ଶ୍ରୀମନ୍ଦିରକୁ ଶ୍ରୀହୀନ କରିବା ଲାଗି ଷଡ଼ଯନ୍ତ୍ର!

ଭୁବନେଶ୍ୱର : ଶ୍ରୀମନ୍ଦିର ସଂସ୍କାର ସଂପର୍କିତ ସୁପ୍ରିମକୋର୍ଟଙ୍କ ନିର୍ଦେଶକୁ ନେଇ ବଡ଼ ବିତର୍କ ମୁଣ୍ଡ ଟେକିଛି। କେବଳ ସେବାୟତ ନୁହେଁ, ବିଭିନ୍ନ ରାଜନୈତିକ ଦଳ ମଧ୍ୟ ଏ ନେଇ ତମ୍ବିତୋଫାନ ଆରମ୍ଭ କରିଛନ୍ତି।
ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର ଆଶଙ୍କା ପ୍ରକାଶ କରିଛନ୍ତି, ଶ୍ରୀମନ୍ଦିର ବିରୋଧରେ ଏକ ବଡ଼ ଧରଣର ଷଡ଼ଯନ୍ତ୍ର ଚାଲିଛି। ସେପଟେ ବିରୋଧୀ ଦଳ ନେତା ନରସିଂହ ମିଶ୍ର, ବିଶ୍ୱହିନ୍ଦୁ ପରିଷଦ ପରିଷଦ, ଆଇନ ମନ୍ତ୍ରୀ ପ୍ରତାପ ଜେନା, ପୁରୀ ବିଧାୟକ ତଥା ମନ୍ତ୍ରୀ ମହେଶ୍ୱର ମହାନ୍ତି ପ୍ରମୁଖ ଏହି ପ୍ରସଙ୍ଗରେ ନିଜ ମତ ରଖିଛନ୍ତି। ଏଥିସହିତ ଏହି ପ୍ରସଙ୍ଗଟି ଜଟିଳ ରୂପ ଧାରଣ କରିଛି।
ଆଜି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର କହିଥିଲେ, ଶ୍ରୀମନ୍ଦିରରେ ବଂଶାନୁକ୍ରମିକ ସେବା ଉଚ୍ଛେଦ ସଂପର୍କରେ ଜିଲ୍ଲା ଜଜ୍‌ ଯେଉଁ ସୁପାରିସ କରିଥିଲେ, ତାକୁ ସର୍ବୋଚ୍ଚନ୍ୟାୟାଳୟ ଏକ ପ୍ରକାର ଗ୍ରହଣ କରିଛନ୍ତି। ମାତ୍ର ବର୍ତମାନ ପରିସ୍ଥିତିରେ ଏହା କାର୍ଯ୍ୟକାରୀ କରିବା ଆଦୌ ସମ୍ଭବ ନୁହେଁ। କାରଣ ଜିଲ୍ଲା ଜଜ୍‌ ବୋଧହୁଏ ରାଜ୍ୟ ସରକାରଙ୍କ ଶ୍ରୀମନ୍ଦିର ଆଇନର ଧାରା ୧୫, ଉପଧାରା ୧କୁ ଭୁଲିଯାଇଛନ୍ତି। ଏଥିରେ ସେବାୟତଙ୍କ ଅଧିକାରକୁ ସାବ୍ୟସ୍ତ କରାଯାଇଛି। ସ୍ପଷ୍ଟ କରିଦିଆଯାଇଛି ଯେ ସତ୍ତ୍ୱଲିପି ଅନୁସାରେ ହିଁ ମହାପ୍ରଭୁଙ୍କ ସେବାପୂଜା କରାଯିବ। ପରମ୍ପରାଗତ ଏହି ବ୍ୟବସ୍ଥାକୁ ଉଚ୍ଛେଦ କରାଯାଇପାରିବ ନାହିଁ। ତେବେ କେଉଁ ଭଳି ପରିସ୍ଥିତିରେ ଶୁଣାଣି ବେଳେ କୋର୍ଟରେ ଉପସ୍ଥିତ ଥିବା ରାଜ୍ୟ ସରକାରଙ୍କ ଆଡଭୋକେଟ୍‌ ଜେନେରାଲ ଏ ପ୍ରସଙ୍ଗରେ ଖଣ୍ଡପୀଠଙ୍କ ଦୃଷ୍ଟି ଆକର୍ଷଣ କଲେ ନାହିଁ, ତାହା ବୁଝାପଡୁନାହିଁ। ସେ ଚାହଁଥିଲେ ଶ୍ରୀମନ୍ଦିର ଆଇନ ବ୍ୟବସ୍ଥା ସଂପର୍କରେ ବିଚାରପତିଙ୍କ ସାମ୍ନାରେ ରଖିପାରିଥାନ୍ତେ।
କୋର୍ଟଙ୍କ ସାମ୍ନାରେ ଯେତେସବୁ ମନ୍ଦିର ତଥ୍ୟ ରଖାଯାଇଛି, ସେମାନଙ୍କ ସହିତ ଶ୍ରୀମନ୍ଦିର ତୁଳନୀୟ ନୁହେଁ ବୋଲି ସୂଚାଇ ଶ୍ରୀ ମହାପାତ୍ର କହିଥିଲେ, ଏଠାରେ ୧୨୦ ପ୍ରକାର ସେବା ପୂଜାର ବ୍ୟବସ୍ଥା। ବିଶ୍ୱର ଅନ୍ୟ କୌଣସି ମନ୍ଦିରରେ ଏ ବ୍ୟବସ୍ଥା ନାହିଁ। ଏଣୁ ଯେଉଁମାନେ ଶ୍ରୀମନ୍ଦିର ସଂପର୍କରେ ବାହାରେ ମନଇଚ୍ଛା ମନ୍ତବ୍ୟ ଦେଉଛନ୍ତି, ସେମାନେ ଏଥିପ୍ରତି ଦୃଷ୍ଟି ଦେବା ଦରକାର। ସେ କହିଲେ ଯେ ବର୍ତମାନ ଶ୍ରୀମନ୍ଦିର ପ୍ରଶାସନ ଏକ ସଙ୍କଟ ଭିତରକୁ ଠେଲି ହୋଇଯାଇଛନ୍ତି। ଏକ ବିଚିତ୍ର ପରିସ୍ଥିତି ସୃଷ୍ଟି ହେଲାଣି।ଶ୍ରୀମନ୍ଦିର ପ୍ରଶାସନ ଏବେ ସୁପ୍ରିମକୋର୍ଟଙ୍କ ନିର୍ଦେଶ ଶୁଣିବେ ନା ରାଜ୍ୟ ସରକାରଙ୍କ ଶ୍ରୀମନ୍ଦିର ଆଇନ ମାନିବେ, ତାହା ବଡ଼ ପ୍ରଶ୍ନ। ସୁପ୍ରିମକୋର୍ଟ ଚାହିଁଲେ, ଏହି ଆଇନକୁ ରଦ୍ଦ କରିପାରିବେ। ଅନ୍ୟଥା ବିଧାନସଭା ଆଇନରେ ବଡ଼ ଧରଣର ସଂଶୋଧନ ନ ଆଣିବା ପର୍ଯ୍ୟନ୍ତ ଏସବୁ କାର୍ଯ୍ୟକାରୀ ହୋଇପାରିବ ନାହିଁ।
ଏହି ପ୍ରସଙ୍ଗକୁ ମାମୁଲି ପ୍ରସଙ୍ଗ ଭାବେ ନ ବିଚାର କରି ଏବଂ ଶ୍ରୀମନ୍ଦିର ପରିଚାଳନା କମିଟିର ଗତାନୁଗତିକ ବୈଠକ ନ ଡାକି ଉଚ୍ଚସ୍ତରୀୟ ଅଧିକାରୀଙ୍କ ଉପସ୍ଥିତିରେ ବିସ୍ତୃତ ଆଲୋଚନାର ଆବଶ୍ୟକତା ରହିଛି। ଏଥିରେ ମୁଖ୍ୟଶାସନ ସଚିବ, ଆଇନ ସଚିବ, ଆଡ଼ଭୋକେଟ୍‌ ଜେନେରାଲ ପ୍ରମୁଖ ଉପସ୍ଥିତ ରହିବା ଦରକାର। ଗଜପତି ମହାରାଜା କେବଳ ପରିଚାଳନା କମିଟିର ସ୍ଥାୟୀ ଅଧ୍ୟକ୍ଷ ନୁହନ୍ତି ବରଂ ମହାପ୍ରଭୁଙ୍କ ଆଦ୍ୟ ସେବକ। ଏଣୁ ସେ ଏହି ପ୍ରସଙ୍ଗରେ ମୁଖ୍ୟ ଭୂମିକା ନିର୍ବାହ କରିବା ଦରକାର। ସେହିଭଳି ଶ୍ରୀମନ୍ଦିର ପ୍ରସଙ୍ଗରେ ବିନା ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶରେ କିଛି ବି ନିଷ୍ପତ୍ତି ହେବା ସ୍ଫୃହଣୀୟ ନୁହେଁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ଶ୍ରୀଜଗନ୍ନାଥ ମନ୍ଦିର ଅନୁଧ୍ୟାନ ଲାଗି ସୁପ୍ରିମକୋର୍ଟଙ୍କ ନିଯୁକ୍ତ ଆମିକସ୍‌ କ୍ୟୁରି ଗୋପାଳ ସୁବ୍ରମଣ୍ୟମ୍‌ ଆସିବା ବେଳେ ଶ୍ରୀମନ୍ଦିର ସଂସ୍କାର ନେଇ ପ୍ରସ୍ତାବ ରଖିବେ ବୋଲି ଶ୍ରୀ ମହାପାତ୍ର ସୂଚାଇବା ସହିତ ଏହି ମାମଲାରେ ପକ୍ଷଭୁକ୍ତ ହୋଇ ସେ ନିଜେ ସୁପ୍ରିମକୋର୍ଟରେ ମତ ରଖିବେ ବୋଲି କହିଥିଲେ। ଶ୍ରୀମନ୍ଦିରକୁ ଶ୍ରୀହୀନ କରିବାକୁ ଚକ୍ରାନ୍ତ କରାଯାଉଛି ବୋଲି ସୂଚାଇ ଶ୍ରୀ ମହାପାତ୍ର ଏହା ପଛରେ ରାଜ୍ୟ ବାହାରର ଷଡ଼ଯନ୍ତ୍ରର ଗନ୍ଧ ବାରି ହେଲାଣି ବୋଲି ସତର୍କ କରିଥିଲେ। ଶ୍ରୀମନ୍ଦିରରେ ବିଶୃଙ୍ଖଳା ସୃୃଷ୍ଟି କଲେ, ମହାପ୍ରଭୁ ଅପୂଜା ରହିବାର ଆଶଙ୍କା ରହିଛି ବୋଲି ମଧ୍ୟ ସେ ଭବିଷ୍ୟବାଣୀ କରିଥିଲେ।
ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ସୁପ୍ରିମକୋର୍ଟ ପୁରୀ ଜିଲ୍ଲା ଜଜ୍‌ଙ୍କ ନିଷ୍ପତ୍ତିକୁ ଗ୍ରହଣ କରିବା ପୂର୍ବରୁ ଆପତ୍ତି ମାଗିଛନ୍ତି। ମାତ୍ର ବର୍ତମାନ ପରିସ୍ଥିତିରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଗ୍ରହଣୀୟ ନୁହେଁ। କାରଣ ଏ ନେଇ ଆଇନ ପରିବର୍ତ୍ତନ ଦରକାର। ଯଦି ଆଇନ ପରିବର୍ତ୍ତନ କରାଯିବ, ତାହା ପୁଣି ସବୁ ପକ୍ଷ ଓ ସବୁ ବର୍ଗଙ୍କୁ ଶୁଣି କରାଯିବା ଦରକାର।
ପୁରୀ ବିଧାୟକ ତଥା ମନ୍ତ୍ରୀ ମହେଶ୍ୱର ମହାନ୍ତି ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶକୁ ପରୋକ୍ଷରେ ବିରୋଧ କରି କହିଛନ୍ତି, ଶ୍ରୀଜଗନ୍ନାଥ ମନ୍ଦିର ଏବଂ ଏହାର ପରମ୍ପରା ବହୁ ପୁରାତନ। ଶ୍ରୀମନ୍ଦିରର ନୀତିକାନ୍ତି, ସେବାପୂଜା ଅନ୍ୟ କେଉଁଠି ନାହିଁ। ଶ୍ରୀମନ୍ଦିର ସହ ଅନ୍ୟ ମନ୍ଦିରର ତୁଳନା ଗ୍ରହଣୀୟ ନୁହେଁ। ଅଣହିନ୍ଦୁ ମନ୍ଦିର ପ୍ରବେଶ ଅଧିକାର ପାଇଲେ ରଥଯାତ୍ରା ବନ୍ଦ ହେବ। ଅଣହିନ୍ଦୁ ପ୍ରବେଶ, ସେବାୟତ ପ୍ରସଙ୍ଗ ବିତର୍କର ସମ୍ଭାବନା ସୃଷ୍ଟି କରିଛି।
ବିଶ୍ୱହିନ୍ଦୁ ପରିଷଦ କାର୍ଯ୍ୟକାରୀ ଅଧ୍ୟକ୍ଷ ବଦ୍ରିନାଥ ପଟ୍ଟନାୟକ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି, କୌଣସି ପରିସ୍ଥିତିରେ ବି ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶ ପ୍ରସଙ୍ଗକୁ ବରଦାସ୍ତ କରାଯିବ ନାହିଁ। ଏ ନେଇ ପରିଷଦ ଯେ କୌଣସି ସ୍ତରକୁ ଓହ୍ଲାଇପାରେ। ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ ଦାଖଲ କରାଯିବାକୁ ଚିନ୍ତା କରାଯାଉଛି। ଅନଶନ ବି କରାଯିବ। ଶ୍ରୀ ପଟ୍ଟନାୟକ ବଂଶାନୁକ୍ରମିକ ସେବା ଉଚ୍ଛେଦକୁ ପ୍ରବଳ ବିରୋଧ କରିଛନ୍ତି। କହିଛନ୍ତି, ଆଜି ସେବାୟତଙ୍କୁ ବିଦା କରିବା କଥା କୁହାଯାଉଛି। ଆସନ୍ତାକାଲି ଗଜପତି ମହାରାଜାଙ୍କୁ ବଦଳାଇବାକୁ କୁହାଯିବ, ପରଦିନ ଶଙ୍କରାଚାର୍ଯ୍ୟଙ୍କୁ। ଶ୍ରୀଜଗନ୍ନାଥ ମନ୍ଦିର ବିରୋଧରେ ଯେଉଁ ଷ଼ଡ଼ଯନ୍ତ୍ର ଚାଲିଛି, ତାହାକୁ ଦମନ କରିବା ଲାଗି ସଂଗଠନ ବଦ୍ଧପରିକର ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, ସୁପ୍ରିମକୋର୍ଟ ଶ୍ରୀମନ୍ଦିର ସଂସ୍କାର ନେଇ ଦେଇଥିବା ରିପୋର୍ଟ ରାଜ୍ୟ ସରକାରଙ୍କ ଏବେସୁଦ୍ଧା ହସ୍ତଗତ ହୋଇନାହିଁ। କୋର୍ଟ ସମସ୍ତ କଥାକୁ ଭଲରେ ତର୍ଜମା କରିବା ପରେ ଏବେ ଏକ ମଧ୍ୟବର୍ତ୍ତୀକାଳୀନ ରିପୋର୍ଟ ଦେଇଛନ୍ତି। ଯାହାର ଆଲୋଚନା ଓ ତର୍ଜମାର ଆବଶ୍ୟକତା ରହିଛି। ଚୂଡ଼ାନ୍ତ ନିଷ୍ପତ୍ତି ଆସିବା ପରେ ଆମେ ଏହାକୁ ଭଲରେ ପରଖି କାର୍ଯ୍ୟକାରୀ କରିବୁ। ଶ୍ରୀମନ୍ଦିରକୁ ଅଣହିନ୍ଦୁ ପ୍ରବେଶ ପ୍ରସଙ୍ଗରେ କୋର୍ଟ କୌଣସି ନିଷ୍ପତ୍ତି ଶୁଣାଇ ନାହାନ୍ତି। କେବଳ ଆଲୋଚନା ବା ତର୍ଜମା ଲାଗି ସେ ପ୍ରଶ୍ନ କରିଛନ୍ତି। ଶ୍ରୀମନ୍ଦିର ସଂସ୍କାର ପାଇଁ ସରକାର ସମ୍ପୂର୍ଣ୍ଣ ଭାବେ ସଚେତନ ଅଛନ୍ତି।

Share Now:

Kalinga News Beuro

Leave a Reply

Next Post

ରୋମାଞ୍ଚ ଭରିବ ମିରର୍‌ ଗ୍ୟାଲେରି:୧୧ରୁ ଖୋଲିବ ଇନୋଭେସନ୍‌ ହବ୍‌

Sun Jul 8 , 2018
ଭୁବନେଶ୍ୱର: ମଜାରେ ମଜାରେ ଜ୍ଞାନ ବଢ଼ିବ। ସୃଜନ ମନସ୍କ ହେବେ କୋମଳମତି ଶିଶୁ। ଧୁମ୍‌ ହସିବେ, ପୁଣି ରୋମାଞ୍ଚିତ ହେବେ। ବିଜ୍ଞାନ ଓ କାରିଗରୀ କୌଶଳର ନୂଆ ସୃଜନ ଭଣ୍ଡାର ‘ଇନୋଭେସନ୍‌ ହବ୍‌’ ଆଣିଦେବ ଏହି ବିରଳ ଅନୁଭୂତି। ଆଚାର୍ଯ୍ୟ ବିହାରସ୍ଥିତ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ପରିସରରେ ଆସନ୍ତା ୧୧ ତାରିଖରୁ ଖୋଲିବ ଏହି ହବ୍‌। ପୁଣି ମିରର୍‌ରେ ମ୍ୟାଜିକ୍‌ ଦେଖିବାକୁ ସୁଯୋଗ ଦେବ ‘ମିରର ଗ୍ୟାଲେରି’। ଆଇନାର ଚକ୍ରବ୍ୟୂହରେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial