ଜମିବ ଖଣ୍ଡଗିରି କୁମ୍ଭ‌ମେଳା ଓ ଯାତ୍ରା : ମହତାବ ପେଣ୍ଡାଲ‌ରେ ୩ ସମ୍ରାଟ

ଭୁବନେଶ୍ୱର: ଫେବୃଆରୀ ୧୬ରୁ ମାଘମେଳା। ୧୮ରୁ ଆରମ୍ଭ ହେବ ଯାତ୍ରା ମହାସମର। ପ୍ରସିଦ୍ଧ ଖଣ୍ଡଗିରି ଯାତ୍ରା ପାଇଁ ଅପେରାପାର୍ଟି ପ୍ରସ୍ତୁତ ହୋଇଗଲେଣି। ନୂଆ ନୂଆ‌ କାହାଣୀ, ଦମ୍‌ଦାର ସଂଳାପକୁ ନେଇ ପ୍ରସ୍ତୁତ ହୋଇଥିବା ୧୩ ପାର୍ଟିକୁ ବଇନା ଦିଆ ସରିଲାଣି। କିଛି ଯାତ୍ରା କମିଟି ପ୍ରଚାର ବ୍ୟାନର୍‌ ଲଗାଇଥିବାରୁ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିଲାଣି। ଘାଟିକିଆ ସନାତନ ସେବା ସଦନ, ଜାଗମରା ମା’ ମଙ୍ଗଳା ସାଂସ୍କୃତିକ ଯୁବ ପରିଷଦ, ଜୟଦୁର୍ଗା ସାଂସ୍କୃତିକ ପରିଷଦ, ମା’ ମଙ୍ଗଳା ନାଟ୍ୟ ସଂସଦ, ଜାଗମରା, ଆଇଗିଣିଆ ହରେକୃଷ୍ଣ ମହତାବ ପେଣ୍ଡାଲ, ନିଳାଦ୍ରୀ ସାଇ ଯାତ୍ରା କମିଟି, ଜାଗମରା ଇନ୍ଦିରା ସାଂସ୍କୃତିକ ମଣ୍ଡପ, ବରମୁଣ୍ଡା ବାବା ନିଳକଣ୍ଠେଶ୍ୱର ଯାତ୍ରା କମିଟି ପକ୍ଷରୁ ୭ଟି ପେଣ୍ଡାଲରେ ୧୩ଟି ଅପେରା ପାର୍ଟି ନାଟକ ପରିବେଷଣ କରିବେ। ୧୮ରୁ ୨୯ତାରିଖ ପର୍ଯ୍ୟନ୍ତ ୧୨ରାତି କମ୍ପିବ ଖଣ୍ଡଗିରି ଯାତ୍ରା ପଡ଼ିଆ। ପ୍ରଥମ ପର୍ଯ୍ୟାୟରେ ସାଇସମ୍ରାଟ, ଗୌରୀ, ସୂର୍ଯ୍ୟମନ୍ଦିର, ଦୂର୍ଗାମନ୍ଦିର, ଶିବାନୀ ଅପେରା ଆସିବାକୁ ଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟରେ ଅଶୋକ ସମ୍ରାଟ, ସ୍ଵର୍ଣ୍ଣ ମନ୍ଦିର, ସ୍ଵପ୍ନ ମହଲ, କୋଣାର୍କ, କଳିଙ୍ଗ, ଯାତ୍ରା ସମ୍ରାଟ ତୁଳସୀ ଆଦି ଦଳ ସେମାନଙ୍କ କିମିଆ ଦେଖାଇବେ।
ମହତାବ ପେଣ୍ଡାଲ‌ରେ ୩ ସମ୍ରାଟ
ହରେକୃଷ୍ଣ ମହତାବ ସାଂସ୍କୃତିକ ପରିଷଦର ସଭାପତି କୃଷ୍ଣଚନ୍ଦ୍ର ଜେନା ଓ ସମ୍ପାଦକ ନୃସିଂହ ପ୍ରସାଦ ସୁନ୍ଦରାୟଙ୍କ ସୂଚନା ଅନୁସାରେ କମିଟି ପକ୍ଷରୁ ୩ଟି ଅପରୋ ପାର୍ଟି ଆସିବେ। ସାଇ ସମ୍ରାଟ ୧୮ ଫେବୁଆରୀରୁ ୨୦ ତାରିଖ ୩ ରାତି ନାଟକ ମଞ୍ଚସ୍ଥ କରିବ। ‌ଅଶୋକ ସମ୍ରାଟ ୨୧ରୁ ୨୪ ତାରିଖ ଓ ଯାତ୍ରା ସମ୍ରାଟ ତୁଳସୀ ୨୫ରୁ ୨୯ ପର୍ଯ୍ୟନ୍ତ ମହତାବ ପେଣ୍ଡାଲରେ ଯାତ୍ରା ପରିବେଷଣ କରି‌ବ। ଏଥର ସାଇ ସମ୍ରାଟ ‘ଦେବାଦାସୀ ହେବି ତୋରି ପାଇଁ’ ନାଟକ ସହ ଅନୁସନ୍ଧାନ ନାଟକ ‘‌ତୁ ଯୋଉଠି ଥିଲେ ବି ମୋର’ ମଞ୍ଚସ୍ଥ କରିବ। ଅଶୋକ ସମ୍ରାଟ ‘ରକ୍ତ ସମ୍ପର୍କ’ ଓ ‘ବାଦାମ ବାଡ଼ିର ରିକ୍ସା ବାଲା’ ମଞ୍ଚସ୍ଥ କରି ଦର୍ଶକଙ୍କ ମନକିଣିବାକୁ ଆଶା ରଖିଛି। ଗତ ଥର ଲୋକପ୍ରିୟତା ହାସଲ କରିଥିବା ନାଟକ ‘ଅଧା ରାତିର ସାଥୀ’ ମଞ୍ଚସ୍ଥ କରିବାକୁ ତୁଳସୀ ‌ଯୋଜନା କରିଥିବା ବେଳେ ଏଥରର ଅନୁସନ୍ଧାନ ନାଟକ ହେଉଛି ‘ଏଇ ବୋ‌ଧେ ଶେଷ ଦେଖା’।

କୁମ୍ଭ‌ମେଳା ପାଇଁ ପ୍ରସ୍ତୁତି
ଉତ୍କଳ ପଞ୍ଚସଖା ଭାଗବତ ଆଖଡ଼ା ପକ୍ଷରୁ ଖଣ୍ଡଗିରି କୁମ୍ଭମେଳା ପାଇଁ ପ୍ରସ୍ତୁତି ବୈଠକ ଅନାଦି ମଠରେ ଆୟୋଜିତ ହୋଇଯାଇଛି। ଏଥି‌ରେ ହରି ଓଁ ବାବା, ବାବା କାଳୀ ଚରଣ ଦାସ, ପ୍ରଫୁଲ୍ଲ ପାଢ଼ୀ, ମହାନିତ୍ୟ ପଦ୍ମଦଳ ଉପ ସଭାପତି ବାବା କ୍ରିଷ୍ଣ ଗିରି ଯୋଗ ଦେଇଥିଲେ। ସେମାନେ କହିଛନ୍ତି, ଭାରତର ଅନ୍ୟ ରାଜ୍ୟମାନଙ୍କରେ ହେଉଥିବା କୁମ୍ଭମେଳାରେ ସାଧୁସନ୍ଥମାନଙ୍କର ରହିବା, ଖାଇବା, ବସ୍ତ୍ରଦାନ, ଦକ୍ଷିଣା, ହୋମଯଜ୍ଞ ଇତ୍ୟାଦି ସେବା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ କରିବା ସହ ଅନ୍ୟାନ୍ୟ ମୌଳିକ ସେବା ଯୋଗାଉଛନ୍ତି। କିନ୍ତୁ ହରିଓମ୍ ବାବା ମଠ ତରଫରୁ ହେଇ ଆସୁଥିବା ଖଣ୍ଡଗିରି ମହାକୁମ୍ଭ ମେଳାକୁ ସରକାର ଦୃଷ୍ଟି ଦେଉ ନାହାନ୍ତି। ଏହି ଖଣ୍ଡଗିରି କୁମ୍ଭମେଳାକୁ ମାନ୍ୟତା ସହ ସମସ୍ତ ଖର୍ଚ୍ଚ ବହନ କରି ସୁପରିଚାଳିତ କରାଇବାକୁ ସେମାନେ ଦାବି କରିଛନ୍ତି।
ମନମୋହିବ ‘କାନ୍ଦେନା ଲୁହ ସରିଯିବ’
ମା’ ମଙ୍ଗଳା ସାସ୍କୃତିକ ଯୁବ ପରିଷଦର ସଭାପତି ରଘୁନାଥ ମହାନ୍ତି ଓ ସମ୍ପାଦକ ପ୍ରମୋଦ କୁମାର ଜେନାଙ୍କ ସୁଚନା ଅନୁସାରେ ଅପେରା ଦୂର୍ଗା ମନ୍ଦିର ୧୮ ତାରିଖରୁ ୨୩ ତାରିଖ ଯାଏ ଓ ସ୍ଵର୍ଣ୍ଣ ମହଲ ୨୫ରୁ ୨୯ ଯାଏ କେସିସି ପଡ଼ିଆରେ ଜଲ୍‌ୱା ଦେଖାଇବେ। ଦୂର୍ଗା ମନ୍ଦିର ‘କାନ୍ଦେନା ଲୁହ ସରିଯିବ’ ନାଟକରେ ଦର୍ଶକଙ୍କୁ ବାନ୍ଧି ରଖିବାକୁ ଯୋଜନା କରିଥିବା ବେଳେ ସ୍ଵର୍ଣ୍ଣ ମହଲ ‌‘କେତେ ଦୁଃଖ ଦେବୁ ଦେ’ରେ କାଳିଆ’ ମଞ୍ଚସ୍ଥ କରିବ। ବରମୁଣ୍ଡା ନିଳକଣ୍ଠେଣଶ୍ୱର ଯାତ୍ରା କମିଟି ପକ୍ଷରୁ ସ୍ଵର୍ଣ୍ଣ ମନ୍ଦିର ୨୩ ତାରିଖରୁ ୨୯ ତାରିଖ ଯାଏ ‘ମୋ ଆଖି ଲୁହ ତୋ’ରି ପାଇଁ’ ମଞ୍ଚସ୍ଥ କରିବ। ଜୟଦୁର୍ଗା ସାଂସ୍କୃତିକ ପରିଷଦ ପକ୍ଷରୁ ଗୌରୀ, ସ୍ଵପ୍ନ ମହଲ ଆସିବାକୁ ଥିବା ବେଳେ ଘାଟିକିଆ ସନାତନ ସେବା ସଦନରେ ସୂର୍ଯ୍ୟ ମନ୍ଦିର, କୋଣାର୍କ, ଜାଗମରା ଇନ୍ଦିରା ସାଂସ୍କୃତିକ ମଣ୍ଡପ ପକ୍ଷରୁ ଶିବାନୀ, କଳିଙ୍ଗ, ନୀଳାଦ୍ରି ସାଇ ଯାତ୍ରା କମିଟି ପକ୍ଷରୁ ରଙ୍ଗମହଲ ଆସିବାକୁ ଯୋଜନା ହୋଇଛି।

Share Now:

Kalinga News Beuro

Next Post

ଜାନୁଆରୀ ୨୨ରେ ଓଡ଼ିଶାରେ ଛୁଟି ଘୋଷଣା ଓ ମଦ ଦୋକାନ ବନ୍ଦ ଦାବି କଲା ବିଜେପି

Tue Jan 16 , 2024
ଭୁବନେଶ୍ୱର: ରାଜ୍ୟ ସରକାର ଆସନ୍ତା ୨୨ ତାରିଖକୁ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କରନ୍ତୁ। ଏହାସହ ସେ ଦିନ ରାଜ୍ୟରେ ସମସ୍ତ ମଦ ଦୋକାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଅନ୍ତୁ। ୫ଶହ ବର୍ଷର ସଂଘର୍ଷ ପରେ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ। ଦେଶର ଅନେକ ରାଜ୍ୟରେ ସେହି ଦିନ ଛୁଟି ଘୋଷଣା କରାଯାଇଛି। ନିଶାଦ୍ରବ୍ୟ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial