ଖଣ୍ଡଗିରି: ପରମ୍ପରା, ବିଧି ଓ ବିଶ୍ୱାସ ଅନୁସାରେ ପବିତ୍ର ମାଘ ସପ୍ତମୀରେ ଆରମ୍ଭ ହେଉଛି ବିଶ୍ୱ ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭମେଳା। ସୂର୍ଯ୍ୟ ଉପାସନା ସାଙ୍ଗକୁ ସାଧୁସନ୍ଥମାନେ ହୋମଯଜ୍ଞ, ଜପତପ ଓ ପୂଜାର୍ଚ୍ଚନା କରିବେ। ରାମଚରିତ ମାନସ ପାଠକ ଯୋଗୁଁ ସମଗ୍ର ପାହାଡ଼ ମନ୍ତ୍ରଧ୍ବନିରେ ପ୍ରକମ୍ପିତ ହେବ। ଖଣ୍ଡଗିରିର ଗିରିକନ୍ଦରରେ ଗୁଞ୍ଜରିତ ହେବ ବିଭିନ୍ନ ମନ୍ତ୍ରଧ୍ବନି। ସନ୍ଥମାନଙ୍କ ଅସ୍ଥାୟୀ ତପ ଶିବିରରେ ଜଳିବ ଅଖଣ୍ଡ ଯଜ୍ଞ। ଦିନରେ ମନ୍ତ୍ରଧ୍ବନି, ସଂଜ ନଇଁଲେ ଜମିବ ଭଜନ କୀର୍ତ୍ତନ। ଆସନ୍ତା ୯ ଦିନ ପାଇଁ ମହାତୀର୍ଥରେ ପରିଣତ ହେବ ଖଣ୍ଡଗିରି। ଏକ ସୁନ୍ଦର ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବ ବନଭୂମି ଖଣ୍ଡଗିରିରେ। ଶୁକ୍ରବାର ଦିନ ମା’ ବାରଭୂଜାଙ୍କ ପାଖେ ଖଣ୍ଡଖିରି ଭୋଗ ଲାଗିହେବ। ପ୍ରାୟ ମଧ୍ୟାହ୍ନ ପରେ ହୋମକୁଣ୍ଡରେ ଅଗ୍ନି ସ୍ଥାପନ ହେବ ଓ ଏହି ଅଖଣ୍ଡ ହୋମକୁଣ୍ଡ ୯ ଦିନ ପର୍ଯ୍ୟନ୍ତ, ଅର୍ଥାତ୍ ପୂର୍ଣ୍ଣମୀ ପର୍ଯ୍ୟନ୍ତ ପ୍ରଜ୍ଜ୍ବଳିତ ରହିବ। ଇତିମଧ୍ୟରେ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ସ୍ଥାନରୁ ଶତାଧିକ ସାଧୁ ଆସି ପହଞ୍ଚିଛନ୍ତି। ରାଜଧାନୀର କଂକ୍ରିଟ୍ ଜଙ୍ଗଲ ଭିତରେ ଆଜି ବି ଭାରତବର୍ଷର ପ୍ରାଚୀନ ଜାଗଯଜ୍ଞ ଓ ଜପତପ ପରମ୍ପରା ଜୀବିତ ରହିଛି- ଏହାର ପ୍ରମାଣ ଦେଉଛି ତପୋଭୂମି ଖଣ୍ଡଗିରି।
ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ମେଳାରେ ହଜାର ହଜାର ଲୋକଙ୍କ ଭିଡ଼ ଜମିବ। ମେଳା ସମୟରେ ଟ୍ରାଫିକ୍ ସମସ୍ୟାଠାରୁ ଆରମ୍ଭ କରି ଚୋରି, ଅପରାଧ ଆଦି ସବୁଦିଗକୁ କମିସନରେଟ୍ ପୁଲିସ ଗୁରୁତ୍ବର ସହ ନେଇଛି। ମେଳା ପାଇଁ ୮ ପ୍ଲାଟୁନ୍ ପୁଲିସ ମୁତୟନ କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି। ୨ ପ୍ଲାଟୁନ୍ ପୁଲିସ କେବଳ ଟ୍ରାଫିକ୍ ନିୟନ୍ତ୍ରଣ କରିବେ। ସୁରକ୍ଷା ଦାୟିତ୍ବକୁ ଜଣେ ଏସିପି ପାହ୍ୟାର ଅଧିକାରୀଙ୍କୁ ଦିଆଯାଇଛି। ତାଙ୍କ ନେତୃତ୍ୱରେ ୧୮ଜଣିଆ ଟିମ୍ ଗଠନ କରାଯାଇଛି। ୧୨ ଜଣ ଅଫିସର ଏହାର ଦାଇତ୍ୱ ନେବେ। ସେମାନେ ମେଳାର ଅସ୍ଥାୟୀ କଣ୍ଟ୍ରୋଲ୍ ରୁମ୍ରୁ ସୁରକ୍ଷା ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବେ। ସେହିପରି ସାରା ଅଞ୍ଚଳକୁ ସିସିଟିଭି ନଜରରେ ରଖାଯାଇଛି। କଣ୍ଟ୍ରୋଲ୍ ରୁମ୍ରୁ ୫୦ଟି ସିସିଟିଭି ଜରିଆରେ ଅଧିକାରୀମାନେ ମେଳା ଉପରେ ନଜର ରଖିବେ। ଏହାଛଡ଼ା ୩ଟି ବାଇକ୍ ଓ ୨ଟି ଭ୍ୟାନ୍ ପାଟ୍ରୋଲିଂ ୟୁନିଟ୍ ରଖାଯାଇଛି। ସେମାନେ ୨୪ ଘଣ୍ଟିଆ ବୁଲିବେ। ଅଗ୍ନିଶମ ବିଭାଗର କର୍ମଚାରୀ ଓ ଦମକଳ ଗାଡ଼ି ମଧ୍ୟ ମୁତୟନ କରାଯାଇଛି। ଅପ୍ରୀତିକର ପରିସ୍ଥିତି ଯେମିତି ନ ଉପୁଜେ, ସେଥିପାଇଁ ସାଦାପୋଷାକରେ ପୁଲିସ ମେଳା ଜଗିବେ। ସେହିପରି ମେଳା ପାଇଁ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି। ପାହାଡ଼ ପାଦଦେଶରେ ସନ୍ଥମାନଙ୍କ ଶିବିର ପାଇଁ ବିଏମ୍ସି ପକ୍ଷରୁ ସଫା କରାଯାଇଛି। ଅସ୍ଥାୟୀ ବିଦ୍ୟୁତ୍ ସୁବିଧା ଯୋଗାଇ ଦିଆଯାଇଛି। ଏଠାକୁ ବିଏମ୍ସି ଅଳିଆ ଗାଡ଼ି ଦିନକୁ ୨ଥର ଆସି ଅଳିଆ ଉଠାଇବ।
ଆଜିଠାରୁ ଆରମ୍ଭ ହେଲା ଖଣ୍ଡଗିରି କୁମ୍ଭମେଳା: ଗିରି ଗହ୍ୱରରୁ ଗୁଞ୍ଜରିତ ହେଉଛି ମନ୍ତ୍ରଧ୍ୱନି

Share Now: