୍ୟରେ ଗୁଜରାଟ, ଝାଡ଼ଖଣ୍ଡ, ରାଜସ୍ଥାନ ଓ ମଧ୍ୟପ୍ରଦେଶର ମଧ୍ୟ କିଛି ଝିଅ ରହିଥିବା ଜଣାପଡ଼ିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ୨ଜଣ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି। ସୂଚନାନୁସାରେ, ଅବହେଳା ପାଇଁ ସିଡିପିଓ ବ୍ରିଜେନ୍ଦ୍ର ପ୍ରତାପ ସିଂ ଏବଂ ସିଡିପିଓ କୋମଲ ଉପାଧ୍ୟାୟଙ୍କୁ ନିଲମ୍ବିତ କରାଯାଇଛି। ତେବେ ନ୍ୟାସନାଲ କମିଶନ ଫର ପ୍ରୋଟେକସନ ଅଫ୍ ଚାଇଲ୍ଡ ରାଇଟ୍ସ (ଏନସିପିସିଆର) ଅଧ୍ୟକ୍ଷ ପ୍ରିୟାଙ୍କ କାନୁନଗୋ ଭୋପାଳ ଉପକଣ୍ଠରେ ଥିବା ପରୱାଲିଆ ଅଞ୍ଚଳରେ ଥିବା ଆଞ୍ଚଲ ବାଳିକା ହଷ୍ଟେଲରେ ହଠାତ୍ ଯାଇ ପହଞ୍ଚିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା। ଯେତେବେଳେ ସେ ରେଜିଷ୍ଟର ଯାଞ୍ଚ କରିଥିଲେ, ସେତେବେଳେ ଜଣାପଡ଼ିଥିଲା ଯେ, ରେଜିଷ୍ଟରରେ ୬୮ଜଣକ ନାମ ଥିବା ବେଳେ ସେମଧ୍ୟରୁ ୨୬ଜଣ ନିଖୋଜ ଅଛନ୍ତି। ଯେତେବେଳେ ନିଖୋଜ ଝିଅମାନଙ୍କ ବିଷୟରେ ଆଶ୍ରୟ ଗୃହର ନିର୍ଦ୍ଦେଶକ ଅନିଲ ମାଥ୍ୟୁଙ୍କୁ ପଚରାଗଲା, ସେ ସନ୍ତୋଷଜନକ ଉତ୍ତର ଦେଇନଥିଲେ। ଏହା ପରେ ଏହି ଘଟଣାକୁ ନେଇ ଏତଲା ଦାଖଲ କରିଥିଲେ ପ୍ରିୟାଙ୍କ କାନୁନଗୋ। ଏତଲା ସହ ସେ ଏକ ଭିଡିଓ ଏକ୍ସରେ ପୋଷ୍ଟ କରିଥିଲେ।
ଭୋପାଳ ଆଶ୍ରୟ ଗୃହରୁ ୨୬ଝିଅ ନିଖୋଜ୍ ଘଟଣା : ନିଜ ଘରୁ ମିଳିଲେ ୧୨ଜଣ ଝିଅ

Share Now: