ସଂସ୍କୃତି ବିଶ୍ୱବିଦ୍ୟାଳୟରେ ଶିକ୍ଷାର୍ଥୀ ସଙ୍କଟ:ସଂସ୍କୃତି ଶିକ୍ଷା ବାଟବଣା

କାମଚଳା ଅଧ୍ୟକ୍ଷରେ ଚାଲିଛି ସଙ୍ଗୀତ ମହାବିଦ୍ୟାଳୟ

ଭୁବନେଶ୍ୱର: କଳା, ସଂସ୍କୃତିର ରାଜ୍ୟ ଓଡ଼ିଶାରେ ସଂସ୍କୃତି ଶିକ୍ଷା ବାଟବଣା। ୧୮ ବର୍ଷ ତଳେ ପ୍ରତିଷ୍ଠା ହୋଇଥିବା ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ଏପର୍ଯ୍ୟନ୍ତ ନିଜ ସ୍ଥିତି ସଜାଡ଼ିପାରୁନି। ପିଲା ହେଉ ନାହାନ୍ତି କି ସବୁ ବିଭାଗରେ ପର୍ଯ୍ୟାପ୍ତ ଶିକ୍ଷକ ନାହାନ୍ତି। ଯେଉଁଥିପାଇଁ ପ୍ରତିବର୍ଷ ଗୋଟିଏ ପରେ ଗୋଟିଏ ବିଭାଗ ବନ୍ଦ ହେଉଛି। ପିଲା ନ ହେବାରୁ ଗତବର୍ଷ ୪ଟି ବିଭାଗରେ ତାଲା ପଡ଼ିଥିଲା। ଏଥର ମଧ୍ୟ ୧୦ଟି ବିଭାଗରେ ୫ରୁ କମ୍‌ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି। ଏହି ବିଭାଗଗୁଡ଼ିକର ଭାଗ୍ୟ କ’ଣ ହେବ ଜଣାପଡ଼ି ନ ଥିବା ବେଳେ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ କେତୋଟି ବିଭାଗର ସିଟ୍‌ ପୂରଣ ଲାଗି ଆଉଥରେ ନାମଲେଖା କରିବାକୁ ଯୋଜନା କରୁଛନ୍ତି। ମିଳିଥିବା ତଥ୍ୟ ଅନୁଯାୟୀ, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ୨୦ଟି ବିଭାଗରେ ୪୬୪ ସ୍ନାତକୋତ୍ତର ସିଟ୍‌ ରହିଛି। ଦୁଇଟି ପର୍ଯ୍ୟାୟ ନାମଲେଖାରେ ୧୨୩ଟି ସିଟ୍‌ ପୂରଣ ହୋଇଛି। ପେଣ୍ଟିଂ ବିଭାଗରେ ୨୪ଟି ଓ କଲଚର ଷ୍ଟଡିଜ୍‌ରେ ୧୬ଟି ସିଟ୍‌ ପୂରଣ ହୋଇଛି। ଅନ୍ୟ ବିଭାଗଗୁଡ଼ିକରେ ପିଲାଙ୍କ ସଂଖ୍ୟା ୧୦ ଟପିନି। ଓଡ଼ିଶୀ କଣ୍ଠ ସଙ୍ଗୀତ, ହିନ୍ଦୁସ୍ତାନୀ କଣ୍ଠ ସଙ୍ଗୀତ, ଓଡ଼ିଶୀ ନୃତ୍ୟ, ଛଉ ନୃତ୍ୟ, ନାଟକ, ତବଲା, ମର୍ଦ୍ଦଳ, ବଂଶୀ, ବେହେଲା, ସୀତାର ପରି ବିଷୟରେ ପିଲାଙ୍କ ସଂଖ୍ୟା ବହୁତ କମ୍‌। ପ୍ରତିବର୍ଷ ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତରେ ସିଟ୍‌ ପୂରଣ ହେଉଥିବା ବେଳେ ଏଥର କିନ୍ତୁ ପିଲା ହୋଇ ନାହାନ୍ତି।

ବିଶ୍ୱବିଦ୍ୟାଳୟ କୁଳସଚିବ ଡ. ସୁମନ ଦାସ କହିଛନ୍ତି ଯେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ସ୍ନାତକ ପାଠ୍ୟକ୍ରମଗୁଡ଼ିକ ୨୦୧୫-୧୬ ଶିକ୍ଷାବର୍ଷରୁ ୪ ବର୍ଷିଆ ହୋଇଯାଇଛି। ତେଣୁ ଏବର୍ଷ ସେଠାରୁ କେହି ସ୍ନାତକ ପାସ୍‌ କରିନାହାନ୍ତି। ଆସନ୍ତାବର୍ଷଠାରୁ ପୁଣିଥରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ସ୍ନାତକ ପାସ୍‌ କରିବା ପରେ ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ପଢ଼ିବାକୁ ଯୋଗ୍ୟତା ଅର୍ଜନ କରିବେ। ପୂର୍ବରୁ ଯେଉଁମାନେ ସ୍ନାତକ ପାସ୍‌ ପରେ ସ୍ନାତକୋତ୍ତରରେ ନାମ ଲେଖାଇ ନ ଥିବେ ସେମାନେ କେବଳ ଚଳିତବର୍ଷ ନାମଲେଖାଇବାର ସୁଯୋଗ ରହିଛି। ତେଣୁ ଖାଲି ସିଟ୍‌ ପୂରଣ ପାଇଁ ସ୍ପଟ୍‌ ନାମଲେଖା ହୋଇପାରେ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଚଳିତବର୍ଷ ବି ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ସଙ୍କଟ ଜାରି ରହିବ। ଦେଢ଼ ବର୍ଷ ହେଲା ବିଭିନ୍ନ ବିଭାଗର ୧୬ଟି ଅଧ୍ୟାପକ ପଦ ପାଇଁ ନିଯୁକ୍ତି ପ୍ରକ୍ରିୟା ଚାଲିଥିବା ବେଳେ ଏବେ ତାହାକୁ ବାତିଲ୍‌ କରାଯାଇଛି। ପୁଣିଥରେ ନିଯୁକ୍ତି ପ୍ରକ୍ରିୟା କରାଯିବ। ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ନିଯୁକ୍ତି ଲାଗି ଯେଉଁ ନିୟମ ରହିଥିଲା, ସେହି ଅନୁଯାୟୀ କେତେକ ବିଭାଗରେ ଆବେଦନକାରୀ ହେଲେନି। ତେଣୁ ନିୟମରେ ସଂଶୋଧନ କରାଯାଇଛି। ଏନେଇ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ, କୁଳାଧିପତି ତଥା ରାଜ୍ୟପାଳ, ରାଜ୍ୟ ସରକାରଙ୍କ ଅନୁମତି ମିଳିସାରିଛି। ବିଶ୍ୱବିଦ୍ୟାଳୟ ବୋର୍ଡ ଅଫ୍‌ ମ୍ୟାନେଜ୍‌ମେଣ୍ଟରେ ବି ପ୍ର୍ରସ୍ତାବ ଗୃହୀତ ହୋଇଛି। ସୁପ୍ରିମ୍‌କୋର୍ଟରେ ମାମଲା ଚାଲିଥିବାରୁ ନିଯୁକ୍ତି ପ୍ରକ୍ରିୟା ଉପରେ ରୋକ ଲାଗିଛି। ଚୂଡ଼ାନ୍ତ ରାୟ ପ୍ରକାଶ ପାଇବା ପରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ ବୋଲି କୁଳସଚିବ ଶ୍ରୀ ଦାସ ସୂଚନା ଦେଇଛନ୍ତି।

ଏ ତ ଗଲା ସଂସ୍କୃତି ବିଶ୍ୱବିିଦ୍ୟାଳୟ କଥା। ରାଜ୍ୟର ପ୍ରଥମ ତଥା ଏକମାତ୍ର ସରକାରୀ ସଙ୍ଗୀତ ମହାବିଦ୍ୟାଳୟ ସ୍ଥିତି ନ କହିବା ଭଲ। ଏଠାରେ ପିଲା ହେଉଛନ୍ତି, ହେଲେ ପଢ଼ାଇବା ପାଇଁ ପର୍ଯ୍ୟାପ୍ତ ସ୍ଥାୟୀ ଅଧ୍ୟାପକ ନାହାନ୍ତି। ଅଧ୍ୟକ୍ଷ ପଦ ବି ଖାଲି ପଡ଼ୁଛି। ସଂସ୍କୃତି ବିଭାଗ ନିର୍ଦେଶକ ଅଧିକାଂଶ ସମୟରେ ଭାରପ୍ରାପ୍ତ ଅଧ୍ୟକ୍ଷ ଦାୟିତ୍ୱରେ ରହୁଛନ୍ତି। ଯେଉଁ ଅଧ୍ୟାପକ ରହିଛନ୍ତି, ସେମାନଙ୍କୁ ସଂସ୍କୃତି ବିଭାଗର ଅନ୍ୟ ପଦବିରେ ଭାରପ୍ରାପ୍ତ ଦାୟିତ୍ୱ ଦିଆଯାଉଛି। ଯେଉଁଥିପାଇଁ ଏଠାରେ ପାଠପଢ଼ା ବ୍ୟାହତ ହେଉଥିବା ଅଭିଯୋଗ ଉଠିଛି। ସେହିପରି ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ପ୍ରଫେସର୍‌ଙ୍କୁ ମଧ୍ୟ ସଂସ୍କୃତି ବିଭାଗର ଅନ୍ୟ ସଂସ୍ଥାରେ ଭାରପ୍ରାପ୍ତ ଭାବେ ଥଇଥାନ କରାଯାଉଥିବାରୁ ଓଡ଼ିଶାରେ ସଂସ୍କୃତି ଶିକ୍ଷା ଏକପ୍ରକାର ବାଟବଣା ହୋଇଯାଇଛି। ଲାଗୁଛି ସଂସ୍କୃତି ଶିକ୍ଷା ପ୍ରତି ସଂସ୍କୃତି ବିଭାଗର ସତେ ଯେମିତି ଆନ୍ତରିକତା ହିଁ ନାହିଁ।

Share Now:

Kalinga News Beuro

Leave a Reply

Next Post

ଲଜ୍ଜା: ମୁଜାଫରପୁର ପରେ ଏବେ ଚର୍ଚ୍ଚାରେ ୟୁପି ଦେଓରିଆ ସେଲଟର ହୋମ୍‌; ୨୪ ବାଳିକା ଉଦ୍ଧାର, ୧୫ ନିଖୋଜ

Mon Aug 6 , 2018
ଗୋରଖପୁର (ଉତ୍ତରପ୍ରଦେଶ): ବିହାର ମୁଜାଫରପୁର ସେଲଟର ହୋମ୍‌ ଦୁଷ୍କର୍ମ ମାମଲାର ତାତି ଦେଶରୁ ଥମି ନଥିବା ବେଳେ ଆଉ ଏକ ସେଲଟର ହୋମ୍‌ରେ ଚାଲିଥିବା କେଳେଙ୍କାରୀ ଏବେ ପଦାକୁ ଆସିଛି। ଆଉ ଏଇ ସେଲଟର ହୋମ୍‌ଟି ହେଉଛି ଉତ୍ତରପ୍ରଦେଶର ଗୋରଖପୁର ଜିଲ୍ଲା ଅନ୍ତର୍ଗତ ଦେଓରିଆର। ଏଇ ସେଲଟର ହୋମ୍‌ରୁ ୨୪ ଜଣ ବାଳିକାଙ୍କୁ ଉଦ୍ଧାର କରା ଯାଇଥିବା ବେଳେ ନିଖୋଜ ଥିବା ୧୫ ବାଳିକାଙ୍କୁ ଖୋଜି ବାହାର କରିବା ପାଇଁ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial