ବେଆଇନ ହୋର୍ଡିଂ ଉଚ୍ଛେଦ ପାରୁନି ନା ଚାହୁନି ବିଏମ୍‌ସି ?

ଭୁବନେଶ୍ୱର : ବ୍ୟକ୍ତିଗତ ଜାଗାରେ ବିଜ୍ଞାପନ ବା ହୋର୍ଡିଂ ଲଗାଇଲେ ବିଏମ୍‌ସିକୁ ଧାର୍ଯ୍ୟ ଦେୟ ଦେବାକୁ ପଡ଼ିବ। କେତୋଟି ହାତ ଗଣତି ସଂସ୍ଥାଙ୍କୁ ଛାଡ଼ିଦେଲେ କେହି ବିଏମ୍‌ସିକୁ ଜଣାଉ ନାହାନ୍ତି। ଘରମାଲିକ ଛାତ ଉପରେ ଲଗାଇ ମୋଟା ଅଙ୍କର ରାଜସ୍ବ ଆଦାୟ କରୁଥିବା ବେଳେ ବିଏମ୍‌ସି ୧୦୦ କୋଟିରୁ ଊର୍ଦ୍ଧ୍ବ ରାଜସ୍ୱ ହରାଇ ସାରିଲାଣି। ବିନା ପଞ୍ଜୀକରଣରେ ହୋର୍ଡିଂକୁ ଉଚ୍ଛେଦ କରିଦିଆଯିବ ବୋଲି ବିଏମ୍‌ସି କେବଳ ଚେତାବନୀ ଦେଉଛି। ଗତ ୨୦୨୨ ମସିହାରୁ ୨ବର୍ଷ ଧରି ବିଏମ୍‌ସି ଘରୋଇ ସଂସ୍ଥାଙ୍କୁ ୩ଥର ଡରାଇ ସାରିଲାଣି। ୩ଦିନ ତଳେ ପୁଣି ଥରେ ସମାନ ଚେତାବନୀ ଦେଇ ଡରାଇଛି। ହେଲେ ପ୍ରଶ୍ନ ଉଠିଛି, ଯଦି ବେଆଇନ, ତେବେ ୩ ଥର ଏହି ସଂସ୍ଥାମାନଙ୍କୁ କାହିଁକି ବିଏମ୍‌ସି ସୁଯୋଗ ଦେଇଛି? ପ୍ରାୟ ୧୦୦ କୋଟି ରାଜସ୍ବହାନୀ ପାଇଁ କିଏ ଦାୟୀ? ବାସ୍ତବରେ ବେଆଇନ ହୋର୍ଡିଂ ହଟାଯାଇ ପାରୁନି ନା ବିଏମ୍‌ସି ଏ ସବୁ ହଟାଇବାକୁ ଚାହୁନି? ମୋଟା ଅଙ୍କର ହାତଗୁଞ୍ଜା ପାଇ ଅଧିକାରୀମାନେ ନରମି ଯାଇନାହାନ୍ତି ତ?
ସରକାରୀ ଜାଗା ହେଉ କି ବେସରକାରୀ, ଯେଉଁଠି ବି ହୋର୍ଡିଂ ଲାଗିବ ତାହା ବିଏମ୍‌ସିରେ ପଞ୍ଜୀକୃତ ହେବ। ସେଠାରୁ ବିଏମ୍‌ସି ରାଜସ୍ୱ ସଂଗ୍ରହ କରିବ। କିନ୍ତୁ ବର୍ଷ ବର୍ଷ ଧରି କେହି ପଞ୍ଜୀକରଣ କରୁନଥିଲେ। ‌କେତେକ କର୍ମଚାରୀ ସଂସ୍ଥାମାନଙ୍କ ଠାରୁ ମୋଟା‌ ଅଙ୍କର ହାତଗୁଞ୍ଜା ନେଉଥିଲେ। ଏହା ଜଣାପଡ଼ିବା ପରେ ୨୦୨୨ରେ ବିଏମ୍‌ସି ତା’ ଅଧୀନରେ ପଞ୍ଜୀକୃତ ହୋଇନଥିବା ସଂସ୍ଥାଙ୍କ ହୋର୍ଡିଂକୁ ହଟାଇବାକୁ ସ୍ଥିର କରିଥିଲା। ସ୍ୱତନ୍ତ୍ର ଟିମ୍‌ ଜରିଆରେ ସର୍ଭେ କରି ସହରରେ ପ୍ରାୟ ୧୧୬୬ ହୋର୍ଡିଂର ତାଲିକା ତିଆରି କରିଥିଲା। ୨୦୨୨ ଅପ୍ରେଲରେ କମିସନର ବିଜୟ ଅମୃତା କୁଲାଙ୍ଗେ ସମୀକ୍ଷା କରିବା ପରେ ଏଜେନ୍‌ସିଙ୍କୁ ପଞ୍ଜୀକୃତ ହେବାକୁ ନୋଟିସ୍‌ କରିଥିଲା ବିଏମ୍‌ସି। କିନ୍ତୁ କିଛି ଫଳ ହୋଇନଥିଲା। ଲୋକମାନେ ନିଜ ଘର ଉପରେ ବିଜ୍ଞାପନ ଲଗାଇ ମୋଟା ଅଙ୍କର ଅର୍ଥ ରୋଜଗାର କରୁଥିଲେ। ବିଏମ୍‌ସି ଏ ବାବଦରେ ଟଙ୍କାଟିଏ ପାଉନଥିଲା। ବିଏମ୍‌ସି ନା ହୋର୍ଡିଂ ଲଗାଉଥିବା ଏଜେନ୍ସିଙ୍କୁ ଧରି ପାରୁଥିଲା, ନା ‘ରେସିଡେନ୍‌ସିଆଲ ହୋଲ୍ଡିଂ’ ଥିବା ଏହି ଘରମାନଙ୍କରୁ ‘ବ୍ୟାବସାୟିକ ହୋଲ୍ଡିଂ’ ଆଦାୟ କରିପାରୁଥିଲା। ଉଭୟ ପଟୁ ବିଏମ୍‌ସି କ୍ଷତି ସହୁଥିଲା। ତଳିଆ କର୍ମଚାରୀଙ୍କ ଜରିଆରେ ବାବୁମାନେ ମୋଟା ଅଙ୍କର ହାତଗୁଞ୍ଜା ନେଉଥିବାରୁ ଏହା ସଫଳ ହୋଇନଥିବା‌ ଚର୍ଚ୍ଚା ହୋଇଥିଲା। ଯଦିଓ ଏହା ପୂର୍ଣ୍ଣ ସଫଳ ହୋଇଥିଲେ ବିଏମ୍‌ସିର ରାଜସ୍ୱ ଦୁଇଗୁଣ ବଢ଼ି ଯାଇଥାନ୍ତା ବୋଲି ଆକଳନ କରାଯାଇଥିଲା। ପୁଣି ଥରେ ୨୦୨୩ ନଭେମ୍ବରରେ ବିଏମ୍‌ସି ନୋଟିସ୍‌ ଜାରି କରି ବେଆଇନ ହୋର୍ଡିଂ ଲଗାଇଥିବା ଏଜେନ୍‌ସିମାନଙ୍କୁ ଡରାଇଥିଲା। ଡିସେମ୍ବର ୬ ତାରିଖ ସୁଦ୍ଧା ବିଏମ୍‌ସିରେ ପଞ୍ଜୀକରଣ ନ କରାଇଲେ ବେଆଇନ ହୋର୍ଡିଂସବୁକୁ ହଟାଇଦିଆଯିବ ବୋଲି ଧମକ ଦେଇଥିଲା। ହେଲେ ଏ ଧମକରେ ବି କୌଣସି ସଂସ୍ଥା ଡରିଲେନି କି ବିଏମ୍‌ସି ବି ଗୋଟିଏ ହେଲେ ହୋର୍ଡିଂ ଉଚ୍ଛେଦ କରିପାରିଲାନି। ଏବେ ଚଳିତ ମାସ ୨୫ ତାରିଖରେ ବିଏମ୍‌ସି ପୁଣି ଥରେ ଏହି ସଂସ୍ଥାମାନଙ୍କୁ ଡରାଇଛି। ଆସନ୍ତା ମାସ ୫ ତାରିଖ ସୁଦ୍ଧା ପଞ୍ଜୀକୃତ ନ ହେଲେ ଉଚ୍ଛେଦ କରି ଦିଆଯିବ ବୋଲି କହିଛି।
ସୂଚନାଯୋଗ୍ୟ ଯେ ‘ଆଡ୍‌ଭର୍ଟାଇଜ୍‌ମେଣ୍ଟ ରେଗୁଲେସନ୍‌-୨୦୦୬’ ଅନୁଯାୟୀ ବିଏମ୍‌ସି ଅଞ୍ଚଳରେ କେବଳ ପଞ୍ଜୀକୃତ ସଂସ୍ଥା ବିଜ୍ଞାପନ ହୋର୍ଡିଂ ଲଗାଇ ପାରିବା ନିୟମ ରହିଛି। ଉପଯୁକ୍ତ ଟ୍ରେଡ୍‌ ଲାଇସେନ୍ସ ହାସଲ କରିବା ପରେ ଯାଇ ସେମାନଙ୍କୁ ବିଏମ୍‌ସି ସ୍ବୀକୃତି ଦେବ। ସ୍ୱୀକୃତିପ୍ରାପ୍ତ ସଂସ୍ଥାମାନଙ୍କ ଜରିଆରେ ବିଜ୍ଞାପନ ଲାଗିବ। ୨୦୧୮ ମସିହା‌ରେ ବିଏମ୍‌ସି ଏଭଳି ଚିନ୍ତା କରିଥିଲା। କଟକ ରୋଡ୍, ଜନପଥ, ସଚିବାଳୟ ମାର୍ଗ ଏବଂ ବିଦ୍ୟୁତ ମାର୍ଗରେ ପ୍ରାୟ ୪୦ କିଲୋମିଟର ରାସ୍ତା କଡ଼ରେ ଥିବା କୌଣସି ଛାତ ଉପରେ ହୋର୍ଡିଂ ଲାଗିବନି ବୋଲି ବିଏମ୍‌ସି ଘୋଷଣା କରିଥିଲା। ଏସବୁ କେବଳ ଧୂଆଁବାଣ ହୋଇ ରହିଯାଇଥିବା ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ବେଆଇନ ଭାବରେ ବିଜ୍ଞାପନ ଫଳକ ଲଗାଉଥିବା ସଂସ୍ଥାଙ୍କୁ ବିଏମ୍‌ସି ନୋଟିସ୍‌ ଦେବା ଆରମ୍ଭ କରିଥିଲା।

Share Now:

Kalinga News Beuro

Next Post

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ହେମନ୍ତ ସୋରେନ : ଦାୟିତ୍ୱ ନେବେ ଚମ୍ପାଇ ସୋରେନ

Wed Jan 31 , 2024
ରାଞ୍ଚି: ଜମି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ହେମନ୍ତ ସୋରେନଙ୍କୁ ଗିରଫ କରିବା ନେଇ ଚର୍ଚ୍ଚା ଚାଲିଥିବା ବେଳେ ଝାଡ଼ଖଣ୍ଡ ମନ୍ତ୍ରୀ ତଥା ଜେଏମ୍‌ଏମ୍‌ର ବରିଷ୍ଠ ନେତା ଚମ୍ପାଇ ସୋରେନ୍‌ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି। ସୂତ୍ର ଅନୁଯାୟୀ ମୁଖ୍ୟମନ୍ତ୍ରୀ ପଦରୁ ହେମନ୍ତ ସୋରେନ୍‌ ଇସ୍ତଫା ପ୍ରଦାନ କରିଛନ୍ତି। ହେମନ୍ତ ସୋରେନ ବୁଧବାର ସନ୍ଧ୍ୟାରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ମୁଖ୍ୟ ସୋରେନ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial