ଆଜିଠୁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ କରିବେ କାଳିଆକୁ

ଆଜିଠୁ ଖୋଲିବ ଶ୍ରୀମନ୍ଦିର

୯୬ ଘଣ୍ଟାର କୋଭିଡ୍‌ ରିପୋର୍ଟ ବାଧ୍ୟତାମୂଳକ

ପୁରୀ : ଶେଷରେ ବାହାର ଭକ୍ତଙ୍କୁ ମିଳିବ ମହାପ୍ରଭୁଙ୍କ ଦର୍ଶନ। ଦୀର୍ଘ ୯ ମାସ ପରେ ଆସନ୍ତାକାଲିଠାରୁ ପୁରୀ ଜିଲ୍ଲା ସହ ରାଜ୍ୟ ତଥା ରାଜ୍ୟ ବାହାରର ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିବେ। ଏଥିପାଇଁ ପ୍ରସ୍ତୁତିପର୍ବ ଶେଷ ହୋଇଛି। ପୁରୀ ସହରବାସୀଙ୍କ ପରୀକ୍ଷାମୂଳକ ଦର୍ଶନ ଶେଷ ପରେ ସମାନ ବ୍ୟବସ୍ଥାରେ ବାହାର ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା କରାଯାଇଛି। ଦର୍ଶନ ପାଇଁ ଭକ୍ତଙ୍କୁ ୯୬ ଘଣ୍ଟାର କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ କରାଯାଇଛି। ଧାଡ଼ି ଦର୍ଶନ ପାଇଁ ମାର୍କେଟ୍‌ ଛକରୁ ବାରିକେଡ୍‌ ବ୍ୟବସ୍ଥା ହୋଇଛି। ବ୍ୟାପକ ପୁଲିସ ମୁତୟନ କରାଯାଇଛି। କରୋନା ମହାମାରୀ ପାଇଁ ମାର୍ଚ୍ଚ ୨୦ରୁ ଶ୍ରୀମନ୍ଦିର ବନ୍ଦ ରହିଥିଲା। ଭକ୍ତଙ୍କୁ ଦର୍ଶନରୁ ବଞ୍ଚିତ ରଖାଯାଇଥିଲା। କେବଳ ନୀତିକାନ୍ତି ସ୍ବାଭାବିକ ଚାଲିଥିଲା। ସ୍ଥିତି ସ୍ବାଭାବିକ ହୋଇନଥିଲେ ବି ଡିସେମ୍ବର ୨୩ରୁ ପୁନର୍ବାର ଦର୍ଶନ ଆରମ୍ଭ ହୋଇଛି। ଡିସେମ୍ବର ୨୩ ରୁ ୨୫ ସେବାୟତ ପରିବାର ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଡିସେମ୍ବର ୨୬ ରୁ ୩୧ ପୁରୀ ସହରବାସୀ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ଭିଡ଼ ଦୃଷ୍ଟିରୁ ଜାନୁଆରି ୧ ଓ ୨ ଦର୍ଶନ ବନ୍ଦ ରହିବା ପରେ ଆସନ୍ତାକାଲିଠାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଏସ୍‌ଓପି ଜାରି କରାଯାଇଛି। ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଭିତରେ ଓ ବାହାରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ମନ୍ଦିର ପ୍ରବେଶ ପୂର୍ବରୁ ଭକ୍ତମାନେ ହାତ ସାନିଟାଇଜ୍‌ କରିବେ। ସାମାଜିକ ଦୂରତା ରକ୍ଷା ପୂର୍ବକ ଦର୍ଶନ ହେବ। ଶ୍ରୀମନ୍ଦିର ଭିତରେ ଦେବାଦେବୀଙ୍କ ପ୍ରତିମୂର୍ତ୍ତି କେହି ସ୍ପର୍ଶ କରି‌ବେନି। ଫୁଲ, ଭୋଗ, ଦୀପ ଆଦି ନେବାରେ କଟକଣା ଲାଗିଛି। କୌଣସି ପରିସ୍ଥିତିରେ ବି ଭକ୍ତମାନେ ଶ୍ରୀମନ୍ଦିର ଭିତରେ ଦୀପ ଜାଳି ପାରିବେନି। କେହି ବି ଭକ୍ତ ଶ୍ରୀମନ୍ଦିର ଭିତରେ ମହାପ୍ରସାଦ ସେବନ କରି ପାରିବେନି। ମହାପ୍ରସାଦ କିଣିବା ପରେ ବାହାରେ ଆଣି ଖାଇପାରିବେ। ପାନ, ଗୁଟ୍‌ଖା ଆଦି ଖାଇ ମନ୍ଦିରରେ ପ୍ରବେଶରେ ବି କଟକଣା ଲଗାଯାଇଛି। ଶ୍ରୀମନ୍ଦିର ଭିତରେ ଛେପ ପକାଇବାରେ ବି କଟକଣା ଲାଗିଛି। ଭକ୍ତଙ୍କ ପାଇଁ ‌ଜଗନ୍ନାଥ ବଲ୍ଲଭରେ ଗାଡ଼ି ପାର୍କିଂର ବ୍ୟବସ୍ଥା କରାଯାଇଛି। ୬୫ ବର୍ଷରୁ ଅଧିକ ଓ ୧୦ ବର୍ଷରୁ କମ୍‌ ବୟସ, ଗର୍ଭବତୀ ଓ ଅସୁସ୍ଥ ବ୍ୟକ୍ତିଙ୍କୁ ଦର୍ଶନ ବାରଣ କରାଯାଇଛି। ମାର୍କେଟ୍‌ ଛକରୁ ଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟ ପର୍ଯ୍ୟନ୍ତ ବାରିକେଡ୍‌ରେ ପ୍ରବେଶ ପୂର୍ବରୁ କୋଭିଡ୍‌ ରିପୋର୍ଟ ଦେଖାଇବାକୁ ପଡ଼ିବ। ବାରିକେଡ୍‌ରେ ଯିବା ପରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ଆଗରେ ଥିବା ୮ଟି କାଉଣ୍ଟର୍‌ରେ ପୁନର୍ବାର କୋଭିଡ୍‌ ରିପୋର୍ଟ (ଆର୍‌ଟିପିସିଆର କିମ୍ବା ଆଣ୍ଟିଜେନ୍‌) ଓ ପରିଚୟପତ୍ର ଯାଞ୍ଚ ହେବ। ଭକ୍ତଙ୍କ ଫଟୋ ଉତ୍ତୋଳନ କରାଯିବ। ଦର୍ଶନ ପୂର୍ବରୁ ହାତ ସାନିଟାଇଜ୍‌ ସାଙ୍ଗକୁ ଥର୍ମାଲ୍‌ ସ୍କାନିଂ କରାଯିବ। ସମସ୍ତ ଭକ୍ତ ସିଂହଦ୍ବାର ଦେଇ ପ୍ରବେଶ ପରେ ଦର୍ଶନ କରି ଉତ୍ତରଦ୍ବାରରେ ପ୍ରସ୍ଥାନ କରିବେ। ସକାଳ ୮ଟାରୁ ଭକ୍ତଙ୍କ ପାଇଁ ଧାଡ଼ି ଦର୍ଶନ ଆରମ୍ଭ ହେବ। ମାର୍କେଟ୍‌ ଛକରୁ ଭକ୍ତମାନେ ବାରିକେଡ୍‌ରେ ଧାଡ଼ିରେ ଯିବେ। ସମସ୍ତ ଭକ୍ତଙ୍କୁ ପରିଚୟପତ୍ର (ଆଧାରକାର୍ଡ଼, ଭୋଟରକାର୍ଡ଼) ବାଧ୍ୟତାମୂଳକ କରାଯାଇଛି। ସିଂହଦ୍ବାରରେ ଏହି ପରିଚୟପତ୍ର ଦେଖାଇ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯାଇପାରିବେ। ପରିସ୍ଥିତିକୁ ଦେଖି ନିୟମରେ କୋହଳ କରାଯିବ। କରୋନା ମହାମାରୀ ପାଇଁ ୯ ମାସ ଧରି ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ଥିଲା।

Share Now:

Kalinga News Beuro

Next Post

ରାସ୍ତା ଖୋଳିବାକୁ ଏନ୍‌ଓସି ଦରକାର: ବିଏମ୍‌ସି ଦେବ ଅନୁମତି

Sun Jan 3 , 2021
ଭୁବନେଶ୍ବର : ଏଣିକି ରାଜଧାନୀରେ କେହି ମନଇଚ୍ଛା ରାସ୍ତା ଖୋଳିପାରିବେନି। ରାସ୍ତା ଖୋଳିବା ପୂର୍ବରୁ ବିଏମ୍‌ସିରୁ ଏନ୍‌ଓସି ଆଣିବାକୁ ପଡ଼ିବ। ଏଥିପାଇଁ ଭୁବନେଶ୍ବର.ମି ୱେବସାଇଟ୍‌ରେ ଆବେଦନ କରିବାକୁ ପଡ଼ିବ ବୋଲି ବିଏମ୍‌ସି ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ରାଜଧାନୀରେ ଏବେ ବିଭିନ୍ନ ଅଞ୍ଚଳରେ ଓପିଟିସିଏଲ୍‌, ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ, ୱାଟ୍‌କୋ, ବିଭିନ୍ନ ଟେଲିକମ୍ ସଂସ୍ଥା ମନଇଚ୍ଛା ରାସ୍ତା ଖୋଳିଦେଉଛନ୍ତି। ଫଳରେ ପୂରା ରାଜଧାନୀ ଖାଲଖମାରେ ଭର୍ତ୍ତି ହୋଇଯାଉଛି। ଏସବୁର […]
ରାସ୍ତା ଖୋଳିବାକୁ ଏନ୍‌ଓସି ଦରକାର

ଆହୁରି ପଢ଼ନ୍ତୁ

Breaking News

Most Read

Social media & sharing icons powered by UltimatelySocial